ବିରେଇ ବିଶାଳ

ଆହୁରି ପାଂଚ ବର୍ଷ ଗଲାଣି । ବିରେଇର ଉଛୁଣିକା ବୟସ ତିରିଶ ଭିତରେ, ବିଭା ହେବା ଭଳି ଟଙ୍କା ଜମିଗଲାଣି ବୋଲି ମନରେ ସେ ଠିକ୍ କଲା । ବିଭାପାଇଁ ସଜ ହେଲା, ହେଲେ ସେ କ’ଣ ଆପେ କନ୍ୟା ଖୋଜିଯିବ? ତେଣୁ ସେ ବିରେଇ ପୁରୋହିତ ଭୀମେଇ ମିଶ୍ରଙ୍କୁ ମଧ୍ୟସ୍ଥ କଲା । ମିଶ୍ରେ ଚାରିଆଡକୁ ଢେର୍ ଆଖି ଫେରାଇଲେ । ବିରେଇ ଦିନେ ମିଶ୍ରଙ୍କୁ କମଳୀ କଥା ଇସାରାରେ କହିଲା । ରାଘବ ପାତ୍ରର ସାନଝିଅର ନାମ କମଳୀ । ସେ କନ୍ୟାଟି ବେଶ୍ ଡୌଲ,ଲାଜକୁଳୀ; ଦିନରାତି ଘର କାମରେ ସେ ଖାଲି ଲାଗିଥାଏ, ତା’ବାପର ସେ ଢେର୍ ସେବା ବି କରେ । ଏହି କାରଣରୁ ସେ ଗାଁ ମାଇକିନିଆମାନେ ତାର ଢେର୍  ପ୍ରଶଂସା କରନ୍ତି । ବିରେଇ ତ ତା ପିଲାଟିଦିନରୁ କମଳୀକୁ ବଡ ଭଲ ପାଏ । ରୋଜ ଦୁଇଓଳି ବିଲକୁ ଯିବାଆସିବାବେଳେ ବିରେଇ ସେ କନ୍ୟାଟିକୁ ଚାହିଁ ଚାହିଁ ଦେଖେ । ବିରେଇର ବିଲବାହୁଡା ବେଳେ କମଳୀ କଳସୀଟିଏ କାଖେଇ ପାଣି ଆଣି ଯାଉଥିବାର ସେ ଦେଖେ । କମଳୀର ବି ଠିକ୍ ସେଇଟା ପାଣିଅଣା ବେଳ । ଘରେ ମାଠିଆରେ ଯେତେ ପାଣି ଥିଲେ ବି ସେ ପାଣିଗୁଡାକ ନାଳରେ ଢାଳିଦେଇ କମଳୀ କଳସୀ କାଖେଇ ବାହାରିପଡେ । ଚାରିଆଡକୁ ସେ ଚାହେଁ, କେହି କୁଆଡେ ନ ଥିଲେ କମଳୀ କଣେଇ କଣେଇ ସେ ବିରେଇକୁ ଦେଖୁଥାଏ ।

ପାଞ୍ଜିରୁ ଭଲଦିନଟିଏ ଦେଖି ମିଶ୍ରେ ରାଘବ ପାତ୍ରଙ୍କ ପାଖରେ ଯାଇ ପହଁଚିଲେ । ସେତେବେଳକୁ ପାତ୍ରେ ବୋଧ କରୁଁ, କିଛିଟା ଗନ୍ଧ ପାଇଗଲେଣି । ତେଣୁ ରାଘବ ପାତ୍ର ଅଖାପାଲ ଖଣ୍ଡେ ପାରି ଦେଇ ମିଶ୍ରଙ୍କୁ ବହୁ ଆଦର ସମ୍ମାନରେ ବସାଇଲେ । ନାସ ଶୁଙ୍ଘାଶୁଙ୍ଘି ଦୁଃଖସୁଖ ଚାରିପଦ ହୋଇଗଲା ଉତାରେ ମୂଳ କଥା ଆରମ୍ଭ ହେଲା ।

ମିଶ୍ରେ କହିଲେ, “ପାତ୍ରେ! ତୁମ କମଳୀଟିକୁ ବିରେଇକୁ ଦେଲେ ଭାରି ଭଲ ହୁଅନ୍ତା ନାହିଁ?”

ପାତ୍ରେ – ହେଉ, ମୋର ମନା ନାହିଁ ।

ମିଶ୍ରେ – ପାତ୍ରଟି ବଡ ଭଲ, ଖୁବ୍ ଦୁଃଖସୁଖିଆ ।

ପାତ୍ରେ – ହେଉ ହେଉ, ମୋର ମନା ନାହିଁ ।

ମିଶ୍ରେ – ଝିଅଟି ଖୁବ୍ ସୁଖରେ ରହିବ ।

ପାତ୍ରେ – ହେଉ ହେଉ, ମୋର ମନା ନାହିଁ ।

ମିଶ୍ରେ – ତେବେ ଖର୍ଚ୍ଚପତ୍ର କଥା?

ପାତ୍ରେ – “ହଁ ହଁ, ସେହି ଅସଲ କଥାଟା ଆଗେ ହେଉ । ମୁଁ ସାଫ୍ କହିଦେଉଛି, କନ୍ୟାସୁନା ନଗଦ ହଜାରେ ଟଙ୍କା, ଏଥିରୁ ପଇସାଟିଏ, କି ମଷାଏ, କଡାଏ ଊଣା ଅଧିକ ନାହିଁ, ବୁଝିଲେ ମିଶ୍ରେ! ମୁଁ ନ-ଛ’ କିଛିବି ଜାଣେ ନାହିଁ, ଯାହା ବି କହିବାର ସଫା କହିଦିଏ; ନିଜର ସମସ୍ତ ଅଭିଳାଶ ବ୍ୟକ୍ତ କରିସାରିବାପରେ ପାତ୍ରେ ପଚାରୁଛନ୍ତି ଏଁ କଣ କହୁଛନ୍ତି ମିଶ୍ରେ?”

ସବୁ ଶୁଣି ସେ ମିଶ୍ରେ ଟିକିଏ ଗୁମ୍ ଖାଇ କହିଲେ, “ଟିକିଏ ବୁଝିସୁଝି ବୋଲନ୍ତୁ, ବିରେଇ ବିଚରା ଏତେ ଦେଇପାରିବ କିଆଁ? ସେ ପାଂଚଶହ ତର ଯାଇପାରେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ