ବିଷ୍ଣୁ ପୁରାଣ

ଅବିବାହିତା କୁନ୍ତୀଙ୍କ ଗର୍ଭରେ ସୂର୍ଯ୍ୟଙ୍କ ଅଂଶରୁ ଯିଏ କର୍ଣ୍ଣ ରୂପରେ ଜନ୍ମ ନେଲା ସେ ତା’ର ପୂର୍ବଜନ୍ମରେ ସହସ୍ରକବଚ ଥିଲା । ସେ ନରନାରାୟଣ ଋଷିଙ୍କ ସହିତ ଶତ୍ରୁତା କରି ଗୋଟିଏ ମାତ୍ର କବଚ ସହ ସୂର୍ଯ୍ୟ ମଣ୍ଡଳରେ ଯାଇ ପ୍ରବେଶ କରିଥିଲା । ଏବେ ଦ୍ୱାପରରେ ସେ ନରଋଷି ହେଲେ ଅର୍ଜୁନ ଓ ନାରାୟଣ ହେଲେ ସ୍ୱୟଂ ଶ୍ରୀକୃଷ୍ଣ ।

ଅର୍ଜୁନ ଓ କୃଷ୍ଣ ଦୁହେଁ ପିଉସୀ ପୁଅ ଓ ମାମୁଁ ପୁଅ ଭାଇ । ତା’ଛଡା ଶ୍ରୀକୃଷ୍ଣଙ୍କ ଭଉଣୀ ସୁଭଦ୍ରା ବି ଅର୍ଜୁନଙ୍କର ଅନ୍ୟତମ ପତ୍ନୀ ଥିଲେ ।

କୁନ୍ତୀ ଶିଶୁ କର୍ଣ୍ଣକୁ ପାଣିରେ ଭସାଇ ଦେଲେ । ସୂତ ପତ୍ନୀ ରାଧା ତାକୁ ପାଇଲେ । ସେ ତାକୁ ପାଳି ପୋଷି ମଣିଷ କଲେ । ସେଥିପାଇଁ କର୍ଣ୍ଣଙ୍କର ଅନ୍ୟନାମ ହେଲା ‘ରାଧେୟ’ । ଦୁର୍ଯ୍ୟୋଧନ କର୍ଣ୍ଣକୁ ଏକ ଛୋଟ ରାଜ୍ୟ ଦାନ କଲେ ଓ ଚିରକାଳ ପାଇଁ ତାଙ୍କୁ ସେ ହାତରେ ରଖିଲା । ସେ ଭାବିଲା କର୍ଣ୍ଣ ଯାହାର ପକ୍ଷ ନେବେ ବିଜୟ ତାହାରହିଁ ସୁନିଶ୍ଚିତ ।

କର୍ଣ୍ଣ ତାଙ୍କ ପିଲାଟି କାଳରୁ ଅର୍ଜୁନଙ୍କୁ ହରାଇବାର ସୁଯୋଗ ଖୋଜୁଥା’ନ୍ତି । ସେଥିପାଇଁ ସେ କୌରବ ପକ୍ଷରେ ଯୋଗ ଦେଲେ ।

ପାଣ୍ଡବମାନେ ବନବାସ କରିବାକୁ ଚାଲିଗଲେ । ଇତିମଧ୍ୟରେ ପଶାଖେଳରେ ଶ୍ରୀକୃଷ୍ଣ ହାରିଯିବାରୁ ସତ୍ୟଭାମା ତାଙ୍କୁ ନାରଦଙ୍କୁ ଦାନ ଦେଇ ପୂଣ୍ୟ ଲାଭ କରିବାକୁ ଚାଲିଲେ । ଦାନ ଦେବା ପରେ ପୁଣି ତାଙ୍କ ମନରେ ଦୁଃଖ ହେବାରୁ ନାରଦ କହିଲେ, “ତାଙ୍କ ଓଜନର ସୁବର୍ଣ୍ଣ ଦାନ କରି ତାଙ୍କୁ ଫେରାଇ ନିଅ ।” ଏକଥା ଶୁଣି ସତ୍ୟଭାମା ତୁଳା ପାତ୍ରରେ ସୁନା ଆଣି ଅଜାଡୁଥା’ନ୍ତି କିନ୍ତୁ ଶ୍ରୀକୃଷ୍ଣଙ୍କ ଓଜନ ବେଶି ହେଉଥାଏ । ଅବଶେଷରେ ରୁକ୍ମିଣୀ ଭକ୍ତିର ସହିତ ତୁଳସୀଦଳଟିଏ ଦେଲେ ଏବଂ ତାହା ଅଧିକ ଓଜନ ହେଲା ।

ସେ ଦୃଶ୍ୟ ଦେଖି ସତ୍ୟଭାମା କହିଲେ, “ଅପା ମୁଁ ଆଜି ପରାଜିତ ହୋଇଛି । ଶ୍ରୀକୃଷ୍ଣ ଯେ ସର୍ବଦା ଭକ୍ତିର ବଶ ସେ କଥା ମୁଁ ଭୁଲି ଯାଇଥିଲି । ତୁମ ଶକ୍ତିରୁହିଁ ମୁଁ ପୁଣି ସ୍ୱାମୀଙ୍କୁ ଫେରି ପାଇଛି । ତେଣୁ ମୁଁ ତୁମ ପାଦତଳର ଦାସୀପରି ।”

ସୁଭଦ୍ରା ଓ ଅର୍ଜୁନଙ୍କର ପରିଣୟ ପରେ ସୁଭଦ୍ରାଙ୍କର ଅନ୍ତଃସତ୍ୱା ଅବସ୍ଥାରେ ଦିନେ ଅର୍ଜୁନ ବସି ସୁଭଦ୍ରାଙ୍କୁ ଚକ୍ରବ୍ୟୁହ ବିଷୟରେ ବୁଝାଉଥିଲେ । ଅଭିମନ୍ୟୁ ପେଟରେ ଥାଇ ସବୁ ଶୁଣି ପାରିଥିଲେ । ସେତିକିବେଳେ ଶ୍ରୀକୃଷ୍ଣ ଆସି କହିଲେ, “ଅର୍ଜୁନ, ମୋ ଭଉଣୀ ସୁଭଦ୍ରାର ହୃଦୟ ଅତ୍ୟନ୍ତ କୋମଳ । ତୁମେ କାହିଁକି ତାକୁ ଯୁଦ୍ଧ କଥା ଶୁଣାଉଛ?” ତା’ପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ସହିତ ଚାଲିଗଲେ । ତେଣୁ ଅଭିମନ୍ୟୁ କେବଳ ଚକ୍ରବ୍ୟୁହର ରଚନା ଓ ତନ୍ମଧ୍ୟରେ ପ୍ରବେଶ କରିବା ପେଟରେ ଥାଇ ଶୁଣିଥିଲେ ।

ଏ ଘଟଣାର ଅନେକ ଦିନ ପରେ ପଂଚପାଣ୍ଡବ ଓ ଦ୍ରୌପଦୀ ଅଜ୍ଞାତବାସ ସମୟରେ ବିରାଟ ଦେଶରେ ଯାଇ ରହିଲେ । ସେଠାକାର ରାଜାଙ୍କ ଘରେ ଏ ପାଞ୍ଚ ଭାଇ ଓ ଦ୍ରୌପଦୀ ଭିନ୍ନ ଭିନ୍ନ କାର୍ଯ୍ୟ ନେଇ ରହିଲେ । ଅର୍ଜୁନ ବୃହନ୍ନଳା ରୂପରେ ରାଜକନ୍ୟା ଉତରାଙ୍କର ନୃତ୍ୟଶିକ୍ଷକ ଭାବରେ ଯୋଗ ଦେଲେ । ପରେ ଉତରାଙ୍କ ସହ ଅଭିମନ୍ୟୁଙ୍କର ବିବାହ ହୋଇଥିଲା ।

ଥରେ ଅଭିମନ୍ୟୁ ଗର୍ବରେ କହିଲେ, “ମୁଁ ଏକାକି ସେ କୌରବସେନାଙ୍କୁ ମାରିଦେବି ।” କୃଷ୍ଣ ତାକୁ ସ୍ନେହରେ ଥାପୁଡାଇ ଦେଇ କହିଲେ, “ତୁହିଁ ପ୍ରକୃତରେ ବିରୋଚିତ କଥା କହିଛୁ । ବୀରତ୍ୱ ଯୁବକବୀରମାନଙ୍କ ପାଇଁ ଧୃବତାରା ରୂପରେ ଦେଖାଦେବ । ମୁଁ ତୋର ମାମୁଁ ବୋଲି ଆଜି ବହୁତ ଗର୍ବିତ ।”

ଅଜ୍ଞାତବାସ ପରେ ସେମାନେ ପୁଣି ହସ୍ତିନାପୁରକୁ ଫେରି ଆସିଲେ । କିନ୍ତୁ ବିନା ଯୁଦ୍ଧରେ ସୁଚ୍ୟଗ୍ର ଭୂମି ଦେବନାହିଁ ବୋଲି ଦୁର୍ଯ୍ୟୋଧନ ଘୋଷଣା କରିବାରୁ ଯୁଦ୍ଧ ପାଇଁ ଦୁଇ ପକ୍ଷ ଆୟୋଜନରେ ଲାଗି ପଡିଲେ ।

ଦିନେ ଶ୍ରୀକୃଷ୍ଣ ଶୋଇଥିବା ବେଳେ ଦୁଇପକ୍ଷରୁ ଦୁର୍ଯ୍ୟୋଧନ ଓ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ନିଜ ନିଜ ପକ୍ଷ ପାଇଁ ନିମନ୍ତ୍ରଣ କରିବାକୁ ଯାଇଥା’ନ୍ତି । ନିଦରୁ ଉଠି ଶ୍ରୀକୃଷ୍ଣଙ୍କର ଆଖି ପ୍ରଥମେ ତାଙ୍କ ପାଦ ପାଖରେ ବସିଥିବା ଅର୍ଜୁନଙ୍କ ଉପରେ ଯାଇ ପଡିଲା ଓ ପରେ ଦୁର୍ଯ୍ୟୋଧନଙ୍କ ଉପରେ । ଶ୍ରୀକୃଷ୍ଣ ସେ ଦୁହିଁଙ୍କ ପାଖରେ ଏକ ସର୍ତ୍ତ ରଖିଲେ । ସେ କହିଲେ, “ମୁଁ ଯେଉଁ ପକ୍ଷରେ ରହିବି ଅସ୍ତ୍ର ଧାରଣ କରିବି ନାହିଁ, କେବଳ ରହିବି । ଅନ୍ୟ ପକ୍ଷରେ ମୋର ସମଗ୍ର ଯାଦବ ସେନା ରହି ଯୁଦ୍ଧ କରିବେ । ତମେ ଦୁହେଁ ବାଛି ନିଅ । କିନ୍ତୁ ମୁଁ ପ୍ରଥମେ ଅର୍ଜୁନଙ୍କୁ ଦେଖିଛି, ତେଣୁ ବାଛିବାର ପ୍ରଥମ ଅଧିକାର କେବଳ ତାଙ୍କର ।”

ଅର୍ଜୁନ ତତ୍କ୍ଷଣାତ୍ ଶ୍ରୀକୃଷ୍ଣଙ୍କୁ ବାଛିଲେ । ଦୁର୍ଯ୍ୟୋଧନ ମଧ୍ୟ ସାରା ଯାଦବ ସେନାଙ୍କୁ ପାଇ ବଡ ଖୁସିରେ ଫେରି ଆସିଲେ ।

ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ତରଫରୁ ଦୂତ ହୋଇ ଯୁଦ୍ଧ ବନ୍ଦ କରିବା ପ୍ରସ୍ତାବ ନେଇ ଗଲେ । ସେ କହିଲେ କି ଏ ପ୍ରଳୟଙ୍କରୀ ଯୁଦ୍ଧରେ ସମସ୍ତେ ବିନାଶ ପ୍ରାପ୍ତ ହେବେ । ତେଣୁ ସେପରି ନ କରି ଉଚିତ୍ ଭାବରେ ରାଜ୍ୟ ବାଂଟି ଦେଇ ମିଳିମିଶା କରିନିଅ । କେହି କିଛି ନ ଶୁଣିବାରୁ ଶ୍ରୀକୃଷ୍ଣ ଗମ୍ଭୀର ସ୍ୱରରେ କହିଲେ, “ଯଦି ଯୁଦ୍ଧ ଅନିବାର୍ଯ୍ୟ ତେବେ ମୁଁ ଅର୍ଜୁନଙ୍କ ରଥର ସାରଥି ହେବି । ହାତରେ ତାଙ୍କର ବିଶ୍ୱବିଖ୍ୟାତ ଗାଣ୍ଡିବ ଧନୁ । ମହାକପି ହନୁମାନ ପତାକା ଉପରେ ବିରାଜମାନ କରିବେ ଅର୍ଥାତ୍ ତାଙ୍କର ଚିତ୍ର ଅଙ୍କିତ ରହିବା ସଙ୍ଗେ ସଙ୍ଗେ ତାଙ୍କର ଶକ୍ତି ମଧ୍ୟ ରହିବ । ଆଉ ଅର୍ଜୁନ ଯେତେବେଳେ ପ୍ରତିଶୋଧ ନେବେ ସେତେବେଳେ ଯୁଦ୍ଧ କ୍ଷେତ୍ରରୁ ଆଉ ପ୍ରାଣ ନେଇ କେହିବି ଫେରି ପାରିବ ନାହିଁ । ଆଉ ସେତେବେଳେ ତୁମର ପ୍ରାର୍ଥନା ଶୁଣିବାକୁ ମଧ୍ୟ କେହି ହେଲେ ମଧ୍ୟ ନଥିବେ । ତୁମ ପକ୍ଷରେ ଦଶହଜାର କର୍ଣ୍ଣ ରହିଲେ ବି ତୁମେ କିଛି କରିପାରିବ ନାହିଁ ।”

ଶ୍ରୀକୃଷ୍ଣଙ୍କର ଏପରି କଥା ଶୁଣି ଦୁର୍ଯ୍ୟୋଧନ ଅତିଶୟ କ୍ରୋଧରେ ଲାଲ୍ ହୋଇଯାଇ କହିଲା, “ହେ କୃଷ୍ଣ, ତମେ ଦୂତର କାମ କରିବାକୁ ଆସିଛ ନା ପାଣ୍ଡବଙ୍କର ବୀରତ୍ୱ ବଖାଣି ଆମକୁ ଧମକ ଦେବାକୁ ଆସିଛ? ଏବେ ଆମ ଲୋକମାନେ ତୁମକୁ ଦଉଡିରେ ବାନ୍ଧି ପକାଇବେ ଆଉ ମୁଁ ଦେଖିବି କିଏ ଆସି ତୁମକୁ ରକ୍ଷା କରୁଛି ।” ଏକଥା କହି ସେ ଓ ଦୁଃଶାସନ ଦଉଡି ଆଣି କୃଷ୍ଣଙ୍କୁ ବାନ୍ଧି ପକାଇଲେ । ଏକଥା ଦେଖି କୃଷ୍ଣଙ୍କ ସାରଥୀ ସାତ୍ୟକୀ ତାଙ୍କର ତରବାରୀ ଧରି ଆଗେଇ ଆସିଲା ।

ଶ୍ରୀକୃଷ୍ଣ ସାତ୍ୟକୀକୁ ବନ୍ଦ କରି ଦୁର୍ଯ୍ୟୋଧନକୁ କହିଲେ, “ମୁଁ ଦୂତ ହୋଇ ଆସିଛି ବୋଲି ତ ମୋର କୌଣସି ଅସ୍ତ୍ରଶସ୍ତ୍ର ନାହିଁ । ମୋତେ କ’ଣ ବନ୍ଦୀ କରିବା ଉଚିତ୍? ତୁମର ଏଡେ ବିରାଟ ଦଳବଳ ସହିତ ମୁଁ ଏକା କ’ଣ ବା କରିପାରିବି? ମୋର ଭୁଲ୍ ହେଉଛି ଯେ ମୁଁ ଏଠାକାର ଭଲମନ୍ଦ ବିଷୟ କିଛି ବିଚାର ନ କରି ଚାଲି ଆସିଛି । ଯଦି ଏବେବି ତମେ ମୋତେ ବନ୍ଦୀ କରିବାକୁ ଚାହଁ ତ କର ।”

ତା’ପରେ ଦୁଷ୍ଟ ଚତୁଷ୍ଟୟ (କର୍ଣ୍ଣ, ଶକୁନି, ଦୁର୍ଯ୍ୟୋଧନ ଓ ଦୁଃଶାସନ) ଶ୍ରୀକୃଷ୍ଣଙ୍କୁ ଚାରିଦିଗରୁ ଆକ୍ରମଣ କରି ବନ୍ଦୀ କରିବାକୁ ଚାହିଁଲେ । ଠିକ୍ ସେତିକିବେଳେ ଶ୍ରୀକୃଷ୍ଣ ତାଙ୍କର ବିଶ୍ୱରୂପ ପ୍ରକଟ କଲେ । ସେହି ରୂପ ଦେଖି ଦୁଷ୍ଟମାନେ ଭୟରେ ବିହ୍ୱଳ ହୋଇ ସେଠାରୁ ଦୂରେଇ ଗଲେ ।

ଦୁଇପକ୍ଷ ମଧ୍ୟରେ ସନ୍ଧି ସ୍ଥାପନା କରିବାକୁ ଶ୍ରୀକୃଷ୍ଣ ନାନା ପ୍ରକାର ଉପାୟ ଓ ପ୍ରସ୍ତାବ ଦ୍ୱାରା ଚେଷ୍ଟା କଲେ । କିନ୍ତୁ କୌଣସି ପ୍ରକାରରେ ମଧ୍ୟ ସେମାନେ ସେସବୁ ଆଦୌ ଗ୍ରହଣ କଲେ ନାହିଁ । ବର୍ତ୍ତମାନ ଯୁଦ୍ଧ ଅନିବାର୍ଯ୍ୟ ।

କୁରୁକ୍ଷେତ୍ରରେ ଅନେକ ଦେଶରୁ ରାଜାମାନେ ନିଜ ନିଜ ସୈନ୍ୟମାନଙ୍କ ସହିତ ଆସି କୌରବ ବା ପାଣ୍ଡବ ପକ୍ଷରେ ଯୋଗ ଦେଲେ । ମହାଭାରତ ଯୁଦ୍ଧ ପାଇଁ ଉଦ୍ଯୋଗ କରାଗଲା । ରଥ, ହସ୍ତୀ, ଘୋଟକ ଓ ପଦାତିକମାନଙ୍କ ଦ୍ୱାରା ଚାରିଆଡ ପୁରି ଉଠିଲା । ତୁରୀ, ଭେରୀ ବାଜି ଉଠିଲା । ଦିନେ ସେଇ କୁରୁକ୍ଷେତ୍ରରେ ପରଶୁରାମ କ୍ଷତ୍ରିୟମାନଙ୍କ ରକ୍ତରେ ପାଂଚୋଟି ରକ୍ତସରୋବର ସୃଷ୍ଟି କରିଥିଲେ ସେଗୁଡିକ ଏବେ ବି ସ୍ୟମନ୍ତ ପଂଚକ ନାମରେ ବିଦିତ । ପୁଣି ସେହି ସ୍ଥାନରେ ଏହି ବିରାଟ ଯୁଦ୍ଧ ହେବାକୁ ଯାଉଛି ।

ସଞ୍ଜୟଙ୍କର ଦିବ୍ୟଦୃଷ୍ଟି ଥିଲା । ଯାହା ଯାହା କୁରୁକ୍ଷେତ୍ରରେ ଘଟୁଥିଲା ସେସବୁକୁ ସେ ଘରେ ବସି ଦେଖି ପାରୁଥିଲେ ଓ ଧୃତରାଷ୍ଟ୍ରଙ୍କୁ ବର୍ଣ୍ଣନା କରି ସେସବୁ ବୁଝାଉଥିଲେ । ଜନ୍ମାନ୍ଧ ତଥା ପୁତ୍ରପ୍ରେମରେ ବଶୀଭୂତ କୌରବ ଚକ୍ରବର୍ତ୍ତୀ ଧୃତରାଷ୍ଟ୍ର ତାଙ୍କ ପୁତ୍ରକୁ ଯୁଦ୍ଧରୁ କୌଣସି ପ୍ରକାରେ ନିବୃତ କରିପାରିଲେ ନାହିଁ । ସେ ବସି ବସି ସଞ୍ଜୟର କଥା ଶୁଣୁଥା’ନ୍ତି । ଗାନ୍ଧାରୀ ତ ନିଜ ପତିଙ୍କୁ ଅନ୍ଧ ଦେଖି ସବୁବେଳେ ନିଜ ଆଖିରେ ପଟି ବାନ୍ଧିଥା’ନ୍ତି । ସେ ଅତ୍ୟନ୍ତ ପତିବ୍ରତା ଥିଲେ । ସେ ଶତପୁତ୍ରର ଜନନୀ । ସେ ମଧ୍ୟ ନିଜ ସ୍ୱାମୀଙ୍କ ପାଖରେ ବସି ଯୁଦ୍ଧର ସାରା ବୃତାନ୍ତ ଶ୍ରବଣ କରୁଥା’ନ୍ତି ।

ଧୃତରାଷ୍ଟ୍ର ପଚାରିଲେ, “ସଞ୍ଜୟ, କୁହ ଏବେ ପାଣ୍ଡବ ଓ କୌରବଙ୍କ ମଧ୍ୟରେ କିଏ କିପରି ଅବସ୍ଥାରେ ଅଛି?”

ସଞ୍ଜୟ କହିଲେ, “ପାଣ୍ଡବ ଓ କୌରବ ଦୁଇ ପକ୍ଷ ସମାନ ଭାବରେ ଶକ୍ତିଶାଳୀ । କିନ୍ତୁ ପାଣ୍ଡବ ଦଳରେ ଶ୍ରୀକୃଷ୍ଣ ଅଛନ୍ତି ବୋଲି ସେମାନେ ଅଧିକ ଶକ୍ତିଶାଳୀ ବୋଲି ମନେ ହେଉଛନ୍ତି ।” ତା’ପରେ ସଞ୍ଜୟ କୁରୁକ୍ଷେତ୍ରର ସମାଚାର ବିସ୍ତାରପୂର୍ବକ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କୁ ଶୁଣାଇବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ