ବୀର ହନୁମାନ

                ଏହି ସମାଚାର ଶୁଣି ଭରତଙ୍କର ଆଉ ଆନନ୍ଦରେ ସୀମା ରହିଲା ନାହିଁ । ସେ ମୁଗ୍ଧ ହୋଇ ବସି ରହିଲେ, ତାଙ୍କର ଆଉ ବାକ୍ସ୍ଫୁର୍ତି ହେଲା ନାହିଁ । କିଛି ସମୟ ପରେ, ସେ ସାଧାରଣ ଅବସ୍ଥାକୁ ଫେରି, ହନୁମାନଙ୍କୁ କହିଲେ, “ମହାଶୟ, ଆପଣ ମୋତେ ସର୍ବାପେକ୍ଷା ଆନନ୍ଦଦାୟକ ସମାଚାର ଶୁଣାଇଲେ । ମୁଁ ଜାଣେନାହିଁ ଆପଣ ମଣିଷ ବା ଦେବତା । ମୁଁ ଆପଣଙ୍କୁ ବହୁ ଜିନିଷ ପୁରସ୍କାର ଦେବି ।” ଲିଭିଯାଉଥିବା ଦୀପକୁ ଯେପରି କିଏ ତେଜି ଦିଏ ସେହିପରି ଆପଣଙ୍କ କଥାଗୁଡିକ ମୋ ମନରେ ପ୍ରାଣ ସଂଚାର କଲା । ମୁଁ ତ ଆତ୍ମହତ୍ୟା କରିବି ବୋଲି ସ୍ଥିର କରି ବସିଥିଲି । ଏତେବର୍ଷ ପରେ ମୋର ସମସ୍ତ ପାପ ଜାଣ କଟିଲା । ମୁଁ ପ୍ରଭୂ ଶ୍ରୀରାମଙ୍କୁ ଦର୍ଶନ କରିବି ।

                ଭରତ ପାଦୁକା ନେଇ ଫେରିବା ପରେ ଯାହା ଯାହା ଘଟଣା ଘଟିଛି ସେସବୁ ଭରତ ହନୁମାନଙ୍କୁ ଶୁଣାଇଲେ । ଭରତ ସମସ୍ତ ଖବର ଅବଗତ ହେବା ପରେ ଆନନ୍ଦରେ ଶତ୍ରୁଘ୍ନଙ୍କୁ ଆଜ୍ଞା ଦେଲେ, “ଅଯୋଧ୍ୟାରେ ଏ ଖବର ଡେଙ୍ଗୁରା ଦେଇ ଜଣାଇଦିଅ ଯେ ସମସ୍ତେ ସମଗ୍ର ଅଯୋଧ୍ୟା ନଗରୀକୁ ଫୁଲ ପତ୍ରରେ ସଜାଇବେ ଓ ଆନନ୍ଦ ଉତ୍ସବ କରାଇବେ । ଶ୍ରୀରାମଙ୍କୁ ସ୍ୱାଗତ କରିବାକୁ ଭାଟ, ଚାରଣ, ବାଦ୍ୟବୃନ୍ଦ ସମସ୍ତେ ଯେପରି ଆସନ୍ତି ଏବଂ ବହୁସଂଖ୍ୟାରେ ଆସନ୍ତି । ନାଗରିକମାନେ ତ ନିଶ୍ଚୟ ଆସିବେ ।”

                ଶତୃଘ୍ନ ଏକହଜାର ସୈନିକଙ୍କୁ ଡାକି ଆଜ୍ଞା ଦେଲେ, “ତୁମେମାନେ ନନ୍ଦୀଗ୍ରାମ ଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ ରାସ୍ତାଘାଟ ଫୁଲ ଓ ତୋରଣରେ ସାଜସଜ୍ଜା କର । ଅଯୋଧ୍ୟା ନଗରୀ ଯେପରି ସୁନ୍ଦର ଭାବରେ ସଜା ହୁଏ । ରାସ୍ତାଘାଟ ସମତଳ କର ଓ ସେଥିରେ ସୁବାସିତ ଜଳ ସିଂଚନ କର ଓ ନାନା ବର୍ଣ୍ଣର ଚୁର୍ଣ୍ଣରେ ରାସ୍ତାସବୁ ସଜାଅ । ସୂର୍ଯ୍ୟୋଦୟ ପୂର୍ବରୁ ଯେପରି ଏସବୁ ହୋଇଯିବ । କାହିଁକିନା ଆଜି ଭଗବାନ୍ ଶ୍ରୀରାମ ଅଯୋଧ୍ୟା ପ୍ରତ୍ୟାଗମନ କରୁଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ଅଯୋଧ୍ୟାକୁ ସୁନ୍ଦର ଭାବରେ ସଜାଇ ରଖ ।”

                ରାଣୀମାନେ, ମନ୍ତ୍ରୀମାନେ, ସୈନିକମାନେ ଓ ସେମାନଙ୍କ ଧର୍ମପତ୍ନୀମାନେ, ବ୍ରାହ୍ମଣ, କ୍ଷତ୍ରିୟ, ଗଣନାୟକ ପ୍ରଭୃତି ଶ୍ରୀରାମଙ୍କୁ ଦେଖିବାକୁ ବାହାରିଲେ । ହାତୀ ଘୋଡାମାନେ ଓ ରଥସବୁ ସଜା ହୋଇଗଲା । ଦୃଷ୍ଟି, ଜୟନ୍ତ, ସିଦ୍ଧାର୍ଥ, ଅର୍ଥସାଧକ, ଅଶୋକ, ମନ୍ତ୍ରପାଳ ଓ ସୁମନ୍ତ୍ର ପ୍ରଭୃତି ମନ୍ତ୍ରିଗଣ ସେଠାରେ ଥିଲେ । ଦଶରଥଙ୍କ ପତ୍ନୀମାନେ ପାଲିଙ୍କିରେ ବସି ନନ୍ଦିଗ୍ରାମରେ ଆସି ପହଁଚିଲେ ।

                ଶ୍ରୀରାମଙ୍କର ପାଦୁକା ମଥାରେ ଧରି ତପସ୍ୱୀ ଭରତ, ଅଗ୍ରଜ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଆଗକୁ ଚାଲିଥା’ନ୍ତି । ତାଙ୍କ ସାଥିରେ ନଗରର ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ଚାଲିଥା’ନ୍ତି । ଅନ୍ୟମାନେ ରାଜଛତ୍ର, ଚାମର ସୁବର୍ଣ୍ଣ ଦଣ୍ଡ ଧରି ଚାଲିଥା’ନ୍ତି ।

ବହୁସମୟ ପତୀକ୍ଷା କରିବା ପରେ ଭରତ ହନୁମାନଙ୍କୁ କହିଲେ, “କାହିଁ ଏତେ ପର୍ଯ୍ୟନ୍ତ ଶ୍ରୀରାମଙ୍କର ଦେଖାନାହିଁ । ଗୋଟିଏ ଗୋଟିଏ ମୁହୂର୍ତ୍ତ ସହିବା ମୋ ପାଇଁ କେତେ ଯେ କଷ୍ଟ ହେଉଛି । ତାହା ତମେ ଜାଣିନାହଁ ଶ୍ରୀରାମଙ୍କ ପାଇଁ ମୋ ମନ ହୃଦୟ କେତେ ଛଟପଟ ହେଉଛି । ଯେତେଥର ମୋର ମନେ ପଡୁଛି ଯେ କେବଳ ମୋରି ଯୋଗୁଁ ଶ୍ରୀରାମଙ୍କୁ ବନବାସ କରିବାକୁ ପଡିଲା, ସେତେଥର ମୋର ହୃଦୟ ବ୍ୟାକୁଳ ହୋଇ ଉଠୁଛି । ମୁଁ ଅବଶ୍ୟ ପୂର୍ବଜନ୍ମରେ କୌଣସି ଘୋର୍ପାପ କରିଛି ବୋଲି, ଏଜନ୍ମରେ ଏତେ ମାନସିକ କଷ୍ଟ ମଧ୍ୟରେ ମୁଁ ବଞ୍ଚିଛି । ମୁଁ ଓ ଅଯୋଧ୍ୟାବାସୀ କେବଳ ଶ୍ରୀରାମଙ୍କ ପ୍ରତ୍ୟାଗମନ ପାଇଁ ଯାହା ଖାଲି ବଞ୍ଚି ରହିଛୁ । ମୋର ପୁରା ବିଶ୍ୱାସ ଶ୍ରୀରାମ ଅବଶ୍ୟ ଚଉଦବର୍ଷ ପରେ ଫେରି ଆସିବେ । ଯଦି କୌଣସି କାରଣ ଯୋଗୁଁ ତାହା ନ ହୁଏ ତେବେ ଭରତ ଆଦୌ ଜୀବିତ ରହିବ ନାହିଁ ଏହା ମୋର ଶେଷ ଶପଥ ।”

ଭରତଙ୍କର ଏପରି କଥା ସବୁ ଶୁଣି ହନୁମାନ ଖୁବ୍ ବିଚଳିତ ହୋଇ ଉଠି କହିଲେ, “କୁମାର ଭରତ, ଆପଣ ଏତେ ବିଚଳିତ କାହିଁକି ହେଉଛନ୍ତି? ପ୍ରଭୂଙ୍କ ଉପରେ ବିଶ୍ୱାସ ରଖନ୍ତୁ । ବାନର ସେନାମାନଙ୍କୁ ଭରଦ୍ୱାଜ ମୁନି ଏକ ବଡ ଭୋଜି ଦେଉଛନ୍ତି । ସେମାନେ ବଡ ଉତ୍ସାହରେ ଖିଆପିଆ କରିବାବେଳେ ଶ୍ରୀରାମ ତ ଆଉ ସେଠାରୁ ଶୀଘ୍ର ଚାଲି ଆସିବେ ନାହିଁ । କିନ୍ତୁ ଏବେ ପ୍ରଭୂଙ୍କର ଆସିବାର ସମୟ ହୋଇଗଲା । ହେଇ ଦେଖନ୍ତୁ ଦୂର ଦିଗ୍ବଳୟରେ ବିନ୍ଦୁଟିଏ ଝଲମଲ କରୁଛି । ତାହାହିଁ ପୁଷ୍ପକବିମାନ । ଏହାକୁ କୁବେର ତିଆରି କରିଥିଲେ । ଏହା ରାବଣର ଥିଲା । ଏବେ ସେହି ବିମାନରେ ପ୍ରଭୂ, ମାତା ସୀତା, କୁମାର ଲକ୍ଷ୍ମଣ, ରାକ୍ଷସ ରାଜ ବିଭୀଷଣ, କୁମାର ଅଙ୍ଗଦ ଓ ବାନର ରାଜା ମିତ୍ର ସୁଗ୍ରୀବଙ୍କ ସହ ଆସୁଛନ୍ତି ।”

ଅଳ୍ପସମୟ ମଧ୍ୟରେ ସମସ୍ତେ ଏହା ଜାଣିଗଲେ ଓ ଚିତ୍କାର କଲେ ଶ୍ରୀରାମ ଆସିଗଲେ । ସେମାନେ ଆନନ୍ଦରେ ଗଦ୍ଗଦ୍ ହୋଇ ଅତି ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥା’ନ୍ତି ।

ଶ୍ରୀରାମ ପୁଷ୍ପକ ବିମାନରୁ ଅବତରଣ କରିବା ମାତ୍ରେ ଭରତ ପ୍ରଥମେ ଯାଇ ତାଙ୍କୁ ପ୍ରଣାମ କରି କହିଲେ, “ପ୍ରଭୂ, ବଚନବଦ୍ଧ ହୋଇ ଯଥା ସମୟରେ ପହଁଚି ଆମର ଜୀବନ ବଂଚାଇଲେ ।” ସେଥିପାଇଁ ଆନନ୍ଦାଶ୍ରୁରେ ଯେପରି ତାଙ୍କ ପାଦ ଧୋଇ ଦେଲେ । ଶ୍ରୀରାମ ତାଙ୍କୁ ତଳୁ ଉଠାଇ ଆଲିଙ୍ଗନ କଲେ । ଶ୍ରୀରାମ ଭାବିଲେ, “ଆହା ମୋ ପାଇଁ ଭରତ ରାଜ୍ୟ ପାଇ ମଧ୍ୟ ଚଉଦବର୍ଷ ବନବାସ କଷ୍ଟ ଭୋଗିଲା । ତା’ର ତ୍ୟାଗ ଅତୁଳନୀୟ, ଅଦ୍ଭୁତପୂର୍ବ ।” ଦୁହେଁ ଆଲିଙ୍ଗନ ମଧ୍ୟରେ ନିଜକୁ ଭୁଲିଗଲେ । ଦୁହିଁଙ୍କର କଷ୍ଟ ପରେ ଏହି ମଧୁର ମିଳନକୁ ଦେଖି ସମସ୍ତିଙ୍କ ଚକ୍ଷୁରେ ଅଶ୍ରୁ ଦେଖା ଦେଲା ।

ଭରତ ସୀତାଙ୍କୁ ପ୍ରଣାମ କଲେ ଓ ଲକ୍ଷ୍ମଣ ଭରତଙ୍କୁ ପ୍ରଣାମ କଲେ । ଭରତ ସୁଗ୍ରୀବଙ୍କୁ ଆଲିଙ୍ଗନ କରି କହିଲେ, “ତୁମେ ଯେପରି ସାହାଯ୍ୟ ସହଯୋଗ କରିଛ, ତାହା ଅକଳ୍ପନୀୟ । ତୁମେ ଆମର ସମସ୍ତିଙ୍କର ପ୍ରିୟ, ଘନିଷ୍ଠ ଓ ଅନ୍ତରଙ୍ଗ ପରମ ମିତ୍ର ।”

ଶତ୍ରୁଘ୍ନ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କୁ ପ୍ରଣାମ କଲେ । ସମସ୍ତ ନାଗରିକ ବଡ ଉତ୍ସାହରେ ଶ୍ରୀରାମଙ୍କୁ ସ୍ୱାଗତ କଲେ ।

ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ମାତାମାନଙ୍କୁ ଓ ଗୁରୁ ବଶିଷ୍ଠଙ୍କୁ ପ୍ରଣାମ କଲେ, ବୃଦ୍ଧମନ୍ତ୍ରୀ ସୁମନ୍ତ୍ରଙ୍କୁ ନମସ୍କାର କଲେ । ଭରତ ପାଦୁକା ଦୁଇଟି ଶ୍ରୀରାମଙ୍କ ପାଦରେ ପିନ୍ଧାଇ ଦେଇ କହିଲେ, “ପ୍ରଭୂ, ଆପଣଙ୍କ ରାଜ୍ୟଭାର ଏବେ ଆପଣ ନିଅନ୍ତୁ, ବହୁତ କଷ୍ଟରେ ମୁଁ ଆଜିଯାଏଁ ଏହାକୁ ସମ୍ଭାଳି ଥିଲି । ଆପଣ ଯଥା ସମୟରେ ଫେରି ନଥିଲେ, ଆପଣଙ୍କର ଏହି କନିଷ୍ଠ ଭ୍ରାତାର ଅନ୍ତିମ କ୍ରିୟା ସମ୍ପନ୍ନ ହୋଇଥା’ନ୍ତା ।” ଶ୍ରୀରାମ କେବଳ ସ୍ନେହରେ ତାଙ୍କୁ ଆଲିଙ୍ଗନ କରୁଥିଲେ । ଭରତଙ୍କୁ କିଛି କହିବା ପାଇଁ ତାଙ୍କ ମୁହଁରେ ଆଉ ଭାଷା ନଥିଲା । ଶ୍ରୀରାମ ତ ପିତୃସତ୍ୟ ରକ୍ଷା କରିବା ପାଇଁ ତ୍ୟାଗ କଲେ । ଭରତ କିନ୍ତୁ ଭାତୃପ୍ରେମ ଯୋଗୁଁ ସବୁ ପାଇ ମଧ୍ୟ ସବୁ ତ୍ୟାଗ କରି ତପସ୍ୱୀର ଜୀବନ ଯାପନ କରୁଥିଲେ । ଭାଇମାନଙ୍କର ଏହି ମିଳନ ଦେଖି ଅଯୋଧ୍ୟା ବାସୀମାନେ ଅତି ଆନନ୍ଦରେ ଗଦ୍ଗଦ୍ ହେଉଥିଲେ । ମା’ମାନଙ୍କ ଆନନ୍ଦ କହିଲେ ନସରେ । ଏସବୁ ଦେଖି ରାଜା ବିଭୀଷଣ ଓ ବାନରରାଜା ସୁଗ୍ରୀବ ବଡ ସୁଖୀ ହେଉଥା’ନ୍ତି । ତା’ପରେ ଶ୍ରୀରାମ ପୁଷ୍ପକ ବିମାନକୁ କୁବେରଙ୍କ ନିକଟକୁ ପଠାଇ ଦେଲେ ।

ଶ୍ରୀରାମଙ୍କର ଅଭିଷେକ ପାଇଁ ସବୁ ପ୍ରକାର ଯୋଜନା କରାଗଲା । କୁଳଗୁରୁ ବଶିଷ୍ଠ ଶୂଭ ମୁହୂର୍ତ୍ତର ସୂଚନା ଦେଲେ ତପସ୍ୱୀ ଭାଇମାନେ ଜଟାଜୁଟ କାଟି ରାଜ ବେଶରେ ସଜ୍ଜିତ ହେଲେ । ଭରତ, ଲକ୍ଷ୍ମଣ, ସୁଗ୍ରୀବ ଓ ବିଭୀଷଣ ଶ୍ରୀରାମଙ୍କୁ ପୁଣ୍ୟ ଜଳରେ ସ୍ନାନ କରାଇଲେ । ଶ୍ରୀରାମଙ୍କୁ ପୁଷ୍ପ ଚନ୍ଦନରେ ସଜ୍ଜିତ କଲେ । ଏବେ ଅଯୋଧ୍ୟା ନଗରୀ ଆନନ୍ଦ ଉତ୍ସବରେ ମାତି ଉଠିଲା । ଶ୍ରୀରାମଙ୍କର ରାଜ୍ୟାଭିଷେକ ପାଇଁ ସମସ୍ତେ ଅପେକ୍ଷା କରି ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ