ବୀର ହନୁମାନ

ହନୁମାନ ପଚାରିଲେ “ମୋ ସମ୍ମୁଖରୁ ହଟିଯା ତୁ କିଏ?” ବିକଟ ଆକୃତି ରାକ୍ଷସ ହସିହସି କହିଲା, “ମୁଁ ବେତାଳ, ସମଗ୍ରଭୂତ, ପ୍ରେତ ଓ ପିଶାଚଙ୍କର ରକ୍ଷାକାରୀ ଶକ୍ତି । ଏଠାକୁ କେବଳ ଦୁଇଜଣ ଆସନ୍ତି, ମହୀରାବଣ ଓ ମହାଶକ୍ତିମାନ । କିନ୍ତୁ ତୁ ତ ଆଉ ମହୀରାବଣ ନୋହୁଁ, ତେବେ ହୁଏତ ସେହି ମହାଶକ୍ତିମାନ ହୋଇଥିବ ।”

ଏକଥା ଶୁଣି ହନୁମାନ ଜୋର୍ରେ ଗର୍ଜ୍ଜନ କରି ହସି ହସି କହିଲେ, “ବାଃ, ଶ୍ମଶାନରେ ରହି ରହି ତୁ କ’ଣ ମୋତେ ଚିହ୍ନିପାରିବୁ? ମୋର ରାସ୍ତାରୁ ହଟିଯା, ନହେଲେ ତତେ ମୃତ୍ୟୁର ସ୍ୱାଦ ଚଖାଉଛି ।”

ତାଙ୍କ କଥାରେ ବେତାଳ ଅଟ୍ଟହାସ କଲା “ଆଚ୍ଛା ସ୍ୱାଦ ଚଖା ନା? ମୁଁ ମଧ୍ୟ ଦେଖେ ତୁ କେତେ ଶକ୍ତିମାନ୍ ।” ତା’ପରେ ହନୁମାନ ଏକ ଭୟଙ୍କର ବିଧା ପ୍ରହାର କଲେ । ସେ ଏକବାରେ ଭୂମିରେ ଲୋଟି ପଡିଲା ଓ ପୁଣି ଉଠି ହନୁମାନଙ୍କୁ ପ୍ରଣାମ କରି କହିଲା, “ମହାଶୟ, ମୁଁ ଧନ୍ୟ ହୋଇଗଲି । ଶିବଙ୍କ କହିବା ଅନୁସାରେ ତୁମ ସ୍ପର୍ଶରେହିଁ ମୁଁ ଶାପ ମୁକ୍ତ ହେବି । ମୁଁ ଶାପଗ୍ରସ୍ଥ ଥାଇ ଏହି ଗୁମ୍ଫାରେ ବନ୍ଦୀ ଥିଲି । ତୁମର ଜୟ ହେଉ ।” ଏତିକି କହି ସେ ଅଦୃଶ୍ୟ ହୋଇଗଲା ।

                ଏଥର ହନୁମାନ ସେ ଗୁମ୍ଫା ଭିତରକୁ ଗଲେ । ସେଠାରେ ଏକ ଉଚ୍ଚ ଶିଳାବେଦୀ ଉପରେ ଏକ ରତ୍ନପେଟିକା ରଖା ହୋଇଥିଲା ତା’ଉପରେ ଅଗ୍ନି ଜଳୁଥିଲା । ହନୁମାନ ଭିତରକୁ ଯିବାମାତ୍ରେ ଅନେକ ଅଗ୍ନିଶିଖା ଉପରକୁ ଉଠି ହନୁମାନଙ୍କୁ ଘେରି ଗଲେ । ହନୁମାନ ଖୁବ୍ ଜୋର୍ରେ ଫୁଙ୍କିଲେ । କିନ୍ତୁ ଅଗ୍ନି ନିର୍ବାପିତ ନହୋଇ ତାଙ୍କ ଚାରିପାଖରେ ଜଳିଲା ଏବେ ହନୁମାନ ତାଙ୍କ ଦୁଇ ହାତ ଉପରକୁ ଉଠାଇ ଅଗ୍ନିଦେବଙ୍କୁ ଧ୍ୟାନ କରି କହିଲେ, “ହେ ଅଗ୍ନିଦେବ, ମୁଁ ତୁମର ମିତ୍ର ପବନଦେବଙ୍କ ପୁତ୍ର । ମୋ ଉପରେ କୃପାକର ।”

                ହନୁମାନ ସେପରି କହିବା ମାତ୍ରେ ଅଗ୍ନି ନିର୍ବାପିତ ହେଲା । ତା’ପରେ ପେଟିକା ଭିତରୁ କେହି କହିବାର ଶୁଣାଗଲା, “ହେ ମାରୁତି, ତୁମକୁ କିଛି କହିବା ପାଇଁ ମୁଁ ଏପରି ଉଗ୍ରମୂର୍ତ୍ତି ଧାରଣ କରିଥିଲି । ଏବେ ତୁମେ ପଂଚମୁଖ ପ୍ରକଟ କର । ଏହି ପେଟିକା ମଧ୍ୟରେ ପାଂଚମୁହଁରେ ପାଂଚଟି ଭ୍ରମରଙ୍କୁ ଭିତରୁ ନେଇ ମାରିଦିଅ ।”

                ହନୁମାନ ଅଗ୍ନିଦେବଙ୍କୁ ପୁଣି ପ୍ରଣାମ କଲେ ଓ ରତ୍ନପେଟିକାଟି ଉଠାଇ ତୁରନ୍ତ ଶ୍ରୀରାମଲକ୍ଷ୍ମଣଙ୍କ ପାଖରେ ପହଁଚିଲେ । ସେତେବେଳକୁ ଅସଂଖ୍ୟ ମହୀରାବଣଙ୍କ ସହିତ ଶ୍ରୀରାମ ଲକ୍ଷ୍ମଣ ଯୁଦ୍ଧ କରୁଥାନ୍ତି ହନୁମାନ ସେଠାରେ ପହଁଚି ସିଂହନାଦ କଲେ ମୂଳମହୀରାବଣର ସମ୍ମୁଖରେ ଯାଇ ଠିଆ ହେଲେ । ତା’ପରେ ସେ ରତ୍ନ ପେଟିକୁ ଦେଖାଇ କହିଲେ, “ଆରେ ପାତାଳ ଲଙ୍କେଶ୍ୱର । ତୋର ପ୍ରାଣ ଥିବା ପେଟିକା ମୁଁ ନେଇ ଆସିଛି ଏବେ ମଧ୍ୟ ତୋତେ ଅବସର ଦେଉଛି । ଶ୍ରୀରାମ ଓ ଲକ୍ଷ୍ମଣଙ୍କ ନିକଟରେ ଶରଣ ଭିକ୍ଷା କର, କ୍ଷମାମାଗି ନେ ଓ ନିଜର ଜୀବନ ବଂଚାଇ ରଖ ।”

                ନିଜର ପ୍ରାଣ ରହିଥିବା ପେଟିକାକୁ ଦେଖି ତା’ର ମୁହଁ ହଠାତ୍ ଫିକା ପଡିଗଲା । ସେତେବେଳେ ସେ ଖୁବ୍ ଭୟଭୀତ ଜଣା ପଡୁଥିଲା । ସେ କହିଲା, “ହେ ବାନର, ତୁ ଏ କ’ଣ କଲୁ । ମୁଁ ମାନୁଛି ଯେ ଏହି ପେଟିକାରେ ମୋର ପ୍ରାଣ ନିହିତ ଅଛି । କିନ୍ତୁ ତାହା ତୋର ଓ ରାମଲକ୍ଷ୍ମଣଙ୍କ ମୃତ୍ୟୁ ଦ୍ୱାର । ତୁ ରତ୍ନ ପେଟିକାକୁ ଖୋଲିବା ମାତ୍ରେ ସେଥିରୁ ଯେଉଁ ଭ୍ରମର ମାନେ ବାହାରିବେ, ସେମାନେ ତୁମ ତିନିଜଣଙ୍କୁ ଦଂଶନ କରି ମାରି ପକାଇବେ । ତୁ ନିଜର ଓ ରାମଲକ୍ଷ୍ମଣଙ୍କର ମୃତ୍ୟୁକୁ ନିଜେ ବହନ କରି ଆଣିଛୁ । ତେଣୁ ତୁମମାନଙ୍କ ଜୀବନ ପ୍ରତି ଆଶା ଥିଲେ ଶୀଘ୍ର ସେହି ରତ୍ନ ପେଟିକାକୁ ତଳେ ରଖି ଦେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ