ବୀର ହନୁମାନ

ଲଙ୍କା ନଗରୀର ଚାରିପାଖରେ ଗଭୀର ଖାଇ ଥିଲା । ସେ ପାଣିରେ ଅସଂଖ୍ୟ ପଦ୍ମଫୁଲ ଫୁଟୁଥିଲା । ଚାରିପଟେ ସୈନ୍ୟଗଣ ଜଗି ରହିଥିଲେ । ସୁନ୍ଦର ସୁନ୍ଦର ଅଟ୍ଟାଳିକାମାନ ଶୋଭା ପାଉଥିଲା । ଦୁର୍ଗ ଉପରେ ପତାକାମାନ ଉଡୁଥିଲା । ଦୂରରୁ ଦେଖାଯାଉଥିଲା ଯେପରି ନଗରୀଟି ଆକାଶରେ ନିର୍ମାଣ ହୋଇ ଝୁଲୁଛି । ଏହି ସୁନ୍ଦର ନଗରୀକୁ ଦେବଶିଳ୍ପୀ ସ୍ୱୟଂ ବିଶ୍ୱକର୍ମା ନିର୍ମାଣ କରିଥିଲେ ।

ହନୁମାନ ଧୀର ଭାବରେ ଲଙ୍କାର ଉତ୍ତର ଦ୍ୱାରରେ ଯାଇ ପହଁଚିଲେ ଓ ରାବଣର ସୈନ୍ୟବାହିନୀ କଳନା କରିବାକୁ ଚେଷ୍ଟା କଲେ । ସେ ଦେଖିଲେ ରାବଣକୁ ଜିତିବା ଏତେ ସହଜ ନୁହେଁ । ଆଗରୁ ଏହା କୁବେରଙ୍କ ନଗରୀ ଥିଲା । ଏତେ ବଡ ନଗରୀ ଓ ପ୍ରହରୀମାନଙ୍କୁ ଦେଖି ହନୁମାନ ଭାବିଲେ ଯେ ଏଠାକୁ ବାହାରୁ ଆସିବା କେତେ କଷ୍ଟ ପୁଣି ଯୁଦ୍ଧରେ ଜିତିବା ତ ଆହୁରି କଷ୍ଟ । ଶ୍ରୀରାମ କ’ଣ ଏ ମହାନଗରୀକୁ କେବେବି ଜିତି ପାରିବେ? କାରଣ ବାନର ସୈନ୍ୟଙ୍କର ଦାୟିତ୍ୱ ତ ପୁଣି ଶ୍ରୀରାମଙ୍କୁ ନେବାକୁ ପଡିବ । ଦେବତାମାନେ ଭୟରେ ଯେଉଁ ରାକ୍ଷସର ସେବା କରୁଛନ୍ତି ତାକୁ କିପରି ଜିତି ହେବ । ରାକ୍ଷସମାନେ ତ ସ୍ୱଭାବତଃ କ୍ରୁର । ଶାନ୍ତିପୂର୍ଣ୍ଣ ଭାବରେ ସେମାନଙ୍କୁ ଜିତିବା ତ ଅସମ୍ଭବ । ପ୍ରଥମ ସମସ୍ୟା ସାଗର କିପରି ପାରି ହେବେ । ଏପରି ସବୁ ସମସ୍ୟାମାନ ହନୁମାନଙ୍କ ମନ ଭିତରେ ଆସିବାରୁ ସେ ବଡ ଚିନ୍ତିତ ହୋଇ ପଡିଲେ । କିନ୍ତୁ ତାହା କ୍ଷଣିକ ପାଇଁ । ଯେଉଁ ମୁହୂର୍ତ୍ତରେ ସେ ଭଗବାନ ଶ୍ରୀରାମଙ୍କୁ ସ୍ମରଣ କଲେ ଏସବୁ ଚିନ୍ତା ତାଙ୍କ ମନରୁ ଦୂର ହୋଇଗଲା; କାରଣ ସେ ଭାବିଲେ ଶ୍ରୀରାମ ନିଜେ କ୍ଷୀରସାଗରର ଅନନ୍ତ ଶଯ୍ୟାରେ ଶାୟିତ ଶ୍ରୀନାରାୟଣ, ତାଙ୍କ ପାଇଁ ପୁଣି କ’ଣ ବା ସମସ୍ୟା ହୋଇପାରେ । ସେ ଯାହା ଚାହିଁବେ ତାହାହିଁ ହେବ ।

ତା’ପରେ ସେ ଭାବିଲେ ଏତେଗୁଡାଏ ଚିନ୍ତା କରିବା ହାସ୍ୟାସ୍ପଦ ଓ ନିରର୍ଥକ; କାରଣ ସୀତାଠାବ କରିବାହିଁ ଏବେ ମୋର ପ୍ରଥମ କର୍ତ୍ତବ୍ୟ । ସୀତା ଜୀବନରେ ଅଛନ୍ତି ନା ନାହାଁନ୍ତି, ଥିଲେ ସେ ଏବେ କେଉଁଠି ଓ କିପରି ଅଛନ୍ତି ସେସବୁ ନ ଜାଣିଲେ ଏଠାକୁ ଆସିବାର ବା ଏତେ କଷ୍ଟ କରିବାର କୌଣସି ଅର୍ଥ ନାହିଁ । ଏବେ ପ୍ରଥମ ସମସ୍ୟା କିପରି ନଗରୀ ଭିତରେ ପ୍ରବେଶ କରିବେ । ଭାବିଚିନ୍ତି ସେ ଠିକ୍ କଲେ ସୂର୍ଯ୍ୟାସ୍ତ ପରେ ସେ ଛୋଟ ରୂପରେ ନଗରୀରେ ପ୍ରବେଶ କରିବେ । ତେଣୁ ଚୁପ୍ଚାପ୍ ଅପେକ୍ଷା କରି ସେ ରହିଲେ । ସୂର୍ଯ୍ୟାସ୍ତ ପରେ ଗୋଟିଏ ଛୋଟ ବିଲେଇ ପରି ସେ ତାଙ୍କ ଶରୀରକୁ ଛୋଟ କରିଦେଲେ । ତା’ପରେ କୌଣସି ଏକ ଦ୍ୱାରରେ ପଶିଯାଇ ସେ ଅନେକ ସ୍ଥାନ ବୁଲି ବୁଲି ଦେଖିଲେ । ତା’ପରେ ପ୍ରଧାନ ଦ୍ୱାରରେ ଯିବାବେଳେ ଲଙ୍କା ନଗରୀକୁ ସର୍ବଦା ରକ୍ଷା କରୁଥିବା ଲଙ୍କିନୀର ଆଖି ସେ ଛୋଟ ହନୁମାନ ଉପରେ ଯାଇ ପଡିଲା । ଲଙ୍କିନୀ ହେଉଛନ୍ତି ଲଙ୍କା ନଗରୀର ରକ୍ଷାକର୍ତ୍ତା । ସେ ଲଙ୍କାକୁ ସର୍ବଦା ଜଗି ରହିଥା’ନ୍ତି । ବ୍ରହ୍ମାଙ୍କ ବରଦାନ ଯୋଗୁଁ ସେ ଏପରି ଆସି ଜଗିଥା’ନ୍ତି । ସେ ହନୁମାନଙ୍କର ରାସ୍ତା ବନ୍ଦ କରି ପଚାରିଲେ, “ହେ, ତୁ କିଏ? ଏତେବେଳେ ଚୁପ୍ଚାପ୍ ଦ୍ୱାର ଦେଶରେ ଭିତରକୁ ପଶି ଯାଉଛୁ? ପୁଣି କାହାର ଅନୁମତି ବିନା, ତୁ ପୁଣି ଏକ ବାନର ପରି ଦେଖାଯାଉଛୁ । ବାନରର ତ ଲଙ୍କାରେ ପ୍ରବେଶ ନିଷେଧ ।”

ହନୁମାନ ସଂକ୍ଷିପ୍ତ ଉତ୍ତର ଦେଇ କହିଲେ, “ତୁମେ ଯାହା ପଚାରିବ ମୁଁ ତୁମକୁ ସବୁ ବିନା ଦ୍ୱିଧାରେ କହିଦେବି । କିନ୍ତୁ ତା’ ପୂର୍ବରୁ କୁହ ତୁମେ କିଏ? ମୋର ପଥରେ ବାଧା ଦେଉଛ?”

ଲଙ୍କିନୀ ରାଗିକରି କହିଲେ “ମୁଁ ମହାପରାକ୍ରମୀ ରାଜା ରାବଣଙ୍କର ସେବିକା ତଥା ଏ ଲଙ୍କା ନଗରୀର ରକ୍ଷକ ଲଙ୍କିନୀ । ବ୍ରହ୍ମାଙ୍କ ଆଦେଶରେ ମୁଁ ଏଠାରେ ପହରା ଦେଉଛି । ତୁ ଯଦି ଭିତରକୁ ଯିବୁ ତ ପ୍ରଥମେ ମୋତେ ପରାଜିତ କରିବା ପରେ ଯାଇ ଭିତରକୁ ଯିବୁ । କିନ୍ତୁ ମୋତେ ପରାଜିତ କରିବା ଏତେ ସହଜ ନୁହେଁ । ତେଣୁ ଚାଲ ପ୍ରଥମେ ତୋତେ ମୁଁ ଯମ ଘରକୁ ପଠାଇଦିଏ ତେବେ ଆଉ କୌଣସି ସମସ୍ୟା ରହିବ ନାହିଁ ।”

ହନୁମାନ କହିଲେ “ମୋ ମନରେ ପ୍ରବଳ ଇଚ୍ଛା ଥିଲା ଯେ ନଗରୀଶ୍ରେଷ୍ଠା ଲଙ୍କାକୁ ଥରେ ମନ ପୁରାଇ ଦେଖିବି । ସେଥିପାଇଁ ଏଠାକୁ ଆସିଥିଲି ।”

ଲଙ୍କିନୀ କହିଲେ “ଥରେ କହିଲି ନା ଲଙ୍କା ନଗରୀରେ ପ୍ରବେଶ କରିବା ପୂର୍ବରୁ ମୋତେ ଯୁଦ୍ଧରେ ହରାଇବାକୁ ପଡିବ ।”

ହନୁମାନ ବିନମ୍ର ଭାବରେ କହିଲେ “ମୋତେ ଏହି ସୁନ୍ଦର ନଗରୀକୁ ଦେଖିବାକୁ ଦିଅ । ତା’ପରେ ପଛେ ତୁମେ ମୋତେ ଖାଇବ ବା ମୁଁ ଏଠାରୁ ଚାଲିଯିବି ।”

ଲଙ୍କିନୀ ବା ହନୁମାନଙ୍କ କଥା କେଉଁଠି ଶୁଣୁଛନ୍ତି? ସେ ରାଗିଯାଇ ଚିତ୍କାର କରି ଗୋଟିଏ ପ୍ରହାର ଦେଲେ । ହନୁମାନ ନିଜ ସ୍ଥାନରୁ ଘୁଂଚିଗଲେ ଫଳରେ ତାଙ୍କ ଦେହରେ କିଛି ବାଜିଲା ନାହିଁ । ତା’ପରେ ସେ ତାଙ୍କ ନିଜରୂପ ଧାରଣ କରି ଲଙ୍କିନୀଙ୍କୁ ବାମ ହାତରେ ଏକ ନିର୍ଘାତ ଚାପୁଡା ପିଟିଲେ । ସେତକ ସେ ସହ୍ୟ କରି ନପାରି ପଡିଗଲେ ଓ ଏକ ଆହତପକ୍ଷୀ ପରି ତଳେ ପଡି ଖାଲି ଛଟପଟ ହେଲେ । କିନ୍ତୁ ସେହି ଯନ୍ତ୍ରଣା ମଧ୍ୟରେହିଁ ସେ ଉଚ୍ଚ ସ୍ୱରରେ କହିଲେ, “ମୋତେ ମାରନାହିଁ, ତୋର ଯାହା ଇଚ୍ଛା କର, ମୁଁ ଜାଣିଲି ଯେ ତୁ ବହୁତ ବଳଶାଳୀ ଓ ପରାକ୍ରମୀ । ମୋତେ ସ୍ୱୟଂ ବ୍ରହ୍ମା ଏହା କହିଥିଲେ କି ଯଦି କେବେ ବାନର ମୋ ସହିତ ଯୁଦ୍ଧ କରି ମୋତେ ହରାଇବ ଜାଣିବ ଯେ ସେହିଦିନଠାରୁ ଅସୁରମାନଙ୍କର ନିପାତ ହେବାର ସମୟ ଆସିବ । ଅସୁରମାନଙ୍କର ତଥା ଲଙ୍କାର ଭାଗ୍ୟରେ ବିପର୍ଯ୍ୟୟ ଆରମ୍ଭ ହେବ । ମୁଁ ଏବେ – ଏହି ବିପତ୍ତିର କାରଣ ଠିକ୍ ଉପଲବ୍ଧି କରିପାରୁଛି । ରାବଣ ସୀତାମାତାଙ୍କୁ ଅପହରଣ କରି ଯେଉଁ ପାପ ଅର୍ଜ୍ଜିଛି ତାହାର ପରିଣାମ ତ ଆମକୁହିଁ ଭୋଗିବାକୁ ହେବନା ।”

                ତା’ପରେ ହନୁମାନ ପ୍ରଧାନ ଦ୍ୱାର ଦେଇ ନଗରୀରେ ପ୍ରବେଶ କଲେ ସେ ଲଙ୍କା ନଗରୀରେ ପ୍ରଥମେ ବାମପାଦ ସ୍ଥାପନ କରିଥିଲେ, କାରଣ ତାହା ଶତୃତାର ଚିହ୍ନ । ସେ ବୁଲି ବୁଲି ସବୁ ଦେଖିବାକୁ ଲାଗିଲେ, ରାତ୍ରିରେ ନଗରୀରେ କେହି ସୁପ୍ତ ନଥିଲେ, କାରଣ ସେ ନଗରୀ ନିଶାଚରମାନଙ୍କ ଦ୍ୱାରା ଅଧ୍ୟୁଷିତ ଥିଲା । ନାରୀ ଓ ପୁରୁଷମାନେ ମଦ୍ୟପାନ କରି ନୃତ୍ୟଗୀତ ପ୍ରଭୃତି ନାନା ପ୍ରକାର ଆମୋଦ ପ୍ରମୋଦରେ ବୁଡି ରହିଥିଲେ । ସେଥିପାଇଁ ଅଟ୍ଟାଳିକା ଗୁଡିକ କୋଳାହଳରେ ପୂର୍ଣ୍ଣ ଥିଲା । କେଉଁଠାରେ ବା ଦ୍ୟୁତକ୍ରୀଡା, କେଉଁ କକ୍ଷରୁ ନୂପୁରର ସିଞ୍ଜିନୀ, କେଉଁଠାରୁ ନାନା ପ୍ରକାରର ଆଳାପ ଆଲୋଚନା ଇତ୍ୟାଦିର ଶବ୍ଦ ଶୁଣା ଯାଉଥିଲା । ହନୁମାନ ଏସବୁ ଟିକିନିଖି ନିରୀକ୍ଷଣ କରି ଚାଲିଥିଲେ କାରଣ ମାତା ସୀତାଙ୍କୁ ଠାବ କରିବାହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ । ସେ ଭାବିଲେ, “ଏହି ଲଙ୍କା ନଗରୀରେ ପ୍ରବେଶ କରିବା ଅତ୍ୟନ୍ତ କଠିନ । ଯାହାହେଉ ମୁଁ ଥରେ ପ୍ରବେଶ କରିଛି ଅର୍ଥ ମୋ ପାଇଁ ଏହା ଏକ ଅତି ସହଜ କାମ । ଏବେ ସକାଳ ହେବା ମାତ୍ରେ ମୁଁ ମାତା ସୀତାଙ୍କୁ ଖୋଜି ତାଙ୍କ ସହିତ ଦେଖା କରି ଶୀଘ୍ର ଫେରିଯାଇ ଶ୍ରୀରାମଙ୍କୁ ସବୁ ସମ୍ବାଦ ଦେବି । ତା’ପରେ ଆମମାନଙ୍କୁ ଯୁଦ୍ଧ ପାଇଁ ପୁଣି ପ୍ରସ୍ତୁତ ହେବାକୁ ହେବ ।”

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ