ବିରବଲଙ୍କର ବୁଦ୍ଧି

 ଆକବରଙ୍କର ଯେଉଁ ସବୁ ସମସ୍ୟା ଦେଖାଯାଉଥାଏ, ବିରବଲ ସବୁ ସମସ୍ୟାର ସହଜ ସମାଧାନ କରିଦେଉଥାଆନ୍ତି । ତେଣୁ ବିରବଲ ମହାରାଜାଙ୍କର ଏକାନ୍ତ ପ୍ରିୟ ହୋଇ ଉଠୁଥିଲେ । ବିରବଲଙ୍କ ପ୍ରତି ରାଜାଙ୍କର ଶ୍ରଦ୍ଧା ଦେଖି ଅନ୍ୟ ମନ୍ତ୍ରୀଗଣ ଈର୍ଷାପରାୟଣ ହୋଇପଡୁଥିଲେ । ଏକଥା ଆକବର ଜାଣିବାକୁ ପାଇଲେ । ମହାରାଜ ମନେ ମନେ ଠିକ୍ କଲେ କିପରି ଏହି ମନ୍ତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବେ । ଯାହାଦ୍ୱାରା ସେମାନେ ଉପଲବଧି କରିପାରିବେ ଯେ ବିରବଲ ସେମାନଙ୍କ ଠାରୁ ମହାନ୍ । ଏହି କଥା ମନ ମଧ୍ୟରେ ରଖି ଦିନେ ମହାରାଜ ମନ୍ତ୍ରୀଗଣଙ୍କୁ ଆଦେଶ ଦେଲେ, “ମହାଶୟ! ଗୋଟିଏ ଯାତ୍ରୀଦଳ ସୂଦୁର ଦେଶରୁ ଆସି ଆଗ୍ରା ସହରରେ ପହଁଚିଛନ୍ତି । ମୁଁ ଚାହୁଁଛି ତୁମେମାନେ ସମସ୍ତେ ସେମାନଙ୍କ ବିଷୟରେ ଉପଯୁକ୍ତ ତଥ୍ୟ ସଂଗ୍ରହ କରିଆଣି ମୋତେ ଦିଅ ।” ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ବିରବଲ କିନ୍ତୁ ନଥାନ୍ତି । କୌଣସି ଏକ କାରଣ ପାଇଁ ସେ ସେହି ଦରବାରକୁ ଆସିପାରିନଥିଲେ ।

         ଠିକ୍ ଦୁଇଦିନ ପରେ ଆକବର ମନ୍ତ୍ରୀଗଣଙ୍କୁ ପଚାରିଲେ, “ମହାଶୟ! କେତେଜଣ ଯାତ୍ରୀ ବଣିଜ କରିବାକୁ ଆସିଛନ୍ତି? ମନ୍ତ୍ରୀଗଣଙ୍କ ମଧ୍ୟରୁ ଜଣେ ଉଠିପଡି କହିଲେ, “ହଜୁର୍! ସତେଇଶ ଜଣ ଯାତ୍ରୀ ଆସିଛନ୍ତି । ଏହାପରେ ରାଜା ସେମାନଙ୍କର ବ୍ୟବସାୟ, ସାଂଗରେ ଆଣିଥିବା ଜିନିଷପତ୍ର ଏବଂ ପଶୁମାନଙ୍କ ସଂପର୍କରେ ପଚାରିଲେ । ମନ୍ତ୍ରୀଗଣଙ୍କ ମଧ୍ୟରୁ ଜଣ ଜଣ କରି ପ୍ରଶ୍ନର ଉତ୍ତର ଦେଲେ । ଜଣେ ଉଠିପଡି କହିଲା, “ମହାରାଜ୍, ଏମାନେ ସାଂଗରେ ବିଭିନ୍ନ କିସମର ଜିନିଷ ଆଣିଛନ୍ତି । ଆଉ ଜଣେ କହିଲା, ସେମାନଙ୍କ ମଧ୍ୟରୁ ଜଣେ ଲୁଗାପଟା ଆଣିଛନ୍ତି, ଜଣେ ଜୀବଜନ୍ତୁ ମାନଙ୍କର ଚମଡା ଆଣିଛନ୍ତି, ଜଣେ ବିଭିନ୍ନ ପ୍ରକାରର ତେଲ ଆଣିଛନ୍ତି, ଜଣେ ବିଭିନ୍ନ କିସମର ଶସ୍ୟ ଜାତୀୟ ଦ୍ରବ୍ୟ ବିକ୍ରୀ କରିବାକୁ ଆଣିଛନ୍ତି । ଆଉ ଜଣେ ମନ୍ତ୍ରୀ ଉଠିପଡି କହିଲେ, “ମହାରାଜ୍! ଏମାନେ ଘୋଡା ପିଠିରେ ସବାର୍ ହୋଇ ଏଠାକୁ ଆସିଛନ୍ତି । ଓଟ ବୋଧହୁଏ ଆଣି ନାହାଁନ୍ତି ।

         ଠିକ୍ ଏହି ସମୟରେ ବିରବଲ ଆସି ପହଁଚିଲେ । ଆକବର ସଂଗେ ସଂଗେ ତାଙ୍କୁ ଯାତ୍ରୀଦଳଙ୍କ ବିଷୟରେ ପଚାରିଲେ । ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ କହିଲେ, “ମହାରାଜ୍! ଆଗ୍ରା ସହରକୁ ଯାତ୍ରୀଦଳ ବେପାର ବଣିଜ କରିବାକୁ ଆସିଥିବା କଥା ମୁଁ ଜାଣେ । ସେମାନେ ବାଇଶି ଜଣ । ସେମାନଙ୍କ ମଧ୍ୟରୁ ଏଗାର ଜଣ ଲୁଗା ବେପାରୀ, ସାତଜଣ ଶସ୍ୟ ବେପାରୀ, ତିନିଜଣ ତେଲ ବିକ୍ରୀ କରିବେ ଏବଂ ଜଣେ ପଶୁପକ୍ଷୀମାନଙ୍କର ଚମଡା ନେଇ ଆସିଛନ୍ତି । ସେମାନଙ୍କ ପାଖରେ ପାଂଚଟି ଓଟ ଅଛି । ସେଥିମଧ୍ୟରୁ ଗୋଟିଏ ଓଟର ଗୋଡ ଭାଙ୍ଗିଯାଇଛି । ଏହା ବ୍ୟତୀତ ସେମାନଙ୍କ ପାଖରେ ପଚିଶଟି ଘୋଡା ଅଛି । ପଚିଶଟି ଘୋଡା ମଧ୍ୟରୁ ଚାରୋଟି କଳାଧଳା, ଦଶଟି କଳା ଘୋଡା, ତିନୋଟି ଧଳା ଘୋଡା ଏବଂ ବାକି ଆଠଟି ଧଳା ଏବଂ ବାଦାମୀ ରଂଗର ।” ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ବିରବଲ ନୀରବ ରହିଲେ । ଆକବର ସଂଗେ ସଂଗେ ଜଣେ କର୍ମଚାରୀଙ୍କୁ ପଠାଇ ସତ୍ୟାସତ୍ୟ ଅନୁସନ୍ଧାନ କଲେ । ଦେଖିଲା ବେଳକୁ ବିରବଲଙ୍କ ତଥ୍ୟ ସଂପୂର୍ଣ୍ଣ ଠିକ୍ ।

         ଆକବର ବିରବଲଙ୍କ ଚତୁରତାର ଭୁରି ଭୁରି ପ୍ରଶଂସା କଲେ । ପ୍ରକୃତରେ ବିରବଲ ସମସ୍ତଙ୍କଠାରୁ ଯେ ଅନନ୍ୟ ତାହା ସେ ପ୍ରମାଣ କରି ଦେଖେଇ ଦେଲେ । ସବୁ ମନ୍ତ୍ରୀମାନେ ମଧ୍ୟ ନିଜର ଭୁଲ୍ ବୁଝିପାରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ