ବିଫଳତା ହେଉଛି ସଫଳତାର ଗୋଟିଏ ଗୋଟିଏ ପାହାଚ

                ଲିଙ୍କନ୍ ଏକ ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରି ବହୁ କଷ୍ଟରେ ବଡ ହୋଇଥିଲେ । ଏପରିକି ତାଙ୍କୁ ଆମେରିକାର ‘ଶ୍ୱେତ ପ୍ରାସାଦ’ (White House) ଅର୍ଥାତ୍ ରାଷ୍ଟ୍ରପତି ଭବନରେ ପହଁଚିବା ଲାଗି ଅନେକ ଘାତପ୍ରତିଘାତ ସହିବାକୁ ପଡିଥିଲା । ଆସ ତାଙ୍କର ସଂକ୍ଷିପ୍ତ ଜୀବନୀକୁ ପଢି ଜାଣିବା ।

                ୧୮୧୬ ମସିହାରେ ଲିଙ୍କନଙ୍କର ବୟସ ମାତ୍ର ସାତ ବର୍ଷ ହୋଇଥାଏ । ସେହି ବାଳୁତ ବୟସରେ ହିଁ ତାଙ୍କୁ ତାଙ୍କ ପେଟପାଇଁ ଦାନା ଯୋଗାଡ କରିବାକୁ କାମ କରିବାକୁ ପଡୁଥିଲା । ଏଭଳି ଦୁର୍ଦ୍ଦିନ ବେଳେ ନଅ ବର୍ଷ ବୟସରେ ତାଙ୍କର ଅତି ଆଦରର ମାଆଙ୍କୁ ସେ ସବୁଦିନ ଲାଗି ହରାଇଥିଲେ ।

                ଏହାପରେ ଲିଙ୍କନ୍ ନିଜ ଜୀବନ ଧାରଣ ପାଇଁ ଛୋଟ ବ୍ୟବସାୟଟିଏ ଆରମ୍ଭ କରିଦେଲେ । ୧୮୩୧ ମସିହା ବେଳକୁ ତାଙ୍କର ବ୍ୟବସାୟରେ ବହୁତ କ୍ଷତି ଘଟିବାରୁ ସେ ପ୍ରାୟ ନିଃସ୍ୱ ହୋଇଗଲେ ।

ଏହାପରେ ସେ ଲିଙ୍କନ୍ ବ୍ୟବସାୟ ଛାଡି ରାଜନୀତି ଆରମ୍ଭ କରିଦେଲେ । ସୁତରାଂ ୧୮୩୨ ମସିହାରେ ସେ ପ୍ରାଦେଶିକ ସଭ୍ୟପଦ ପାଇଁ ପ୍ରତିଦ୍ୱନ୍ଦିତା କରି ପରାଜୟ ବରଣ କରିଥିଲେ । ତାପରେ ଲିଙ୍କନ୍ ଓକିଲାତି ପଢିବାକୁ ଇଚ୍ଛାକରି ମଧ୍ୟ ପଢିପାରି ନଥିଲେ ।

ପୁନଶ୍ଚ ୧୮୩୩ ମସିହାରେ ଜଣେ ବନ୍ଧୁଙ୍କଠାରୁ ସେ ଟଙ୍କା କରଜ ଆଣି ଏକ ନୂଆ ବ୍ୟବସାୟ ଆରମ୍ଭ କରିଦେଲେ । ମାତ୍ର ଏଥର ବି ତାଙ୍କ ବ୍ୟବସାୟରେ ବିପୁଳ କ୍ଷତି ଘଟିଲା । ଏଥିରେ ଖଟାଇଥିବା ମୂଳଧନ ବି ବୁଡିଗଲା । ସୁତରାଂ ପରବର୍ତ୍ତୀ ସତରବର୍ଷ କାଳ ତାଙ୍କର କଟିଗଲା କେବଳ ଋଣ ଶୁଝି ଶୁଝି ।

୧୮୩୫ ମସିହାରେ ଲିଙ୍କନଙ୍କର ବିବାହ ସ୍ଥିରୀକୃତ ହୋଇଥିଲା, ମାତ୍ର ବିବାହ ପୂର୍ବରୁ ତାଙ୍କ ଭାବି ପତ୍ନୀଙ୍କର ବିୟୋଗ ଘଟିଲା । ସେଇ ଦାରୁଣ ଦୁଃଖରେ ସେ ଛଅମାସ କାଳ ଶଯ୍ୟାଶାୟୀ ହୋଇ ପଡିରହିଲେ ।

୧୮୩୮ ମସିହାରେ ଆବ୍ରାହାମ୍ ପୁନଶ୍ଚ ପ୍ରାଦେଶିକ ସଭାରେ ବାଚସ୍ପତି ପଦପାଇଁ ନିର୍ବାଚନ ଲଢି ହାରି ଯାଇଥିଲେ । ୧୮୪୦ ମସିହାରେ ମଧ୍ୟ ସେ ଦ୍ୱିତୀୟଥର ଲାଗି ଆଉ ଏକ ପ୍ରାଦେଶିକ ସ୍ତରୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପରାଜୟ ବରଣ କରିଥିଲେ ।

ପୁନଶ୍ଚ ୧୮୪୩ ମସିହାରେ କଂଗ୍ରେସ୍ ନିର୍ବାଚନରେ ହାରି ୧୮୪୬ ମସିହାରେ ଜୟଲାଭ କରିଥିଲେ । ଦୁର୍ଭାଗ୍ୟବଶତଃ ଏହି ପଦବୀରେ ମାତ୍ର ଦୁଇବର୍ଷ ରହିଲା ପରେ ୧୮୪୮ ମସିହାରେ ସେ ପୁଣି ନିର୍ବାଚନର ସମ୍ମୁଖୀନ ହୋଇ ହାରି ଯାଇଥିଲେ ।

୧୮୪୯ ମସିହାରେ ପ୍ରାଦେଶିକ ଭୂଅଧିକାରୀ ପଦବୀ ପାଇଁ ଦାବି ଉପସ୍ଥାପନା କରି ସେ ପ୍ରତ୍ୟାଖ୍ୟାତ ହୋଇଥିଲେ । ୧୮୫୪ ମସିହାରେ ସିନେଟ୍ ନିର୍ବାଚନରେ ବି ସେ ହାରି ଯାଇଥିଲେ । ୧୮୫୬ ମସିହାରେ ଦଳ ତରଫରୁ ଉପ-ରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ହୋଇ ସେ ନିର୍ବାଚନରେ ମାତ୍ର ୧୦୦ ଖଣ୍ଡ ଭୋଟରେ ପରାଜୟ ବରଣ କରିଥିଲେ । ପୁନଶ୍ଚ ଦୁଇବର୍ଷ ପରେ ସେ ସିନେଟ୍ ନିର୍ବାଚନରେ ବି ହାରିଯାଇଥିଲେ ।

କ୍ରମାଗତ ଭାବରେ ଅନେକ ଥର ହାରିବାପରେ ଠିକ୍ ଦୁଇବର୍ଷ ପରେ ଆବ୍ରାହମ ଲିଙ୍କନ୍ ଆମେରିକାର ରାଷ୍ଟ୍ରପତି ଭାବରେ ଶ୍ୱେତପ୍ରାସାଦରେ ଯାଇ ପହଁଚିଥିଲେ ଓ ସେଠାରେ ଦକ୍ଷତାର ସହିତ କାର୍ଯ୍ୟ ସଂପାଦନା କରିଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ