ବୀର ହନୁମାନ

ହନୁମାନ ଲଙ୍କା ନଗରୀରେ ପ୍ରବେଶ କରି ନିଜ ମନ ଖୁସିରେ ବୁଲୁଥା’ନ୍ତି । ସେତେବେଳେ ତାଙ୍କର ଶରୀରଟି ଏତେ ଛୋଟ ଥିଲା ଯେ ତାଙ୍କୁ କେହି ବି ଜାଣିପାରବା ବଡ କଠିନ । ସେ ଦେଖିଲେ କେତେକ ରାକ୍ଷସଙ୍କର ଜଟା ତ ଆଉ କେତେକଙ୍କର ସମ୍ପୂର୍ଣ୍ଣ ଲଣ୍ଡା ମୁଣ୍ଡ, କେତେକଙ୍କର ଲମ୍ବା ବାଳ ଗାଲ ମୁଚ୍ଛ ତ ପୁଣି କେତେକ ଭୟଙ୍କର ନିଶ ସବୁ ରଖିଛନ୍ତି । କିଏ ହତିଆର ନେଇ ଖେଳ ଖେଳୁଛି ତ ଆଉ କିଏ ମଦ୍ୟପାନ କରୁଛି । କିଏ ବା ନୃତ୍ୟଗୀତରେ ବିଭୋର । କାହାର ବଡ କାନ ଦୁଇଟି ଝୁଲି ପଡିଛି ତ ଆଉ କାହାର ବିରାଟ ଆଖିମାନ କୁରାଳଚକ୍ର ପ୍ରାୟ ବୁଲୁଛି । ଅଧିକାଂଶଙ୍କର ଦେହର ରଙ୍ଗ କହର କଳା । ସେମାନଙ୍କ ମଧ୍ୟରୁ କେତେକ ଗୋରା ଓ ସୁନ୍ଦର ମଧ୍ୟ ଥା’ନ୍ତି । ହନୁମାନ ଏସବୁ ଦେଖି ଦେଖି ବୁଲୁଥା’ନ୍ତି; କେତେକଙ୍କ ପେଟଟିମାନ ବଡ ବଡ ହାଣ୍ଡିପରି, କାହାର ବା ଦାନ୍ତଗୁଡିକ ବିରାଟ ଲମ୍ବା । କିଏ ପଶୁର କଂଚାମାଂସ ଧରି ଚୋବାଇ ଖାଉଛି ତ ଆଉ କିଏ ମଦ୍ୟପାନ କରି ସୁନ୍ଦରୀ ନର୍ତକୀମାନଙ୍କର ନୃତ୍ୟ ଉପଭୋଗ କରୁଛି । ହନୁମାନ ବଡ କୌତୁହଳୀ ହୋଇ ଏସବୁ ଦେଖୁଥା’ନ୍ତି ଓ ମହଲ ପରେ ମହଲ ଦେଖି ଚାଲିଥାନ୍ତି; ତାଙ୍କର କେବଳ ଏକମାତ୍ର ଉଦ୍ଧେଶ୍ୟ ମାତା ସୀତାଙ୍କୁ ସେ କିପରି ଠାବ କରିବେ, କିପରି ମାତାଙ୍କର ଚରଣ ସେ ଦର୍ଶନ କରିବେ । ଦେବୀ ସୀତାଙ୍କର ଦର୍ଶନ ପାଇବାକୁ ଯେତେ ଯେତେ ବିଳମ୍ବ ହେଉଥାଏ ତାଙ୍କ ମନ ଦୁଃଖରେ ସେତେ ସେତେ ପୂର୍ଣ୍ଣ ହେଉଥାଏ ଶେଷରେ ସେ ଯାଇ ରାବଣର ରାଜମହଲରେ ପହଁଚିଲେ । ନାନା ପ୍ରକାର ବିଚିତ୍ର ବର୍ଣ୍ଣର ଆଲୋକମାଳା ଓ ସାଜସଜ୍ଜା । ଘର ଭିତରୁ ନର୍ତକୀମାନଙ୍କର ନୁପୁରଶିଞ୍ଜିନୀ ଶୁଭୁଛି; ନିଶାଚରମାନେ ପ୍ରକୃତରେ ରାତ୍ରିରେହିଁ ସମସ୍ତ କାର୍ଯ୍ୟକ୍ରମ କରନ୍ତି । ସ୍ତ୍ରୀ ମହଲକୁ ହନୁମାନ ଯାଇ ପ୍ରତ୍ୟେକ ସ୍ତ୍ରୀକୁ ଲକ୍ଷ୍ୟ କରି ଦେଖିଲେ । କିଏ ଚନ୍ଦନ ଲେପୁଛି ତ ଆଉ ପୁଣି କିଏ ବିଣା ବଜାଉଛି । କିଏ ବା ପୁରା ଶୋଇଗଲାଣି । ଏସବୁ ଦେଖି ହନୁମାନ ଭାବିଲେ, “ହୁଏତ ଏମାନଙ୍କ ମଧ୍ୟରେ ଦେବୀ ସୀତା ଥିବେ । କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ମଧ୍ୟ ମାତା ସୀତାଙ୍କ ସହ ତାଙ୍କର ଏପର୍ଯ୍ୟନ୍ତ ଭେଟ ହେଲାନାହିଁ । ତେଣୁ ସେ ଟିକିଏ ଚିନ୍ତିତ ହୋଇ ପଡିଲେ । ପୁଣି ସାରା ଲଙ୍କା ସେ ଆଉ ଥରେ ବୁଲି ଆସିଲେ ଓ ରାବଣର ପ୍ରାସାଦକୁ ଫେରି ଆସିଲେ । ସେ ଦୂରରୁ ରାବଣପୁରୀ ଦେଖିଲେ । ସୁନ୍ଦର ରୂପାରେ ତା’ର କାନ୍ଥବାଡ ତିଆରି ହୋଇଛି । ତହିଁରେ ସୁନାର ଝାଲର ଲାଗିଛି । ରଙ୍ଗବେରଙ୍ଗର ରେଶମୀ କନାରେ ଘର ସଜା ହୋଇଛି । ପରାକ୍ରମୀ ରାକ୍ଷସମାନେ ସେହି ରାଜପ୍ରାସାଦକୁ ପହରା ଦେଉଥା’ନ୍ତି । ସତେ ଯେମିତି ତାହା ସୌନ୍ଦର୍ଯ୍ୟରେ ଇନ୍ଦ୍ର ଭବନକୁ ମଧ୍ୟ ଉପହାସ କରିବ । ଏହାକୁ କଳ୍ପନା କରିବା ମଧ୍ୟ ଭାରି କଷ୍ଟ । ମହାପ୍ରତାପୀ ରାକ୍ଷସରାଜ ରାବଣ ତିନିଲୋକ ଜୟ କରି ସମସ୍ତ ମୂଲ୍ୟବାନ୍ ବସ୍ତୁ ଲୁଟି ନେଇ ଆସି ନିଜର ପ୍ରାସାଦକୁ ସଜାଇ ରଖିଛି ।

କେତେ ପ୍ରକାରର ଫୁଲଦାନୀ, ଅତରଦାନୀ, ନାନା ଧାତୁରେ ନିର୍ମିତ ସୁନ୍ଦର ସୁନ୍ଦର ପାତ୍ରମାନ, ମଖମଲ କନାର ଗଦି ବିଛା ହୋଇଥିବା ଶଯ୍ୟା ସବୁ, ସଜାହୋଇ ରଖା ହୋଇଛି; ସୁନା ଓ ରୂପାର ପଞ୍ଜୁରୀରେ ନାନା ପ୍ରକାର ପକ୍ଷୀ ପୋଷା ହୋଇଥା’ନ୍ତି । ହନୁମାନ ପୁଷ୍ପକବିମାନକୁ ମଧ୍ୟ ଦେଖିଲେ । ତାହା ଦେଖିବାକୁ ଏତେ ବଡ ଥିଲା ଯେ ମନେହୁଏ ସେ ଏକ ବିରାଟ ରାଜମହଲ ପରି । ତା’ ମଧ୍ୟରେ ଯେତେ ଇଚ୍ଛା ସେତେ ଲୋକ ଯାଇପାରିବେ । ସେଥିରେ ନାନା ରଙ୍ଗର ବିଛଣା ଚଦର ବିଛା ଯାଇ ଶଯ୍ୟାମାନ ରଖା ହୋଇଥିଲା, ହନୁମାନ ବହୁତ ସମୟ ଧରି ସେ ରାବଣର ରାଜମହଲରେ ଘୁରି ବୁଲିଲେ । ହେଲେ ସୀତାଙ୍କୁ ସେ କେଉଁଠି ହେଲେ ବି ଠାବ କରିପାରିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ