ବିଚିତ୍ର ପୁଷ୍ପ

କାବୁଇ କିଛି ଦେଖି ପାରିଲେ ନାହିଁ । ଉତୁଙ୍ଗ ଆଙ୍ଗୁଠି  ନିର୍ଦ୍ଧେଶ କରି କହିଲେ, “ମୋ ଆଙ୍ଗୁଠି ସିଧାରେ ଦେଖନ୍ତୁ ଛୋଟ ପାହାଡ ପରି ଏକ ଆକୃତି ଧୀରେ ଧୀରେ ସମୁଦ୍ର ଭିତରେ ଚାଲି ଆସୁଛି ।”

କାବୁଇ ପଚାରିଲେ “ହଁ, ହଁ, ପାହାଡ ପରି ଗୋଟାଏ ପ୍ରାଣୀ ଚାଲିଚାଲି ଆସୁଛି । ଠିକ୍ କଥା ତ । ତେବେ ଏଇ ହେଲା ରାକ୍ଷସଜନ୍ତୁ?”

ଉତୁଙ୍ଗ କହିଲେ “ଏବେ ଭଲ କରି ଦେଖନ୍ତୁ ଦୁଇଟି ନୌକା ଚାଲିଛି ଏବଂ ତା’ ପଛରେ ରାକ୍ଷସଜନ୍ତୁ ଚାଲିଛି । ଏବେ କ’ଣ କରାଯିବ କୁହନ୍ତୁ ।”

କାବୁଇ କହିଲେ “ଏହିପରି ବିପଦ ବେଳେ ରାଜା ତ ତାଙ୍କ ସୈନ୍ୟମାନଙ୍କୁ ନେଇ ଆସିଯିବା କଥା । ହେଲେ ସେମାନେ କୁଆଡେ ଗଲେ ।”

ଉତୁଙ୍ଗ ହଠାତ୍ ଅନ୍ଧକାରକୁ ଚାହିଁ ଖୁସି ହୋଇ କହିଲେ, “ହେଇ ଦେଖନ୍ତୁ ରାଜା ଓ ତାଙ୍କ ସୈନ୍ୟମାନେ ଆସିଗଲେ । କାରଣ ସୈନ୍ୟମାନେ ମଶାଲ ଧରିଛନ୍ତି; ମଶାଲର ଆଲୋକରେ ସବୁ ଦେଖାଯାଉଛି । ସେନାପତି ମଧ୍ୟ ଆସିଛନ୍ତି ।”

“ଏଣେ ନୌକା ଦୁଇଟି ବେଶ୍ ଜୋର୍ରେ ତଟ ଆଡକୁ ଆସୁଛି । ଗୋଟିଏ ନୌକାରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ହାତ ଉଠାଇ କ’ଣ କହୁଛି । ନୌକା ପଛରେ ଚାଲିଛି ରାକ୍ଷସଜନ୍ତୁ ।” ସେତେବେଳେ ରାକ୍ଷସଜନ୍ତୁ ନୌକା ଦୁଇଟିକୁ ଧରିବାକୁ ଚେଷ୍ଟା କରୁଥାଏ । ତା’ର ହାତ ନୌକାକୁ ସ୍ପର୍ଶ କରୁ କରୁ ସେଥିରେ ଥିବା ବ୍ୟକ୍ତି ପଡିଗଲେ । ତତ୍କ୍ଷଣାତ୍ ସେନାପତି ସୈନ୍ୟମାନଙ୍କୁ ଆଜ୍ଞା ଦେଲେ ମଶାଲ ତୀରରେ ଖଞ୍ଜି ମାରିବାକୁ । ସେମାନେ ସେପରି କଲେ ଓ ଅନ୍ୟ କେତେକ ସୈନ୍ୟ ସେହି ଅନ୍ଧକାରରେ ଆଲୁଅ ହେବାକୁ ମଶାଲ ଜାଳି ଧରି ରଖିଲେ ।

କେତେକ ମଶାଲ ସମୁଦ୍ରରେ ପଡିଗଲା । କେତେକ ନୌକାରେ ଓ କେତେକ ରାକ୍ଷସଜନ୍ତୁ ଉପରେ ପଡିଲା । ରାକ୍ଷସଜନ୍ତୁ ଆଲୋକ ସହ୍ୟ କରି ନପାରି ଆଖି ବନ୍ଦ କଲା । ଏଣେ ସେ ନୌକାକୁ ଧରି ଥାଏ । ଦେହରେ ମଶାଲ ନିଆଁ ବାଜିବାରୁ ସେ ଚିତ୍କାର କରି ପାଣିରେ ବୁଡୁଥାଏ । ଏଣୁ ବହୁତ ତୀର ଛଡା ଯାଉଥାଏ । ସେ ପାଣିରେ ବୁଡି ତାକୁ ସବୁ ଲିଭାଇ ଦେଇ ରାଗରେ ନୌକା ଦୁଇଟିକୁ ହାତରେ ଟେକି କଚାଡି ଦେଲା ତା’ପରେ ସମୁଦ୍ର ପାଣିରୁ ‘ଶତାଦ୍ଦିକା’ ଫୁଲ ସଂଗ୍ରହ କରିବାରେ ସେ ଲାଗିଲା । ଫୁଲ ସବୁ ସହିତ ଜଣେ ଜଣେ ନାଗସିଂହର ସୈନ୍ୟ ତା’ ହାତରେ ପଡୁଥାଏ । ସେ ତାଙ୍କୁ ଦୂରକୁ ଛାଟି ଫିଙ୍ଗି ଦେଉଥାଏ । ଏଣେ ସମୁଦ୍ରତଟରୁ ମଶାଲ ତୀରସବୁ ଛଡା ହେଉଥାଏ ।

ରାକ୍ଷସଜନ୍ତୁ ଫୁଲସବୁ ଛାଣି ଗୋଟାଇ ପୁଣି ପଛକୁ ବୁଲି ଗଭୀର ଜଳ ଆଡେ ଚାଲିଲା । ତୀରସ୍ଥ ସୈନିକମାନେ ମଶାଲତୀର ଛାଡୁଥା’ନ୍ତି । ଶେଷକୁ ତା’ ଦେହରେ ନିଆଁ ଲାଗିଗଲା । ତା’ର ମୁଣ୍ଡ ଅଗ୍ନିର ଏକ ପେଣ୍ଡୁ ସଦୃଶ ଦେଖାଗଲା । ତା’ପରେ ସେ ଚିତ୍କାର କରି କରି ପାଣିରେ ଡୁବିଗଲା । ତା’ର ଆଉ ପତ୍ତା ମିଳିଲା ନାହିଁ ।

ରାଜା କହିଲେ “ମନେହୁଏ ରାକ୍ଷସ ଜନ୍ତୁ ମରିଗଲା, ନଚେତ୍ ଫୁଲ ସଂଗ୍ରହ କରିବାକୁ ସେ ତ ଉପରକୁ ଉଠନ୍ତା ।”

କିଛିସମୟ ପରେ ନାଗସିଂହ ସହ ଯାଇଥିବା ସୈନିକମାନଙ୍କ ମଧ୍ୟରୁ କେହି କେହି ତଟକୁ ଆସୁଥାନ୍ତି । ସେନାପତି କହିଲେ, “ସେମାନେ ପହଁଚିଲେ ସେମାନଙ୍କଠାରୁ ସଠିକ୍ ବିବରଣୀ ମିଳିବ । ଅନ୍ୟ କେତେକ ଆମ ସୈନ୍ୟଙ୍କୁ ଏଠାରେ ରଖି ଆମେ ରାଜଧାନୀ ଫେରିଯିବା ।”

କାବୁଇ କହିଲେ, “ନାଗସିଂହର କିନ୍ତୁ କ’ଣ ହେଲା?”

ଉତୁଙ୍ଗ କହିଲେ “ମୁଁ ଏଇଠି କିଛି ସୈନିକଙ୍କ ସହ ରହିଚି ଓ ପୁରା ବିବରଣୀ ନେଇ କାଲି ରାଜଧାନୀରେ ଦେଖା କରିବି । ମୁଁ ଯେଉଁ କାମ ପାଇଁ ଆସିଥିଲି, ସେକାମ ତ ହୋଇଗଲା । ମୁଁ ରାଜଧାନୀକୁ ଗଲେ ସମୟ ସ୍ଥିର କରାଯିବ କି କେବେ ମୁଁ ମାଣିକ୍ୟପୁରୀ ଫେରିବି ।”

ତାଙ୍କ କଥା ଶୁଣି ରାଜା ଖୁସି ହୋଇ କହିଲେ, “ତାହାହିଁ ହେବ ।” କେତେକ ସୈନ୍ୟଙ୍କୁ ଉତୁଙ୍ଗଙ୍କ ପାଖରେ ଛାଡି ରାଜା, ସେନାପତି ଓ କାବୁଇ ଅବଶିଷ୍ଟ ସୈନିକଙ୍କୁ ଧରି ରାଜଧାନୀ ଫେରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ