ବିଦ୍ୟା – ଦାନ

                ଇନ୍ଦ୍ରଦତକୁ ଦେଖିବା କ୍ଷଣି ମହେନ୍ଦ୍ରଭଟ୍ଟ ଅନୁଭବ କଲେ ଯେ, ସେ ଜଣେ ପ୍ରତିଭାବାନ୍ ଯୁବକ । ସେ ତା’କୁ ପାଖକୁ ଡାକି ତା’ର ପରିଚୟ ଜାଣିବାର ଜିଜ୍ଞାସା କଲେ । ତା’ପରେ ରାଜଗୁରୁ ପ୍ରଶ୍ନ କଲେ, “ତୁମେ ଦୁଇଦିନ ହେଲା ରାଜଧାନୀକୁ ଆସିବା ସ୍ଥଳେ, ଏଠାକୁ ଆସିବାକୁ ବିଳମ୍ବ କରିଛ କାହିଁକି?”

                “ଆଚାର୍ଯ୍ୟ! କ୍ଷମା କରନ୍ତୁ । ମୁଁ ଏହାର ବିସ୍ତାରିତ ବିବରଣୀ ପ୍ରଦାନ କରିବି । କାରଣ ମୁଁ ଯେଉଁ ପଦବୀରେ ନିଯୁକ୍ତି ପାଇଁ ଏଠାକୁ ଆସିଛି, ସେହି ସମ୍ପର୍କରେ ମୋତେ ବିଶଦ ଜ୍ଞାନ ଆହରଣ କରିବାକୁ କିଛି ସମୟ ଲାଗିଲା । ଆମ ନଗରୀରେ ସର୍ବମୋଟ ନଅଗୋଟି ବିଦ୍ୟାଳୟ ଅଛି । ସାରା ରାଜ୍ୟରେ ଗୁରୁକୁଳ ଓ ବିଦ୍ୟାଳୟ ମିଶି ଶହେରୁ ଅଧିକ ହେବ ନାହିଁ । ବିଦ୍ୟାର୍ଥୀଙ୍କ ସଂଖ୍ୟା ତୁଳନାରେ ଯଥେଷ୍ଟ ବିଦ୍ୟାଳୟ ନାହିଁ । ଗୁରୁମାନଙ୍କର ଅଭିରୁଚି ଅନୁସାରେ ଶିକ୍ଷା ପ୍ରଦାନ କରାଯାଉଛି । ମୋ ମତରେ ବିଦ୍ୟାର୍ଥୀର ରୁଚି ଓ ଯୋଗ୍ୟତାକୁ ଆଧାର କରି ସମସ୍ତଙ୍କୁ ଶିକ୍ଷାର ସୁଯୋଗ ମିଳିବା ପରି ସଂସ୍ଥା ଗଠିତ ହେବା ଜରୁରୀ ।”

                ମହେନ୍ଦ୍ର ଭଟ୍ଟଙ୍କର ଅନୁମାନ ସତ୍ୟ ପ୍ରମାଣିତ ହେଲା । ସେ ଇନ୍ଦ୍ରଦତ ମଧ୍ୟରେ ଅନେକ ସମ୍ଭାବନା ଦେଖି ପାରିଲେ ।

                ମହେନ୍ଦ୍ର ଭଟ୍ଟ ପ୍ରଶ୍ନ କଲେ “ତୁମେ କିପରି ଭାବିନେଲ ଯେ, ତୁମକୁ ଏହି ପଦବୀ ପ୍ରାପ୍ତ ହେବ?”

                ଇନ୍ଦ୍ରଦତ ଆତ୍ମବିଶ୍ୱାସର ସହିତ ଉତ୍ତର ଦେଲା “ମୁଁ ଯେଉଁ କାର୍ଯ୍ୟ ହାତକୁ ନିଏ, ତାହା ସମ୍ପୂର୍ଣ୍ଣ କରିଥାଏ । ଏହା ମୋର ସ୍ୱଭାବ ଅଟେ । ଏହା ବ୍ୟତୀତ ଆଶା ହରାଇ ବସିଲେ, ଭବିଷ୍ୟତ ତ ଶୂନ୍ୟ ହୋଇଯାଏ ।”

ତା’ର ଏଭଳି ଉତ୍ତରରେ ସନ୍ତୁଷ୍ଟ ହୋଇ ମହେନ୍ଦ୍ର ଭଟ୍ଟ ଦୁର୍ଜୟ ଓ ବିକ୍ରମ ସହିତ ଇନ୍ଦ୍ରଦତର ପରୀକ୍ଷା ନେବାକୁ ଚାହିଁଲେ । ସେ ପ୍ରଥମେ ପଚାରିଲେ, “ମନ ସବୁଠାରୁ ଅଧିକ ବେଗରେ ଗତି କରେ । ଏହା ପରେ କାହାର ସ୍ଥାନ?”

                ଦୁର୍ଜୟ ଉତ୍ତର ଦେଲା “ବାୟୁ”

                ବିକ୍ରମ କହିଲା ‘ନା’ – ଅଗ୍ନି

                ଇନ୍ଦ୍ରଦତ ଉତ୍ତର ଦେଲା “ମୋ ମତରେ ଆପଣଙ୍କ ପ୍ରଶ୍ନର ଉତ୍ତର ହେଉଛି ସମାଚାର । ଏହା ସାମାନ୍ୟ ସମୟ ମଧ୍ୟରେ ବାୟୁ ଓ ଅଗ୍ନିଠାରୁ ମଧ୍ୟ ଅଧିକ ବେଗରେ ଯାତ୍ରା କରେ । ମୋର ଗ୍ରାମ ରାଜ୍ୟର ଗୋଟିଏ କୋଣରେ ଅବସ୍ଥିତ । କିନ୍ତୁ ପ୍ରତିଯୋଗିତାର ସମାଚାର ପାଇ ମୁଁ ଆଜି ଏଠାରେ ଉପସ୍ଥିତ ହୋଇଛି । ଏଥିରୁ କ’ଣ ପ୍ରମାଣିତ ହେଉନାହିଁ ଯେ, ମନ ପରେ ଖବର ହେଉଛି ପ୍ରଚଣ୍ଡ ବେଗଶାଳୀ!”

ମହେନ୍ଦ୍ର ଭଟ୍ଟ ପୁଣି ପ୍ରଶ୍ନ କଲେ “ମୋର ଅନ୍ୟ ଏକ ପ୍ରଶ୍ନ । ମାନବକୁ କିଏ ପ୍ରଜ୍ୱଳିତ କରେ?”

ଦୁର୍ଜୟ ଉତ୍ତର ଦେଲା – “ଅଗ୍ନି”

ବିକ୍ରମ କହିଲା, “ହଁ, ଅଗ୍ନି ତ କେବଳ ମନୁଷ୍ୟ ନୁହେଁ, ଯେ କୌଣସି ଚିଜକୁ ଜଳାଇପାରେ । କିନ୍ତୁ ଅଗ୍ନିଠାରୁ ଅଧିକ ଜ୍ୱଳାପ୍ରଦ ହେଉଛି ମିଥ୍ୟା, କଳଙ୍କ ଓ ଅପବାଦ ।”

ଇନ୍ଦ୍ରଦତ ଉତ୍ତର ଦେଲା, “ମିଥ୍ୟା, ଅପବାଦ ତ ଦିନେ ନା ଦିନେ ଦୂରେଇ ଯାଇ ସତ୍ୟତା ପ୍ରମାଣିତ ହେବ, କିନ୍ତୁ କୁଖ୍ୟାତି ଓ ଅପଯଶର ଜ୍ୱାଳା ମନୁଷ୍ୟକୁ ଅଗ୍ନିର ଦହନଠାରୁ ବି ଅଧିକ ଜ୍ୱାଳା ପ୍ରଦାନ କରେ ।”

ମହେନ୍ଦ୍ର ଭଟ୍ଟ ପ୍ରଶ୍ନ କଲେ “ଏଥରର ପ୍ରଶ୍ନ, କିଏ ମୃତ୍ୟୁକୁ ଆମ ପାଖକୁ ଡାକି ଆଣେ?”

ଦୁର୍ଜୟ ତୁରନ୍ତ ଉତ୍ତର ଦେଲା “ରୋଗ ଓ ଅସୁସ୍ଥତା”

ବିକ୍ରମ କିଛି ସମୟ ଚିନ୍ତା କରିବା ପରେ ଉତ୍ତର ଦେଲା, “ଚିନ୍ତା । ଚିନ୍ତାଗ୍ରସ୍ତ ମନୁଷ୍ୟ ପାଇଁ ତା’ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡେ ଓ ସେ ତା’ ନିଜ ଅଜାଣତରେ ମୃତ୍ୟୁର ନିକଟବର୍ତ୍ତୀ ହେଉଥାଏ ।”

ଏହାପରେ ମହେନ୍ଦ୍ର ଭଟ୍ଟ ଇନ୍ଦ୍ରଦତର ମତାମତ ଶୁଣିବାକୁ ଅପେକ୍ଷା କଲେ । ଇନ୍ଦ୍ରଦତ ପ୍ରାଞ୍ଜଳ ଭାବେ ବୁଝାଇ କହିଲା, “ମହାଶୟ! ଅସୁସ୍ଥତା ଓ ଚିନ୍ତା ମୃତ୍ୟୁକୁ ଆମର ନିକଟକୁ ଘେନି ଆସେ । ଏହା ସତ୍ୟ ଅଟେ । କିନ୍ତୁ ଏହି ଦୁଇଟିର ମୂଳ କାରଣ ହେଉଛି କ୍ରୋଧ । ଏହା ଆମ ନିକଟରୁ ବିବେକକୁ ଦୂରେଇ ଦିଏ । ଅକାରଣରେ ଆମ ମନରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୁଏ, ଯାହା କି ଆମ ଶରୀରକୁ ପ୍ରକମ୍ପିତ କରି ତା’ର ଜୀବନୀ ଶକ୍ତିକୁ ନଷ୍ଟ କରିଦିଏ, ବିବେକକୁ ଧ୍ୱଂସ କରିଦିଏ । ଅବିବେକୀ ମନୁଷ୍ୟ ମୃତପ୍ରାୟ କହିଲେ କିଛିବି ଅତ୍ୟୁକ୍ତି ହେବ ନାହିଁ ।”

ଇନ୍ଦ୍ରଦତର ଉତ୍ତର ରାଜଗୁରୁ ମହେନ୍ଦ୍ରଭଟ୍ଟଙ୍କୁ ଖୁବ୍ ପ୍ରଭାବିତ କଲା । ଏଣୁ ସେ ସନ୍ତୋଷ ପ୍ରକାଶ କରି କହିଲେ, “ଇନ୍ଦ୍ରଦତ, ତୁମର ଉତ୍ତର ପ୍ରଦାନର ପଦ୍ଧତି ମୋତେ ଅତିଶୟ ମୁଗ୍ଧ କରିଛି । କିନ୍ତୁ ତୁମକୁ ଏହି ବିଦ୍ୟାଧ୍ୟକ୍ଷ ପଦବୀ ମିଳିଲେ ତୁମେ ତାହାର ସୁପରିଚାଳନା କିପରି କରିବ?”

ଇନ୍ଦ୍ରଦତ ଭାବବିହ୍ୱଳ କଣ୍ଠରେ ନିଜର ମନକଥା ପ୍ରକାଶ କରିବାକୁ ଯାଇ କହିଲେ “ମୁଁ ସର୍ବଦା ମୋର ଉପଦେଷ୍ଟାମାନଙ୍କ ବିଚାରକୁ ଗ୍ରହଣ କରିବି । ରାଜ୍ୟରେ ଅନେକ ଯୁବକ-ଯୁବତୀ ଅଛନ୍ତି, ଯେଉଁମାନେକି ସେମାନଙ୍କର ପ୍ରତିଭା ଓ ପ୍ରଜ୍ଞା ପ୍ରକାଶିତ କରିବା ପାଇଁ ବ୍ୟାକୁଳ ହୋଇ ଅପେକ୍ଷା କରିଛନ୍ତି । ସେପରି ଲୋକମାନଙ୍କୁ ସୁଯୋଗ ପ୍ରଦାନ କଲେ, ସେମାନେ ସ୍ୱୟଂ ଗୋଟିଏ ଲେଖାଏଁ ଅନୁଷ୍ଠାନର ଭୂମିକା ଗ୍ରହଣ କରିବେ ।”

ଗୋଟିଏ ସପ୍ତାହ ପରେ ବିଦ୍ୟାଧ୍ୟକ୍ଷ ପଦବୀ ପାଇଁ ନିଯୁକ୍ତି ଘୋଷଣା କରାଗଲା । ମହେନ୍ଦ୍ରଭଟ୍ଟଙ୍କ ଅନୁମୋଦନ କ୍ରମେ ଇନ୍ଦ୍ରଦତ ଏହି ପଦବୀ ପାଇଁ ଶ୍ରେଷ୍ଠ ମନୋନୀତ ହେଲା । ଇନ୍ଦ୍ରଦତ ନିଜକୁ ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ଅଧ୍ୟକ୍ଷ ଭାବେ ପ୍ରମାଣିତ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ