ବୀର ହନୁମାନ

      ଅଙ୍ଗଦଙ୍କ କଥାରେ ସେମାନଙ୍କ ମନୋବଳ ବୃଦ୍ଧି ପାଇଲା । ତା’ପରେ ସେମାନେ ପ୍ରତ୍ୟେକେ ନିଜ ନିଜର ଶକ୍ତି ବିଷୟରେ କହି ଚାଲିଲେ । ଗବାକ୍ଷ କୋଡିଏ ଯୋଜନ ଡେଇଁ ପାରବେ । ଗବୟ ତିରିଶ ଯୋଜନ । ଶରଭ କହିଲେ ସେ ଚାଳିଶ ଯୋଜନ ଡେଇଁ ପାରିବେ । ତା’ପରେ ଗନ୍ଧମାର୍ଦନ ପଚାଶ ଯୋଜନ, ମୈନ୍ଦ ଷାଠିଏ ଯୋଜନ, ଦ୍ୱିବିନ୍ଦ ସତୁରି ଯୋଜନ ଓ ସୁଷେଣ ଅଶୀ ଯୋଜନ ପର୍ଯ୍ୟନ୍ତ ଡେଇଁ ଯାଇ ପାରିବେ ବୋଲି କହିଲେ ।

      ସମସ୍ତେ କହିବା ପରେ ଜାମ୍ବବାନ କହିଲେ, “ଦିନେ ଏପରି ସମୟ ଥିଲା ଯେ ମୋ ଶକ୍ତିର କୌଣସି ସୀମା ହିଁ ନଥିଲା । କିନ୍ତୁ ଏବେ ମୁଁ ବୁଢା ହୋଇଗଲିଣି । ତଥାପି ମଧ୍ୟ ମୁଁ ଚେଷ୍ଟା କରିବି । ଯାହାହେଲେ ବି ଏହା ଶ୍ରୀରାମଙ୍କ କାର୍ଯ୍ୟ । ତାଙ୍କ ପାଇଁ ମୁଁ ମୋର ଏ ଜୀବନକୁ ସୁଦ୍ଧା ଉତ୍ସର୍ଗ କରିଦେଇ ପାରେ । ମୋତେ ଆଦେଶ ଦିଅ ମୁଁ ନବେ ଯୋଜନ ପର୍ଯ୍ୟନ୍ତ ଡେଇଁ ଚାଲିଯିବି ।” ଅଙ୍ଗଦ କହିଲେ, ତଥାପି ବି ଆହୁରି ପୁଣି ଦଶ ଯୋଜନ ବାକି ରହିଯିବ ।”

      ଅଙ୍ଗଦ ପୁଣି କହିଲେ, “ଏବେ ଏସବୁ କଥା ଛାଡ । ମୁଁ ନିଜେହିଁ ଶହେ ଯୋଜନ ଡେଇଁ ପାରିବି । ତେବେ ମୋର ଏକ ସନ୍ଦେହ ଅଛି । ମୁଁ ଶହେ ଯୋଜନ ସମୁଦ୍ର ଲଂଘି ସେଠାରେ ପହଁଚି ଯିବି ତ ନିଶ୍ଚୟ; କିନ୍ତୁ ମୁଁ ସେଠାରୁ ଫେରି ଆସି ପାରିବି ତ ।”

      ଏହା ଶୁଣି ଜାମ୍ବବାନ୍ କହିଲେ “ତୁମ ବଳ କଥା ନ ଜାଣେ ବା କିଏ । ଶହେ ଯୋଜନ କ’ଣ ତମେ ଚାହିଁଲେ ତ ହଜାର ଯୋଜନ ବି ଚାଲିଯାଇ ପାରିବ ଓ ଭଲରେ ଭଲରେ ପୁଣି ସେଠାରୁ ଫେରି ମଧ୍ୟ ଆସିପାରିବ; ସେଥିରେ ତିଳେ ମାତ୍ର ସନ୍ଦେହ କେହି ବି କରୁନାହିଁ । କିନ୍ତୁ ତୁମେ କିସ୍କିନ୍ଧ୍ୟାର ଯୁବରାଜ ତେଣୁ ଆମେ ତୁମକୁ ଯିବାକୁ ଦେବୁନାହିଁ । ଏ କାମ ଆମ ଭିତରୁ କିଏ ଜଣେ କରିବା କଥା । ଯଦି ଦଳପତି ସ୍ୱୟଂ ସବୁ କରିବେ ତେବେ ଆମକୁ ଆଦେଶ କିଏ ଦେବ? ପୁଣି ତୁମେ ଲଙ୍କା ଚାଲିଗଲେ ଆମେ ଏଠାରେ ଦଳପତି ବିନା ଅସହାୟ ହୋଇ ପଡିବୁ । ତାଛଡା ଏଠାରେ ସୈନ୍ୟ ଦଳଙ୍କର ଭଲମନ୍ଦ ଦେଖାଶୁଣା କିଏ କରିବ?”

      ଜାମ୍ବବାନ୍ଙ୍କ କଥା ଅଙ୍ଗଦ ମନଦେଇ ଶୁଣିବା ପରେ କହିଲେ, “ସାଗର ମୁଁ ଲଙ୍ଘନ କରିବି ନାହିଁ, ତୁମେ ବି କରିବ ନାହିଁ । ତେବେ ଆଉ କିଏ ଏକାମ କରିବ? ଏମିତି ଆଲୋଚନା କରୁଥିବା ଆଉ କାମ ପଡି ରହିଥିବ; ଆମେ କାମ ପୁରା ନକରି ତ ଫେରିବାର ପ୍ରଶ୍ନ ଉଠୁ ନାହିଁ । କାରଣ ଏପରି ଅସଫଳ ହୋଇ ଫେରିଲେ ପ୍ରାଣ ଯେ ବଂଚିବ ସେ ଆଶା ତ ନାହିଁ । ତୁମେ ତ ବୟସ୍କ ବ୍ୟକ୍ତି, ତେଣୁ ତୁମେ ହିଁ କିଛି ରାସ୍ତା ବତାଅ ।”

      ଜାମ୍ବବାନ୍ କହିଲେ, “ଅଙ୍ଗଦ, ନିରାଶ ହୁଅନାହିଁ । କାମ ତ ନିଶ୍ଚୟହିଁ ପୁରା ହେବ । ଏ କାମକୁ ଅନାୟାସରେ ସଫଳତାର ସହିତ ପୁରା କରିବା ବ୍ୟକ୍ତି ମଧ୍ୟ ଆମରି ଭିତରେ ହିଁ ଅଛନ୍ତି । ମୁଁ ଏହିକ୍ଷଣି ତୁମକୁ ବୁଝାଇ ଦେଉଛି ।” ଏତିକି କହି ଗୋଟିଏ କଡକୁ ନୀରବରେ ବସିଥିବା ହନୁମାନଙ୍କ ଆଡକୁ ସେ ଅଙ୍ଗୁଳି ନିର୍ଦ୍ଧେଶ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ