ବୀର ହନୁମାନ

ସବୁ ଶୁଣି ବିଭୀଷଣ ସଙ୍ଗେ ସଙ୍ଗେ କହିଲେ, “ମହାରାଜ, ସବୁ ଦିଗରୁ ବିବେଚନା କରି ଦେଖିଲେ ସୀତାଙ୍କ ଯୋଗୁଁ ଲଙ୍କାଗଡ ଉପରେ ବିପଦ ଘନେଇ ଆସୁଛି ଅଥଚ ସୀତାଙ୍କୁ ଆପଣ ପାଇ ମଧ୍ୟ ପାଇପାରୁ ନାହାଁନ୍ତି । ତେଣୁ ବୁଦ୍ଧିମାନର କାର୍ଯ୍ୟ ହେଉଛି ସୀତାଙ୍କୁ ଫେରାଇ ଦେବା ।”

ଏକଥା ଶୁଣି ଇନ୍ଦ୍ରଜିତ ନିଜ ଆସନରୁ ଉଠିପଡି କହିଲା, “କାକା, ତୁମେ ସର୍ବଦା ଧର୍ମ ପଥରେ ଥାଅ । କିନ୍ତୁ ଧର୍ମ ମାନେ ନୁହେଁ ଯେ କାପୁରୁଷତା । ତୁମେ ତ ମୋର ପରାକ୍ରମ ବିଷୟରେ ଜାଣ । ଦେବରାଜ ଇନ୍ଦ୍ରଙ୍କୁ ମୁଁ ପରାଭୁତ କରିଛି । ତିନିଲୋକରେ ମୋ ବାଣକୁ ସାମ୍ନା କରିବା ପରି ଦେବଲୋକ, ଗନ୍ଧର୍ବ ଲୋକରେ ମଧ୍ୟ କେହି ବୀର ନାହିଁ । ଆଉ ଏ ରାମ ଲକ୍ଷ୍ମଣ ତ ଦୁଇଟା ମଣିଷ, ଆମର ଭକ୍ଷ୍ୟ, ତାଙ୍କୁ ଭୟକରି ଯୁଦ୍ଧ ବନ୍ଦ କରି ଦେବା – ଇଏ କି ପ୍ରକାର କ୍ଷତ୍ରିୟ ଧର୍ମ? ପୁଣି ତୁମେ ଋଷି ପୁଲସ୍ତ୍ୟଙ୍କ ନାତି? ଏତେ ଭୟ କାହିଁକି?”

ବିଭୀଷଣ ପୁଣି ତା’ର ହାତ ଯୋଡି ରାବଣକୁ କହିଲେ, “ମହାରାଜ, ଆହୁରି ଥରେ ମୁଁ କହୁଛି ବ୍ରହ୍ମାଙ୍କ କଥା ଅନୁସାରେ ଶୀରାମ ହିଁ ହେଉଛନ୍ତି ନାରାୟଣଙ୍କ ଅବତାର ତାଙ୍କ ବାଣର ସମ୍ମୁଖରେ ତିନିଲୋକରେ ଏମିତି କେହି ବୀର ନାହିଁ ଯିଏ କି ତିଷ୍ଠି ପାରିବ । ଆପଣ ପୁଣି ଥରେ ଭାବି ଦେଖନ୍ତୁ, ଏହି ପରିସ୍ଥିତିରେ ଲଙ୍କାଗଡର ଓ ରାକ୍ଷସକୁଳର ସୁରକ୍ଷା ପାଇଁ ସୀତାଙ୍କୁ ଫେରାଇ ଦିଅନ୍ତୁ ।” ରାବଣ ଏକଥା ଶୁଣି କ୍ରୋଧରେ ଲାଲ୍ ହୋଇ ଯାଇ ନାନା ପ୍ରକାର କୁବାକ୍ୟ କହି ବିଭୀଷଣକୁ ତିରସ୍କାର କଲା; ଶେଷକୁ କହିଲା, “ତୁ ମୋର ଭାଇ ବୋଲି ଏତେ ପର୍ଯ୍ୟନ୍ତ ଜୀବିତ ଅଛୁ । ନହେଲେ ଏତେବେଳକୁ ମୁଁ ତୋର ମୁଣ୍ଡକାଟି ସାରନ୍ତିଣି ।”

ବିଭୀଷଣ ମଧ୍ୟ ନିଜର କର୍ତ୍ତବ୍ୟ କରିବାକୁ ଯାଇ ପୁଣି କହିଲେ, “ମହାରାଜ, ଆପଣ ତ ମୋର ବଡ ଭାଇ, ପିତା ତୁଲ୍ୟ; ମୁଁ ଏସବୁ ଆପଣଙ୍କର, ରାଜ୍ୟର ଓ ରାକ୍ଷସକୁଳର ଭଲ ପାଇଁ କହୁଛି । ନହେଲେ ମୋର ବା ସେଥିରେ କି ସ୍ୱାର୍ଥ ଅଛି? ଏଣିକି ଆପଣଙ୍କର ଯାହା ଇଚ୍ଛା ତା କରନ୍ତୁ । ଯେଉଁ ସଭାସଦ୍ମାନେ ଆପଣଙ୍କୁ ଯୁଦ୍ଧ ପାଇଁ ମନ୍ତ୍ରଣା ଦେଉଛନ୍ତି, ସେମାନେ ଜାଣନ୍ତି ନାହିଁ ଯେ, ଶ୍ରୀରାମଙ୍କର କୋପ ଓ ସର୍ବନାଶୀ ବାଣ ବିଷୟରେ । ମୁଁ ଯଦି ଆପଣଙ୍କ ମନରେ କିଛି ଦୁଃଖ ଦେଇଛି ତେବେ ମୋତେ କ୍ଷମା କରନ୍ତୁ ।” ଏମିତି କହି ରାବଣର ପାଦ ପାଖକୁ ବିଭୀଷଣ ଯିବା ମାତ୍ରେ ରାବଣ ଖୁବ୍ ଜୋର୍ରେ ତାଙ୍କୁ ପଦାଘାତ କରି କହିଲା, “ଯା, ନିର୍ଲଜ୍ଜ, ଭୀରୁ, କାପୁରୁଷ, ତୋତେ ମୋ ଦରବାରରେ ଦେଖିବାକୁ ଆଉ ମୋର ତିଳେ ବି ଇଚ୍ଛା ହେଉନି । ତୁ ଏ ଦରବାରରେ ଆଉ ସ୍ଥାନ ପାଇବାର ଯୋଗ୍ୟ ହିଁ ନୁହଁ ।”

ବିଭୀଷଣ ହାତ ଯୋଡି ନମ୍ର ଭାବରେ କହିଲେ, “ମହାରାଜ, ମୁଁ ଏହିକଥାର ଅପେକ୍ଷାରେ ଥିଲି । ଏବେ ମୁଁ ଶ୍ରୀରାମଙ୍କ ପାଖକୁ ଯାଉଛି । ସାରା ରାକ୍ଷସକୂଳର ନିଧନ ମୁଁ ଏଠାରେ ରହି ଦେଖିପାରିବି ନାହିଁ । ଚାଲିଲି – ବିଦାୟ ।” ଏତିକି କହି ବିଭୀଷଣ ଓ ତାଙ୍କର ଚାରି ଅନୁଚର ସେ ଦରବାର ଛାଡି ଆକାଶ ମାର୍ଗରେ ଶ୍ରୀରାମଙ୍କ ଛାଉଣୀ ଦିଗରେ ଅଗ୍ରସର ହେଲେ ।

ଆକାଶରେ ପାଞ୍ଚଜଣ ରାକ୍ଷସବୀରଙ୍କୁ ଦେଖି ବାନରମାନେ ପ୍ରମାଦ ଗଣିଲେ । କେତେକ ବାନର ବଡ ବଡ ବୃକ୍ଷ ଉତ୍ପାଟିତ କରି, ବଡ ବଡ ପଥର ଧରି ସେମାନଙ୍କ ସହିତ ଜୁଝିବାକୁ ପ୍ରସ୍ତୁତ ହୋଇ ପଡିଲେ । କେବଳ ସେମାନେ ଯାହା ସୁଗ୍ରୀବଙ୍କର ଆଦେଶକୁ ଅପେକ୍ଷା କରିଥା’ନ୍ତି । ଠିକ୍ ଏହି ସମୟରେ ଆକାଶ ମାର୍ଗରେ ଥାଇ ବିଭୀଷଣ କହିଲେ, “ମୁଁ ରାବଣର ସାନ ଭାଇ ବିଭୀଷଣ; ରାବଣ ବହୁତ ଅନାଚାର ଓ କୁକାର୍ଯ୍ୟ କରିବାରୁ ମୋର ତାଙ୍କ ସହିତ ମତଭେଦ ହେଲା ଏବଂ ସେ ମୋତେ ଲଙ୍କାରୁ ବହିଷ୍କାର କରିଦେଲେ । ମୁଁ ରାବଣଙ୍କୁ ବହୁତ ଥର ବୁଝାଇଲି ସୀତାଙ୍କୁ ନେଇ ଶ୍ରୀରାମଙ୍କର ଶରଣ ନେବାକୁ । ମାତ୍ର ସେ କ୍ରୋଧବଶରେ ମୋତେ ପଦାଘାତ କଲା । ମୁଁ ତା’ପରେ ନିଜର ସ୍ତ୍ରୀ ପରିବାର ସବୁ ଛାଡି ଏଠାକୁ ଚାଲି ଆସିଲି ଶ୍ରୀରାମଙ୍କର ଶରଣ ନେବାକୁ । ମୋ ସହିତ ମୋର ଚାରି ବିଶ୍ୱସ୍ତ ସହଚର ମଧ୍ୟ ଅଛନ୍ତି ।

ବିଭୀଷଣଙ୍କୁ ଆକାଶମାର୍ଗରେ ସ୍ଥିର ହୋଇ ରହିବାକୁ କହି ସୁଗ୍ରୀବ ଓ ଅଙ୍ଗଦ ଶ୍ରୀରାମଙ୍କ ପାଖକୁ ଯାଇ ତାଙ୍କୁ ସବୁକଥା କହିଲେ । ସୁଗ୍ରୀବ କହିଲେ, “ମୋର ତ ବିଭୀଷଣ କଥାରେ ଆଦୌ ଟିକିଏ ବି ବିଶ୍ୱାସ ହେଉନାହିଁ । ତା’ ସହିତ ଚାରିଜଣ ବୀର ମଧ୍ୟ ଅଛନ୍ତି । ପୁଣି ରାକ୍ଷସମାନେ ମାୟାବୀ । ଆମ ଭିତରେ ରହି ସବୁ ଭେଦ ଜାଣିବେ ଓ ଗୁପ୍ତଚର ଖବର ଦେବେ କିମ୍ବା ଆମେ ସଚେତନ ନଥିବା ସମୟରେ ସେମାନେ ଆମମାନଙ୍କୁ ମାରି ଦେଇ ପଳାଇବେ । ସେମାନଙ୍କ ବିଷୟରେ କିଛି ବି କୁହାଯାଇ ନପାରେ । ଏ ବିଷୟରେ ଆପଣ ଯାହା କରିବେ କରନ୍ତୁ । ମୋର କିନ୍ତୁ ସେମାନଙ୍କ କଥାରେ ମୋଟେ ବିଶ୍ୱାସ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ