ବିଶ୍ୱାସ ଘାତକ

                କରମ୍ବି ମୁନି କହିଲେ “କ’ଣ, ତମେ ସନ୍ଦେହ କରୁଛ କି ମୁଁ ଏକଥା ପକ୍ଷୀମାନଙ୍କୁ କହିଦେବି? କେବେବି ନୁହେଁ । ମୋତେ ଏକଥା କହିଲେ ତୁମର କୌଣସି ବି କ୍ଷତି ହେବ ନାହିଁ ।”

                ସର୍ପରାଜ ସେ କଥା ପରେ କହିବେ ବୋଲି ସେ ସ୍ଥାନ ଛାଡି ଚାଲିଗଲେ । ପରଦିନ ପୁଣି ଦୁହିଁଙ୍କର ଦେଖା ହେବା ମାତ୍ରେ ମୁନି ସେହି ପ୍ରଶ୍ନଟି ପଚାରିଲେ । ସେଥର ମଧ୍ୟ ସର୍ପରାଜ ମୌନ ରହି ଚାଲିଗଲେ । ତୃତୀୟ ଥର ଯେତେବେଳେ ପୁଣି ଦେଖାହେଲା, କରମ୍ବି ମୁନି ପୁଣି ପ୍ରଶ୍ନଟି ଉତ୍ଥାପନ କଲେ । “ମୁଁ ବାରମ୍ବାର ତୁମକୁ ପ୍ରଶ୍ନଟି ପଚାରୁଛି; ତମେ ଉତ୍ତର ଦେଉନା କାହିଁକି?”

                ସର୍ପରାଜ କହିଲେ, “ମୋର ଭୟ ହେଉଛି ହୁଏତ ଏକଥା ଆପଣ ଅନ୍ୟକୁ କହିଦେବେ ।”

                କରମ୍ବି ମୁନି କହିଲେ “ମୁଁ ତୁମକୁ କଥା ଦେଉଛି ଯେ ଏକଥା ମୁଁ କାହା ଆଗରେ ବି ପ୍ରକଟ କରିବି ନାହିଁ ।”

                ତା’ପରେ ସର୍ପରାଜ କହିଲେ, “ତେବେ ଶୁଣନ୍ତୁ । ଆମେ ବହୁତ ଓଜନର ପଥର ଗିଳି ଦେଇଥାଉ, ତେଣୁ ପକ୍ଷୀମାନେ ଆମକୁ ମୁହଁପଟରୁ ଧରି ଉଠାଇଲେ ପଥରର ଓଜନ ସହ୍ୟ କରି ନପାରି କ୍ଳାନ୍ତ ହୋଇ ଛାଡି ଦିଅନ୍ତି । ଯଦି ସେମାନେ ଲାଞ୍ଜରୁ ଧରି ଉଠାଇବେ, ତେବେ ଆମ ମୁହଁ ତଳକୁ ରହିବ ଓ ସବୁ ଛୋଟ ପଥର ମୁହଁବାଟେ ବାହାରି ଆସି ଦେହ ହାଲକା ହୋଇଯିବ । ଏଇ ମାତ୍ର ରହସ୍ୟ ।”

                ସର୍ପରାଜ ଚାଲିଯିବା ପରେ ପକ୍ଷୀରାଜ ଆସି ପଚାରିଲେ, “କ’ଣ ମହାଶୟ, ସେ କଥାଟିର ରହସ୍ୟ ଜାଣିଲେ?”

                କରମ୍ବି ମୁନି ଯାହା ସବୁ ଶୁଣିଥିଲେ ସେସବୁ କଥା କହିଲେ । ପକ୍ଷୀରାଜ ଭାବିଲେ “ସତରେ ସିଏ କହିଦେଲେ? ଆହା! ନିଜକୁ ଓ ନିଜ ଜାତିକୁ ବିନାଶ ପଥରେ ଆଗେଇ ନେଲେ ସିନା! ଏଇକ୍ଷଣି ମୁଁ ଯାଇ ସର୍ପରାଜକୁ ଧରିବି ।” ଏତିକି କହି ପକ୍ଷୀରାଜ ଉଡିଯାଇ ସର୍ପରାଜର ଲାଞ୍ଜ ଧରି ଉପରକୁ ଉଠାଇ ନେଲେ । ସର୍ପରାଜଙ୍କର ମୁହଁ ତଳକୁ ଥିବାରୁ ସେ ଗିଳିଥିବା ପଥର ସବୁ ତଳେ ପଡିଗଲା ଓ ତାଙ୍କ ଶରୀରର ଓଜନ କମିଗଲା । ସେ ନିଜକୁ ଧିକ୍କାର କରି କହିଲେ, “ଓଃ, ଇଏ ମୁଁ କ’ଣ କଲି? କରମ୍ବି ମୁନିକୁ ମହାମୁନି ବୋଲି ବିଶ୍ୱାସ କରି ମୁଁ ନିଜ ପ୍ରତି ତଥା ମୁଁ ମୋ ଜାତି ପ୍ରତି ଦ୍ରୋହ ଆଚରଣ କଲି!”

                ଏକଥା ଶୁଣି ପକ୍ଷୀରାଜ କହିଲେ, “ଆରେ ମୂର୍ଖ, ସେହି କପଟ ସନ୍ନ୍ୟାସୀ ପାଖରେ ନିଜର ଜୀବନ ମୃତ୍ୟୁ ରହସ୍ୟ ଖୋଲି ଦେଇ ଏବେ ବିଳାପ କଲେ କ’ଣ ବା ହେବ? ମୃତ୍ୟୁ ତ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ । କିନ୍ତୁ ମାନବର ପ୍ରଧାନ ଧର୍ମ ହେଲା ବିବେକ । ତୁମ ଦୁର୍ଗତି ପାଇଁ ମୁଁ ବା ସନ୍ନ୍ୟାସୀ କେହି ମଧ୍ୟ ଦାୟୀ ନୋହୁଁ, ତୁମର ମୂର୍ଖତାହିଁ ଦାୟୀ । ପ୍ରତ୍ୟେକ ପ୍ରାଣୀ ପାଇଁ ତ ତା’ର ମାତାପିତାହିଁ ସବୁଠାରୁ ପ୍ରିୟ । କିନ୍ତୁ ଏ ରହସ୍ୟ ମଧ୍ୟ ସେମାନଙ୍କୁ କହିବା ଉଚିତ୍ ନୁହେଁ । ତୁମର ଅନେକ ବନ୍ଧୁ ଓ ମିତ୍ର ମଧ୍ୟ ଥାଇ ପାରନ୍ତି, ସୁନ୍ଦରୀ ସ୍ତ୍ରୀ ମଧ୍ୟ ଥାଇ ପାରନ୍ତି । କିନ୍ତୁ ଏପରି ରହସ୍ୟ କାହାକୁ ବି କହିବ ନାହିଁ । ରହସ୍ୟକୁ ଅପ୍ରକଟ ରଖିଲେ ତମେ ଶତୃକୁ ମଧ୍ୟ ଦୂରରେ ରଖି ପାରିବ ।”

                ସର୍ପରାଜ ପକ୍ଷୀରାଜଙ୍କୁ ମିନତି କରି କହିଲେ “ମହାତ୍ମା! ମୁଁ ଆପଣଙ୍କ ଉପଦେଶ ଏବେ ବୁଝିଲି । ମା ଯେପରି ନିଜ ସନ୍ତାନ ପ୍ରତି କରୁଣାପୂର୍ଣ୍ଣ ଆଚରଣ କରେ; ଏବେ ଆପଣ ବି ମୋ ପ୍ରତି ତାହାହିଁ କରନ୍ତୁ ।”

                “ସନ୍ତାନ ତିନି ପ୍ରକାର: ଶିଷ୍ୟ, ପାଳିତ ପୁତ୍ର କନ୍ୟା ଓ ଜନ୍ମିତ ପୁତ୍ର କନ୍ୟା । ତୁମେ ମୋର ଉପଦେଶ ଗ୍ରହଣ କରୁଥିବା ଦୃଷ୍ଟିରୁ ମୋର ଶିଷ୍ୟ ସ୍ୱରୂପ । ତେଣୁ ମୁଁ ତୁମର ଅନିଷ୍ଟ କରି ନପାରେ ।” ଏହା କହି ପକ୍ଷୀରାଜା ସର୍ପରାଜଙ୍କୁ ମାଟିରେ ଉତାରି ଦେଲେ ।

                ଏହା ପରେ ସର୍ପରାଜ ନାଗଲୋକକୁ ଏବଂ ପକ୍ଷୀରାଜା ନିଜ ମୁଲକକୁ ଗଲେ ।

                କିନ୍ତୁ ପକ୍ଷୀରାଜା ନିଜକୁ ପଚାରିଲେ, “ମୁଁ ସିନା ସର୍ପରାଜକୁ ପ୍ରାଣରେ ମାରିବାର ସୁଯୋଗ ପାଇ ମଧ୍ୟ ଛାଡି ଦେଲି! କିନ୍ତୁ ସେ ମୋ ପ୍ରତି ଭବିଷ୍ୟତରେ କିଭଳି ଆଚରଣ କରିବ ତାହା ପୁଣି ବା କିଏ କହିବ? ବରଂ ତାକୁ ପରୀକ୍ଷା କରିବା ଉଚିତ୍!”

                ଏହା ଭାବି ସେ ନାଗଲୋକକୁ ଯାଇ ହଠାତ୍ ନିଶ୍ଚେଷ୍ଟ ହୋଇ ପଡିଗଲେ । ସତେ ଅବା ତାଙ୍କର ପକ୍ଷ ଠିକ୍ ଭାବରେ କାମ କରୁନାହିଁ! ଏହା ଦେଖି ସର୍ପରାଜ ତାଙ୍କ ପାଖକୁ ଦୌଡି ଆସି ଉଦ୍ବିଗ୍ନ ଭାବରେ ତାଙ୍କୁ ପଚାରିଲେ, “ମହାଶୟ! କ’ଣ ହେଲା? ଏବେ ମୁଁ ଆପଣଙ୍କର କିଭଳି ସେବା କରିପାରିବି, କୁହନ୍ତୁ ।”

                ପକ୍ଷୀରାଜ ଉଠି ବସିଲେ ଓ କହିଲେ, “ତମ ମିତ୍ରତା ଓ ମୋ ପ୍ରତି ସଦ୍ଭାବ ଯୋଗୁଁ ମୁଁ ପ୍ରୀତ । ବର୍ତ୍ତମାନ ଥରେ ସେ ଭଣ୍ଡ ସନ୍ନ୍ୟାସୀ ସହ ମୁକାବିଲା ହେବା ଆବଶ୍ୟକ ।”

                ତା’ପରେ ସେ ଦୁହେଁ କରମ୍ବି ମୁନି ପାଖରେ ଯାଇ ପହଁଚିଲେ । ଦୁହିଁଙ୍କୁ ଏକତ୍ର ଦେଖିବା ମାତ୍ରେ କରମ୍ବିର ମୁହଁ ଶୁଖିଗଲା । ସର୍ପରାଜ ପଚାରିଲେ, “ଆପଣ ମୋ ପ୍ରତି ବିଶ୍ୱାସଘାତକତା କାହିଁକି କଲେ?”

                ସନ୍ନ୍ୟାସୀ ଥତମତ ହୋଇ କହିଲେ, “ମୁଁ ପକ୍ଷୀରାଜାଙ୍କ ପ୍ରତି ଟିକିଏ ଅଧିକ ପ୍ରେମଭାବ ପୋଷଣ କରୁଥିଲି!”

                ସର୍ପରାଜ କହିଲେ “ସତେ? ଆପଣ ପରା ସନ୍ନ୍ୟାସୀ? ସନ୍ନ୍ୟାସୀର ପୁଣି ଏଡେ ପକ୍ଷପାତ ବିଚାର ଯେ ସେ ଜଣକ ପ୍ରତି ପ୍ରେମଭାବ ଯୋଗୁଁ ଅନ୍ୟର ସର୍ବନାଶ କରିବ? ମୁଁ କହୁଛି, ଆପଣ ଯଦି ସତ ସନ୍ନ୍ୟାସୀ ହୋଇଥିବେ ତ, କିଛି ଚିନ୍ତା ନାହିଁ । ଯଦି ସନ୍ନ୍ୟାସୀର ଅଭିନୟ କରୁଥିବେ, ଅର୍ଥାତ୍ ଭଣ୍ଡ ହୋଇଥିବେ, ତେବେ ଏହିକ୍ଷଣି ରସାତଳକୁ ଯିବେ ।”

                ତତ୍କ୍ଷଣାତ୍ ମାଟି ଦ୍ୱିଧାବିଭକ୍ତ ହେଲା । ଆଉ ସେ ଭଣ୍ଡ ସନ୍ନ୍ୟାସୀ ରସାତଳକୁ ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ