ବିଷ୍ଣୁ ପୁରାଣ

                ଦେବଦତଙ୍କ ଦେହରେ ଦିବ୍ୟ ଆନନ୍ଦର ଶିହରଣ ଦେଖାଦେଲା । ତାଙ୍କର ଚକ୍ଷୁ ମୁଦ୍ରିତ ହେଲା । ସେ ଧୀରେ ଧୀରେ ଉଚ୍ଚାରଣ କଲେ, “ବୁଦ୍ଧଂ ଶରଣଂ ଗଚ୍ଛାମି, ସଙ୍ଘ ଶରଣଂ ଗଚ୍ଛାମି, ଧର୍ମଂ ଶରଣମ୍ ଗଚ୍ଛାମି ।” ତା’ପରେ ସେ ବୁଦ୍ଧଙ୍କୁ ପ୍ରଣାମ କଲେ । ଯେଉଁ ଦେବଦତଙ୍କର ପାପକର୍ମ ଯୋଗୁଁ ଭଗବାନ୍ ବୁଦ୍ଧଙ୍କର ଦେହାବସାନ ଘଟିଲା, କରୁଣାମୟ ବୃଦ୍ଧଙ୍କ କୃପାରୁ ସେହି କ୍ରୁର ଚରିତ୍ର ଭିତରୁ ଦିବ୍ୟ ଚେତନା ଉଦୟ ହେଲା । ତାଙ୍କର ସ୍ୱଭାବ ଓ ଚରିତ୍ର ସମଗ୍ର ଭାବରେ ପରିବର୍ତ୍ତୀତ ହେଲା । ସେ ରାଜପ୍ରାସାଦ ଓ ଐଶ୍ୱର୍ଯ୍ୟ ତତ୍କ୍ଷଣାତ୍ ବର୍ଜ୍ଜନ କରି ବୌଦ୍ଧ ସଙ୍ଘରେ ଯୋଗ ଦେଲେ । ଭଗବାନ ବୁଦ୍ଧଙ୍କ କରୁଣାର କି ଶକ୍ତି । କିଛି ସମୟ ଆଗରୁ ତାଙ୍କର ଘୋର ଶତ୍ରୁ ଥିଲେ ଏବେ ସେ ତାଙ୍କ ଧର୍ମର ଜଣେ ବିଶ୍ୱସ୍ତ ଅନୁଗାମୀ । ଦେବଦତଙ୍କର ଚରିତ୍ରରେ ଏ ଅଭାବନୀୟ ପରିବର୍ତ୍ତନ ଦେଖି ସମସ୍ତେ ମୁଗ୍ଧ ଚକିତ ହେଲେ ।

ସେଦିନ ବୈଶାଖ ପୂର୍ଣ୍ଣିମା ଥିଲା । ସେଇ ବୈଶାଖ ପୂର୍ଣ୍ଣିମାରେ ଦିନେ ବୁଦ୍ଧ ପୃଥିବୀରେ ଜନ୍ମ ନେଇଥିଲେ ଓ ଆଉ ଏକ ବୈଶାଖ ପୂର୍ଣ୍ଣିମାରେ ସେ ସିଦ୍ଧି ଲାଭ କରିଥିଲେ । ଆଜି ସେ ପୂର୍ଣ୍ଣ ନିର୍ବାଣ ପ୍ରାପ୍ତ ହେଲେ ।

ତା’ଙ୍କ ପରେ ତାଙ୍କ ଦ୍ୱାରା ପ୍ରଚାରିତ ଧର୍ମ ଓ ଉପଦେଶ ସବୁକୁ ବୌଦ୍ଧଧର୍ମ ବୋଲି କୁହାଗଲା । ସେ ଭଗବାନ ରୂପରେ ପୂଜା ପାଇଲେ । ସେ ଦଶଅବତାର ମଧ୍ୟରୁ ନବମ ଅବତାର ଥିଲେ ।

ମହର୍ଷି ସୂତ ଏଇପରି ଭାବରେ ବୁଦ୍ଧ ଅବତାରଙ୍କ କାହାଣୀ କହିବା ପରେ ଶେଷ ଅବତାର କଳ୍କୀଙ୍କ ବିଷୟରେ କିଛି କହିବାକୁ ଆରମ୍ଭ କଲେ ।

ସତ୍ୟ, ତ୍ରେତା, ଦ୍ୱାପର ଓ କଳି ଏହି ଚାରି ଯୁଗକୁ ମିଶାଇଲେ କୁହାଯାଏ ତାହା ଏକ ମହାଯୁଗ । ପ୍ରତ୍ୟେକ ମହାଯୁଗର ଶେଷରେ କଳିର ପ୍ରଭାବରେ ସାରା ବିଶ୍ୱରେ ସଙ୍କଟ ଦେଖାଦିଏ । ସେତେବେଳେ ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ ସନ୍ଦେହ ଦେଖାଦିଏ । ମାନବଜାତି ଭୟଙ୍କର ଅଜ୍ଞାନ ଅନ୍ଧକାରରେ ମଗ୍ନ ଥାଏ । ସେମାନେ ନାସ୍ତିକ ହୋଇ ଉଠନ୍ତି ତେଣୁ ତାଙ୍କର ହୃଦୟରେ ଦୟା, ସ୍ନେହ, ପ୍ରେମ, କରୁଣା ଆଦି ଦିବ୍ୟଗୁଣ ସବୁକୁ ଘୋର ଅଜ୍ଞାନ ଆବୃତ କରି ରଖେ । ଅନ୍ୟାୟ, ଅତ୍ୟାଚାର, ପାପ ଓ ମିଥ୍ୟାଚାର ଆଦିକୁ ଆଶ୍ରୟ କରି ସେମାନେ ଜୀବନ ବିତାଇଥା’ନ୍ତି । ସେଇ ଅଜ୍ଞାନମୟ ରାଜ୍ୟରେ ଅଳ୍ପ କେତେକ ଜ୍ଞାନୀ ଓ ଈଶ୍ୱର ଭକ୍ତ ବ୍ୟକ୍ତିଙ୍କ ପାଇଁ ବଂଚି ରହିବା ମଧ୍ୟ କଷ୍ଟକର ହୋଇ ଉଠେ । ଅନ୍ୟାୟ ଅତ୍ୟାଚାର ମଧ୍ୟରେ ବୁଡିରହି ମଣିଷ ପିଶାଚପରି ବ୍ୟବହାର କରେ ।

ମେଧାବୀ ବ୍ୟକ୍ତିଙ୍କର ବୁଦ୍ଧି ଧ୍ୱଂସ ପାଇଁ ଉପଯୋଗ ହୁଏ । ଗ୍ରହନକ୍ଷତ୍ର ଓ ପ୍ରକୃତିର ନିୟମ ମଧ୍ୟ ଅସ୍ତବ୍ୟସ୍ତ ହୋଇଯାଏ । ପୃଥିବୀମାତା ସର୍ବଦା ବିଳାପ କରୁଥାଏ । ଏପରି ଏକ ସଂକଟମୟ ସମୟରେ ଭଗବାନ ବିଷ୍ଣୁ ଅନୁଭବ କରନ୍ତି ଯେ ଦୁଷ୍ଟମାନଙ୍କୁ ସଂହାର କରି ସାଧୁମାନଙ୍କୁ ରକ୍ଷା କରିବା ସକାଶେ ତାଙ୍କର ଅବତାର ନେବା ଉଚିତ୍ । ତେଣୁ ସେ କଳ୍କୀ ରୂପରେ ଧରାପୃଷ୍ଠରେ ଅବତରଣ କରନ୍ତି । ସ୍ୱୟଂ ଶିବ ନିଜ ଅଂଶରୁ ଜାତ ଏକ ଶ୍ୱେତ ଅଶ୍ୱ କଳ୍କୀଙ୍କ ପାଇଁ ଦାନ କରନ୍ତି । ସେହି ଶ୍ୱେତ ଅଶ୍ୱ କାଳରାତିଠାରୁ ମଧ୍ୟ ଅଧିକ ତୀବ୍ର ବେଗରେ ଯାଇପାରେ । ଧୂମକେତୁ ପରି ସେ ଆକାଶମାର୍ଗରେ ମଧ୍ୟ ଗତି କରିପାରେ ।

ସେହି ଅଶ୍ୱ ଉପରେ ଆରୋହଣ କରି କଳ୍କୀ ଦୁଷ୍ଟଜନ ସଂହାର କରିବାକୁ ଯା’ନ୍ତି । ପ୍ରଳୟକାଳୀନ ମେଘଖଣ୍ଡ ଭିତରେ ବିଦ୍ୟୁତ ପରି ସେ ତାଙ୍କର ତଲବାର ଝଲସାଇ ଆକାଶରୁ ପୃଥିବୀ ଓ ଗ୍ରହରୁ ଗ୍ରହାନ୍ତରକୁ ଗତି କରନ୍ତି ।

କଳ୍କୀଙ୍କ ଅବତାରର ବୈଶିଷ୍ଟ୍ୟ ହେଲା ସେ ସାଧୁ ଲୋକଙ୍କ ଆଗରେ ଦିବ୍ୟରୂପ ଧରି ଦେଖା ଦିଅନ୍ତି ଓ ଦୁଷ୍ଟ ଲୋକଙ୍କ ସାମ୍ନାରେ ମହା ଭୟଙ୍କର ରୂପ ନେଇ ଦେଖା ଦିଅନ୍ତି ।

କଳ୍କୀଙ୍କ ଆକ୍ରମଣ ଓ ପ୍ରଭାବରୁ କଳିଯୁଗର ସମସ୍ତ ଖରାପ ପ୍ରଭାବ କ୍ରମେ ଧ୍ୱଂସ ହୁଏ । ସାଧୁମାନେ ତାଙ୍କ ଯୋଗୁଁ ସୁରକ୍ଷିତ ରହିଥା’ନ୍ତି । ଏହି ଅବତାରଙ୍କର କାର୍ଯ୍ୟ ଶେଷ ହେବା ସଙ୍ଗେ ସଙ୍ଗେ ଏକ ମହାଯୁଗର ଅବସାନ ଘଟେ । ପୁଣି ଏକ ମହାଯୁଗର ପ୍ରାରମ୍ଭ ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ