ବୀର ହନୁମାନ

ଏକଥା ଶୁଣି ସୀତା ଅତି ଆନନ୍ଦିତା ହୋଇ କିଛି କହିବାକୁ ଯାଉଥିଲେ, ପୁଣି ସେ ନିଜକୁ ସମ୍ବରଣ କଲେ । ହନୁମାନ ଏକଥା ଲକ୍ଷ୍ୟ କରି କହିଲେ, “ମା ଆପଣ କ’ଣ କହିବାକୁ ଯାଇ ହଠାତ୍ କାହିଁକି ଚୁପ୍ ହୋଇଗଲେ? ଆପଣ ମୋ କଥା ଶୁଣି କିଛି କହନ୍ତୁ, ତେବେ ସିନା ମୁଁ ଯାଇ ଶ୍ରୀରାମଙ୍କୁ ସେସବୁ କଥା କହିବି ।”

ଥରଥର ସ୍ୱରରେ ସୀତା କହିଲେ, “ଆଜି ମୋର ଆନନ୍ଦର କୌଣସି ସୀମା ନାହିଁ । ଯାହାଙ୍କର ଦର୍ଶନ ପାଇଁ ମୁଁ ମୋ ଜୀବନଟି କୌଣସିମତେ ଆଜି ପର୍ଯ୍ୟନ୍ତ ବଂଚାଇ ରଖିଛି ତାଙ୍କୁ ମୁଁ କିପରି ଶୀଘ୍ର ଦର୍ଶନ କରିବି, ତାହାର ତୁରନ୍ତ ବ୍ୟବସ୍ଥା କର । ଅବଶ୍ୟ ମୂଳରୁ ମୋର ଏହି ବିଶ୍ୱାସ ଥିଲା ଯେ ତ୍ରିପୁର ବିଜୟୀ ରାମ ନିଶ୍ଚୟ ଶତ୍ରୁକୁ ବଧ କରି ମୋତେ ଏଠାରୁ ଉଦ୍ଧାର କରିବେ । ରାବଣର ମୃତ୍ୟୁ ଓ ବିଜୟର ଏହି ସମ୍ବାଦ ପାଇ ମୁଁ ଖୁବ୍ ଆନନ୍ଦିତ । ତୁମ ମୁହଁରୁ ଅନେକ ଦିନର ଇପ୍ସିତ ବିଜୟ ବାର୍ତ୍ତା ପାଇ ଆନନ୍ଦରେ ମୋର ମୁହଁ ବନ୍ଦ ହୋଇଗଲା, କୌଣସି ଶବ୍ଦ ସ୍ଫୁରିଲା ନାହିଁ । କି ଶବ୍ଦରେ ତୁମର ପ୍ରଶଂସା ମୁଁ କରିବି? ମୁଁ ତୁମକୁ ପୁରସ୍କାର ଦେବାକୁ ମଧ୍ୟ ଚାହୁଁଛି । କିନ୍ତୁ ଏ ତିନିଲୋକରେ ଏଭଳି କୌଣସି ପୁରସ୍କାର ନାହିଁ ଯାହା କି ତୁମର ଯୋଗ୍ୟ ।”

ହନୁମାନ ନମସ୍କାର କରି କହିଲେ, “ଏପରି କଥା ଆଉ ତ କେହି କହିପାରିବ ନାହିଁ । ମୋତେ ଆପଣ ଯେତେ ଯେତେ କଥା କହି ପ୍ରଶଂସା କଲେ, ସେସବୁ ମୋ ପାଇଁ ଉତ୍ତମ ପୁରସ୍କାର । ରାବଣକୁ ବଧ କରିବା ପରେ ଶ୍ରୀରାମଙ୍କୁ ଦେଖି ମୋର ଏତେ ଆନନ୍ଦ ହେଲା ଯେ ମୁଁ ସେକଥା ବର୍ଣ୍ଣନା ସୁଧା କରିପାରିବି ନାହିଁ । ଆପଣ ଯଦି ମୋତେ ଅନୁମତି ଦିଅନ୍ତେ, ତେବେ ଏହି ରାକ୍ଷସୀ ଗୁଡାକ, ଯେପରି ଆପଣଙ୍କ ସହିତ ନିର୍ଦ୍ଦୟ ବ୍ୟବହାର କରୁଥିଲେ, ଏବେ ଏହିକ୍ଷଣି ମୁଁ ସେମାନଙ୍କୁ ମାରି ପକାନ୍ତି ।” ସେସବୁ କଥା ଯେତେ ବେଶି ମନେ ପଡୁଥାଏ, ତାଙ୍କ ମନରେ କ୍ରୋଧ ସେତେ ଆସୁଥାଏ ।

ସୀତା ତାଙ୍କର ମନୋଭାବ ଜାଣିପାରି କହିଲେ, “ଏହି ରାକ୍ଷସ ସ୍ତ୍ରୀମାନେ ତ ରାବଣର ଦାସୀ । ରାବଣର ସେବାକରି ସେମାନେ ନିଜର ଜୀବିକାର୍ଜନ କରନ୍ତି । ସେମାନଙ୍କୁ ପ୍ରତି ମୁହୂର୍ତ୍ତରେ ରାଜାଙ୍କ ଆଜ୍ଞା ପାଳନ କରିବାକୁ ପଡେ । ସେପରି ନକଲେ ସେମାନେ କଠୋର ଦଣ୍ଡ ପାଇବେ । ତେଣୁ ସେମାନଙ୍କୁ ଦଣ୍ଡ ଦେବା ମୁଁ ମୋଟେ ପସନ୍ଦ କରୁନାହିଁ । ନିଜ ଦୁର୍ଭାଗ୍ୟକୁ ବା ଗତଜନ୍ମର ପାପ ଯୋଗୁଁ ମୁଁ ଆଜି ଏପରି ଭୋଗୁଛି । ଏମାନଙ୍କ ବିରୁଦ୍ଧରେ ମୋର କିଛି ବି ହେଲେ ଅଭିଯୋଗ ନାହିଁ । କେବଳ ସେ ରାବଣ ବିରୁଦ୍ଧରେ ମୋର ସବୁ ଅଭିଯୋଗ । ତା’ର ତ ଏବେ ମୃତ୍ୟୁ ହୋଇ ସାରିଲାଣି । ତାଛଡା ଏମାନେ ବା କ’ଣ କରି ପାରିବେ । କିନ୍ତୁ ବେଳେବେଳେ ଏମାନଙ୍କ କୁଟୀଳ ବୁଦ୍ଧିରୁ ଆମକୁ ଅନେକ ଭୋଗିବାକୁ ହୁଏ । ଯାହାହେଲେ ମଧ୍ୟ ଏମାନଙ୍କୁ ଦଣ୍ଡ ଦେବା ତ ଅନୁଚିତ୍ ।

ଏସବୁ କଥା ଶୁଣି ସେ ହନୁମାନ ସୀତାଙ୍କୁ ଅନେକ ପ୍ରଶଂସା କରି କହିଲେ, “ଆପଣ ପ୍ରକୃତରେ ଶ୍ରୀରାମଙ୍କର ଯୋଗ୍ୟ ପତ୍ନୀ । ଆପଣଙ୍କ ହୃଦୟ ପ୍ରେମ, ମମତା, ଦୟା ଆଦି ସଦ୍ଗୁଣରେ ପରିପୂର୍ଣ୍ଣ । କେବଳ ସେଇଥିପାଇଁ ଆପଣଙ୍କ ମଧ୍ୟରେ ସମସ୍ତିଙ୍କୁ କ୍ଷମା କରିବାର ଯଥେଷ୍ଟ ଶକ୍ତି ରହିଛି । ଆପଣ ଏ ସାରା ସ୍ତ୍ରୀଜାତିଙ୍କ ପାଇଁ ଏକ ଆଦର୍ଶ । ଭୂତ, ବର୍ତ୍ତମାନ, ଭବିଷ୍ୟତରେ ଆପଣଙ୍କ ପରି କେହି ବି ସ୍ତ୍ରୀ ନଥିଲେ ଓ କେବେ ମଧ୍ୟ ରହିବେ ନାହିଁ । କୁହନ୍ତୁ ସେମାନଙ୍କୁ ମୁଁ ଏବେ କ’ଣ କହିବି । ଏବେ ମୋତେ ବିଦାୟ ଦିଅନ୍ତୁ ।”

ସୀତା କହିଲେ “ମୁଁ ଶ୍ରୀରାମଙ୍କୁ ଦର୍ଶନ କରିବାକୁ ଚାହେଁ ।” ହନୁମାନ ସୀତାଙ୍କଠାରୁ ସବୁ ଶୁଣି ଶୀଘ୍ର ଯାଇ ଶ୍ରୀରାମଙ୍କ ପାଖରେ ପହଁଚି ତାଙ୍କୁ ସେ କହିଲେ, “ପ୍ରଭୂ, ଯାହାଙ୍କ ପାଇଁ ସେତୁ ବନ୍ଧ ହେଲା ଓ ଏଡେ ବଡ ଯୁଦ୍ଧ ହେଲା, ସେହି ମାତା ସୀତାଙ୍କୁ ମୁଁ ଦର୍ଶନ କରି ଆସିଲି । ରାବଣର ବଧ ଯୋଗୁଁ ସେ ଅତ୍ୟନ୍ତ ଆନନ୍ଦିତା । ଏବେ ପ୍ରଭୂଙ୍କ ଦର୍ଶନାଭିଳାଷୀ ହୋଇ ସେ ଅବସ୍ଥାନ କରୁଛନ୍ତି ।”

ଏକଥା ଶୁଣି ଶ୍ରୀରାମଙ୍କ ଆଖି ଅଶ୍ରୁପୂର୍ଣ୍ଣ ହେଲା । ସେ କିଛି ସମୟ ମୌନ ରହିବା ପରେ କହିଲେ, “ଦୀର୍ଘସମୟ ଧରି ରାବଣର ଘରେ ରହିଥିବା ସୀତାଙ୍କୁ ମୁଁ କେବେବି ଏତେ ସହଜରେ ସ୍ୱୀକାର କରିନେବାଟା ସମାଜ ପସନ୍ଦ କରିବ ନାହିଁ । ନିର୍ଦୋଷ ସୀତାଙ୍କୁ ତ୍ୟାଗ କରିବାକୁ ପ୍ରଜାମାନେ ମୋତେ ବାଧ୍ୟ କରିବେ । ମୁଁ ଏବେ କ’ଣ କରିବି?”

ଶ୍ରୀରାମ ବିଭୀଷଣଙ୍କୁ କହିଲେ “ଆପଣ ଯାଇ ସୀତାଙ୍କୁ କୁହନ୍ତୁ ଯେ ସେ ସୁଗନ୍ଧି ଜଳରେ ସ୍ନାନ କରି ପବିତ୍ର ହୋଇ ସୁନ୍ଦର ବସ୍ତ୍ର ଓ ଅଳଙ୍କାର ପିନ୍ଧି ଏଠାକୁ ଆସନ୍ତୁ ।” ବିଭୀଷଣ ଶୀଘ୍ର ନଅରକୁ ଫେରିଯାଇ ସୀତାଙ୍କ ନିକଟକୁ ଅନ୍ତଃପୁର ସ୍ତ୍ରୀମାନଙ୍କ ହାତରେ ସେପରି ଖବର ପଠାଇଲେ ସେ ପରିଚାରିକାମାନଙ୍କୁ କହିଲେ, “ସୀତାଙ୍କୁ ଯେପରି ଭଲ ଭାବରେ ସ୍ନାନ କରାଇ ସୁନ୍ଦର ବସ୍ତ୍ର ଅଳଙ୍କାର ପିନ୍ଧାଇ ଶ୍ରୀରାମଙ୍କ ନିକଟକୁ ତାଙ୍କୁ ପଠାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ