ବୀର ହନୁମାନ

                ଅଙ୍ଗଦଙ୍କ କଥାରେ ରାବଣ ଭୀଷଣ ରାଗି ଉଠି କହିଲେ, “ମୋ ପ୍ରାସାଦରେ ପ୍ରବେଶ କରି ପୁଣି ଏତେ ଉପଦ୍ରବ? ଲଜ୍ଜା ନାହିଁ ତୋର ପିତୃହନ୍ତାକୁ ପ୍ରଭୁ ବୋଲି କହି ତୁ ତା’ର ଶରଣ ନେଇଛୁ । ପୁଣି ତା’ର ବଡାଇ ଦେଖାଉଛୁ । ଏଠାରୁ ଫେରିଯାଇ ତୁ ତୋର ପ୍ରଭୁକୁ କହି ଦେ ଯେ ସୀତାଙ୍କୁ ଫେରି ପାଇବାର ସ୍ୱପ୍ନ ସେ କେବଳ ସେମିତି ଦେଖୁଥାଉ । ଯୁଦ୍ଧ କରିବାକୁ ଆସି ଯୁଦ୍ଧ ପୂର୍ବରୁ ଏତେ ମୃତ୍ୟୁଭୟ? ଶାନ୍ତିରକ୍ଷା କରିବା ହେଉଛି କାପୁରୁଷମାନଙ୍କର ଭାଷା । ମାତ୍ର ବୀରମାନଙ୍କ ଭାଷା ହେଲା ଯୁଦ୍ଧ । ଏଥିଲାଗି ମୁଁ ପ୍ରସ୍ତୁତ; ସେ ଜଟାଧାରୀକୁ କହ ଆଜିହିଁ ଯୁଦ୍ଧ ଆରମ୍ଭ କରୁ ।” ତା’ପରେ ଅଙ୍ଗଦ ପ୍ରାସାଦର ଏକ ଗମ୍ବୁଜ ଭାଙ୍ଗିଦେଇ ସିଂହନାଦ କରି ଶ୍ରୀରାମଙ୍କ ନିକଟକୁ ଫେରିଗଲେ । ଏସବୁ ରାବଣ ପାଇଁ ଅଶୁଭର ଚିହ୍ନ ଥିଲା; ଯେହେତୁ ଜଣେ ବାନରହିଁ ଏସବୁ କରିଥିଲା । ତେଣୁ ସେ ଅଧିର ହୋଇ ଚାରିଆଡକୁ ଦୃଷ୍ଟିପାତ କଲା ।

                ତେଣେ ବାନର ସୈନ୍ୟମାନେ ଯୁଦ୍ଧ କରିବା ପାଇଁ ବ୍ୟସ୍ତ ହୋଇ ପଡିଲେଣି; ସେମାନେ ଯାହା କେବଳ ସଙ୍କେତର ଅପେକ୍ଷାରେ ହିଁ ଥା’ନ୍ତି । ସୁଷେଣ ସୈନ୍ୟବଳ ଧରି ଲଙ୍କାର ମୁଖ୍ୟଦ୍ୱାର ଘେରି ରହିଥା’ନ୍ତି । ଦୁର୍ଗ ଭିତରେ ବି ରାବଣର ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ଧରି ପ୍ରସ୍ତୁତ ହୋଇ ରହିଥା’ନ୍ତି । ଇତିମଧ୍ୟରେ ଦୁର୍ଗ ଭିତରେ ଥିବା ରାକ୍ଷସ ସୈନ୍ୟମାନେ ଯୁଦ୍ଧର ପରିସ୍ଥିତି ନିରୀକ୍ଷଣ କରି ଭୟଙ୍କର ବିପଦର ସମ୍ଭାବନା ବିଷୟରେ ରାବଣକୁ ସୂଚନା ଦେଲେ । ରାବଣ ବିଶ୍ୱାସ କରି ପାରୁନାହିଁ ଯେ ନରବାନର ତ ରାକ୍ଷସମାନଙ୍କର ଭକ୍ଷ, ତଥାପି ମଧ୍ୟ ଏତେ ଭୟ କାହିଁକି?

ଏଣେ ଶ୍ରୀରାମ ଓ ତାଙ୍କ ସୈନ୍ୟମାନେ ରାକ୍ଷସମାନଙ୍କର ସୈନ୍ୟସଜ୍ଜା ଇତ୍ୟାଦି ଦୂରରୁ ନିରୀକ୍ଷଣ କରୁଥା’ନ୍ତି । ତାଙ୍କ ମନରେ ଏହି ଚିନ୍ତା ଆସିଲା କି ଗଡ ଭିତରେ ସୀତା ବନ୍ଦିନୀ ହୋଇ ଅଛନ୍ତି । ତେଣୁ ତାଙ୍କ ମନରେ ରୁଦ୍ରଭାବର ଜାଗ୍ରତ ହେଲା । ସେ କହିଲେ, “ଆଉ କ୍ଷଣେ ମାତ୍ର ବିଳମ୍ବ କରନାହିଁ, ଏଣିକି ଆକ୍ରମଣ କର ।” ବାନର ବୀରମାନେ ତ ପୂର୍ବରୁହିଁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ । ସଙ୍କେତ ପାଇବା ମାତ୍ରେ ଆକ୍ରମଣ ତୁରନ୍ତ ଆରମ୍ଭ ହୋଇଗଲା । ବିଭୀଷଣ ତାଙ୍କ କବଚ ପିନ୍ଧି କେତେକ ଯୋଦ୍ଧାଙ୍କ ସହିତ ଶ୍ରୀରାମଙ୍କ ପାଖରେହିଁ ରହୁଥିଲେ । ସେପଟେ ରାକ୍ଷସ ସୈନ୍ୟମାନେ ମଧ୍ୟ ଆକ୍ରମଣ ପାଇଁ ଅପେକ୍ଷା କରିଥିଲେ । ରାବଣର ଆଦେଶ ପାଇବା ମାତ୍ରେ ସେମାନେ ସିଂହନାଦ କରି ଯୁଦ୍ଧ ଆରମ୍ଭ କରିଦେଲେ । ଯୁଦ୍ଧବାଦ୍ୟ ସବୁ ବାଜି ଉଠିଲା । ରାକ୍ଷସମାନଙ୍କର ଗଦା, ଶୁଳ ଓ ପରଶୁ ଇତ୍ୟାଦି ଥିବାବେଳେ ଅଧିକାଂଶ ବାନର ଗଛ ଓ ପଥର ସବୁ ଧରି ଯୁଦ୍ଧ କରୁଥା’ନ୍ତି । ବାନରମାନେ ଲମ୍ପ ଦେଇ ହଠାତ୍ ପ୍ରାଚୀର ଉପରେ ପହଁଚି ଯାଇ ରାକ୍ଷସ ସୈନ୍ୟଙ୍କୁ ସେଠାରୁ ତଳକୁ ଗଡାଇ ପକାଉଥା’ନ୍ତି । ଭୟଙ୍କର ଶବ୍ଦ ଓ କୋଳାହଳ ସବୁ ଶୁଭୁଥାଏ ।

ଏଣେ ଇନ୍ଦ୍ରଜିତ ଓ ଅଙ୍ଗଦଙ୍କ ମଧ୍ୟରେ, ହନୁମାନ ଓ ଜମ୍ବୁମାଳୀ ମଧ୍ୟରେ ଦ୍ୱନ୍ଦଯୁଦ୍ଧ ଚାଲିଥାଏ । ସୁଗ୍ରୀବ ଓ ପ୍ରଘସ ନାମକ ଏକ ରାକ୍ଷସ ଏବଂ ଲକ୍ଷ୍ମଣ ବିରୁପାକ୍ଷ ନାମକ ରାକ୍ଷସ ସହିତ ଯୁଦ୍ଧ କରୁଥା’ନ୍ତି ।

ସେ ଯୁଦ୍ଧ ବଡ ଭୟାନକ ଥିଲା । ବିଭୀଷଣଙ୍କ ମନ୍ତ୍ରୀ ସମ୍ପାତି ଓ ପ୍ରଜଙ୍ଘଙ୍କ ମଧ୍ୟରେ ବି ଦ୍ୱନ୍ଦଯୁଦ୍ଧ ଚାଲିଥାଏ । ଅଙ୍ଗଦ ଇନ୍ଦ୍ରଜିତର ରଥ ସାରଥି ସବୁ ନଷ୍ଟ କରି ପକାଇବାରୁ ସେ ରଣଭୂମିରୁ ପଳାଇଲା । ସୁଗ୍ରୀବ ପ୍ରଘସକୁ ଯମଲୋକକୁ ପଠାଇଲେ । ଅନ୍ୟାନ୍ୟ ଦ୍ୱନ୍ଦଯୁଦ୍ଧରେ ରାକ୍ଷସ ଯୋଦ୍ଧାମାନେ ବଡ ଦୟନୀୟ ଭାବରେ ହାରୁଥିଲେ । ଚାରିଜଣ ରାକ୍ଷସ ଶ୍ରୀରାମଙ୍କ ଉପରକୁ ବାଣ ଚଳାଇଲେ । ଶ୍ରୀରାମ ଏହାର ଉତ୍ତର ଦେଲେ । ତାଙ୍କର ଗୋଟିଏ ବାଣ ସେ ଚାରିଜଣକ ମୁଣ୍ଡ ଉଡାଇ ଦେଲା । ମୈନ୍ଦ ନିଜର ମୁଷ୍ଟି ଦ୍ୱାରା ବଜ୍ରମୁଷ୍ଟି ରାକ୍ଷସକୁ ମାରିଲେ । ସୁଷେଣ ବିଦ୍ୟୁନ୍ମାଳୀକୁ ମାରି ପକାଇଲେ ।

ପ୍ରାୟ ସୂର୍ଯ୍ୟାସ୍ତ ହେବାକୁ ବସିଲାଣି । ଯୁଦ୍ଧ ଶେଷ ହେବାର କୌଣସି ନାମଗନ୍ଧହିଁ ନାହିଁ । ରାକ୍ଷସଗୁଡା ଯୁଦ୍ଧଭୂମିରୁ ବାନରମାନଙ୍କ ମୃତ ଶରୀର ଗୋଟାଇ ନେଇ ଆରାମରେ ଖାଉଥାନ୍ତି । ରାକ୍ଷସଙ୍କୁ ଚିହ୍ନିବାରେ ବିଶେଷ କିଛି କଷ୍ଟ ହେଉ ନଥାଏ । ସେମାନଙ୍କ ଦାନ୍ତ ବଡ ବଡ ଓ ସେମାନେ ସୁନାର ଅଳଙ୍କାର ସବୁ ପିନ୍ଧିଥା’ନ୍ତି । ତେଣୁ ବାନରମାନେ ସେମାନଙ୍କୁ ଦେଖିବା ମାତ୍ରେ ତତ୍କ୍ଷଣାତ୍ ଆକ୍ରମଣ କରି ମାରି ପକାଉଥା’ନ୍ତି ।

ଇନ୍ଦ୍ରଜିତର ରଥ ଓ ସାରଥି ନଷ୍ଟ ହେବା ପରେ ସେ ଫେରିଯାଇ ପୁଣି ନୂଆ ରଥ ସାରଥି ଆଣି ଆସିଲା, ଦେଖିଲା ଶ୍ରୀରାମ ଲକ୍ଷ୍ମଣ ଏକା ଠିଆ ହୋଇଛନ୍ତି । ତେଣୁ ସେ ଅଦୃଶ୍ୟ ଭାବରେ ରହି ନାଗଫାଶ ଅସ୍ତ୍ର ପଠାଇ ସେ ଦୁଇଭାଇଙ୍କୁ ବାନ୍ଧି ପକାଇଲା ଓ କହିଲା, “ମୁଁ ଯେତେବେଳେ ଅଦୃଶ୍ୟ ହୋଇ ଯୁଦ୍ଧ କରେ ସେତେବେଳେ ଇନ୍ଦ୍ର ସୁଦ୍ଧା ବି ମୋତେ ଜିତି ପାରିବେ ନାହିଁ । ତୁମେମାନେ ସେମିତି ପଡିଥିବ । ନାଗମାନେ ତୁମର ପ୍ରାଣ ଶୋଷି ନେବେ । ହେଲେ ମୋର କେହି କିଛିବି କରିପାରିବେ ନାହିଁ ।” ଏହା କହି ସେ ସିଂହନାଦ କଲା ।

ଶ୍ରୀରାମ ଲକ୍ଷ୍ମଣ ନାଗଫାଶରେ ପଡି ମୂର୍ଚ୍ଛିତ ହୋଇଥା’ନ୍ତି । ସେମାନଙ୍କ ଦେହରୁ ରକ୍ତ ବହୁଥାଏ । ଏମାନଙ୍କର ଏପରି ଅବସ୍ଥା ଦେଖି ସମସ୍ତେ ବଡ ଦୁଃଖୀତ ହେଲେ । ସେମାନେ ଇନ୍ଦ୍ରଜିତର ସ୍ଥିତି ଖୋଜିଲେ ହେଲେ ତାକୁ କେହିବି ଦେଖିପାରିଲେ ନାହିଁ । ସେ ମାୟା ରଚନା କରିଥିଲା । କେବଳ ବିଭୀଷଣହିଁ ତାକୁ ଦେଖି ପାରୁଥିଲେ । ଏବେ ଇନ୍ଦ୍ରଜିତ ଅନ୍ୟ ରାକ୍ଷସ ବୀରଙ୍କ ସମ୍ମୁଖରେ ନିଜର ବଡପଣିଆ ଦେଖାଇ କହୁଥାଏ, “ଦେଖିଲ ତ ରାମଲକ୍ଷ୍ମଣଙ୍କ ପରାକ୍ରମ । ମୋ ବାଣ ଆଗରେ ସେମାନେ ବା ଆଉ କେତେ ସମୟ ତିଷ୍ଠିବେ? ସେହି ଭୟଙ୍କର ନାଗଫାଶରୁ ତାଙ୍କୁ କେହିବି ଖୋଲି ପାରିବେ ନାହିଁ । ଭାବିନିଅ ଯେ ସେମାନଙ୍କର ମୃତ୍ୟୁ ହୋଇଗଲା ଓ ସେ ହାରିଗଲେ ।”

ତା’ପରେ ସେ ଅସ୍ତ୍ରଶସ୍ତ୍ର ନେଇ ଅନ୍ୟ ବାନର ବୀରମାନଙ୍କୁ ଆକ୍ରମଣ କଲା । ନିଜେ ଅଦୃଶ୍ୟ ଭାବରେ ଥାଏ । ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଶରୀର ନିଶ୍ଚେଷ୍ଟ ହେବାରୁ ଇନ୍ଦ୍ରଜିତ ଭାବିଲା ସେମାନେ ମରିଗଲେ । ତେଣୁ ରାକ୍ଷସମାନଙ୍କ ସହିତ ନାନା ପ୍ରକାର ବିଜୟସୂଚକ ଧ୍ୱନି କରି ସେ ପ୍ରାସାଦ ଭିତରକୁ ଚାଲିଗଲା ।

ଶ୍ରୀରାମ ଲକ୍ଷ୍ମଣଙ୍କର ଏପରି ଅବସ୍ଥା ଦେଖି ସୁଗ୍ରୀବ ବଡ ହତୋତ୍ସାହ ହୋଇ କାନ୍ଦିବାକୁ ଲାଗିଲେ । ବିଭୀଷଣ କହିଲେ, “ଏପରି ବିପଦ ସମୟରେ ଏହାର କୌଣସି ପ୍ରତିକାର ନ ଖୋଜି ଆପଣ ବିଳାପ କରୁଛନ୍ତି? ଧୈର୍ଯ୍ୟ ଧରନ୍ତୁ । ସେମାନେ ମୃତ ନୁହଁନ୍ତି, କେବଳ ମୂର୍ଚ୍ଛିତ ହୋଇ ପଡିଛନ୍ତି । ସେମାନେ ଅଳ୍ପ ସମୟ ମଧ୍ୟରେ ଝାଡିଝୁଡି ହୋଇ ଉଠିବେ । ସୁତରାଂ ଡରିବାର କୌଣସି କାରଣ ନାହିଁ ।” ଏପରି ନାନା କଥା କହି ସେ ତାଙ୍କୁ ସାନ୍ତ୍ୱନା ଦେଲେ ।

ଇନ୍ଦ୍ରଜିତ ଗଡ ଭିତରେ ପହଁଚି ରାବଣକୁ ସୂଚନା ଦେଲା ଯେ ସେ ରାମଲକ୍ଷ୍ମଣଙ୍କୁ ମାରିଦେଇ ଆସିଛି । ପୁତ୍ରର ବୀରତ୍ୱ ଓ ବିଜୟରେ ରାବଣ ଆନନ୍ଦରେ ଗଦ୍ଗଦ୍ ହୋଇ ତାକୁ ଆଲିଙ୍ଗନ କରି କହିଲା, “ପୁତ୍ର, ଏସବୁ କିପରି ସମ୍ଭବ ହେଲା?” ତା’ପରେ ଇନ୍ଦ୍ରଜିତ ସାରା ଯୁଦ୍ଧର ସମଗ୍ର ଘଟଣା ରାବଣକୁ ଶୁଣାଇଲା ।

ରାବଣ ଇନ୍ଦ୍ରଜିତର ବହୁତ ପ୍ରଶଂସା କଲା ଓ ପୁଣି ଯୁଦ୍ଧ କରିବାକୁ କହିଲା । ସଙ୍ଗେ ସଙ୍ଗେ ସେ ସୀତାଙ୍କ ପାଖରେ ଜଗି ରହିଥିବା ଦୁଇ ତିନିଜଣ ରାକ୍ଷସୀଙ୍କୁ ଡାକି କହିଲା, “ସୀତାକୁ ଯାଇ କହ ଯେ ଇନ୍ଦ୍ରଜିତ ଗୋଟାଏ ବାଣରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଧରାଶାୟୀ କରିଦେଇଛି । ସେମାନେ ଅଳ୍ପ ସମୟ ଭିତରେ ମରିଯିବେ । ତା’ର ଯଦି ଇଚ୍ଛା ହୁଏ ତ ପୁଷ୍ପକ ବିମାନ ଉପରେ ବସି ସେ ଦେଖିଆସୁ । ଯଦି ଏସବୁ ପରେ ସେ ପୁଣି ରାମକୁ ଛାଡିବ ନାହିଁ ତେବେ ତା’ର ନିହାତି ବୋକାମି ହେବ । ସେ ମୋତେ ଭଜନା କରୁ ।”

ରାକ୍ଷସୀମାନେ ଅଶୋକବାଟିକାରେ ପହଁଚି ଏସବୁ କଥା କହିଲେ । ଏଣେ ରାବଣ ଚାରିଆଡେ ପତାକା ଓ ଦୀପ ଫୁଲରେ ଇନ୍ଦ୍ରଜିତର ବିଜୟ ଉତ୍ସବ ପାଳିବାରେ ଲାଗିଛି । ସୀତା ଏକଥା ଶୁଣି ବହୁତ ବିଳାପ କଲେ । ସେ ତାଙ୍କ ମନେ ମନେ ଭାବିଲେ ଯେ ତାଙ୍କ ବିଷୟରେ ତ ଜ୍ୟୋତିଷମାନେ ଓ ମୁନିଋଷିମାନେ କହିଛନ୍ତି ଯେ ତାଙ୍କର ବିଧବା ଯୋଗ ଆଦୌ ନାହିଁ । ସେ ସାମ୍ରାଜ୍ଞୀ ହୋଇ ସିଂହାସନରେ ବସିବେ । ରାମ ଅଶ୍ୱମେଧ ଯଜ୍ଞ କରିବେ ଓ ଏମିତି ଆହୁରି ଅନେକ କଥା । କିନ୍ତୁ ଆଜି ଏସବୁ କ’ଣ ହୋଇଗଲା । ସେ ସମସ୍ତ କଥା କ’ଣ ଭ୍ରମ ଥିଲା? ସୀତାଙ୍କର ଗଭୀର ଦୁଃଖ ଓ ବିଳାପ ଦେଖି ତ୍ରିଜଟା ତାଙ୍କୁ ସାନ୍ତ୍ୱନା ଦେଇ କହିଲା ଏସବୁ ମିଛ କଥା । ଯଦି ବା ଅଳ୍ପ ସମୟ ପାଇଁ ତାଙ୍କର ମୂର୍ଚ୍ଛା ହୋଇଥାଏ ତେବେ ଶୀଘ୍ରହିଁ ସେ ଭଲ ହୋଇ ପୁଣି ଯୁଦ୍ଧ କରିବେ । ଏଥିରେ ଚିନ୍ତା କରିବାର କିଛି ନାହିଁ । ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ସୁରକ୍ଷିତ ରଖିବା ପାଇଁ ସୀତା ଧୈର୍ଯ୍ୟ ଧରି ମା’ ଦୁର୍ଗାଙ୍କୁ ସ୍ତୁତି କଲେ ।

                ଇତିମଧ୍ୟରେ ସମସ୍ତିଙ୍କ ଅଲକ୍ଷ୍ୟରେ ହନୁମାନ ସ୍ୱର୍ଗକୁ ଯାଇ ଗରୁଡଙ୍କୁ ସାଥିରେ ନେଇ ଆସିଲେ । ଗରୁଡ ପ୍ରଭୁଙ୍କୁ ଏପରି ଅବସ୍ଥାରେ ଦେଖି ବଡ କଷ୍ଟ ପାଇଲେ । ଗରୁଡଙ୍କର ଉପସ୍ଥିତ ମାତ୍ରେ ନାଗମାନେ ସେଠାରୁ ପଳାୟନ କଲେ । ଶ୍ରୀରାମ ଓ ଲକ୍ଷ୍ମଣ ଦୁହେଁ ପୁଣି ସୁସ୍ଥ ହେଲେ । ଯୁଦ୍ଧ ପୁଣି ଘମାଘୋଟ ଲାଗିଲା ।

                ପରଦିନ ଅନ୍ୟମାନଙ୍କ ଯୁଦ୍ଧ ସବୁଦିନ ପରି ଚାଲୁଥିଲେ ମଧ୍ୟ ଲକ୍ଷ୍ମଣ ଓ ଇନ୍ଦ୍ରଜିତର ସମ୍ମୁଖ ଯୁଦ୍ଧ ଚାଲିଲା । ଇନ୍ଦ୍ରଜିତ ବୀର ଲକ୍ଷ୍ମଣଙ୍କ ବାଣରେ ଆଉ ବେଶି ସମୟ ତିଷ୍ଠି ପାରିଲା ନାହିଁ ବୋଲି ମାୟା ଯୁଦ୍ଧ ରଚନା କରି ନିଜେ ମେଘ ଉହାଡରେ ଲୁଚି ଯୁଦ୍ଧର ନିୟମ ଭଙ୍ଗ କରି ଲକ୍ଷ୍ମଣଙ୍କୁ ଶୁଳ ମାରି ଧରାଶାୟୀ କଲା । ସେଦିନ ସଂଧ୍ୟା ହେବାରୁ ଯୁଦ୍ଧ ସିନା ବନ୍ଦ ହେଲା, କିନ୍ତୁ ଶ୍ରୀରାମଙ୍କ ଶିବିରରେ ପୁଣି ହାହାକାର ପଡିଗଲା । ନିଜେ ଶ୍ରୀରାମ ମଧ୍ୟ ପିଲାଙ୍କ ପରି କାନ୍ଦୁଥିଲେ ଓ ହତୋତ୍ସାହ ହୋଇ ପଡିଥିଲେ, କିନ୍ତୁ ପରମ ଭକ୍ତ ହନୁମାନ ଓ ବିଭୀଷଣ ଦୁହେଁ ଶାନ୍ତ ଥିଲେ । ସେମାନେ ଜାଣିଥିଲେ ଏହାର କିଛି ପ୍ରତିକାର ନିଶ୍ଚୟ ହେବ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ