ବୀର ହନୁମାନ

                ଭୀମ ଦ୍ରୌପଦୀଙ୍କୁ ପୁଷ୍ପକୁ ନେଇ ଦେଲେ ଓ ହନୁମାନ ଯାହା ଯାହା ସବୁ କହିଥିଲେ ଭୀମ ସେସବୁକିଛି ଦ୍ରୌପଦୀଙ୍କୁ କହିଲେ । ସ୍ୱାମୀଙ୍କ ଏଭଳି କଥା ଶୁଣି ଦ୍ରୌପଦୀ ହସିହସି କହିଲେ, “ମୁଁ ଏଇ ପୁଷ୍ପଟି ଚାହିଁଲି ବୋଲି ତୁମର ସେହି ମହାନୁଭବଙ୍କ ସହ ଦେଖା ହେଲା । ହନୁମାନଙ୍କର ଅଭୟବାଣୀ କଥା ଶୁଣି ପାଣ୍ଡବମାନେ ଉତ୍ଫୁଲ୍ଲ ହେଲେ ।

                ସର୍ତ୍ତ ଅନୁସାରେ ପାଣ୍ଡବମାନେ ବାରବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତବାସ ସମାପ୍ତ କଲେ । ତା’ପରେ ତାଙ୍କର ଯାହା ଦାବୀସବୁ ଉପସ୍ଥାପିତ କରିବା ପାଇଁ ଶ୍ରୀକୃଷ୍ଣଙ୍କୁ ପାଣ୍ଡବମାନେ ତାଙ୍କ ରାଜ ଦୂତ କରି କୌରବଙ୍କ ରାଜଦରବାରକୁ ପଠାଇଲେ ।

                ଶ୍ରୀକୃଷ୍ଣଙ୍କର ହିତବଚନ କୌରବମାନଙ୍କୁ ବଡ ବିରକ୍ତିକର ବୋଧ ହେଲା; ସେମାନେ ତାଙ୍କର କୌଣସି ସର୍ତ୍ତରେ ବି ରାଜି ହେଲେ ନାହିଁ । ତେଣୁ ଯୁଦ୍ଧ ଅନିବାର୍ଯ୍ୟ ହୋଇ ଉଠିଲା । କୁରୁକ୍ଷେତ୍ରରେ ଦୁଇପକ୍ଷର ଯୋଦ୍ଧାମାନେ ଆସି ଏକତ୍ରିତ ହେଲେ । ଅର୍ଜ୍ଜୁନଙ୍କ ରଥର ପତାକା ଉପରେ ହନୁମାନ ସୂକ୍ଷ୍ମଭାବରେ ବିରାଜମାନ କଲେ । ଅର୍ଜ୍ଜୁନଙ୍କ ରଥର ସାରଥି ଶ୍ରୀକୃଷ୍ଣ ଥିଲେ । ଏଣେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା । ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଉତ୍ସାହ ଓ ପ୍ରେରଣା ଦେଇ ଅଦ୍ଭୁତପୂର୍ବ ଯୁଦ୍ଧ କରାଇଲେ । ପରିଶେଷରେ ଅର୍ଜ୍ଜୁନ ତାଙ୍କର ସମସ୍ତ ଶତ୍ରୁମାନଙ୍କୁ ସଂହାର କରି ବିଜୟୀ ହେଲେ ।

                ଦ୍ୟୁତକ୍ରୀଡାରେ ବିଜୟୀ ହୋଇ ଗର୍ବାନ୍ଧ ମୂଢ ଦୁଃଶାସନ ଦରବାର ମଧ୍ୟକୁ ଦ୍ରୌପଦୀଙ୍କ କେଶ ଧରି ଟାଣି ଆଣିଥିଲା । ସେହି ଦିନଠାରୁ ଦ୍ରୌପଦୀଙ୍କ କେଶ ମୁକୁଳା ଥିଲା । ସେହିଦିନୁ ସେ ଶପଥ କରିଥିଲେ ଯେ ଦୁଃଶାସନର ରକ୍ତରେହିଁ ତାଙ୍କର ସେହି ମୁକୁଳା କେଶ ବନ୍ଧା ହେବ । ତାଙ୍କର ସେ ଐତିହାସୀକ ଶପଥ କେବଳ ଭୀମଙ୍କ ଦ୍ୱାରାହିଁ କାର୍ଯ୍ୟକାରୀ ହେଲା । ସେହିଦିନ ଜୁଡା ବାନ୍ଧିବା ପରେ ହନୁମାନଙ୍କ କହିବା ଅନୁସାରେ ଦ୍ରୌପଦୀ ସେହି ଅପୂର୍ବ “ସୌରନ୍ଧିକା ପଦ୍ମ” ପଦ୍ମ ଜୁଡାରେ ଖୋସି ହନୁମାନଙ୍କୁ ପ୍ରଣାମ କଲେ ।

ଗଦାଯୁଦ୍ଧରେ ଭୀମ ଦୁର୍ଯ୍ୟୋଧନଙ୍କ ଜଙ୍ଘ ଭାଙ୍ଗି ନିଜର ଶପଥ ପୂର୍ଣ୍ଣ କଲେ । ଅଜ୍ଞାନ ଓ ଅଧର୍ମ ପଥରେ ଯାଇ କୌରବବଂଶର ଶେଷରେ ସର୍ବନାଶ ହେଲା । ଶ୍ରକୃଷ୍ଣଙ୍କ ଦ୍ୱାରା ସୁରକ୍ଷିତ ହୋଇ ଧାର୍ମିକ ପାଣ୍ଡବମାନେ ପରିଶେଷରେ ବିଜୟୀ ହେଲେ ।

ଶ୍ରୀକୃଷ୍ଣ ହନୁମାନଙ୍କୁ ପ୍ରଶଂସା କରି କହିଲେ, “ହେ ବୀରଶ୍ରେଷ୍ଠ ହନୁମାନ, ତୁମ ମଧ୍ୟରେ ସତ୍କର୍ମ ପ୍ରତି ସର୍ବଦା ଅପାର ଶ୍ରଦ୍ଧା ରହିଥାଏ । ତେଣୁ ତ୍ରେତେୟା ଯୁଗରେ ରାବଣକୁ ସଂହାର କରିବାବେଳେ ଶ୍ରୀରାମଙ୍କୁ ତୁମେ ସହାୟତା କରି ନିଜର ଧର୍ମକୁ ଅକ୍ଷୁର୍ଣ୍ଣ ରଖିଥିଲ । ଏଥର ମଧ୍ୟ କୁରୁକ୍ଷେତ୍ର ଯୁଦ୍ଧରେ ତୁମେ ଆମ ପକ୍ଷକୁ ସହାୟତା କରି ବିଜୟୀ କରାଇଛ ।”

ହନୁମାନ ଏକଥା ଶୁଣି ବିନୟପୂର୍ବକ କହିଲେ, “ଆପଣ ସ୍ୱୟଂ ଯେତେବେଳେ ଅର୍ଜ୍ଜୁନଙ୍କର ସାରଥି ହେଲେ ତେବେ ବିଜୟ ଅନ୍ୟ କେଉଁଠାରୁ କିପରି ବା ଯିବ? ଏଭଳି ପରିସ୍ଥିତିରେ ମୁଁ ତ କେବଳ ଏକ ଚିହ୍ନମାତ୍ର ।”

“ହଁ, ତୁମେ କ୍ରିୟାସିଦ୍ଧିର ଚିହ୍ନ ସ୍ୱରୂପ ହୋଇ ରହିବ । ଯିଏ ବି ତୁମର ସେହି ଚିହ୍ନକୁ ଭକ୍ତି ଓ ଆନ୍ତରିକତାର ସହିତ ବହନ କରିବ, ତା’ର ବିଜୟ ସୁନିଶ୍ଚିତ ହେବ ।” ଏପରି ଶାଶ୍ୱତ ସତ୍ୟବାଣୀ ଶ୍ରୀକୃଷ୍ଣ କହିଲେ ।

ପାଣ୍ଡବମାନେ ହନୁମାନଙ୍କୁ ସବିନୟ ପ୍ରଣାମ କଲେ । ହନୁମାନ ସେମାନଙ୍କୁ ଆଶିର୍ବାଦ ଦେଲେ । ତା’ପରେ ହନୁମାନ ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରି ତାଙ୍କର ଆଶିର୍ବାଦ ନେଇ କଦଳୀବନକୁ ଉଡିଚାଲିଲେ । ସେଠାକାର ପ୍ରଶାନ୍ତ ବାତାବରଣ ମଧ୍ୟରେ ଶ୍ରୀରାମଙ୍କ ନାମ ଜପ କରୁକରୁ ସେ ଧ୍ୟାନ ମଗ୍ନ ହେଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ