ବିଶ୍ୱାସ ଓ ବିଷ

ଗୋଟିଏ କୁକୁର ତା’ମାଲିକର ମେଣ୍ଢାପଲ ଜଗିଥାଏ । ହେଟାବାଘ ଆସିଲେ ସେ କୁକୁର ଭୋ’ ଭୋ’ ରଡି କରି ମାଲିକକୁ ଜଣାଇ ଦିଏ ।

                ଏକଦା ହେଟାବାଘ ସେ କୁକୁରକୁ ବାଟରେ ଦେଖି କହିଲା, “ଭାଇ ତୁ ବଡ ଖରାପ ଅବସ୍ଥାରେ ଅଛୁ, ତୋ ମାଲିକ ତୋତେ କ’ଣ ଦି’ଟା ଖାଇବାକୁ ଦେଉଛି ଯେ ତୁ ଦିନରାତି କେବଳ ତା’ର ହିଁ କାମ କରୁଛୁ । ତୁ ଯଦି ମୋ କଥା ଶୁଣିବୁନା ଆମେ ଦୁଇଜଣଯାକ ଖାଇପିଇ ବେଶ୍ ଆରାମରେ ରହିବା । ଖାଲି ମୁଁ ଯେତେବେଳେ ଆସିବି ତୁ ନ ଭୁକି ଚୁପ୍ ରହିଗଲେ ଦି’ଜଣ ମିଶି ବଡ ଆରାମରେ ମେଣ୍ଢା ମାଂସ ଖାଇବା” ।

ଏହା ଶୁଣି ସେ କୁକୁରର ବହୁତ ଲୋଭ ହେଲା ଏବଂ ସେ ହେଟାବାଘ କଥାରେ ବି ଏକମତ ହୋଇଗଲା । ଦିନେ ରାତିରେ ହେଟାବାଘ ମେଣ୍ଢା ଖାଇବାକୁ ଆସିଲା । ତାକୁ ଦେଖି କୁକୁର ଆଉ ଭୁକିଲା ନାହିଁ । ତେଣୁ ମାଲିକ ହେଟାବାଘ ଆସିଛି ବୋଲି ବି ମୋଟେ ଜାଣିପାରିଲା ନାହିଁ । ତାପରେ ହେଟାବାଘ ଗୁହାଳରେ ପଶି ପ୍ରଥମେ ସେ କୁକୁରକୁ ହିଁ ଖାଇଦେଲା ।

ବିଶ୍ୱାସରେ ବିଷ ଦେଲେ କେବଳ ନିଜରହିଁ ସର୍ବନାଶ ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ