ବିଶ୍ୱାସଘାତକତାର ଫଳ ଅତି ବିଷମ

       ନେଉଳ କଥାରେ ପକ୍ଷୀମାନେ ରାଜି ହୋଇଗଲେ । ପକ୍ଷୀମାନଙ୍କ ତରଫରୁ କାଉ ଦମ୍ଫତ୍ତିଙ୍କୁ ଏହି ଦାୟିତ୍ୱ ଦିଆଗଲା । କାରଣ ସେ ହିଁ ରାଉ ରାଉ ହୋଇ ସାପ କେଉଁଠି ଅଛି ଜଣାଇବା ଠିକ୍ ରୂପେ କରିପାରିବ ।

       ମାତ୍ର କାଉ ଥିଲା ସ୍ୱଭାବରେ ଖଳ ଓ ଦୁଷ୍ଟ ପ୍ରକୃତିର । ସେ ନିଜର ସ୍ୱାର୍ଥ ହାସଲ ଲାଗି ସାପପାଖରେ ପହଁଚିଗଲା । ସାପଟିକୁ ନିଜର ବନ୍ଧୁରୂପେ ଗ୍ରହଣକରି ବଗ ଦମ୍ଫତ୍ତି ବିରୋଧରେ କହିଲା । ସେ ସାପକୁ କହିଲା, “ତୁମ ଶରୀର କଳା, ଆଉ ମୋର ରଙ୍ଗ ବି କଳା । ମାତ୍ର ବଗର ରଙ୍ଗ ଧଳା ଓ ଆଉ ସୁନ୍ଦର ଯୋଗୁଁ ସେ ମନରେ ଭାରି ଗର୍ବ କରୁଛି ଓ ଆମମାନଙ୍କୁ ଘୃଣା ବି କରୁଛି । ସୁତରାଂ ତୁମେ ଯଦି ମୋତେ ସାହାଯ୍ୟ କରନ୍ତ, ତେବେ ତାକୁ ଆଚ୍ଛା କରି ପାନେ ଦିଅନ୍ତେ ।”

       ସାପଟି କାଉ କଥାରେ ରାଜି ହେବାରୁ କାଉ କହିଲା, “ବନ୍ଧୁ! ଏଇ ବୃକ୍ଷମୂଳେ ନେଉଳ ବି ପକ୍ଷୀମାନଙ୍କ କଥାରେ ପଡି ତୁମକୁ ଜୀବନରେ ମାରିଦେବା ପାଇଁ ଜଗି ବସିଛି । ମୋତେ ଦାୟିତ୍ୱ ଦିଆଯାଇଛି ତୁମର ଅବସ୍ଥିତି ସୂଚନା ଦେଲେ ହିଁ ନେଉଳ ତମକୁ ମାରିବ । ହେଲେ ମୁଁ ଏଣିକି ତୁମକୁ ସାହାଯ୍ୟ କରିବି । ତୁମେ ପକ୍ଷୀମାନଙ୍କୁ ମାରିଖାଅ । ପ୍ରଥମେ ବଗ ଶାବକକୁ ଖାଇଯାଅ ।”

       ଏଥର ତାହାହିଁ ହେଲା । କାଉଟି ନୀରବ ରହିଯିବାରୁ ସାପ ନିର୍ବିଘ୍ନରେ ବଗ ଶାବକମାନଙ୍କୁ ଖାଇଗଲା । ତାପରେ ପାଖ ବସାରେ ଥିବା କାଉ ଶାବକମାନଙ୍କୁ ବି ଛାଡିଲା ନାହିଁ ।

       ଏହା ଦେଖି କାଉ କହିଲା, “ସାପ ତୁମେ ପରା ମୋର ବନ୍ଧୁ ଏ କ’ଣ କଲ? ମୋ’ ପ୍ରତି ଏଭଳି ବ୍ୟବହାର କରି ପାରିଲ କେମିତି? ଏହା କ’ଣ ବିଶ୍ୱାସଘାତକର କାର୍ଯ୍ୟ ନୁହେଁ?”

       ଏହା ଶୁଣି କୃଷ୍ଣସର୍ପ କହିଲା, “ମୁଁ ତ ମୋର କ୍ଷୁଧା ନିବାରଣ ପାଇଁ ଏହା କଲି । କ୍ଷୁଧା ଜ୍ୱାଳା ନିକଟରେ ମିତ୍ରତା ତ ଛାର । ତୁମେ କ’ଣ ଜାଣିନାହଁ ଯେ ପେଟର ଭୋକ ପାପପୁଣ୍ୟର ବିଚାର କରିପାରେ ନାହିଁ ବୋଲି? ତା’ ଛଡା ତୁମ ସହିତ ମିଶି ରହୁଥିବା ଏ ବୃକ୍ଷର ପକ୍ଷୀମାନଙ୍କର ତୁମେ ଯଦି ବନ୍ଧୁ ହୋଇପାରିଲ ନାହିଁ, ତେବେ ଏଇ ଅଳ୍ପ ସମୟ ମିଳାମିଶାରେ ତୁମେ କିପରି ମୋର ବନ୍ଧୁ ହୋଇ ପାରିବ? ତୁମର ଅନେକ ଦିନର ସାଥୀ ବଗର ଶାବକକୁ ମୋତେ ଖାଇବା ପାଇଁ କହି ବଗପ୍ରତି ତୁମେ ବିଶ୍ୱାସଘାତକତା କରି ନାହଁ କି? ଏବେ ମୁଁ କଲି, ଅସୁବିଧା କ’ଣ ହେଲା?”

       କାଉର ଏଭଳି କାର୍ଯ୍ୟକୁ ସମସ୍ତେ ନିନ୍ଦା କଲେ । ସାପଟି ସେ ବୃକ୍ଷଛାଡି ଅନ୍ୟତ୍ର ଚାଲିଗଲା । ପକ୍ଷୀମାନେ ଏକାଠି ହୋଇ କାଉକୁ ସେ ବୃକ୍ଷରେ ରଖେଇ ଦେଲେ ନାହିଁ । ମନଦୁଃଖରେ କାଉ ଦମ୍ଫତ୍ତି ଅନ୍ୟତ୍ର ଉଡି ଚାଲିଗଲେ ।

       ଏଥିରୁ ଶିକ୍ଷା ମିଳେ ଯିଏ ଅନ୍ୟପ୍ରତି ବିଶ୍ୱାସଘାତକତା କରିଥାଏ, ସେ ନିଜେ ଆଗ ତା’ର ଶିକାର ହୁଏ । ଯେମିତି ଅନ୍ୟ ପାଇଁ ଗାତ ଖୋଳିଲେ ନିଜେ ଗାତରେ ପଡିବାକୁ ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ