ବିଚିତ୍ର ସ୍ୱପ୍ନ

ଖୁବ୍ ସୁନ୍ଦର ଖାଦ୍ୟ ସାମଗ୍ରୀ ସବୁ ଅଣା ହେଲା । ବାବର ସେଥିରୁ ମନ ଇଚ୍ଛା ଖାଇଲା । ଖାଇବା ଶେଷ ହେବା ପରେ ଜଣେ ସେବକ ପୁଣି ପଚାରିଲା, “ମାଲିକ୍, ଆପଣ ଆସିବା ପରେ ବହୁତ ସମୟ ବିତିଗଲାଣି । ତେଣେ ମାଲିକାଣୀ ଅପେକ୍ଷା କରିଥିବେ । ଆପଣ ଏବେ ସେଠାକୁ ଯିବେ?”

ବାବର କହିଲା “ଠିକ୍ ଅଛି । ମୁଁ ଏବେହିଁ ଯିବି ।”

ତା’ପରେ ସେବକ ଚାଲିଗଲା । ବାବର କୁଆଡେ ଯିବ ଭାବି ଭାବି କିଛି ସ୍ଥିର କରି ନ ପାରି ଗୋଟିଏ ଦୁଇଟା ଦ୍ୱାର ଖୋଲିବା ମାତ୍ରେ ଅନ୍ଦର ମହଲକୁ ଥିବା ରାସ୍ତା ସେ ପାଇଗଲା । ତା’ପରେ ସେ ଦେଖିଲା ଧନୀ ବାବରର ସ୍ତ୍ରୀ ସୁନ୍ଦରୀ ବେଗମ୍ ନିଜେ ତାକୁ ସ୍ୱାଗତ କରିବାକୁ ସେଠାରେ ଅପେକ୍ଷା କରିଛନ୍ତି ।

ସେ ବାବରକୁ ଦେଖିବା ମାତ୍ରେ ତା’ର ହାତ ଧରି ନିଜର ସୁସଜ୍ଜିତ କକ୍ଷକୁ ନେଇଗଲେ ଓ ନିଜ ପାଖରେ ବସାଇ କଥା କହିଲେ । ଏଣେ ବାବର ତ ଭୟରେ କାଠ ହୋଇଗଲାଣି । କ’ଣ କରିବ? ବେଗମ୍ କହିଲେ, “ଆଜି ତମକୁ ପ୍ରଥମେ ମୁଁ ଗୋଟିଏ ପ୍ରଶ୍ନ କରିବି । କାଲି ମୋର ବାଲ୍ୟସଙ୍ଗିନୀ ନଜ୍ମା ଆସିଥିଲା । ଆମେ କଥା କହୁ କହୁ ସେ ତୁମର ପୁରା ନାମ ପଚାରିଲା । ମୁଁ ତ କିଛି କହିପାରିଲି ନାହିଁ କାହିଁକିନା ମୋର କିଛି ମନେ ପଡିଲା ନାହିଁ । ତମେ ଆଜି ମୋତେ ତୁମର ପୁରା ନାମଟି କୁହ ।”

ଏତିକିରେ ବାବରର ମଥା ହଠାତ୍ ଘୁରିଗଲା । ଏବେ ସେ କ’ଣ ବା କରେ? ବୁଦ୍ଧି ପ୍ରୟୋଗ କରି କହିଲା, “ଆରେ ଆମେ ଏତେଦିନ ହେଲା ଘରସଂସାର କରିବା ପରେବି ତମେ ମୋର ନାମ ଭୁଲି ଯାଉଛ?”

ବେଗମ୍ କିନ୍ତୁ ଯିଦ୍ କରି କହିଲେ, “ନା, ଆଜି ତୁମକୁ ପୁରା ନାମଟି କହିବାକୁହିଁ ପଡିବ ।”

କିଂକର୍ତ୍ତବ୍ୟବିମୁଢ ହୋଇ ବିଚରା ବାବର ଏକ ମନଗଢା ମିଛ ନାମ କହିଲା ଓ ବେଗମ୍ଙ୍କ ପାଖରେ ଧରା ପଡିଲା । ସେ ଭୟରେ ସବୁକଥା ସତ ସତ ବେଗମ୍ଙ୍କୁ କହିଦେଲା । ଶେଷରେ ସେ ଅନୁରୋଧ କରି କହିଲା, “ତମେ ମୋତେ କ୍ଷମା କର ।”

ବେଗମ୍ କହିଲେ “ମୁଁ ତ ତୁମକୁ କ୍ଷମା କରିଦେବି । କିନ୍ତୁ ମୋର ସ୍ୱାମୀ ଯେ ଖୋଦ୍ ବାଦ୍ଶାହଙ୍କର ମୌଲବୀ । ସେ ବାଦଶାହଙ୍କୁ ସବୁଦିନେ ଧର୍ମଶାସ୍ତ୍ର ପଢି ଶୁଣାନ୍ତି । ସେଠାକୁ ଯାଇ ତମେ ତ ଧରା ପଡିବ ।”

ବେଗମ୍ଙ୍କ କଥା ନ ସରୁଣୁହିଁ ରାଜପ୍ରାସାଦରୁ ମୌଲବୀଙ୍କୁ ଡାକି ନେବାକୁ ଲୋକ ଆସିଛି । ବାବର ଭୟରେ ଥରିଲା ଓ ବେଗମ୍ଙ୍କୁ କହିଲା, “ଏବେ ତୁମେ କୁହ ମୁଁ କ’ଣ କରିବି ।”

ବେଗମ୍ କହିଲେ, “ତୁମେ ସେଠାକୁ ଯାଇ ଦେଖିବ ବାଦଶାହଙ୍କ ସାମନାରେ ଦୁଇଟି ଆସନ । ଗୋଟିକ ଉପରେ ମୋତିମାଳା ଓ ଆଉ ଗୋଟିକ ଉପରେ ସୁନାହାର ଥିବ । ତୁମେ ମୋତିର ହାରଟି ନିଜେ ଗଳାରେ ପିନ୍ଧିବ ଓ ସୁନାହାରକୁ ହାତରେ ଧରି କହିବ, “ଏ ମୋର ମିତ୍ର” ଏବଂ ତା’ପରେ ଧର୍ମଚର୍ଚ୍ଚା ଆରମ୍ଭ କରିବ ।”

ବାଦଶାହ ପଠାଇଥିବା ଲୋକଙ୍କ ସହିତ ଦରିଦ୍ର ବାବର ଯାଇ ବେଗମ୍ କହିବା ଅନୁସାରେ ସବୁ କାମ କଲା ହେଲେ ଭୟରେ ଥରି ଥରି ଦେହରୁ ତା’ର ଝାଳ ଗମ୍ ଗମ୍ ବୋହିଯାଉଥିଲା । ଭୟରେ ଥରିବା ଯୋଗୁଁ ଦରିଦ୍ର ବାବରର ନିଦ ହଠାତ୍ ଭାଙ୍ଗିଗଲା । ସେ ବୁଝିପାରିଲା ସମଗ୍ର ଘଟଣାଟି ତା’ର ଇଚ୍ଛା ପୂର୍ତି କରିବାର ଏକ ସ୍ୱପ୍ନ ମାତ୍ର ଥିଲା । ଏବେ ସ୍ୱପ୍ନରୁ ଉଠିବା ପରେ ତା’ର ଆଉ ଭୟ ନଥିଲା । ତାକୁ ଏତେ ଶାନ୍ତି ଲାଗିଲା ଯେ ଆନନ୍ଦରେ ତା’ ଆଖିରୁ ଅଶ୍ରୁ ବହିବାକୁ ଲାଗିଲା । ଭୟଙ୍କର ବିପଦର ଅନୁଭୂତିରୁ ହଠାତ୍ ମୁକ୍ତି ମିଳିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ