ବୀରହନୁମାନ

ଭଦ୍ର ତ ସେତେବେଳେ ବହୁତ ଚିନ୍ତିତ ଦେଖାଯାଉଥା’ନ୍ତି । ହନୁମାନ ତାଙ୍କୁ ପଚାରିଲେ, “ହଠାତ୍ କ’ଣ ହେଲା? ଅଯୋଧ୍ୟାର ଖବର କ’ଣ?”

ଭଦ୍ର ଦୀର୍ଘଶ୍ୱାସ ପକାଇ କହିଲେ, “ଅଯୋଧ୍ୟାରେ ସବୁକିଛି ନଷ୍ଟ ହୋଇ ଯାଇଛି ।”

ହନୁମାନ ଉଦ୍ଗ୍ରୀବ ହୋଇ ପଚାରିଲେ “କିନ୍ତୁ ତୁମେ କ’ଣ କହିବାକୁ ଚାହୁଁଛ ସ୍ପଷ୍ଟ କରି କୁହ?”

“ତେବେ ଶୁଣ, ତୁମକୁ ସବୁ ସଂକ୍ଷେପରେ କହୁଛି ।” ଏତିକି କହି ଭଦ୍ର କହିଲେ “ଦିନେ ଋଷିମାନଙ୍କୁ ସାଙ୍ଗରେ ଧରି ଦଳେ ବ୍ରାହ୍ମଣ ଶ୍ରୀରାମଙ୍କ ପାଖକୁ ଆସିଲେ । ସେମାନେ ଶ୍ରୀରାମଙ୍କୁ କହିଲେ, “ସମ୍ଭୁକ ନାମକ ଏକ ଶୁଦ୍ର ବେଦାଧ୍ୟୟନ କରୁଛି ଓ ସେ ଘୋର୍ ତପସ୍ୟା ମଧ୍ୟ କରୁଛି । ତେଣୁ ଧର୍ମର ଗ୍ଳାନି ଘଟିଛି । କେବଳ ସେଇଥିପାଇଁ ଗୋଟିଏ ବାଳକର ମଧ୍ୟ ଅପମୃତ୍ୟୁ ଘଟିଛି । ତେଣୁ ହେ ରାମ, ତୁମେ ଶୀଘ୍ର ଯାଇ ସେ ସମ୍ଭୁକକୁ ବଧ କର ।”

ଶ୍ରୀରାମ ତ କେବେବି କାହାକୁ ଦୁଃଖି କରନ୍ତି ନାହିଁ । ତେଣୁ ବ୍ରାହ୍ମଣଙ୍କ ଆଜ୍ଞା ଅନୁସାରେ ସେ ସମ୍ଭୁକକୁ ବଧ କଲେ । ସେତେବେଳେ ସାଧୁ ସମ୍ଭୁକର ପତ୍ନୀ କପିଳା ଅତ୍ୟନ୍ତ କ୍ରୋଧରେ ଜର୍ଜରିତ ହୋଇ କହିଲା “ରାମ, ତୁମେ ଏହି ବ୍ରାହ୍ମଣମାନଙ୍କ କଥାରେ ପଡି ଆଜି ଯେଉଁ ଦାରୁଣ ପାପ କଲ, ତାହାର ଫଳ ସ୍ୱରୂପ ତୁମ ଜୀବନରେ ଘୋର୍ ଅନର୍ଥ ଘଟିବ ।” ଏପରି କହି ସେ ମଧ୍ୟ ତା’ ପ୍ରାଣ ବିସର୍ଜନ ଦେଲା ।

ଏହି ଘଟଣାର ପ୍ରାୟ ଚଉଦ ଦିନ ପରେ ଥରେ ଶ୍ରୀରାମ ମୋ ସହିତ ଛଦ୍ମବେଶରେ ଅଯୋଧ୍ୟାରେ ବୁଲୁଥିଲେ । ବୁଲୁବୁଲୁ ଆମେ ଧୋବାସାଇରେ ଯାଇ ପହଁଚିଲୁ । ଆମେ ସେଠାରେ ଦୂରରୁ ଦେଖିଲୁ ଯେ ପତିପତ୍ନୀ ନିଜ ନିଜ ଭିତରେ ଝଗଡା କରୁଛନ୍ତି । ଧୋବାପତ୍ନୀ କିଛିଦିନ ତା’ ବାପଘରେ ରହି ଆସିବା ପରେ ପତି କ୍ରୋଧବଶତଃ ତାକୁ ଖୁବ୍ ପିଟିଛି ଓ ଘର ଭିତରକୁ ଆସିବାକୁ ତାକୁ ଦେଉ ନାହିଁ । ଧୋବଣୀ ନିଜର ରକ୍ତସିକ୍ତ ପିଠି ଦେଖାଇ ବାହୁନି ବାହୁନି କହିଲା, “ସୀତାଙ୍କୁ ତ ପୁଣି ଶ୍ରୀରାମଙ୍କ ପରି ମହାରାଜ ସ୍ୱୀକାର କଲେ, ଆଉ ତୁମେ ଏମିତି କେଉଁ ଲୋକ କି?” ମଦ୍ୟାସକ୍ତ ଧୋବା ବଡ କଠୋର ଭାବରେ କହିଲା “ରାଜା ହେବାରୁ ରାମଙ୍କର ଅହଙ୍କାର ହୋଇଛି । କେତେ ଦିନଧରି ଲଙ୍କାରେ ଜଣେ ପର ପୁରୁଷ ସହିତ ସୀତା ରହିଲେ; ରାମ ଏପରି ସ୍ତ୍ରୀକୁ ଆନନ୍ଦରେ ନିଜର କରି ରଖିଲେ । ମୁଁ ତାଙ୍କ ପରି ଏତେ ନିର୍ଲଜ ନୁହେଁ ଯେ ତୋତେ ପୁଣି ମୁଁ ମୋ ଘରେ ସ୍ଥାନ ଦେବି । ଆଜିଠାରୁ ଓ ଏବେଠାରୁ ତୋ ପାଇଁ ଏଘରର ଦ୍ୱାର ଚିର ଦିନ ପାଇଁ ବନ୍ଦ ।”

ସମସ୍ତେ ଏହା ଭଲଭାବେ ଜାଣିଛନ୍ତି ଯେ ଶ୍ରୀରାମ ଧର୍ମ ପରାୟଣ । ଆଦର୍ଶ ରାଜା । ସେ ଏପରି କିଛି କାର୍ଯ୍ୟ କରିବେ ନାହିଁ, ଯାହାକି ପ୍ରଜାଙ୍କର ବିରୁଦ୍ଧରେ ଯିବ । ତାଙ୍କ ପ୍ରଜାମାନେ ଯେପରି ସଦା ସର୍ବଦା ଆନନ୍ଦରେ ରହିବେ ସେ ତ ତାହାହିଁ ଚାହାଁନ୍ତି । ତେଣୁ ତାଙ୍କ ମଧ୍ୟରେ ଯେପରି କିଛି ତୃଟି ନ ରହେ ସେଥିପ୍ରତି ସେ ସବୁବେଳେ ଜାଗ୍ରତ ଥିଲେ । କିନ୍ତୁ ଧୋବାର ବଚନରେ ସେ ବଡ ବିଚଳିତ ହୋଇଗଲେ । ଏତିକି ଭାବିଲେ ନାହିଁ ଯେ ମଦ୍ୟପ ଧୋବା ମଦ ଜୋର୍ରେ ଯାହାତାହା ବକୁଛି । ତାଙ୍କର ମନେ ହେଲା ଜଣେ ନାଗରିକ ତାଙ୍କ ଦୁର୍ବଳତାକୁ ଦେଖାଇ ଦେଇଛି । ଧୋବା କଥା ସ୍ୱାଭାବିକ, କିନ୍ତୁ ସେଥିରେ କୌଣସି ସତ୍ୟତା ନାହିଁ । କାରଣ ରାବଣ ବଧ ପରେ ପ୍ରଜାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୀତାଙ୍କୁ ଅଗ୍ନିପରୀକ୍ଷା ଦେବାକୁ ହୋଇଛି । ଶ୍ରୀରାମ ସୀତାଙ୍କ ସତୀତ୍ତ୍ୱ ବିଷୟରେ ନିଶ୍ଚିତ ଥିଲେ ମଧ୍ୟ ସେ ଏପରି କରିଥିଲେ । ଦଶରଥ ମଧ୍ୟ ସ୍ୱର୍ଗରୁ ଆସି ସୀତା ନିଷ୍କଳଙ୍କ ବୋଲି ତାଙ୍କୁ କହିଥିଲେ ।

ଧୋବା କଥାରେ ସେ ତାଙ୍କ ମନରେ ବଡ ଆଘାତ ପାଇଲେ; ବହୁସମୟ ଚିନ୍ତା କରି ସେ ମନେମନେ କିଛି ଗୋଟେ ସ୍ଥିର କଲେ । ସେ ଲକ୍ଷ୍ମଣଙ୍କୁ କହିଲେ ଯେ ସୀତାଙ୍କୁ ବଣରେ ଛାଡି ଆସିବାକୁ ହେବ । ପୂର୍ବଦିନହିଁ ସୀତା ରାମଙ୍କୁ କହିଥିଲେ ତାଙ୍କର ବଣକୁ ଯାଇ ମୁନିଋଷିଙ୍କ ଆଶ୍ରମରେ କିଛିଦିନ ବିତାଇ ଆସିବାକୁ ଭାରି ଇଚ୍ଛା ହେଉଛି । ଏହି କଥାକୁ ଭିତି କରି ଲକ୍ଷ୍ମଣ ତାଙ୍କ ଅଗ୍ରଜଙ୍କ ଆଜ୍ଞାରେ ସୀତାଙ୍କୁ ବଣରେ ନେଇ ଛାଡି ଆସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ