ବିବେକ

                ପିତାଙ୍କ ଅନ୍ତିମ ଇଚ୍ଛା ଅନୁସାରେ ମଳୟଧ୍ୱଜ ତାଙ୍କ ପିତାଙ୍କ ଶବକୁ ଦାହ ନକରି ସେଥିରେ କିଛି ପ୍ରଲେପ ଦେଇ ପେଟିକା ମଧ୍ୟରେ ସୁରକ୍ଷିତ କରି ରଖିଲେ । ପରେ ମଳୟଧ୍ୱଜ କଳିଙ୍ଗର ରାଜକୁମାରୀ ବିଦ୍ୟୁଲ୍ଲତାଙ୍କୁ ବିବାହ କଲେ । ରାଣୀ ବିଦ୍ୟୁଲ୍ଲତା ଥିଲେ ଅତିଶୟ ସୁନ୍ଦରୀ ଓ ଅତ୍ୟନ୍ତ ଗୁଣବତୀ । କିଛିଦିନ ପରେ ରାଣୀଙ୍କର ପିଲା ହେବାର ସମୟ ଆସି ଉପସ୍ଥିତ ହେଲା । ଜ୍ୟୋତିଷ ଗଣନା କରି କହିଲେ କି ପୁତ୍ରଜନ୍ମ ହେବ । ଜ୍ୟୋତିଷଙ୍କ ମୁହଁକୁ ଦେଖି ରାଜାଙ୍କୁ ଲାଗିଲା କି ସେ ଯେମିତି କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ରାଜା କହିଲେ, “କିଛି ନ ଲୁଚାଇ ମୋତେ କୁହନ୍ତୁ । ଭୟ କରିବାର କିଛି ବି କାରଣ ନାହିଁ ।”

                ରାଜାଙ୍କ ଏପରି ଆଦେଶ ପାଇ ଜ୍ୟୋତିଷ କହିଲେ, “ମହାରାଜ ମାସେ ମଧ୍ୟରେ ମହାରାଣୀଙ୍କର ସର୍ପଦଂଶନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।”

                ସେ ରାଜଦମ୍ଫତି ଜ୍ୟୋତିଷଙ୍କର ଭବିଷ୍ୟତ ବାଣୀ ଶୁଣି ବଡ ଦୁଃଖିତ ହେଲେ । ଏଣେ ରାଜକୁମାର ଜନ୍ମ ହେବା କଥା ଶୁଣି ସେମାନେ ଖୁବ୍ ଖୁସି ଥିଲେ । କାରଣ ସିଂହାସନର ଉତ୍ତରାଧିକାରୀ ଜନ୍ମ ନେବ ।

                ସେହିଦିନଠାରୁ ସେ ରାଜା ତାଙ୍କ ସୈନିକମାନଙ୍କୁ ଆଦେଶ ଦେଲେ ଯେ ରାଜ୍ୟରେ ସମସ୍ତ ଗର୍ତକୁ ଭାଙ୍ଗି ସାପମାନଙ୍କୁ ମାରିବାକୁ; ପୁଣି ସମସ୍ତେ ଯେପରି ନେଉଳ ପୋଷନ୍ତି । ରାଜା ନିଜେ ମଧ୍ୟ ଗୋଟିଏ ଚିଲ ପାଳିଲେ । ଚିଲଟି, ପୋଷା ଶୁଆ ପରି ସର୍ବଦା ତାଙ୍କ ପାଖରେ ବସେ । ମହାରାଣୀ ବିପଦରୁ ମୁକ୍ତ ଥା’ନ୍ତି ।

                ସେଦିନ ଥିଲା ପୂର୍ଣ୍ଣିମା । ଆଜି ହେଉଛି ସେହି ବିପଦର ଦିନ । ଯଦି ବିପଦ ନ ହୋଇ ଦିନଟି କଟିଗଲା ତ ଜଣାଯିବ ଯେ ବିପଦ କଟିଗଲା । ରାଣୀ ରାଜାଙ୍କୁ କହିଲେ, “ଏତେ ସୁନ୍ଦର ଜ୍ୟୋସ୍ନାସ୍ମାତ ରାତ୍ରି । ଇଚ୍ଛା ହେଉଛି ଟିକିଏ ବଗିଚାରେ ବୁଲି ଆସନ୍ତେ । ଆପଣ ମୋ କଥାରେ ସମ୍ମତ ହେଲେ ଯିବା । ଏବେ ସେ ରାଜା ଆଉ ତାଙ୍କ ରାଣୀଙ୍କ କଥାକୁ ଟାଳି ପାରିଲେ ନାହିଁ । ତା’ପରେ ସେ ଦୁହେଁ ବୁଲିବାକୁ ଗଲେ । ଚିଲଟି ସେତେବେଳେ ରାଣୀଙ୍କ କାନ୍ଧ ଉପରେ ବସିଥିଲା । ହଠାତ୍ ଅଶୋକ ଗଛରେ ଥିବା ସାପଟିକୁ ଝାମ୍ପି ନେଇ ସେ ଉଡିଗଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସାପ କୌଣସିମତେ ନିଜକୁ ଚିଲର ପଂଝାରୁ ମୁକ୍ତ କଲା ଓ ସିଧା ଯାଇ ରାଣୀଙ୍କ ହାତ ଉପରେ ପଡିଲା । ସାପ ଯାହା କରିବାର କଲା । ରାଣୀ ଚିତ୍କାର କରି ଭୂମିରେ ଅଚେତ୍ ହୋଇ ପଡିଗଲେ ।

ଏହି ଘଟଣା ପରେ ରାଜବୈଦ୍ୟ ଆସିଲେ । କିନ୍ତୁ ଚିକିତ୍ସା ହେବା ପୂର୍ବରୁହିଁ ରାଣୀଙ୍କର ମୃତ୍ୟୁ ହେଲା । ରାଣୀଙ୍କୁ ଦେଖିଲେ ଲାଗୁଥିଲା ଯେ ଅଦ୍ଭୁତ ସୁନ୍ଦରୀ ସ୍ତ୍ରୀଟିଏ ଯେପରି ନିଦ୍ରା ଯାଇଛି ମାତ୍ର । ଏପରି ପରିସ୍ଥିତିରେ ରାଜା ତାଙ୍କୁ ଦାହ କରି ପାରିଲେ ନାହିଁ । ପିତାଙ୍କର ଶବପରି ଗୋଟିଏ ଚନ୍ଦନ ପେଟିରେ ଶବ ଉପରେ ନାନା ଲେପନ ଦେଇ ରଖିଲେ । ସେହି ପେଟିକା ବୃଦ୍ଧ ରାଜାଙ୍କ ଶବପେଟିକା ନିକଟରେ ହିଁ ରଖାଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ