ବୀରହନୁମାନ

ତା’ପରେ ସୀତାଙ୍କୁ ତ୍ୟାଗ କରି ଶ୍ରୀରାମଙ୍କର ଆହାର ଓ ନିଦ୍ରାରେ କିଛିବି ଠିକ୍ ଠିକଣା ରହିଲା ନାହିଁ । ସେହି ସମୟରେ ଶ୍ରୀରାମଙ୍କ ଅବସ୍ଥା ବଡ ଉଦବେଗ୍ ଜନକ ହୋଇ ପଡିଲା । ମୁଁ ତାଙ୍କୁ ପିଲାବେଳେ କେତେ କାଖେଇ ବୁଲାଉ ଥିଲି । ଏବେ ତାଙ୍କର ଅବସ୍ଥା ଦେଖି ମୋ ଜୀବନ ମଧ୍ୟ ଖୁବ୍ ବ୍ୟାକୁଳ ହୋଇ ଉଠିଲା । ପିଲାବେଳେ ରାମ ଚନ୍ଦ୍ର ପାଇବାକୁ ଯେତେବେଳେ ଯିଦି କରୁଥିଲେ, ମୁଁ ସେତେବେଳେ ତାଙ୍କୁ ଦର୍ପଣଟିଏ ଆଣି ଦେଖାଉଥିଲି । ରାମ ଖନେଇ ଖନେଇ କହୁଥିଲେ ରାମଚନ୍ଦ୍ର । ମୁଁ ପୁଣି ରାମଙ୍କ ମୁହଁ ପାଖରେ ମୁହଁ ରଖି ଦର୍ପଣକୁ ଚାହିଁଲେ ସେ କହୁଥିଲେ ରାମଭଦ୍ର । ସେହିଦିନଠାରୁ ତାଙ୍କ ନାମ ରାମଚନ୍ଦ୍ର ଓ ରାମଭଦ୍ର ହେଲା । ତାଙ୍କ ପ୍ରତି ମୋର ବାତ୍ସଲ୍ୟ ମୁଁ ଆଉ କେତେ ବର୍ଣ୍ଣନା କରିବି? ଭାବି ଦେଖ ମୋ ଅବସ୍ଥା ସେତେବେଳେ କ’ଣ ହୋଇଥିବ । ମୁଁ ସେହି ଧୋବାକୁ ମାରିଦେବାକୁ ଚାହିଁଲି । ପରେ ଖୋଜିଲି, କିନ୍ତୁ ତା’ ପତା ପାଇଲି ନାହିଁ ।

ଲକ୍ଷ୍ମଣ ତ ସୀତାଙ୍କୁ ବଣରେ ଛାଡି ଦେଲେ । ସେ ଗଙ୍ଗାଧାର ଭିତରକୁ କୁଦିପଡି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ବାଲ୍ମୀକି ଆସି ତାଙ୍କୁ ରକ୍ଷା କଲେ । ସେଇଠୁ ସେ ତାଙ୍କୁ ତାଙ୍କ ଆଶ୍ରମକୁ ନେଇଗଲେ । ସୀତା ଯାଆଁଳା ପୁଅ ଦୁଇଟିଙ୍କୁ ଜନ୍ମଦେଲେ । ବାଲ୍ମୀକି ତାଙ୍କ ନାମ ଲବ ଓ କୁଶ ଦେଲେ । ବାଲ୍ମୀକି ସେମାନଙ୍କୁ ନାନା ପ୍ରକାର ବିଦ୍ୟା ଶିଖାଇଲେ । କ୍ରମେ ସେମାନେ ଅସ୍ତ୍ର ବିଦ୍ୟାରେ ମଧ୍ୟ ଧୁରନ୍ଧର ହେଲେ ।

ଦିନେ ଲବକୁଶ ରାମାୟଣ କଥା ଗାୟନ କରି କରି ଅଯୋଧ୍ୟାକୁ ଆସିଲେ । ସେମାନେ ନିଜର ମା’ବାପାଙ୍କ କଥା ଜାଣି ନଥା’ନ୍ତି । ବଶିଷ୍ଠ ଚାହୁଁଥିଲେ ରାମ ଯେପରି ରାଜ କାର୍ଯ୍ୟରେ ମଗ୍ନ ରହି ସୀତାଙ୍କୁ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଆନ୍ତୁ । ତେଣୁ ସେ ଦିନେ ଶ୍ରୀରାମଙ୍କୁ ଅଶ୍ୱମେଧ ଯଜ୍ଞ କରିବାକୁ ପ୍ରସ୍ତାବ ଦେଲେ । ସୀତାଙ୍କର ସ୍ୱର୍ଣ୍ଣ ମୂର୍ତ୍ତି ପାଖରେ ରଖି ସେ ଯଜ୍ଞ କାର୍ଯ୍ୟ ଆରମ୍ଭ କଲେ । ଲକ୍ଷ୍ମଣ ଲବକୁଶଙ୍କ ଗୀତ ଶୁଣି ଭାରି ଖୁସି ହୋଇ ସେମାନଙ୍କୁ ରାଜଭବନକୁ ନେଇ ଆସିଲେ ।

ଲବକୁଶ ରାଜଭବନରେ ସୀତାଙ୍କ ଅଗ୍ନି ପ୍ରବେଶ ଘଟଣା ରାମାୟଣରୁ ଗାଇ ଶୁଣାଇଲେ । ତାହା ଅତି କରୁଣ ଥିଲା । ସେଠାରେ ଉପସ୍ଥିତ ଲୋକମାନଙ୍କ ଆଖିରୁ ଅଶ୍ରୁ ବହିବାକୁ ଲାଗିଲା । ସେମାନେ ଦୁହେଁ ସୀତାଙ୍କ ମୂର୍ତ୍ତିକୁ ପ୍ରଣାମ କଲେ । ସେମାନଙ୍କୁ ମୁନିକୁମାର ଭାବି ଶ୍ରୀରାମ ଅତି ସ୍ନେହ କଲେ ଓ ଅନେକ ପୁରସ୍କାର ବି ଦେଲେ ।

ଯଜ୍ଞର ଆରମ୍ଭରେ ହେଉଥିବା କ୍ରିୟାସବୁ ଶେଷ ହେବା ପରେ ସୂର୍ଯ୍ୟଲାଂଚିତ ରଘୁ ବଂଶର ପତାକା ଧରି ଯଜ୍ଞ ଅଶ୍ୱ ଭ୍ରମଣରେ ଚାଲିଲା । ସେ ଚାରିଆଡେ ସ୍ୱଚ୍ଛନ୍ଦରେ ଭ୍ରମଣ କରି ଆସିବା ପରେ ବାଲ୍ମୀକିଙ୍କ ଆଶ୍ରମ ପାଖକୁ ଗଲା । ଘୋଡାଟି ରାମଙ୍କର ଜାଣି ଦୁଇ ଭାଇ ତାକୁ ବାନ୍ଧି ରଖିଲେ ।

ଶତ୍ରୁଘ୍ନ, ଭରତ, ଲକ୍ଷ୍ମଣ ଆଦି ସେ ଘୋଡାକୁ ଛଡେଇ ଆଣିବାକୁ ଗଲେ । ଲବକୁଶ ସେମାନଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ମୁର୍ଚ୍ଛା କରିଦେଲେ । ଶ୍ରୀରାମ ଶେଷକୁ ଯୁଦ୍ଧ କରିବାକୁ ଗଲେ । ସେ ମଧ୍ୟ ସେମାନଙ୍କ ବାଣରେ ବେହୋଶ ହୋଇଗଲେ । ଏସବୁ ଖବର ସୀତାଙ୍କ ପାଖରେ ପହଁଚିଲା; ସୀତା ଦୌଡି ଦୌଡି ଆସି ରାମଙ୍କୁ ପ୍ରଣାମ କରିବା ମାତ୍ରେ ଶ୍ରୀରାମ ହଠାତ୍ ସଚେତନ ହେଲେ । ବାଲ୍ମୀକି ଆସି ଶ୍ରୀରାମଙ୍କୁ କହିଲେ ଯେ ସୀତା ପବିତ୍ର; ତେଣୁ ସେ ତାଙ୍କୁ ଅଯୋଧ୍ୟା ଫେରାଇ ନେବା ଉଚିତ୍ ।

ଶ୍ରୀରାମ କହିଲେ, “ପୁରଜନକଙ୍କ ସମ୍ମୁଖରେ ସୀତା ଯଦି ନିଜର ପବିତ୍ରତା ପାଇଁ ଶପଥ କରିବେ ତେବେ ବରଂ ବହୁତ ଭଲ ହେବ ।”

ସୀତା ଅଯୋଧ୍ୟା ଆସି ନିଜ ଦୁଇ ପୁତ୍ରଙ୍କୁ ଶ୍ରୀରାମଙ୍କୁ ସମର୍ପଣ କଲେ । ତା’ପରେ ତାଙ୍କର ମାତା ଭୂଦେବୀଙ୍କୁ ସେ କହିଲେ, “ହେ ମାତା, ମୋର ପବିତ୍ରତା ପ୍ରମାଣ କରିବା ପାଇଁ ତମେ ମୋତେ ନିଜ କୋଳକୁ ନିଅ ।”

ସେ ଏତିକି କହିବା ପରେ ଚାରିଆଡେ ନାନା ଶବ୍ଦ ଓ ଭୂମିକମ୍ପ ପରି ହେଲା । ମେଘମାନେ ଗର୍ଜନ କଲେ । ବିଜୁଳି ଚମକିଲା ତା’ପରେ ଅଯୋଧ୍ୟାବାସୀମାନେ ନିଜ ନିଜ ଘରୁ ବାହାରି ସେଠାକୁ ଆସିଲେ ସୀତା ଯେଉଁଠି ଠିଆ ହୋଇଥିଲେ ସେହିଠାରେହିଁ ଭୂମି ଦୁଇଭାଗ ହୋଇଗଲା । ତା’ ଭିତରୁ ଏକ ସିଂହାସନ ଉପରକୁ ଉଠିଲା । ସେଥିରେ ପୃଥିବୀମାତା ନିଜେ ବସିଥିଲେ । ସେ ସୀତାଙ୍କୁ ଦୁଇ ହାତ ବଢାଇ ଆଲିଙ୍ଗନ କରି ନିଜ କୋଳରେ ନେଇ ବସାଇଲେ । ତା’ପରେ ଭୟଙ୍କର ଭୂମିକମ୍ପ ଶବ୍ଦ ସହିତ ଦେବୀ ସୀତାଙ୍କୁ ନେଇ ପୃଥିବୀମାତା ଭୂମି ଭିତରକୁ ଚାଲିଗଲେ । ଚାହୁଁ ଚାହୁଁ ଫଟା ଭୂଇଁ ସବୁ ଯୋଡି ହୋଇଗଲା । ଏସବୁ ଘଟଣା ଏତେ ଶୀଘ୍ର ହେଲା ଯେ ସମସ୍ତେ ପଥର ମୂର୍ତ୍ତି ପରି ଠିଆ ହୋଇ ଦେଖୁଥା’ନ୍ତି । ସବୁ ଶେଷ । ଶ୍ରୀରାମ ରାଗିଯାଇ ଭୂମିକୁ ଛାରଖାର କରିବାକୁ ଧନୁରେ ଗୁଣ ଚଢାଇବାକୁ ଗଲେ । ସେତେବେଳେ ଆକାଶବାଣୀ ଶୁଣାଗଲା, “ହେ ରାମ, ରଘୁ ବଂଶର ସମସ୍ତ ରାଜା ଭୂମି ଉପରେ ସୁଶାସନ ଚଳାଇଛନ୍ତି । ତୁମେହିଁ ସୀତାଙ୍କୁ ଶପଥ କରିବାକୁ କହିବାରୁ ସେ ତାଙ୍କ ମା’ କୋଳକୁ ଚାଲିଗଲେ । ଆଉ ଏବେ ପୁଣି ଏତେ କ୍ରୋଧ କାହିଁକି?” ରାମ ଏଥର ନିଜ ଧନୁ ତଳକୁ କଲେ ଓ ମଥା ପୋତି ଠିଆ ହେଲେ ।

ଶ୍ରୀରାମ ଲବକୁଶଙ୍କୁ ଯୁବରାଜ ପଦରେ ଅଭିସିକ୍ତ କଲେ । ଏବେ ତାଙ୍କୁ ଦେଖିଲେ ମନେହୁଏ ସତେ ଯେପରି ସେ ବିଷାଦର ଏକ ସଜୀବ ମୂର୍ତ୍ତି । ଅଶ୍ୱମେଧ ଯଜ୍ଞ ପାଇଁ ଘୋଡା ପୁଣି ବୁଲୁଛି । ତାଙ୍କୁ ରକ୍ଷା କରିବା ପାଇଁ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ସଙ୍ଗେସଙ୍ଗେ ଅଛନ୍ତି । ଭଦ୍ର ତାଙ୍କର କଥା ଏତିକିରେ ଶେଷ କଲେ ।

ହନୁମାନ ପ୍ରତିମା ପରି ବସିଥା’ନ୍ତି । ଚକ୍ଷୁରୁ ତାଙ୍କର ଅନର୍ଗଳ ଅଶ୍ରୁ ବହି ଯାଉଥାଏ । ଆଖି ପୋଛି ସେ ଭଦ୍ରଙ୍କୁ କହିଲେ, “ଏବେ, ଏହିକ୍ଷଣି ମୁଁ ଶ୍ରୀରାମଙ୍କ ପାଖକୁ ଯାଉଛି । ତମେ ମଧ୍ୟ ମୋ ସହିତ ଆସ ।” ଅଳ୍ପ ସମୟ ମଧ୍ୟରେ ସେ ଅଯୋଧ୍ୟାରେ ଆସି ପହଁଚିଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ