ବିରକ୍ତି ଓ ଅନାସକ୍ତି

କେଦାର ଓ ବଦ୍ରି ନାମକ ଦୁଇଜଣ ତପସ୍ୱୀ ଗୋଟିଏ ଜଙ୍ଗଲରେ ରହି ତପସ୍ୟା କରୁଥା’ନ୍ତି ।

      ଦିନେ ବଦ୍ରି, କେଦାରଙ୍କୁ କହିଲେ, “ବେଳେ ବେଳେ ମୋର ଭାରି ଇଚ୍ଛା ହୁଏ କି ମୁଁ ଏ ଜଙ୍ଗଲ ଛାଡି ସହରକୁ ଯାଇ ସେଠାରେ ଜୀବନ ବିତାନ୍ତି । କିନ୍ତୁ ମୋର ଏ ଇଚ୍ଛାକୁ ମୁଁ ବରାବର ଚାପି ରଖେ ।”

      ବଦ୍ରିଙ୍କର ଏଭଳି କଥା ଶୁଣି କେଦାର କିଛି ସମୟ ଚୁପ୍ ରହିଲେ । ତା’ପରେ ସେ କହିଲେ, “ବଦ୍ରି, ତୁମର ଏ ଇଚ୍ଛା ମୋତେ ବଡ ବିଚିତ୍ର ଲାଗୁଛି । କିନ୍ତୁ ଥରେ ଯଦି ତୁମ ମନ ଭିତରେ ଏ ଇଚ୍ଛା ଉଠିଲାଣି, ତେବେ ତାକୁ ନ ଦବାଇ ଯଥାଶୀଘ୍ର ପୂରଣ କରିବାକୁ ଦିଅ ।”

      ତା’ ପରଦିନହିଁ ବଦ୍ରି ସହରକୁ ଚାଲିଗଲେ । ସହରର ଆକର୍ଷଣରେ ସେ ଅନ୍ଧ ହୋଇ ଯାଇଥିଲେ ମଧ୍ୟ ମାସକ ମଧ୍ୟରେ ସେ ଉପଲବ୍ଧି କଲେ ଯେ ସହର ଜୀବନ ଛଳକପଟ, ଠକାମୀ, ଝଗଡା, ଷଡଯନ୍ତ୍ର ଓ ମାରପିଟରେ ପୂର୍ଣ୍ଣ । ତେଣୁ ସେ ପୁଣି ଜଙ୍ଗଲକୁ ଫେରି ଆସିଲେ ।

      ବଦ୍ରି ଫେରି ଆସିବାରୁ କେଦାର ଖୁବ୍ ଖୁସି ହେଲେ । ବଦ୍ରି ଯେତେବେଳେ ସହର ବିଷୟ କିଛି କହିବାକୁ ଆରମ୍ଭ କରନ୍ତି ସେତେବେଳେ କେଦାର ସେସବୁ କିଛି ବି ଶୁଣନ୍ତି ନାହିଁ । ବଦ୍ରି ଦିନେ ପଚାରିଲେ, “କେଦାର, ମନେହୁଏ ସହରୀଜୀବନ ପ୍ରତି ତୁମେ ସମ୍ପୂର୍ଣ୍ଣ ବିରକ୍ତ, ହେଲେ କାହିଁକି? କ’ଣ ତମ ଧ୍ୟାନରେ ବ୍ୟାଘାତ ଘଟୁଛି?” ସବୁକଥା ଶୁଣି କେଦାର ଅଳ୍ପ ହସି କହିଲେ, “ସହର ଜୀବନ ପ୍ରତି ମୋର ବିରକ୍ତି ନାହିଁ । କେବଳ ଯାହା କିଛି ରହିଛି ତାହା ହେଉଛି ଅନାସକ୍ତି ।”

      ବଦ୍ରି କହିଲେ “ଲାଗୁଛି ସନ୍ନ୍ୟାସ ନେବା ପୂର୍ବରୁ ତୁମେ ସହରୀଜୀବନ ସମ୍ପୂର୍ଣ୍ଣ ରୂପେ ଭୋଗ କରି ସାରିଛ ।”

      “ହୁଏତ ତମେ ଠିକ୍ କହୁଛ । କିନ୍ତୁ ତୁମେ ସମ୍ପୂର୍ଣ୍ଣ ରୂପେ ଭୋଗ କରିନାହଁ ବୋଲି ରହି ରହି ସେ ତୁମକୁ ନିଜ ଆଡକୁ ଟାଣୁଥିଲା, ଏବେ ସତ୍ୟ କ’ଣ ଜାଣିଲ ତ ତେଣୁ ତୁମ ମଧ୍ୟରେ ବିରକ୍ତି ଆସିଲା । ତୁମେ ଏ ଆକର୍ଷଣରୁ ଏବେ ଉଦ୍ଧ୍ୱର୍କୁ ଚାଲିଯାଅ ଦେଖିବ ତୁମ ଚେତନାରେ ଏହାର ମୂଲ୍ୟ ଆଉ କିଛିବି ନାହିଁ । ତା’ପରେ ତୁମେ ଏକାଗ୍ରଚିତ ହୋଇ ଧ୍ୟାନକର ସବୁ ଠିକ୍ ହୋଇଯିବ । ତପସ୍ୱୀମାନଙ୍କ ପାଇଁ ଏହା ତ ଅପରିହାର୍ଯ୍ୟ ।”

      ତା’ପରେ ବଦ୍ରି କ୍ରମେ ଅନାସକ୍ତ ହୋଇ ପରିପୂର୍ଣ୍ଣତା ଦିଗରେ ଆଗେଇବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ