ବିଷ୍ଣୁଭଟ୍ଟ ବିରଚିତ

ମୁରଲୀନାଥ ଦେଖିଲେ, ତାଙ୍କ ସମ୍ମୁଖରେ ଗୀତାଦେବୀ ଠିଆହୋଇ ହସୁଛନ୍ତି । ଘନକଳା ଲମ୍ବା କେଶରାଶି ଫିଟି, କାନ୍ଧତଳକୁ ତାହା ଝୁଲି ପଡିଛି ।

ତାଙ୍କ ମୁହଁରୁ ବାହାରି ଆସିଲା, “ଗୀତା, ତୁମେ!” ଗୀତାଦେବୀ ଅଳ୍ପ ହସି କହିଲେ, “ହଁ ସ୍ୱାମୀ!” ଏତେବେଳଯାଏଁ ପୁରୁଷ କଣ୍ଠରେ ସେ କଥା କହୁଥିଲେ । ମାତ୍ର ଏବେ ସେ ନିଜର ସ୍ୱଭାବସୁଲଭ କୋମଳ ସ୍ୱରରେ ସ୍ୱାମୀଙ୍କୁ କହିଲେ, “ରାଜଧାନୀରୁ ଫେରିଥିବା, ମୋର ପିତାଙ୍କର ଦୁଇଜଣ ଛାତ୍ରଙ୍କଠାରୁ ମୁଁ ଜାଣିବାକୁ ପାଇଲି ଯେ, ଆପଣ ଦରବାରରେ ରାଜାଙ୍କ ଦ୍ୱାରା ଅପମାନିତ ହୋଇ ମୁଣ୍ଡ ତଳକୁ କରି ଚାଲି ଆସିଛନ୍ତି । ଏହା ଶୁଣି, ମୁଁ ଯମାରୁ ସ୍ଥିର ହୋଇ ରହି ପାରିଲି ନାହିଁ । ମୁଁ ନିଜେ ଆସି ଆପଣଙ୍କୁ କୌଣସି ପରାମର୍ଶ ଦେବାକୁ ଚାହିଁଥିଲେ, ତାହା ଆପଣ କେବେବି ଗ୍ରହଣ କରିନଥାନ୍ତେ । ଏହା ତ ମୁଁ ଆଗରୁ ଜାଣିଛି । ତେଣୁ ପୁରୁଷ ବେଶ ଧାରଣ କରି ମୁଁ ନିଜେ ଆସିଲି । ଏବେ ନିଃସଙ୍କୋଚରେ ଆପଣ ନିଜ ସମସ୍ୟାର ସମାଧାନ ପାଇଁ ଏହି କବିତାଟିକୁ ଗ୍ରହଣ କରନ୍ତୁ ।”

ମୁରଲୀନାଥ ଆଶ୍ଚର୍ଯ୍ୟ ହୋଇ ତାଙ୍କ କଥା ଶୁଣୁଥାନ୍ତି । କିଛି କ୍ଷଣପରେ, ନାସ୍ତିସୂଚକ ଭାବେ ସେ ମୁଣ୍ଡ ହଲେଇଲେ ।

ଏତେକଥା କହି ପତିଙ୍କୁ ବୁଝାଇବା ପରେ ମଧ୍ୟ, ତାଙ୍କର ଅସ୍ୱୀକୃତିରେ ଅସନ୍ତୁଷ୍ଟ ହୋଇ ଗୀତାଦେବୀ ଦୁଖ ଓ ଉଦାସଭରା ସ୍ୱରରେ ପ୍ରଶ୍ନକଲେ, “କେଉଁ କାରଣରୁ ଆପଣ ଏହା ସ୍ୱୀକାର କରୁନାହାଁନ୍ତି? ନାରୀଜାତି ପ୍ରତି ବିଦ୍ୱେଷ ଭାବ ପାଇଁ ଆଉ ନୁହେଁ ତ?”

ମୁରଲୀନାଥ ନିଜର ନୀରବତା ଭାଙ୍ଗି କହିଲେ, “ମୋର ହୃଦୟ ଏବେ ତିନୋଟି କଂଟାର ବିଷରେ ଜର୍ଜରିତ, ସ୍ତ୍ରୀଜାତି ପ୍ରତି ଅବଜ୍ଞା ମନୋଭାବ, ରାଜବଂଶଜଙ୍କ ପ୍ରତି ଉଦାସୀନତା ଓ ତୃତୀୟରେ ରାଜଦରବାରରେ ପାଇଥିବା ଅପମାନ । ଏହି ତିନୋଟି ଉତ୍କଟ ବିଷର ଜ୍ୱାଳାକୁ ତୁମେ ଗୋଟିଏ କବିତାର ମାନ୍ତ୍ରିକ ପ୍ରଭାବରେ ଉପଶମ କଲ । ମୋର ମନରେ ପ୍ରଶାନ୍ତିର ପୁଲକ ଆଣିଦେଇଥିବା, ତୁମେ ସାକ୍ଷାତ୍ ଦେବୀ ସତ୍ୟଭାମା ସ୍ୱରୁପିଣୀ । ଏବେ ମୋ ସମ୍ମୁଖରେ ଏକମାତ୍ର ମାର୍ଗ ଉନ୍ମୁକ୍ତ ରହିଛି । ତାହା ହେଲା ନିଜ ଅହଂକାର ତ୍ୟାଗକରି, ଖୋଲା ହୃଦୟରେ ତୁମ ନିକଟରେ କୃତଜ୍ଞତା ଜ୍ଞାପନ କରିବା, ଓ ତୁମର ଏହି ଋଣ ଶୁଝିବା ପାଇଁ ତୁମ ନିକଟରେ ନତମସ୍ତକ ହେବା ।” ଏହା କହୁ କହୁ ସେ ଉଠି, ପତ୍ନୀଙ୍କର ପାଦ ଛୁଇଁବାକୁ ତତ୍ପର ହେଲେ ।

ପତିଙ୍କର ଏହି ପରିବର୍ତ୍ତନ ଦେଖି ଗୀତାଦେବୀଙ୍କର ଚକ୍ଷୁରୁ ଆନନ୍ଦାଶ୍ରୁ ଗଡି ଗଲା । ସେ ଏପରି କରିବାରୁ ତାଙ୍କୁ ନିବୃତ କରି କହିଲେ, “ନା, ଏପରି କରନ୍ତୁ ନାହିଁ । ଆପଣ ମୋ ପରାମର୍ଶ ଗ୍ରହଣ କରିଛନ୍ତି, ସେତିକି ହିଁ ମୋ ପାଇଁ ଯଥେଷ୍ଟ ।”

ପତି-ପତ୍ନୀ ସେହି ରମଣୀୟ ପ୍ରାକୃତିକ ପରିବେଶରେ କିଛି ସମୟ ଅବସ୍ଥାନ କରି ରାଜଧାନୀକୁ ଫେରି ଆସିଲେ ।

ପରଦିନ, ଛଦ୍ମବେଶ ଧାରଣ କରି ମୁରଲୀନାଥ ରାଜାଙ୍କୁ ସାକ୍ଷାତ କଲେ ଓ ଗୀତାଦେବୀଙ୍କ କବିତାଟି ଶୁଣାଇଲେ । ନିଜ ପ୍ରଚେଷ୍ଟାରେ ସଫଳ ହୋଇ, ସେ ପୁଣି ରାଜା କମଳଚନ୍ଦ୍ରଙ୍କର ପ୍ରିୟପାତ୍ର ହୋଇପାରିଲେ ।

କିଛିଦିନ ବିତିଯିବା ପରେ, ସେ ରାଜାଙ୍କୁ, ନିଜ ପତ୍ନୀଙ୍କର ପ୍ରଚେଷ୍ଟା ଉପାଖ୍ୟାନଟି ଶୁଣାଇଲେ । ନିଜ ପତ୍ନୀଙ୍କର ଏହି ବିଦୁଷୀ-ପତୀ ବର୍ଣ୍ଣନା କରିବା ସମୟରେ ସେ ଗର୍ବିତ ଅନୁଭବ କରୁଥାନ୍ତି ।

ଏହାପରେ, ଗୀତାଦେବୀଙ୍କ ସହଯୋଗରେ ମୁରଲୀନାଥ ଅନେକ ଗୁଡିଏ ଉତ୍ତମ କାବ୍ୟ ରଚନା କଲେ । ସେ ସମସ୍ତ କବିତାରେ ସ୍ତ୍ରୀ ଜାତି ପ୍ରତି ଗଭୀର ସମ୍ମାନ ଥିଲା । ରାଜାଙ୍କ ପ୍ରତି ଆନୁଗତ୍ୟ, ନ୍ୟାୟ ସଂଗତ ପ୍ରଶଂସା ଓ ସମୁଚିତ ପରାମର୍ଶ । ଇର୍ଷାକାତର କବିମାନଙ୍କ ପ୍ରତି ସତର୍କ ବାଣୀ ଓ ପ୍ରକୃତି-ପ୍ରେମର ବନ୍ଦନା ରେ ରଚିତ ଏହି ସବୁ କାବ୍ୟଉପରେ ସେ ଉଲ୍ଲେଖ କରୁଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ