ବିବେକୀ ରାଜା

ଏତକ ଶୁଣି ରାଜା ସେ ବଣଦେବୀଙ୍କୁ ଧନ୍ୟବାଦ ଜଣାଇ ସେହି ହ୍ରଦ କୂଳକୁ ଚାଲିଲେ । ସତକୁ ସତ ସେଠାରେ ପାଣି ଏତେ ଜୋର୍ରେ ଫୁଟୁଥାଏ ଯେ ତା ପାଖଆଖରେ କୌଣସି ଜୀବଜନ୍ତୁ ନ ଥାନ୍ତି । ଏମିତିକି ସେ ହ୍ରଦର ଉପରିଭାଗରେ ବି କୌଣସି ପକ୍ଷୀ ଉଡିବା ପାଇଁ ଆଦୌ ସାହସ କରୁ ନ ଥାନ୍ତି । ସତେଯେପରି ତାହା ଗୋଟାଏ ନିଆଁର ସମୁଦ୍ର । ତଥାପି ବି ସେ ରାଜା ଆଦୌ ନିଜ ସାହସ ହରାଇଲେ ନାହିଁ । ସେ ରାଜା ସେଠାରେ ଜଳଦେବୀଙ୍କୁ ପ୍ରାର୍ଥନା କଲେ । ସାତଦିନ କାଳ ଅଖିଆ, ଅପିଆ, ଅନିଦ୍ରା ରହି ରାଜା ମାନଧାତା ଜଳଦେବୀଙ୍କୁ ବିକଳରେ ଖାଲି ଡାକିବାକୁ ଲାଗିଲେ ।

ଶେଷରେ ସେ ଜଳଦେବୀଙ୍କର ମନରେ ବି ଟିକେ ଦୟା ହେଲା । ତେଣୁ ସେ ପାଣିରୁ ବାହାରି ଆସି ରାଜା ବୈରୀଗଞ୍ଜନକୁ କହିଲେ, “ତୁମ ପ୍ରାର୍ଥନାରେ ମୁଁ ଅତ୍ୟନ୍ତ ସନ୍ତୋଷ ଲାଭ କଲି । ତୁମର ସମସ୍ତ ଇଚ୍ଛା ନିଶ୍ଚୟ ପୂରଣ ହେବ ।” ଏତିକି କହି ସେ ଜଳଦେବୀ ରାଜାଙ୍କ ହାତକୁ ଗୋଟିଏ ମେଜିକ୍ ପୋଷାକ ବଢାଇଦେଲେ । ଦେବୀ ପୁଣି କହିଲେ, ଏଇ ପୋଷାକ ପିନ୍ଧି ତୁମେ ପାଣିରେ ବୁଡି ରହିବ । ତୁମର ଆଦୌ କିଛି ବି କ୍ଷତି ହେବନାହିଁ । ତାପରେ ଯାଇ ତୁମର ପୂର୍ବ ରୂପ ଏବଂ ସମସ୍ତ ଶକ୍ତି ପୁଣିଥରେ ଫେରିଆସିବ ।”

ତାପରେ ରାଜା ସେ ଜଳଦେବୀଙ୍କୁ ଅତି ଭକ୍ତିରେ ପ୍ରଣାମ କରି ତାଙ୍କ ପ୍ରଦତ୍ତ ପୋଷାକ ପିନ୍ଧିଲେ ଏବଂ ସେହି ଫୁଟନ୍ତା ପାଣି ଭିତରେ ବୁଡି ପଡିଲେ । କେତେ ସମୟ ପରେ ପାଣିରୁ ଉଠି ରାଜା ଦେଖିଲେ ତାଙ୍କର ପୂର୍ବ ରୂପ ଆଉ ସମସ୍ତ ଶକ୍ତି ପୁଣି ଫେରିଆସିଛି । ରାଜା ପାହାଚ ଉପରକୁ ଉଠିଲା ପରେ ଦେଖିଲେ, ଜଣେ ଦେବତା ତାଙ୍କୁ ସେଠାରେ ଅପେକ୍ଷା କରିଛନ୍ତି । ସେ ଦେବତା ରାଜାଙ୍କୁ ଅତି ସ୍ନେହରେ ସୁନା ଜରୀର ପୋଷାକଟିଏ ବଢାଇଦେଇ ତାଙ୍କୁ ଅନେକ ଆଶୀର୍ବାଦ କଲେ । ରାଜା ବି ସେ ଦେବତାଙ୍କୁ ପ୍ରଣାମ କଲେ ।

ଦେବତା କହିଲେ, “ବୈରୀଗଞ୍ଜନ ! ତୁମର ଧୈର୍ଯ୍ୟ ଓ ସାହସ ଦେଖି ମୁଁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଅଛି । ମୋରି ଝିଅ ହିଁ ତୁମ ଉପରେ ବିରକ୍ତ ହୋଇ ତୁମକୁ ଏପରି କଷ୍ଟ ଦେଇଛି । ସେଥିପାଇଁ ସେ ବି ସ୍ୱର୍ଗରେ ଯଥେଷ୍ଟ ଦଣ୍ଡ ଭୋଗିଲାଣି । ମୁଁ ଅନୁରୋଧ କରୁଛି; ତୁମେ ତାକୁ ତୁମ ରାଣୀ ଭାବରେ ଗ୍ରହଣ କର । ସେ ସାରାଜୀବନ ତୁମକୁ ହିଁ ସେବା କରିବ । ତୁମର ପାଖେ ପାଖେ ହିଁ ସେ ରହିବ ।”

ଠିକ୍ ଏତିକିବେଳେ ଜଣେ ଅପୂର୍ବ ସୁନ୍ଦରୀ ଦେବକନ୍ୟା ଆସି ରାଜାଙ୍କ ପାଦତଳେ ପଡି ତାଙ୍କୁ ପ୍ରଣାମ କଲେ । ରାଜା ବି ସେ କନ୍ୟାଟିକୁ ଠିକ୍ ଚିହ୍ନିପାରିଲେ । ଦେବକନ୍ୟା କହିଲେ – “ରାଜା ଏଥର ମୋତେ କ୍ଷମା କରନ୍ତୁ ।”

ରାଜା ଏଥର ସେ ଦେବତାଙ୍କୁ ପ୍ରଣାମ କରି ଦେବକନ୍ୟାଙ୍କୁ ସ୍ନେହରେ ଉଠାଇନେଲେ । ତାପରେ ସେମାନେ ବିବାହ କରି ଅତ୍ୟନ୍ତ ସୁଖରେ ନିଜ ରାଜ୍ୟ ପାଳନ କଲେ । ରାଇଜର ଲୋକେ ବି ତାଙ୍କ ପ୍ରିୟ ରାଜାଙ୍କୁ ଫେରିପାଇ ଅତ୍ୟନ୍ତ ସୁଖୀ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ