ବିଷବୃକ୍ଷ

                ପରଦିନ ଯୁବରାଜ ସେନାପତିଙ୍କୁ ବନ୍ଦୀ କଲେ ଓ ପିତାଙ୍କୁ ସବୁକଥା ଶୁଣାଇଲେ । ବୃଦ୍ଧ ରାଜା ଯୁବରାଜଙ୍କୁ କହିଲେ; “ପୁଅ, ତୁ ସେ ବିଷବୃକ୍ଷ କଟାଇ ଦେ, ତାହା ନାନାଦି ଅନର୍ଥର ମୂଳ । ଲୋଭରେ ପଡି ଲୋକେ ସେ ଶକ୍ତିର ଅପବ୍ୟବହାର କରିବେ ଓ ତୋ ଜୀବନ ଉପରେ ବାରମ୍ବାର ବିପଦ ଆସିବ ।”

                ଯୁବରାଜ କହିଲେ “ବାବା, ସେ ବୃକ୍ଷ ଅନେକଦିନର ଓ ଏକ ଅଲୌକିକ ଶକ୍ତି ଧରି ରହିଛି । ଆମର ପୂର୍ବପୁରୁଷମାନେ ସେହି ବୃକ୍ଷର ସହାୟତାରେ ବହୁ କାର୍ଯ୍ୟ କରିଛନ୍ତି । ତେଣୁ ତାକୁ କଟାଇ ନ ଦେଇ ସେଠାରେ ପ୍ରହରୀ ଓ ଜଗୁଆଳୀ ନିଯୁକ୍ତ କରିବା ଯେପରି କେହିବି ଆଉ ସେ ଶକ୍ତି ଉପରେ ଲାଭ ଉଠାଇ ପାରିବେ ନାହିଁ ।”

                ଯୁବରାଜଙ୍କ କଥା ଅନୁସାରେ ପ୍ରହରୀମାନେ ସେ ବୃକ୍ଷକୁ ଜଗି ରହିଲେ ।

କିଛିଦିନ ପରେ ମହାରାଣୀ ଖୁବ୍ ଅସୁସ୍ଥ ହୋଇ ପଡିଲେ । ବୈଦ୍ୟମାନେ ପରୀକ୍ଷା କରି କହିଲେ ରାଣୀଙ୍କ ଔଷଧ ପାଇଁ ଗୋଟିଏ ଜଙ୍ଗଲୀ ଗଛ ଦରକାର । ସେଇଟା କେବଳ କାଠୁରିଆ ଭୋଳା ହିଁ ଜାଣେ । ଭୋଳାକୁ ଖୋଜି ଖୋଜି ସେ ମିଳିଲା ନାହିଁ । ଯୁବରାଜ ଦିନେ ସେ ବିଷବୃକ୍ଷ ସାହାଯ୍ୟରେ ଭୋଳାର ରୂପ ନେଇ ବୈଦ୍ୟଙ୍କ ପାଖକୁ ଗଲେ ।

ଭୋଳାକୁ ଦେଖି ବୈଦ୍ୟରାଜ କହିଲେ, “ଭୋଳା ତମେ ଦେବକନର ବୃକ୍ଷ ଚିହ୍ନିଛ । ଜଙ୍ଗଲକୁ ଯାଇ ଶୀଘ୍ର ତାହା ନେଇଆସ ।”

ଇତିମଧ୍ୟରେ ଆଉ ଗୋଟିଏ ଘଟଣା ଘଟିଗଲା । ମନ୍ତ୍ରୀ ସେ ବିଷବୃକ୍ଷର ମହିମା ଜାଣିବା ପରଠାରୁ ନିଜେ କିପରି ରାଜା ହେବେ ସେଇ ଚିନ୍ତା ସେ ସବୁବେଳେ ତାଙ୍କ ମନେ ମନେ କରୁଥା’ନ୍ତି । ସୁଯୋଗ ଦେଖି ଦିନେ ସେ ପ୍ରହରୀମାନଙ୍କୁ କିଛି ଧନ ଦେଇ ବିଷବୃକ୍ଷ ପାଖକୁ ଯାଇ ନିଜେ ରାଜାର ରୂପ ଧାରଣ କଲେ ଓ ପ୍ରହରୀମାନଙ୍କୁ କହିଲେ, “ଏ ବିଷବୃକ୍ଷକୁ କାଟିଦିଅ ।”

ଏକଥା ଶୁଣି ସେମାନେ କହିଲେ, “କ୍ଷମା କରନ୍ତୁ, ଆମେ ଏସବୁ କାମ କରିପାରିବୁ ନାହିଁ ।”

ତା’ପରେ ସେ ରାଜାରୂପୀ ମନ୍ତ୍ରୀ କହିଲେ “ତାହେଲେ ଆଉ ଗୋଟାଏ କାମ କର । ଜଣେ କାଠୁରୀଆକୁ ଡାକ ସେ ଏହାକୁ କାଟିଦେବ ।”

ପ୍ରହରୀମାନେ ଯାଇ ଭୋଳା କାଠୁରିଆ ରୂପରେ ଥିବା ଯୁବରାଜଙ୍କୁହିଁ ମନ୍ତ୍ରୀଙ୍କ ପାଖକୁ ନେଇ ଆସିଲେ । ସେ ସବୁକଥା ଶୁଣି ଗଛ କାଟିବାକୁ ମନାକଲା ।

ତା’କଥାରେ ସେ ରାଜାରୂପୀ ମନ୍ତ୍ରୀ ସଙ୍ଗେ ସଙ୍ଗେ ଭୀଷଣ ମାତ୍ରାରେ ଗର୍ଜି ଉଠି କହିଲେ, “କ’ଣ ତୁ ମୋର ଆଦେଶ ପାଳନ କରିବୁ ନାହିଁ? ତୋର ପୁଣି ଏତେ ସାହସ? ଯାଅ ପ୍ରହରୀଗଣ ଏ କାଠୁରୀଆକୁ ଚାବୁକ୍ରେ ଖୁବ୍ ପିଟ ।”

ସେମାନେ ପିଟିବାକୁ ଯିବାରୁ କାଠୁରିଆରୂପୀ ଯୁବରାଜ ସେ ଗଛକୁ କାଟିବାକୁ ଆରମ୍ଭ କଲେ । କିଛି ସମୟ ମଧ୍ୟରେ ଗଛ ଡାଳ ସୁଦ୍ଧା ସେ ଛୋଟ ଛୋଟ କରି କାଟି ପକାଇଲେ । ପ୍ରହରୀମାନେ ସେ କାଠଗୁଡିକ ନିଆଁ ଲଗାଇ ଜଳାଇ ଦେଲେ । କାଠଗୁଡିକ ଜଳିଯିବା ମାତ୍ରେ ମନ୍ତ୍ରୀ ଓ ଯୁବରାଜ ଉଭୟେ ନିଜ ନିଜ ରୂପ ଫେରି ପାଇଲେ । ପ୍ରହରୀମାନେ ଯୁବରାଜଙ୍କ ପାଦରେ ପଡି ତାଙ୍କୁ କ୍ଷମା ମାଗିଲେ ।

ତା’ପରେ ସେ ମନ୍ତ୍ରୀଙ୍କୁ ବନ୍ଦୀ କରି ରାଜନଅରକୁ ଆସି ରାଜାଙ୍କୁ ସବୁକଥା କହିଲେ । ସବୁକଥା ଶୁଣି ରାଜା କହିଲେ, “ପୁତ୍ର, ଏସବୁ ବିପଦର କାରଣ ହେଉଛି ସେସବୁ ପୋଥି । ତୁ ସେଗୁଡିକ କେଉଁଠି ଲୁଚାଇ ରଖିଦେ । ବିଷବୃକ୍ଷ କଟା ହୋଇଗଲା, ବିପଦ ଗଲା । ଏବେ ତୁ ସେ ଭୋଳା କାଠୁରିଆକୁ ଖୋଜି ଆଣିବାର ବନ୍ଦୋବସ୍ତ କର । ଔଷଧ ମିଳିଲେ ଯାଇ ବୈଦ୍ୟମାନେ ତୋ ମା’ର ଚିକିତ୍ସା ଆରମ୍ଭ କରିବେ ।”

ଯୁବରାଜ ନିଜ ଅଭିଜ୍ଞତାରୁ ଜାଣିଥିଲେ ଯେ ଉପକାର କରିବାକୁ ଯାଇ ସେ ଯେତେଥର ବିଷବୃକ୍ଷର ସହାୟତାରେ ରୂପ ବଦଳାଇଛନ୍ତି ସେତେଥର ସେ ବହୁତ କଷ୍ଟ ପାଇଛନ୍ତି । ତଥାପି ମନ୍ତ୍ରୀଙ୍କର ଅସଲ ରୂପ ସେ ଜାଣି ପାରିଛନ୍ତି । ମନ୍ତ୍ରୀଙ୍କୁ ସେନାପତିଙ୍କୁ ବନ୍ଦୀ ରଖି ସେ ନୂତନ ମନ୍ତ୍ରୀ ଓ ନୂତନ ସେନାପତି ବାଛି ସେମାନଙ୍କୁ କାର୍ଯ୍ୟଭାର ସବୁ ସମର୍ପି ଦେଲେ । ତା’ପରେ ନିଜ ବଳ, ଶକ୍ତି ଓ ପରାକ୍ରମ ଉପରେ ଭରସା ରଖି, ଭଗବାନଙ୍କର କୃପା ପ୍ରାର୍ଥନା କରି ସେ ରାଜ୍ୟଭାର ଗ୍ରହଣ କଲେ ଓ ଉତ୍ତମ ଶାସକ ଭାବରେ ଲୋକପ୍ରିୟ ହୋଇ ଉଠିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ