ବୀର ହନୁମାନ

                ଏସବୁ କହିସାରିବା ପରେ ଅଙ୍ଗଦ ନିଜ ମା’ ତାରାଙ୍କୁ ସ୍ମରଣ କରି ଦୁଃଖରେ ଭୂମି ଉପରେ ଉପବାସରେ ଶୋଇ ରହିଥା’ନ୍ତି । ଅନ୍ୟ ବାନରମାନେ ମଧ୍ୟ ଅଙ୍ଗଦଙ୍କୁ ଅନୁସରଣ କଲେ । ସେମାନେ ସମୁଦ୍ରରେ ସ୍ନାନ କରି ଅଙ୍ଗଦଙ୍କ ଚାରିପାଖରେ ବସି ରାମଙ୍କ ଲୀଳା ସବୁ ଆଲୋଚନା କଲେ । କେତେକ ବାନର ତଳକୁ ମୁହଁ କରି ଚୁପ୍ ହୋଇ ବସି ରହିଥା’ନ୍ତି । ଏପରି ବିଚାର, ଆଲୋଚନା କରୁ କରୁ ଯୁକ୍ତିତର୍କ ମଧ୍ୟ ହେଉଥାଏ; ମଝିରେ ମଝିରେ ପାଟିଗୋଳ ମଧ୍ୟ ଶୁଣା ଯାଉଥାଏ, କାରଣ ଏତେ ଭାବିଚିନ୍ତି ଆଲୋଚନା କରି ମଧ୍ୟ ସେମାନେ ସମସ୍ୟାର ସମାଧାନ କରିପାରୁ ନାହାଁନ୍ତି । ପ୍ରଥମତଃ ସେମାନେ ଜାଣିନାହାଁନ୍ତି ଯେ ଲଙ୍କା କେଉଁଠି ଓ କେତେଦୂର, ତା’ପରେ ସେଠାକୁ କିପରି ଯାଇହେବ, କିଏ ପୁଣି ସେଠାକୁ ଯିବ । ଏହିସବୁ ଆଲୋଚନା ଓ ମତଭେଦ ଯୋଗୁଁ ସେମାନେ ଗର୍ଜ୍ଜନ କରି ଡିଆଁ ଡେଇଁ ଆରମ୍ଭ କଲେ । ଏହି ସମୟରେ ନିକଟସ୍ଥ ପାହାଡ ଖୋଲ ଭିତରୁ ଗୋଟିଏ ଅତିକାୟ ଗୃଧ୍ରପକ୍ଷୀ ଏମାନଙ୍କ ପାଟି ଶୁଣି ବାହାରକୁ ବାହାରି ଆସିଲା ଓ ଅତି ଆନନ୍ଦରେ କହିଲା, “ଆହା, ଏତେଦିନ ପରେ ଯାଇ ଭଗବାନ୍ ମୋତେ ଏତେ ଗୁଡିଏ ଆହାର ଦେଇଛନ୍ତି । ସବୁ ବାନରମାନଙ୍କୁ ମୁଁ ଖାଇ ଶେଷ କରିଦେବି ।”

                ସେହି ଗୃଧ୍ରରାଜ ସୂର୍ଯ୍ୟପୁତ୍ର ସଂପାତି ଥିଲେ, ଅର୍ଥାତ୍ ସେ ହେଲେ ଜଟାୟୁଙ୍କ ବଡ ଭାଇ । ତାଙ୍କର ଗର୍ଜ୍ଜନ ଓ ଅଟ୍ଟହାସ ଶୁଣି ଅଙ୍ଗଦ ଓ ଅନ୍ୟ ବାନରମାନେ ପ୍ରମାଦ ଗଣିଲେ । ସେମାନେ ଭୟଭୀତ ହୋଇ ହନୁମାନଙ୍କୁ ସବୁକଥା କହିଲେ ।

                ହନୁମାନ କହିଲେ, “ଦେଖ, ସେ ବୃଦ୍ଧ ପକ୍ଷୀଟିଏ ମାତ୍ର; ତା’ର ଉଡିବାର ଶକ୍ତି ନାହିଁ । ପର୍ବତ ଖୋଲରେ ବସି ଆହାର ପାଇଁ ସେ ବ୍ୟାକୁଳ ହେଉଛି, ବୃଦ୍ଧାବସ୍ଥା ହେତୁ ତା’ର ମତିଭ୍ରମ ହେଉଛି । କ୍ଷୁଧାପିପାସାରେ ଅତିଷ୍ଠ ହୋଇ ସେ ଏପରି କହୁଛି । ଏ ଅବସ୍ଥାରେ ତାକୁ ସାହାଯ୍ୟ କରିବା ପରିବର୍ତ୍ତେ ତମେ ସବୁ ଭୟ କରୁଛ? ଏତେ ଭୟଭୀତ ନ ହୋଇ ପ୍ରଥମେ ତା’ କଥା ଶୁଣ, ସେ କ’ଣ କହୁଛି ।”

                ଅନ୍ୟ ଏକ ବାନର କଥା କହିବ ବୋଲି ଆଗେଇ ଯାଇଥିଲା । ସେ କହିଲା, “ଏହି ପକ୍ଷୀ ଆମକୁ ଖାଇବା ପରିବର୍ତ୍ତେ ବରଂ ଆମେ ରାମନାମ ଜପ କରି ମରିବା । ଜଟାୟୁ ଏତେ ବୃଦ୍ଧ ହୋଇ ମଧ୍ୟ ଭଗବାନ୍ଙ୍କ ପାଇଁ ପ୍ରାଣ ଉତ୍ସର୍ଗ କଲେ, ଆଉ ଆମେ ତାହା କରିପାରିବା ନାହିଁ?”

                ଜଟାୟୁର ନାମ ଶୁଣି ବୃଦ୍ଧ ସଂପାତି ଗର୍ଜ୍ଜି ଉଠି କହିଲା, “କିଏ ତୁମେ ମୋ ଭାଇର ନାମ ଧରୁଛ? ପୁଣି କହୁଛ ଯେ ସେ ପୃଥିବୀରେ ଆଉ ନାହିଁ । ଏସବୁ କି କଥା? ବିସ୍ତାର କରି କୁହ ନହେଲେ ମୋର ପ୍ରାଣ ବ୍ୟାକୁଳ ହେଉଛି ।”

                ତା’ପରେ ଅଙ୍ଗଦ କହିଲେ, “ତେବେ ଶୁଣ ଗୃଧ୍ରରାଜ, ଶ୍ରୀରାମଚନ୍ଦ୍ର ହେଲେ ଅଯୋଧ୍ୟାର ରାଜା ଦଶରଥଙ୍କ ପୁତ୍ର । ରାଜା ଦଶରଥ ଜଟାୟୁଙ୍କର ମିତ୍ର ଥିଲେ । ଶ୍ରୀରାମ, ଭାଇ ଲକ୍ଷ୍ମଣ ଓ ସ୍ତ୍ରୀ ସୀତାଙ୍କ ସହିତ ପିତୃସତ୍ୟ ପାଳି ବନବାସ କରୁଥିଲେ । ରାକ୍ଷସରାଜ ରାବଣ ଭଣ୍ଡ ତପସ୍ୱୀ ବେଶ ସାଜି ରାମ ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ମାତା ସୀତାଙ୍କୁ ହରଣ କରି ନେଲା । ବାଟରେ ସେ ପୁଷ୍ପକ ବିମାନରେ ଆକାଶ ମାର୍ଗରେ ସୀତା ମାତାଙ୍କୁ ଧରି ଉଡି ଯାଉଥିଲା । ଅସହାୟ ଅବସ୍ଥାରେ ଥାଇ ମାତା ସୀତା ସେତେବେଳେ ଉଚ୍ଚ ସ୍ୱରରେ ରୋଦନ କରୁଥିଲେ । ତାଙ୍କୁ ଚିହ୍ନିପାରି ଓ ରାବଣର ଏଭଳି ଆଚରଣ ଦେଖି ଗୃଧ୍ରରାଜ ଜଟାୟୁ ରାବଣକୁ ଆକ୍ରମଣ କରି ପାରୁପର୍ଯ୍ୟନ୍ତ ନିଜ ଯୁଦ୍ଧ ଚଳାଇଲେ । କିନ୍ତୁ ରାବଣ ଅବଶେଷରେ ତାଙ୍କର ଗୋଟିକ ପରେ ଗୋଟିଏ ପକ୍ଷ ଛେଦନ କରି ତାଙ୍କୁ ଭୂମି ଉପରେ ରକ୍ତାକ୍ତ ଅବସ୍ଥାରେ ଛାଡି ଚାଲିଗଲା, ତଥାପି ମଧ୍ୟ ତାଙ୍କର ମୃତ୍ୟୁ ହୋଇ ନଥିଲା ।”

                “କିଛି ସମୟ ପରେ ଶ୍ରୀରାମ ଓ ଲକ୍ଷ୍ମଣ ମାତା ସୀତାଙ୍କୁ ଖୋଜି ଖୋଜି ସେଠାରେ ଯାଇ ପହଁଚିଲେ ଓ ଗୃଧ୍ରରାଜଙ୍କୁ ଏପରି ମୁମୂର୍ଷୁ ଅବସ୍ଥାରେ ଦେଖି ସେମାନେ ଅତ୍ୟନ୍ତ ଦୁଃଖିତ ହେଲେ । ଗୃଧ୍ରରାଜ ତାଙ୍କୁ ଦେଖିବା ମାତ୍ରେ ସବୁକଥା ଆମୁଳଚୂଳ ବର୍ଣ୍ଣନା କଲେ । ତା’ପରେ ପକ୍ଷଚ୍ଛେଦଜନିତ ଭୟଙ୍କର ଯନ୍ତ୍ରଣା ଆଉ ସହ୍ୟ କରି ନପାରି ଶେଷରେ ସେ ଶ୍ରୀରାମଙ୍କ କୋଳରେହିଁ ପ୍ରାଣ ତ୍ୟାଗ କଲେ ତା’ପରେ ଶ୍ରୀରାମ ଓ ଲକ୍ଷ୍ମଣ ଗୃଧ୍ରରାଜ ଜଟାୟୁଙ୍କୁ ମୁଖାଗ୍ନି ଦେଇ ତାଙ୍କର ଶେଷକ୍ରିୟା ସମ୍ପାଦନ କରିଥିଲେ । ଅହୋଭାଗ୍ୟ, ଋଷିମାନଙ୍କ ମତରେ ଶ୍ରୀରାମ ଭଗବାନ ବିଷ୍ଣୁଙ୍କ ଅବତାର । ତାଙ୍କ ହାତରେ ଶେଷକୃତ୍ୟ ସମ୍ପାଦନ ହେବାର ଅର୍ଥ ଜନ୍ମ ଜନ୍ମ ପୁଣ୍ୟର ଫଳ ମିଳିବା ସହ ସମାନ ।”

                ଏକଥା ଶୁଣି ବୃଦ୍ଧ ଗୃଧ୍ରରାଜ ସଂପାତି “ହାୟ ମୋର ଭାଇ କୁଆଡେ ଗଲୁ!” ଏହା କହି ସେ ରୋଦନ କରିବାକୁ ଲାଗିଲେ । ହନୁମାନ ଓ ଅଙ୍ଗଦ ତାଙ୍କୁ ସାନ୍ତ୍ୱନା ଦେଇ ପ୍ରକୃତିସ୍ଥ କରାଇବା ପରେ ସେ ନିଜ ବିଷୟରେ କହିବାକୁ ଆରମ୍ଭ କଲେ: “ଆମେ ଦୁହେଁ ଦୁଇଭାଇ, ମୁଁ ଜ୍ୟେଷ୍ଠ ଓ ସେ କନିଷ୍ଠ । ଥରେ ସୂର୍ଯ୍ୟଙ୍କ ଉଚ୍ଚତା ଓ ଗତିପଥ ବିଷୟରେ ଜ୍ଞାନ ଅର୍ଜନ କରିବା ପାଇଁ ଆମେ ଦୁଇଭାଇ ଯୁବକ ଅବସ୍ଥାରେ ଆକାଶରେ ଉଡି ଉଡି ଉଚ୍ଚରୁ ଉଚ୍ଚକୁ ଯାଉଥାଉ! ସୂର୍ଯ୍ୟଙ୍କର ନିକଟତର ହେବାରୁ ସୂର୍ଯ୍ୟଙ୍କ ତେଜ ଅସହ୍ୟ ହେଲା । ତେଣୁ ମୁଁ ମୋର ପକ୍ଷ ବିସ୍ତାର କରି ମୋ ସାନଭାଇ ଜଟାୟୁକୁ ଛାୟା ପ୍ରଦାନ କରୁଥାଏ । ଆହୁରି ନିକଟତର ହେବାରୁ ମୋର ପକ୍ଷ ଦୁଇଟି ଜଳିଗଲା ଓ ମୁଁ ଉଡିବା ଶକ୍ତି ହରାଇ ଏହି ବିନ୍ଧ୍ୟ ପର୍ବତରେ ପଡିଲି ଓ ସେହି ଦିନଠାରୁ ମୁଁ ଏହିଠାରେହିଁ ରହିଛି । ମୋ ଭାଇର କଥା ତ ତୁମଠାରୁ ଶୁଣୁଛି । ଏବେ ମୁଁ ବୃଦ୍ଧ ଓ ଶକ୍ତିହୀନ! ନଚେତ୍ ପାପିଷ୍ଠ ରାବଣ ସହିତ ମୁଁ ଏହି ମୁହୂର୍ତ୍ତରେହିଁ ଯୁଦ୍ଧ କରି ମୋ ଭାଇ ମୃତ୍ୟୁର ପ୍ରତିଶୋଧ ମୁଁ ତା’ଠାରୁ ନିଶ୍ଚୟ ନେଇଥା’ନ୍ତି । ଏବେ କୁହ ତୁମେମାନେ ଏଠାରେ କ’ଣ କରୁଛ?”

                ଅଙ୍ଗଦ ପଚାରିଲେ “ତେବେ ଶୁଣନ୍ତୁ, ଶ୍ରୀରାମ ବାନରରାଜ ବାଳୀଙ୍କୁ ବଧ କରି ତାଙ୍କ କନିଷ୍ଠ ସୁଗ୍ରୀବଙ୍କୁ କିସ୍କିନ୍ଧ୍ୟାରେ ରାଜା କରାଇଲେ; ମୁଁ ଅଙ୍ଗଦ, ବାଳୀଙ୍କର ପୁତ୍ର । ଏବେ ଆମେମାନେ ମାତା ସୀତାଙ୍କୁ ଖୋଜି ଖୋଜି ଏହି ସମୁଦ୍ର ତଟରେ ଆସି ପହଁଚିଛୁ । କିନ୍ତୁ ରାବଣର ରାଜ୍ୟ କେଉଁଠି ଓ ଆମେ ସେଠାରେ କେମିତି ପହଁଚିବୁ ସେସବୁ କିଛି ଜାଣି ନପାରି ଅସହାୟ ହୋଇ ବସି ରହିଛୁ । ଏବେ ଆପଣ କହି ପାରିବେ କି ସେହି ଦୁଷ୍ଟ ରାବଣର ରାଜ୍ୟ କେଉଁଠି ଓ ସେଠାକୁ କିପରି ଯାଇ ହେବ?”

                ସଂପାତି କହିଲେ, “ହେ ବାନର ବୀର, ମୁଁ ବି ମୋ ଗୁମ୍ଫାରେ ବସି ଥରେ ଦେଖିଥିଲି ଦୁଷ୍ଟ ରାକ୍ଷସରାଜ ରାବଣ ଏକ ସୁନ୍ଦରୀ ସ୍ତ୍ରୀଙ୍କୁ ତା’ ପୁଷ୍ପକବିମାନରେ ବସାଇ ନେଇ ଯାଉଥିଲା । ସେହି ସ୍ତ୍ରୀ ଲୋକ ଜଣକ କାନ୍ଦି କାନ୍ଦି କେବଳ “ହା ରାମ, ହା ଲକ୍ଷ୍ମଣ” ବୋଲି କହୁଥିଲେ ।

ରାବଣ ନାମକ ସେହି ଦୁଷ୍ଟ ରାକ୍ଷସର ରାଜ୍ୟ ହେଲା ଲଙ୍କା । ସେ ବିଶ୍ରବା ମହର୍ଷିଙ୍କର ଔରସଜାତ ନିକଷା ରାକ୍ଷସୀର ପୁତ୍ର । ସେ କୁବେରଙ୍କର ସାନ ଭାଇ । ଏହି ସାଗର ମଧ୍ୟରେ ବହୁତ ଦୂର ଭିତରକୁ ଗଲେ ଏକ ଦ୍ୱୀପ ପଡିବ । ତା’ର ନାମ ଲଙ୍କା । ରାବଣ ସେଇଠାରେହିଁ ରାଜୁତି କରେ । ମୁଁ ଭାବୁଛି ସେ ସୀତାଙ୍କୁ ନେଇ ସେହିଠାରେହିଁ ରଖିଛି । ତୁମେମାନେ ସମୁଦ୍ର ଲଙ୍ଘନ କରି ଲଙ୍କା ଯିବା ପାଇଁ ଚେଷ୍ଟା କର । ଆଉ ଯଦି ଶ୍ରୀରାମ ରାବଣ ବଧ କରନ୍ତି ତ ମୋ ମନ ଭାତୃ ଶୋକରୁ ମୁକ୍ତି ପାଇବ । ଏବେ ମୋତେ ତୁମେମାନେ ଧରି ଧରି ସମୁଦ୍ର ତଟକୁ ନେଇଯାଅ । ମୁଁ ମୋର ସ୍ୱର୍ଗତ ଭାଇ ପାଇଁ ସେଠାରେ ଜଳତର୍ପଣ କରିବି ।

ବାନରମାନେ ତାଙ୍କଠାରୁ ଏସବୁ ଖବର ପାଇ ଅତ୍ୟନ୍ତ ଖୁସି ହେଲେ । ଯାହାହେଉ କିଛି ଗୋଟେ ଖବର ତ ମିଳିଲା । ତା’ପରେ ସେମାନେ ସଂପାତିଙ୍କୁ ନେଇ ସମୁଦ୍ର ତଟକୁ ଗଲେ ଓ ସେଠାରେ ସେ ଜଳତର୍ପଣ କଲେ । ତା’ପରେ ଜାମ୍ବବାନ ତାଙ୍କୁ ବହୁତ ପ୍ରଶ୍ନ କଲେ । ସେ ପୁଣି କହିଲେ, “ମୋର ପକ୍ଷ ଜଳିଯିବା ଦିନଠାରୁ ମୁଁ ଏହିଠାରେହିଁ ରହିଛି । ମୋର ପୁତ୍ର ସୁପାଶ୍ୱର୍ ପ୍ରତିଦିନ ମୋ ପାଇଁ କିଛି ଖାଦ୍ୟ ନେଇ ଆସେ । ଦିନେ ସୂର୍ଯ୍ୟାସ୍ତ ହେବାକୁ ଯାଉଛି କିନ୍ତୁ ମୋ ପୁଅ ଆସିଲା ନାହିଁ । ମୁଁ ଦୁଃଖରେ ବସିଥାଏ, ଏଣେ ଭୋକରେ ମୋ ପେଟ ଖାଲି ଜଳୁଥାଏ । ଶେଷରେ ସେ ଆସିଲା ହେଲେ ବିନା ଖାଦ୍ୟରେ; ସେଦିନ ସେ ମଧ୍ୟ କହିଲା ଯେ ରାବଣ ସୀତାଙ୍କୁ ଉଠାଇ ନେଇ ଯାଇଥିଲା । ରାବଣକୁ ସେ ଝାମ୍ପିବାକୁ ଚେଷ୍ଟା କରୁଥିଲା, ହେଲେ ରାବଣ ତାକୁ ଛାଡି ବହୁ ଉପରକୁ ବିମାନ ଉଠେଇ ନେଇ ଚାଲିଗଲା । ଏସବୁ ଘଟଣା ମୋ ପୁଅ ମଧ୍ୟ ଦେଖିଥିଲା ।”

ତା’ପରେ ବାନରମାନେ ସଂପାତିଙ୍କୁ ଆହୁରି କିଛି ଅନୁଭୂତି କହିବାକୁ ଅନୁରୋଧ କଲେ । ତେଣୁ ସେ ଆରମ୍ଭ କଲେ, “ଆମେ ଦୁଇଭାଇ ହିମାଳୟ ପାଖରେ ଉଚ୍ଚରୁ ଉଚ୍ଚକୁ ଉଡିଲୁ । ବହୁତ ଉଚ୍ଚକୁ ଯିବା ପରେ ପାହାଡ ସବୁ ଛୋଟ ଛୋଟ ଗୋଡିପରି ଓ ନଦୀମାନେ ସୁତାପରି ଦେଖା ଯାଉଥା’ନ୍ତି । କିଛି ସମୟ ପରେ ସେସବୁ ମଧ୍ୟ କିଛି ଆଉ ଦେଖାଗଲା ନାହିଁ । ଆମ ଦୃଷ୍ଟିରେ ଆକାଶର ନୀଳିମା ଯେପରି ସବୁକୁ ଘେରି ରହିଛି । ଶୁନ୍ୟ, ଶୁନ୍ୟ, ମହାଶୁନ୍ୟ । ମହାଶୁନ୍ୟର ସେହି ବିରାଟ ଅନନ୍ତ ରୂପ ଦେଖି ମୋ ସାନ ଭାଇର ମଥା ଭ୍ରମିଗଲା । ସେ କ୍ଳାନ୍ତ ହୋଇ ଶକ୍ତିହୀନ ହୋଇ କ୍ରମେ ତଳକୁ ଖସିଲା । ମୁଁ ତାକୁ ମୋ ପକ୍ଷ ବିସ୍ତାର କରି ଘୋଡାଇ ରଖିଥିଲି । ସେଥିପାଇଁ ତ ମୋ ପକ୍ଷ ଜଳିଗଲା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୁଁ ଆସି ଏହି ପାହାଡରେ ପଡିଲି । ନିକଟରେ ଜଣେ ଋଷି ରହୁଥା’ନ୍ତି, ତାଙ୍କ ନାମ ନିଶାକର । ମୁଁ ପଡିରହି ଦେଖୁଥାଏ ଯେ ଋଷି ସ୍ନାନ କରି ଯେତେବେଳେ ଫେରନ୍ତି ସେତେବେଳେ ଜଙ୍ଗଲର ସାରା ପଶୁପକ୍ଷୀ ତାଙ୍କର ଅନୁଗମନ କରନ୍ତି । ସେ ଆଶ୍ରମରେ ପଶିଗଲେ ସେମାନେ ପୁଣି ନିଜ ନିଜ ରାସ୍ତା ଧରି ଚାଲିଯା’ନ୍ତି । ଦିନେ ଋଷି ତାଙ୍କ ଆଶ୍ରମ ବାହାରକୁ ବାହାରିଛନ୍ତି ମୁଁ ଯାଇ ତାଙ୍କ ଯିବା ରାସ୍ତାରେ ବସିଥାଏ । ମୋତେ ଦେଖି ସେ ଚିହ୍ନିଲେ ଓ ଅତି ଆଦରରେ ମୋତେ ସେ କହିଲେ, “ତୁମେ ସଂପାତି ନା? ତୁମ ଭାଇ ଜଟାୟୁ କାହିଁ? ଆଉ ପୁଣି ତୁମର ଏ ଅବସ୍ଥା କିପରି ବା ହେଲା? ମୁଁ ତୁମକୁ ପିଲାଟିଦିନରୁ ଦେଖିଛି । ତୁମେ ଦୁଇଭାଇ ବେଳେ ବେଳେ ମନୁଷ୍ୟ ରୂପ ନେଇ ମୋ ପାଖକୁ ଆସୁଥିଲ; ସେ କଥା ଅବଶ୍ୟ ତୁମେମାନେ ଭୁଲି ଯାଇଥିବ । ହେଲେ ମୋର କିନ୍ତୁ ସେସବୁ କଥା ଠିକ୍ ମନେ ଅଛି । ମୁଁ ତୁମମାନଙ୍କୁ ବଡ ସ୍ନେହରେ ଫଳମୂଳ ଖୁଆଉଥିଲି । କିନ୍ତୁ ଆଜି ତୁମର ଏପରି ଅବସ୍ଥା କିମିତି ହେଲା?” ତା’ପରେ ମୁଁ ସେହି ଋଷିଙ୍କୁ ସବୁକଥା ବର୍ଣ୍ଣନା କରି କହିଲି । ସର୍ବଶେଷରେ କହିଲି, “ମହାତ୍ମା, ଆଜି ମୁଁ ଆପଣଙ୍କୁ ସବୁକଥା କହିଲି; ଏ ଜୀବନରେ ମୋର ଆଉ ବଂଚିବାକୁ ତିଳେମାତ୍ର ବି ଇଚ୍ଛା ନାହିଁ । ମୁଁ ପ୍ରାୟୋପବେଶନ କରି ଭଗବାନଙ୍କୁ ଡାକି ପ୍ରାଣ ତ୍ୟାଗ କରିବି ।”

ମୋ କଥା ଶୁଣି ଋଷି ନିଶାକର କହିଲେ, “ଆତ୍ମହତ୍ୟା ଠାରୁ ବଳି ମହାପାପ ଆଉ କିଛିବି ନାହିଁ । ତୁମେ ଧୈର୍ଯ୍ୟ ଧରି ରହିଥାଅ । ତ୍ରେତେୟା ଯୁଗରେ ବୈକୁଣ୍ଠପତି ଭଗବାନ ଶ୍ରୀକୃଷ୍ଣ ଅଯୋଧ୍ୟାର ରାଜା ଦଶରଥଙ୍କର ପୁତ୍ର ହୋଇ ଜନ୍ମ ନେବେ । ସେତେବେଳେ ସେ ଶ୍ରୀରାମ ଭାବରେ ବିଖ୍ୟାତ ହେବେ । ଭଗବାନ ଶ୍ରୀରାମ ଧରାବକ୍ଷରେ ଅବତୀର୍ଣ୍ଣ ହେବା ପରେ ମାତା ମହାଲକ୍ଷ୍ମୀ ମଧ୍ୟ ସୀତା ରୂପରେ ଜନକଙ୍କ କନ୍ୟା ହୋଇ ରହିବେ । ସେମାନଙ୍କର ବିବାହ ପରେ ସେମାନେ ପିତୃସତ୍ୟ ପାଳି ବଣକୁ ଆସିବେ । ସେତେବେଳେ ପାପିଷ୍ଠ ରାକ୍ଷସ ରାବଣ ସୀତାଙ୍କୁ ଛଳରେ ହରିନେବ । ଯେତେବେଳେ ସୀତା ଠାବ କରିବାକୁ ବାନରମାନେ ଆସିବେ ତୁମେ ତୁମକଥା ସେମାନଙ୍କୁ ଶୁଣାଇଲେ ତୁମର ପକ୍ଷ ଗଜୁରୀ ଉଠିବ ।” ଏହିକଥା ତାଙ୍କଠାରୁ ଶୁଣିବା ପରେ ମୁଁ ଏଠାରେ ପ୍ରାଣ ଧରି ତୁମରିମାନଙ୍କ ଅପେକ୍ଷାରେହିଁ ଥିଲି । ଏବେ ମୁଁ ଅନୁଭବ କରୁଛି ଯେ ମୋ ପକ୍ଷରେ ଅନେକ ବଳ । ଋଷିଙ୍କର ଏକଥା ଯଦି ସିଦ୍ଧ ହେଲା, ତୁମେମାନେ ମାତା ସୀତାଙ୍କୁ ଠାବ କରିବାରେ ମଧ୍ୟ ନିଶ୍ଚୟ ସଫଳ ହେବ ।” ଏତିକି କହି ସେ ସମସ୍ତିଙ୍କୁ ଆଶିର୍ବାଦ କରି ଉଡି ଉଡି ଆକାଶ ମାର୍ଗରେ କୁଆଡେ ଉଭେଇ ଗଲେ । ଏଣେ ଏ ବାନରମାନଙ୍କ ମନରେ ନୂତନ ବଳ ଓ ଉଦ୍ଦୀପନା ଦେଖା ଦେଲା । ତା’ପରେ ମାତା ସୀତାଙ୍କୁ ଠାବ କରିବାରେ ନିଶ୍ଚିତ ସାଫଲ୍ୟ କଥା ଜାଣିପାରି ସମସ୍ତେ ଉତ୍ଫୁଲ୍ଲ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ