ବୀର ହନୁମାନ

                ସେଦିନ ପାଇଁ ମନ୍ତ୍ରଣା, ଆଲୋଚନା ଶେଷ ହେଲା । ପରଦିନ ମଧ୍ୟ ସେହି ଯୁଦ୍ଧ ଉପରେ ଆଲୋଚନା ହେଲା । ରାବଣ ତା’ର ବିଶ୍ୱସ୍ତ ରାକ୍ଷସ ପ୍ରହସ୍ତକୁ ଡାକି କହିଲା, “ସେନାଧ୍ୟକ୍ଷ, ଆମ ରାଜ୍ୟର ସୁରକ୍ଷା ପାଇଁ ଅଧିକ ସୈନ୍ୟବଳ ଯେପରି ରଖା ହୁଅନ୍ତି ଓ ସମସ୍ତେ ସର୍ବଦା ସାବଧାନ ରହନ୍ତି ।” ରାବଣର ଆଜ୍ଞା ତତ୍କ୍ଷଣାତ୍ ପାଳନ ହେଲା ।

                ଏଥର ରାବଣ ତା’ ଦରବାରର ସମସ୍ତିଙ୍କୁ ଡାକି କହିଲା, “ତୁମମାନଙ୍କ ମଧ୍ୟରେ ଭଲମନ୍ଦ ଜ୍ଞାନ ଅଛି । ମୁଁ ଯାହା ବି କହିବାକୁ ଯାଉଛି ସେକଥା କୁମ୍ଭକର୍ଣ୍ଣ ବ୍ୟତୀତ ତୁମେମାନେ ସମସ୍ତେ ଅଳ୍ପ ବହୁତ ଜାଣିଛ । ସୀତାଙ୍କୁ ମୁଁ ଛଳ କରି ଉଠାଇ ଆଣିଛି । ତିନିଲୋକରେ ତା’ ପରି ସୁନ୍ଦରୀ ନାରୀ ଆଉ କେହି ବି ନାହିଁ । ତାକୁ ଫେରାଇ ନେବା ପାଇଁ ରାମ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ଆସିଛି । ସେମାନେ ସମୁଦ୍ର ଲଂଘନ କରି ଏଠାକୁ ଆସିବା ଅବଶ୍ୟ କଷ୍ଟକର । ତଥାପି ମଧ୍ୟ ଯଦି ସେମାନେ ଆସି ଲଙ୍କାଗଡ ଉପରେ ଆକ୍ରମଣ କରନ୍ତି ତେବେ ଆମର କ’ଣ କରିବା ଉଚିତ୍ ସେକଥା ସମସ୍ତେ ଭାବିଚିନ୍ତି କୁହ ।”

                ରାବଣର ଗୁରୁଜନମାନେ ବିଶେଷତଃ ତା’ର ଅଜା ତାକୁ କହିଲେ, “ସୀତାଙ୍କୁ ଏପରି ହରି ଆଣିବା ଭୁଲ୍ ହୋଇଛି । ନିଜର ଭୁଲ୍ ଉପରେ ଯୁଦ୍ଧ କରିବାକୁ ଗଲେ ବିଜୟ କିପରି ହେବ? ଏବେ ମଧ୍ୟ ସମୟ ଅଛି ସୀତାଙ୍କୁ ଫେରାଇ ଦିଅ । ବିଭୀଷଣ ବୟସରେ ସାନ ହେଲେ ମଧ୍ୟ ସେ ଧାର୍ମିକ; ତାଙ୍କ କଥା ଯୁକ୍ତିଯୁକ୍ତ ଓ ଯଥାର୍ଥ ମଧ୍ୟ । କେବଳ ଗୋଟାଏ ଖିଆଲ୍ ଉପରେ ସମଗ୍ର ସ୍ୱର୍ଣ୍ଣଲଙ୍କା ଆଜି ମହାବିପଦର ସମ୍ମୁଖୀନ ହେବାକୁ ଯାଉଛି । ଏହାର ମୀମାଂସା କର । ଆଜି ଯଦି କୁମ୍ଭକର୍ଣ୍ଣ ଉଠିଥାନ୍ତା ତେବେ ସେ ମଧ୍ୟ ବିଭୀଷଣ ପରି ନମ୍ରଭାବରେ ନ କହି ତୁମକୁ ତିରସ୍କାର କରିଥାନ୍ତା । ବହୁ କଷ୍ଟରେ ରାକ୍ଷସମାନଙ୍କର ଏକ ସ୍ୱତନ୍ତ୍ର ରାଜ୍ୟ ହୋଇ ପାରିଛି ଓ ରାଜା ପ୍ରଜା ସମସ୍ତେ ଶାନ୍ତିରେ ଅଛନ୍ତି । ଏ ପରିସ୍ଥିତିରେ ସୀତାଙ୍କ ଯୋଗୁଁ ରାଜ୍ୟ ଛାରଖାର କରିବା କୌଣସି ବୁଦ୍ଧିମାନର କାର୍ଯ୍ୟ ନୁହେଁ ।”

                ମାତ୍ର ରାବଣ ତ ନିଜର ସିଦ୍ଧାନ୍ତରେ ଅଟଳ ଥିଲା । ତେଣୁ ଏସବୁ ପ୍ରସ୍ତାବ ତାକୁ ବିଷତୁଲ୍ୟ ମନେ ହେଉଥିଲା । ସେ ବହୁତ ରାଗି ଯାଇଥିଲା । କ୍ରୋଧବଶରେ ସେ ଅନେକ କିଛି ଅକାର୍ଯ୍ୟ କରିପକାଉଥିଲା । ତେଣୁ ତାକୁ ଶାନ୍ତ କରିବାକୁ ଯାଇ ସେନାପତି ମହାପାଶ୍ୱର୍ କହିଲା, “ପ୍ରଭୁ, ଶାନ୍ତ ହୁଅନ୍ତୁ, କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ ପରି ବୀର ଥାଉଁ ଥାଉଁ ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି । ପ୍ରଥମ ଦିନରେହିଁ ସେମାନେ ରାମକୁ ତା’ର ସେନାନୀ ସହିତ ବଧ କରି ଯୁଦ୍ଧ ଶେଷ କରି ପାରିବେ । ପୁଣି ନରବାନର ଆମର ଭକ୍ଷ୍ୟ । ଚିନ୍ତା କରିବାର କୌଣସି କାରଣ ବି ନାହିଁ । କିନ୍ତୁ ଆହୁରି ଗୋଟିଏ କଥା । ଆପଣ ଯଦି ସୀତାଙ୍କୁ ବିବାହ କରନ୍ତେ ତେବେ ତ ସେକଥା ଶୁଣି ରାମ ଫେରିଯାନ୍ତେ । ଆଉ ଯୁଦ୍ଧର ପ୍ରଶ୍ନ ଉଠନ୍ତା ନାହିଁ ।”

                ରାବଣ ଏକଥା ଶୁଣି କିଛି ସମୟ ଗୁମ୍ ମାରି ବସିଲା । ତା’ପରେ ସେ କହିଲା, “ତୁମେ ଯାହା କହିଲ ସେକଥା ନିଶ୍ଚିତ ଭାବରେ ଯଥାର୍ଥ । କିନ୍ତୁ ମୁଁ କ’ଣ ଏ ବିଷୟରେ ଭାବିନାହିଁ କି? ଯେପର୍ଯ୍ୟନ୍ତ ସୀତା ନିଜେ ଇଚ୍ଛା ନ କରିବ ସେପର୍ଯ୍ୟନ୍ତ ମୁଁ ତାକୁ ବିବାହ କରିପାରିବି ନାହିଁ । ଏହି ବିଷୟରେ ମୁଁ କାହିଁକି ଅସହାୟ ସେକଥା କହୁଛି ଶୁଣ । ତାହା ମୋର ଜୀବନର ଏକ ବଡ ଦୁଃଖ ।

ଅନେକ ଦିନ ପୂର୍ବେ ବେଦବତୀ ନାମକ ଏକ ସୁନ୍ଦରୀ କନ୍ୟା ବଣରେ ତପସ୍ୟା କରୁଥିଲା । ମୁଁ ତ ସେତେବେଳେ ଯୁବକ ଓ ପ୍ରତାପଶାଳୀ । ତା’ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ମୁଁ ତାକୁ ବିବାହ କରିବାର ପ୍ରସ୍ତାବ ଦେଲି । କିନ୍ତୁ ସେ ନାରାୟଣଙ୍କୁ ତପସ୍ୟା କରୁଥିବାରୁ ମୋର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା । ତେଣୁ ମୁଁ ଉତ୍ତେଜନା ବଶରେ ତାର କେଶ ଆକର୍ଷଣ କରି ରଥରେ ବସାଇ ନେଇ ଆସିବାକୁ ଚେଷ୍ଟା କଲି । କିନ୍ତୁ ସେ ସେଠାରେ ମୋତେ ଅଭିଶାପ ଦେଲା, “ଆଜିଠାରୁ ତୁ କୌଣସି ନାରୀର ଇଚ୍ଛା ବିରୁଦ୍ଧରେ ବଳାତ୍କାର କଲେ ଅଗ୍ନିରେ ଧ୍ୱଂସ ହୋଇଯିବୁ ।” ଏତିକି କହି ସେ ନିଜର ପବିତ୍ର ଦେହକୁ ଅଗ୍ନିରେ ଝାସ ଦେଇ ମୃତ୍ୟୁ ବରଣ କଲା । ପୁଣି ଆଉ ଥରେ ପ୍ରଜ୍ଞିକସ୍ଥଳା ନାମ୍ନୀ ସୁନ୍ଦରୀ ଅପ୍ସରାକୁ ମୁଁ ସେହିପରି ବ୍ୟବହାର କରନ୍ତେ ସେ ଯାଇ ବ୍ରହ୍ମାଙ୍କୁ ଏକଥା ଜଣାଇଥିଲା ଓ ବ୍ରହ୍ମା ମୋତେ ଅଭିଶାପ ଦେଇଥିଲେ ମୁଁ କୌଣସି ନାରୀ ଉପରେ ବଳାତ୍କାର କଲେ ମୋର ଶିର ଦୁଇଖଣ୍ଡ ହୋଇଯିବ । ତେଣୁ ଏହିସବୁ ଅଭିଶାପର ଭାରରେ ମୁଁ ଆଜି ଉପାୟହୀନ । ସୀତାକୁ ନେଇ ଆସିଲି ସତ କିନ୍ତୁ ମୋର କାମନାର ପୂର୍ତି ହେଲାନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ