ବୀର ହନୁମାନ

ଦିନେ ଲବକୁଶ ସିଂହାସନରେ ବସି ନିଜର ମାତାପିତାଙ୍କ କଥା ସ୍ମରଣ କରି କାନ୍ଦୁଥା’ନ୍ତି । ତାଙ୍କର ଏପରି ଅବସ୍ଥା ଦେଖି ହନୁମାନ ସେମାନଙ୍କୁ ସାନ୍ତ୍ୱନା ଦେଇ କହିଲେ, “ତୁମେ ଦୁହେଁ ରଘୁବଂଶର ଆଲୋକ; ତୁମ ଦୁହିଁଙ୍କ ଉପରେ ସାରା ରାଜ୍ୟର ଶାସନଭାର ନ୍ୟସ୍ତ । ତୁମେମାନେ ଏପରି କ୍ରନ୍ଦନ କରିବା ଆଦୌ ଶୋଭା ପାଉନାହିଁ । ତୁମେ ଯଦି ନିଜ ପିତାମାତାଙ୍କୁ ଦେଖିବାକୁ ଚାହଁ, ତେବେ ମୁଁ ତୁମମାନଙ୍କୁ ତାହା ଅବଶ୍ୟ ଦେଖାଇବି । ଦେଖ ସେମାନେ ମୋର ହୃଦୟରେ କେତେ ଶାନ୍ତିରେ ରହିଛନ୍ତି ।” ଏତିକି କହି ସେ ନିଜ ବକ୍ଷ ଚିରି ଦେଖାଇଲେ । ଲବକୁଶ ଦେଖିଲେ ହନୁମାନଙ୍କ ହୃଦୟରେ ତାଙ୍କ ମାତାପିତା ରହିଛନ୍ତି । ସେମାନେ ଅଳ୍ପ ଅଳ୍ପ ହସୁଥା’ନ୍ତି ଓ ଆଶୀର୍ବାଦ ବି ଦେଉଥା’ନ୍ତି । ସେହି ଦୃଶ୍ୟ ଦେଖି ଲବକୁଶ ବହୁତ ସନ୍ତୁଷ୍ଟ ହେଲେ ।

ଲବକୁଶ ବଡ ହୋଇ ରାଜ୍ୟଶାସନ ବଡ ସୁଚାରୁ ରୂପେ ଚଳାଇଲେ । ପୂର୍ବର ମଣିପୁରୀ ପଶ୍ଚିମର ମଥୁରାନଗରକୁ ସେମାନେ ନିଜର ଉପରାଜଧାନୀ କଲେ । ସେହି ସମୟରେ ହଠାତ୍ ରାଜ୍ୟ ଉପରେ ଏକ ବିପଦ ପଡିଲା । ଘୋରକଳି ନାମକ ଏକ ନରରାକ୍ଷସ ଦେଶ ଉପରେ ଆକ୍ରମଣ କଲା । ତା’ସହିତ ପାହାଡି ଜାତିର ଶାସକ, କୁଶାଣ ପ୍ରଭୃତି ଥିଲେ, ସେ ଉତ୍ତର ଦିଗରୁ ଆକ୍ରମଣ କଲା ଓ ପ୍ରଜାଙ୍କ ଉପରେ ବହୁତ ଅତ୍ୟାଚାର କଲା ।

ଘୋରକଳି ସହିତ କାଳକଳି ନାମକ ସମୁଦ୍ର ରାକ୍ଷସ ହଜାର ହଜାର ନୌକା ନେଇ ଆସି ଆକ୍ରମଣ କଲା । ପୁଣି କାଳକେୟ ଜାତିର ସୈନ୍ୟ କାଳକଳିର ନିର୍ଦ୍ଧେଶରେ ସବୁ ସମ୍ପତ୍ତି ଗୋଟିଏ ଦ୍ୱୀପକୁ ନେଇ ଯାଉଥିଲା । ପ୍ରଜାମାନେ ଅତ୍ୟାଚାରିତ ଓ ଭୟଭୀତ ହେଉଥା’ନ୍ତି; ନିଜର ପ୍ରାଣ ଓ ସମ୍ପତ୍ତି କିପରି ବଞ୍ଚାଇବେ ତାହାର ଉପାୟ ଖୋଜୁଥା’ନ୍ତି । ହନୁମାନ ସେମାନଙ୍କୁ ବୁଝାଇଲେ କି ନିଜର ରକ୍ଷା ଅପେକ୍ଷା ଦେଶର ରକ୍ଷା କଥା ପ୍ରଥମେ ଭାବିବା ଉଚିତ୍ । ହନୁମାନ, ସୈନ୍ୟମାନଙ୍କୁ ଓ ପ୍ରଜାମାନଙ୍କୁ ଯୁଦ୍ଧର ନିର୍ଦ୍ଧେଶ ଦେଇ ସେମାନଙ୍କ ମନରେ ଧୈର୍ଯ୍ୟ ଓ ସାହସ ଜାଗ୍ରତ କରାଇଲେ ଓ ସେ ସ୍ୱୟଂ ନିଜେ ଯୁଦ୍ଧ ସ୍ଥଳକୁ ଗଲେ । ହନୁମାନଙ୍କ ନେତୃତ୍ୱରେ ସେମାନେ ରଣକ୍ଷେତ୍ରକୁ ଯାଇ କାଳକଳି ସହିତ ଯୁଦ୍ଧ କଲେ । ହନୁମାନ ଦୁଇଟି ଯୁଦ୍ଧକ୍ଷେତ୍ରରେ ଶହ ଶହ ମାୟାରୂପ ଧାରଣ କରି ଯୁଦ୍ଧ କଲେ । ତାଙ୍କୁ ସମସ୍ତେ କହିଲେ, “ସାହସୀ ଅଞ୍ଜନେୟ” । କୁଶ ଘୋର ଯୁଦ୍ଧ କରି ନିଜର ଅଗ୍ନିଅସ୍ତ୍ର ଦ୍ୱାରା ଘୋରକଳିକୁ ବଧ କଲେ । ତାଙ୍କ ସୈନ୍ୟମାନେ ଶତୃପକ୍ଷର ସୈନ୍ୟମାନଙ୍କୁ ଘଉଡାଇ ଦେଲେ ।

ଲବ କାଳକଳି ସହିତ ଯୁଦ୍ଧ କରି ତାକୁ ବରୁଣାସ୍ତ୍ର ଦ୍ୱାରା ମାରିଲେ । କାଳକେୟ ସୈନ୍ୟମାନଙ୍କୁ ଅଯୋଧ୍ୟାର ସୈନ୍ୟମାନେ ମାରି ପକାଇଲେ । ହନୁମାନ ତାଙ୍କ ଲାଞ୍ଜରେ ନୌକାମାନଙ୍କୁ ପିଟି ପାଟି ଡୁବାଇ ଦେଲେ । ସେଥିରେ ଥିବା ସୈନ୍ୟମାନେ ପିମ୍ପୁଡି ପରି ପାଣିରେ ଭାସିଗଲେ ।

ଏହିପରି ଦୁଇଟି ବିପୁଳ ବିଜୟ ପରେ ହନୁମାନ ପ୍ରଜା ଓ ସୈନ୍ୟମାନଙ୍କୁ କହିଲେ, “ରାମଙ୍କ ଦ୍ୱାରା ଶାସିତ ରାମରାଜ୍ୟର ସମସ୍ତ ପ୍ରଜା ଲବକୁଶଙ୍କର ଭାଇ । ଭାଇମାନେ ଏକାଠି ରହିବେ, ଏକାଠି ଚଳିବେ, ଶତ୍ରୁ ଆସିଲେ ଏକତ୍ରିତ ହୋଇ ଯୁଦ୍ଧ କରି ଦେଶ ରକ୍ଷା କରିବେ । କାରଣ ଦେଶ ତ ତୁମରି । ଜଣକର ଦୁଃଖ ବା କଷ୍ଟ ସମସ୍ତଙ୍କ ଦୁଃଖ ହେବା କଥା ଓ ସମସ୍ତେ ତାହାର ନିବାରଣ ପାଇଁ ଚେଷ୍ଟା କରିବା ଉଚିତ୍ । ସେହିପରି ସୁଖ ଆନନ୍ଦ ମଧ୍ୟ ସମସ୍ତେ ଉପଭୋଗ କରିବା ଉଚିତ୍ ।” ଏହିପରି ନାନା କଥା କହି ସେ ପ୍ରଜାମାନଙ୍କ ମଧ୍ୟରେ ଉତ୍ସାହ, ଆନନ୍ଦ ଜାଗ୍ରତ କରାଇଲେ । ଏବେ ଯୁଦ୍ଧ ତ ସମାପ୍ତ ହେଲା । ଆଉ କୌଣସି ରାକ୍ଷସ ବା ମନୁଷ୍ୟ, ଅଯୋଧ୍ୟା ଆକ୍ରମଣ କରିବାକୁ ସ୍ୱପ୍ନରେ ସୁଦ୍ଧା ଭାବିଲେ ନାହିଁ । ତା’ପରେ ଲବକୁଶ ହନୁମାନଙ୍କୁ ବିଦାୟ ଦେଇ ଗନ୍ଧମାର୍ଦନ ପର୍ବତ ଉପରେ ତାଙ୍କୁ ଛାଡି ଆସିଲେ । ହନୁମାନ ସେମାନଙ୍କୁ ଆଶୀର୍ବାଦ ଦେଲେ ଓ କହିଲେ ଯେ ସେମାନେ ଯେପରି ରଘୁବଂଶର ଗୌରବକୁ ଜାଜୁଲ୍ୟମାନ ରଖିବେ । ଦୀର୍ଘଜୀବି ହେବେ ଓ ସୁଖ ସନ୍ତୋଷର ରାଜ୍ୟ ଶାସନ କରିବେ । ଜନତାଙ୍କୁ ଉଦ୍ବୋଧନ ଦେଇ ସେ କହିଲେ ଯେ ରାମଙ୍କ ସୈନ୍ୟ ହୋଇ ରହିଲେ ବାହ୍ୟଶତ୍ରୁ ଆଉ କେବେବି କିଛି  କରିବାକୁ ସାହସ କରିବେ ନାହିଁ । ସେମାନେ ଏକତ୍ର ହୋଇ ସବୁ କଲେ ସେମାନଙ୍କ ପାଇଁ ଅସମ୍ଭବ ହୋଇ କିଛି ରହିବ ନାହିଁ ।

ପ୍ରଜାମାନେ ହାତ ଯୋଡି ତାଙ୍କୁ ପ୍ରଣାମ କଲେ ଓ “ବୀର ହନୁମାନଙ୍କର ଜୟ” ବୋଲି କହି ହନୁମାନଙ୍କର ଜୟଜୟକାର କଲେ । ତା’ପରେ ହନୁମାନ ତପସ୍ୟା କରିବାକୁ ଗନ୍ଧମାର୍ଦ୍ଦନ ପର୍ବତକୁ ଚାଲିଗଲେ । ଲବକୁଶ ସୁଚାରୁ ରୂପେ ରାଜ୍ୟଶାସନ କଲେ । ଅଯୋଧ୍ୟାବାସୀ ଶାନ୍ତିରେ ରହିଲେ ।

ହନୁମାନ ଯେତେବେଳେ ତପସ୍ୟାରେ ଲୀନ ଥିଲେ, ସେତେବେଳେ ଥରେ ତାଙ୍କ ତପସ୍ୟା ଭଙ୍ଗ ହେଲା । ସେ ଆଖି ଖୋଲି ଦେଖିଲେ ଯେ ପର୍ବତ ଛୋଟ ହୋଇଯାଇଛି । ବଡବଡ ଦ୍ରୁମମାନେ ଛୋଟ ଗଛ ପରି ଲାଗୁଛନ୍ତି । ହାତୀ ମୂଷା ପରି ଲାଗୁଛି । ସେ ମନଧ୍ୟାନ ଦେଇ ଆକାଶକୁ ଚାହିଁଲେ । ସପ୍ତର୍ଷିମଣ୍ଡଳ ଧ୍ରୁବ ତାରାଠାରୁ ଦୂରରେ ଅଛି । ସେ ଜାଣିଲେ ଯେ ଯୁଗ ପରିବର୍ତ୍ତନ ହୋଇଛି । ସେତେବେଳେ ତ୍ରିକାଳଦର୍ଶୀ ନାରଦ ସେଠାକୁ ଆସି ତାଙ୍କୁ କହିଲେ, “ଏବେ ଦ୍ୱାପର ଯୁଗ ଚାଲିଛି । ପ୍ରଥମପାଦ ମାତ୍ର ଆରମ୍ଭ ହୋଇଛି । ଏହି ଦ୍ୱାପର ଯୁଗର ଚତୁର୍ଥ ପାଦରେ ତୁମେ ଶ୍ରୀରାମଙ୍କୁ ଦର୍ଶନ କରି ପାରିବ ।” ନାରଦ ଏତିକି କହି ସେଠାରୁ ଚାଲିଗଲେ । ହନୁମାନ ପୁନଶ୍ଚ ତପସ୍ୟାରେ ଲୀନ ହୋଇଗଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ