ବିରବଲଙ୍କ ଚତୁରତା

 ଆକବର ପ୍ରତିଦିନ ବିରବଲଙ୍କୁ ନାନାଦି ପ୍ରଶ୍ନ ପଚାରନ୍ତି । ବିରବଲ ମଧ୍ୟ ହାର ମାନିବା ଲୋକ ନୁହେଁ । ସେ ସମସ୍ତ ସମସ୍ୟାର ସମାଧାନ କରିଦିଅନ୍ତି । ତେଣୁ ବିରବଲଙ୍କୁ କେମିତି ବୋକା ବନାଇବେ ସେଥିପାଇଁ ଆକବର ମନେ ମନେ ଏକ ଯୋଜନା କଲେ । ଆକବର ତାଙ୍କର ମନ୍ତ୍ରୀମାନଙ୍କ ଆଗରେ ଏହି କଥା ପ୍ରକାଶ କଲେ । ସମସ୍ତେ ମଧ୍ୟ ରାଜାଙ୍କ କଥାରେ ଏକମତ ହେଲେ ।

         ଦିନେ ବିରବଲ ଆସିବା ପୂର୍ବରୁ ରାଜା ଉପସ୍ଥିତ ଥିବା ସମସ୍ତ ମନ୍ତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଅଣ୍ଡା ଦେଲେ । ବିରବଲ ଯେମିତି ଆସି ପହଁଚିଲେ, ରାଜା କହିଲେ, “ମନ୍ତ୍ରୀଗଣ! ଗତକାଲି ରାତିରେ ମୁଁ ଏକ ସ୍ୱପ୍ନ ଦେଖିଛି । ସ୍ୱପ୍ନରେ ଦେଖିଲି ଯେ ଜଣେ ସାଧୁ ବ୍ୟକ୍ତି ମତେ କହୁଛନ୍ତି ତୁମ୍ଭ ମନ୍ତ୍ରୀଗଣଙ୍କ ମଧ୍ୟରୁ କିଏ ଚତୁର ଜାଣିବାପାଇଁ ତୁମକୁ ଏକ କାମ କରିବାକୁ ହେବ । ପ୍ରାସାଦ ନିକଟରେ ଥିବା ପୁଷ୍କରିଣୀରୁ ଯିଏ କୁକୁଡା ଅଣ୍ଡା ଆଣି ଦେବ ସେ ମନ୍ତ୍ରୀମାନଙ୍କ ମଧ୍ୟରେ ଚତୁର ବୋଲି ଗଣାହେବ । ଆକବର ତ’ ବିରବଲ ଦରବାରକୁ ଆସିବା ପୂର୍ବରୁ ଅନ୍ୟ ମନ୍ତ୍ରୀମାନଙ୍କୁ ଅଣ୍ଡା ଦେଇଥିଲେ । ସେମାନେ ସମସ୍ତେ ପୋଖରୀରେ ବୁଡିଯାଇ ହାତରେ ଅଣ୍ଡା ଧରି ଉପରକୁ ଆସିଲେ । ଶେଷରେ ବିରବଲଙ୍କ ପାଳି ପଡିଲା । ସେ ସଂଗେ ସଂଗେ ପୋଖରୀ ପାଣିକୁ ଡେଇଁ ପଡିଲେ । ବୁଡି ବୁଡି ଯେତେ ଖୋଜା ଖୋଜି କଲେ ମଧ୍ୟ ଅଣ୍ଡା ପାଇଲେ ନାହିଁ ।

         ହଠାତ୍ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା । ସେ ଏହାକୁ ରାଜାଙ୍କର ଏକ ସୁଚିନ୍ତିତ ଯୋଜନା ବୋଲି ଅନୁମାନ କରିପାରିଲେ । ତେଣୁ ସେ ତତ୍କ୍ଷଣାତ୍ ଉପରକୁ ଉଠିଯାଇ କୁକୁଡା ପରି ବୋବାଇବାକୁ ଆରମ୍ଭ କଲେ । ଏପରି ଶବ୍ଦ ଶୁଣି ମହାରାଜ ଆକବର ବିରକ୍ତ ହୋଇ କହିଲେ, “ବିରବଲ! ଏପରି ଶବ୍ଦ ବନ୍ଦକରି ଅଣ୍ଡା ଆଣି କେଉଁଠାରେ ରଖିଛ ମୋତେ ଦିଅ ।” ଆକବରଙ୍କ କଥା ଶୁଣି ବିରବଲ ହସି ଉଠି କହିଲେ, “ମହାରାଜ, ମୁଁ ତ’ ଗୋଟିଏ ଗଞ୍ଜା, ମୁଁ କେମିତି ଅଣ୍ଡା ଆଣି ଆପଣଙ୍କୁ ଦେବି ।” ବିରବଲଙ୍କ କଥା ଶୁଣି ସ୍ୱୟଂ ମହାରାଜଙ୍କ ସମେତ ଉପସ୍ଥିତ ସଭ୍ୟମାନେ ଜୋର୍ରେ ହସି ଉଠିଲେ । ଆକବର ମନେ ମନେ ଭାବିଲେ ପ୍ରକୃତରେ ବିରବଲଙ୍କୁ ବୋକା ବନାଇବା କଷ୍ଟକର ।


ଗପ ସାରଣୀ

ତାଲିକାଭୁକ୍ତ ଗପ