ବିଟ ପୁରୁଷର ପ୍ରେମ

ସେତେ ବେଳେ ଧ୍ୟାନରେ ବସି ରାଜା ସବୁ କଥା ଶୁଣୁ ଥିଲେ ଅଣ୍ଡିରା ଛେଳିର ଶାସନ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇ ଭାବିଲେ ମୁଁ କ’ଣ ଏହି ପଶୁ ମାନଙ୍କ ଠାରୁ ଆହୁରି ବଡ ପଶୁ । କାରଣ ମୋ ରାଣୀଙ୍କୁ ମୁଁ ଏତେ ଭଲ ପାଏ, ମୋର ଯେଉଁ କଥା ପ୍ରକାଶ କଲେ ମୁଁ ପଥର ହୋଇ ଯିବା କଥା ସତ୍ୟ, ଏଥିରେ ରାଣୀ ଏହା ପରେ ବୈଧବ୍ୟ ଜୀବନ ଯାପନ କରିବ । ତଥାପି ୟେ ରାଣୀ ତାର ଯିଦ୍ରେ ଅଟଳ । ସେ ନାରୀ ନୁହଁ କାଳିକା । ଏହି ପରି ସ୍ତ୍ରୀମାନେ ମୁଖରେ ଅମୃତ ଥିବାର କଥା କହି ଶେଷରେ ପୁରୁଷ ମାନଙ୍କର ଜୀବନକୁ ଏହି ପରି ନେଇ ଥାଆନ୍ତି ।

ଏହା ପରେ ରାଜା ଧ୍ୟାନରୁ ଉଠି ଆସି ଦିୱାନ୍ଙ୍କୁ ପଠାଇ ରାଣୀଙ୍କ ସହିତ ସମସ୍ତ ରାଜ କର୍ମଚାରୀଙ୍କୁ ଡେରା ପାଖକୁ ଡକାଇ ଆଣି ରାଣୀଙ୍କୁ କହିଲେ – ଦେଖ ରାଣୀ ମୁଁ ଯଦି ତୁମକୁ ମୋ ପାଖରେ ଥିବା ଗୋପନ କଥାଟି କହି ଦେବି । ତାହା ହେଲେ ମୁଁ ପଥର ହୋଇ ଯିବି । ଏଥର ତୁମେ ତୁମର ଇଚ୍ଛା ପ୍ରକାଶ କର ।

ରାଣୀ ଏଡେ ନିଷ୍ଠୁରା ପାଷାଣୀ ଯେ ରାଜାଙ୍କ ଠାରୁ ସତ କଥାଟି ଶୁଣି ସାରିବା ପରେ ମଧ୍ୟ କହିଲେ – ମୁଁ କୌଣସି କଥା ଶୁଣିବାକୁ ଚାହେଁ ନାହିଁ । ଯେଉଁ କଥାକୁ ଶୁଣିବା ନିମନ୍ତେ ଏତେ ବାଟ ଆସି ଅପେକ୍ଷା କରିଛି । ମୁଁ ସେହି କଥା ଶୁଣିବାକୁ ଚାହେଁ । କଥାଟା ମୋତେ ଲୁଚାଇ ରଖିବା ଲାଗି ମୋତେ ନିଜେ ପଥର ହୋଇଯିବା ଭୟ ଦେଖାଉଛ ନୁହେଁ ।

ଏଥର ନିଷ୍ଠୁର ହୋଇ ଗଲେ ରାଜା, ସଙ୍ଗେ ସଙ୍ଗେ ଚାବୁକ୍ ଧରି ରାଣୀଙ୍କୁ କ୍ରୋଧରେ ପ୍ରହାର କରିବାକୁ ଲାଗିଲେ । ରାଣୀ ଏତେ ମାଡ ଖାଇ ରକ୍ତାକ୍ତ ହୋଇ ଯିବା ପରେ ରାଜା ସୈନ୍ୟ ମାନଙ୍କୁ ଆଦେଶ ଦେଲେ । ଏହି ପାପିୟସୀକୁ ଅଶ୍ୱଖୁରାରେ ବାନ୍ଧି ଘୋଷାଡି ଘୋଷାଡି ନେଇ ଯାଅ, ଘଂଚ ଅରଣ୍ୟ ମଧ୍ୟରେ ଏ ରାକ୍ଷାସୀର ଆଖି ଦୁଇଟିକୁ ତାଡି ଦେଇ ଛାଡି ଆସ ।

ଘାତକ ମାନେ ସଙ୍ଗେ ସଙ୍ଗେ ରାଜାଙ୍କର ଆଦେଶ ପାଳନ କଲେ ରାଣୀଙ୍କୁ ରାଜାଙ୍କର ଆଦେଶ ମତେ ଅରଣ୍ୟ ମଧ୍ୟକୁ ନେଇ ଯାଇ ଆଖି ଦୁଇଟାକୁ ବାହାର କରି ଦେଇ ଜଙ୍ଗଲ ମଧ୍ୟରେ ଛାଡି ଦେଇ ଆସିଲେ । ରାଣୀ ଏଥର ନିଜର ଉଦ୍ଧତ ଗୁଣ ଲାଗି ଶାସ୍ତି ପାଇଲା ।

ଶୁଆ କହିଲା – ଏଥର ସବୁ କଥା ଶୁଣିଲୁ ତ ଶାରୀ । କୌଣସି ନାରୀକୁ କେବେ ବିଶ୍ୱାସ କରିବ ନାହିଁ । ଶାସ୍ତ୍ର ପରା କହିଛି, ନାରୀ, ନଦୀ, ନିଆଁ ଏମାନଙ୍କୁ କେବେ ହେଲେ ବିଶ୍ୱାସ କରିବ ନାହିଁ । ଏମାନେ ସହଜରେ ପୁରୁଷ ମାନଙ୍କର ଜୀବନ ପରା ନେଇ ଯାଆନ୍ତି ।

ଶାରୀ ଆଉ ଶୁଆ ଉପରେ ରାଗି ପାରିଲା ନାହିଁ । ମନ ମଧ୍ୟରେ କ୍ରୋଧ ଓ ରାଗକୁ ରଖି କହିଲା – ତମେ ଭାବ ନାହିଁ ଯେ ଏପରି କଥାଟାଏ କହି ଦେଲେ ମୁଁ ତୁମ କଥାରେ ଫଶି ଯିବି । ଏବେ ଶୁଣ ମୁଁ ମଧ୍ୟ ତୁମ ପୁରୁଷ ଜାତିଙ୍କ ଲାଗି କେତେ ଗୋଟି କଥା କହୁଛି । ଗୋଟିଏ ହାତରେ ତାଳି ବାଜେନା, ତାଳି ବାଜିବାକୁ ହେଲେ ଦୁଇଟି ହାତର ଦରକାର ହୋଇ ଥାଏ । ଏବେ ତୁ ମନ ଧ୍ୟାନ ଦେଇ ଶୁଣ । ମୁଁ ତୋତେ ସେମିତି କେତୋଟି କଥା କହୁଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ