ବୀର ହନୁମାନ

ଇନ୍ଦ୍ରଜିତର ଏଭଳି କଟୁବାକ୍ୟ ଶୁଣି ବିଭୀଷଣ ଉତ୍ତର ଦେଲା, “ତତେ ଶତଧିକ ଇନ୍ଦ୍ରଜିତ । ତୁ ଏପର୍ଯ୍ୟନ୍ତ ମୋର ସ୍ୱଭାବ କ’ଣ ତାହା ବୁଝିପାରିଲୁ ନାହିଁ? ଧର୍ମ ଓ ଅଧର୍ମ ମଧ୍ୟରେ ପାର୍ଥକ୍ୟ କ’ଣ, ତୁ ମୋତେ ବୁଝାଉଛୁ? ମୁଁ ଆଜି ଯେଉଁଠି ଅଛି ସେଠାରେ ଧର୍ମ ପରିପୂର୍ଣ୍ଣ ହୋଇ ରହିଛି । ଯଦି କିଛିଟା ଧର୍ମ ତୋ ପିତା ପାଖରେ ବି ଥା’ନ୍ତା ତେବେ ମୁଁ କେବେବି ମଧ୍ୟ ତାକୁ ତ୍ୟାଗ କରି ନଥା’ନ୍ତି । ତୋ ପିତା ଭିତରେ ତ ସମସ୍ତ ପ୍ରକାର ଦୁର୍ଗୁଣ ଅଛି । କେବଳ ସେହି କାରଣରୁ ଦେଖିବୁ ଖୁବ୍ ଅଳ୍ପ ସମୟ ମଧ୍ୟରେ ଲଙ୍କା ସହିତ ସାରା ରାକ୍ଷସ  କୂଳ ମଧ୍ୟ ଧ୍ୱଂସ ପାଇବ । ଏବେ ତୋର ପିତାର ବଂଚିବାର ଆଉ କୌଣସି ବି ଆଶା ନାହିଁ । ତୁ ମଧ୍ୟ ଆଉ ଖୁବ୍ ଅଳ୍ପ ସମୟ ମଧ୍ୟରେ ତୋର ଏ ମର ଦେହ ଛାଡିବୁ; ତେଣୁ ତୋର ଯାହା କହିବା କଥା ଶୀଘ୍ର କହିଦେ । ତୋର ସବୁଠାରୁ ଭଲ ଭାଗ୍ୟ ଏହି ଯେ କୁମାର ଲକ୍ଷ୍ମଣଙ୍କ ହାତରେ ମୃତ୍ୟୁ ବରଣ କରି ତୁ ସ୍ୱର୍ଗକୁ ଚାଲି ଯା ।”

ଇନ୍ଦ୍ରଜିତର ଦୃଷ୍ଟି ଲକ୍ଷ୍ମଣଙ୍କ ଉପରେ ଥିଲା । ତାଙ୍କୁ ଚାହିଁ ସେ କହିଲା, “ସେ ଦିନ ରାତିରେ ତୁମେ ମୋ ବାଣର ଶକ୍ତି ପରଖି ଦେଖିଥିଲ ନା ଲକ୍ଷ୍ମଣ? ତଥାପି ମଧ୍ୟ ତୁମେ କିପରି ମୋ ସହିତ ଯୁଦ୍ଧ କରିବା ପାଇଁ ସାହସ କରୁଛ? ମନେ ହୁଏ ତୁମର ସ୍ମରଣ ଶକ୍ତି ଆଦୌ ନାହିଁ ।”

ଲକ୍ଷ୍ମଣ କହିଲେ “ତୁମେ ଚୋର ପରି ଲୁଚି ଲୁଚି ଯୁଦ୍ଧ କରିଥିଲ । ଏପରି ଯୁଦ୍ଧ କ’ଣ ବୀରତ୍ୱର ପ୍ରତୀକ? ଆଉ ଯଦି ତୁମ ଭିତରେ ଅଳ୍ପ ଆତ୍ମସମ୍ମାନ ଥାଏ ତ ସମ୍ମୁଖକୁ ଆସି ଯୁଦ୍ଧ କର । କେବଳ ଚାତୁର୍ଯ୍ୟପୁର୍ଣ୍ଣ କଥା ଦ୍ୱାରା ଯୁଦ୍ଧ ପାଇଁ ଡେରି କରି ଦିଅନାହିଁ ।”

ଲକ୍ଷ୍ମଣଙ୍କ ମୁହଁରୁ ଏସବୁ କଥା ବାହାରିବା ବେଳେହିଁ ଇନ୍ଦ୍ରଜିତ କିଛି ନକହି ବାଣ ଛାଡିଲା ଓ ଲକ୍ଷ୍ମଣଙ୍କୁ ତାହା ଆଘାତ ଦେଲା । ଇନ୍ଦ୍ରଜିତର ଏହି ଦୁଷ୍ଟବୁଦ୍ଧି ଦେଖି ଲକ୍ଷ୍ମଣ ଭୀଷଣ ରାଗିଗଲେ ଓ ଏକ ଶକ୍ତିଶାଳୀ ବାଣ ପ୍ରହାର କରିଲେ । ଏହିଭଳି ଭାବେ ଦୁହେଁ ଦୁହିଁଙ୍କୁ କେହିବି ଛାଡୁ ନଥା’ନ୍ତି ।

କିଛି ସମୟ ପରେ ବିଭୀଷଣ ଲକ୍ଷ୍ୟ କରି ଦେଖିଲେ ଇନ୍ଦ୍ରଜିତର ମୁହଁ ମଳିନ ଦେଖାଯାଉଛି ଓ କ୍ରମେ ସେ ଶକ୍ତିହୀନ ହୋଇପଡୁଛି । ଏହି ସୁଯୋଗ ଦେଖି ବିଭୀଷଣ ଲକ୍ଷ୍ମଣଙ୍କୁ କହିଲେ, “ଏବେ ତାକୁ ବଧ କରିବା ପାଇଁ ପ୍ରକୃଷ୍ଠ ସମୟ ସେ ଶକ୍ତିହୀନ ଓ ତେଜହୀନ ଦେଖାଗଲାଣି ।” ବିଭୀଷଣଙ୍କ ପାଖରୁ ସଙ୍କେତ ପାଇବା ପରେ ଲକ୍ଷ୍ମଣ ଇନ୍ଦ୍ରଜିତକୁ ବହୁ ତୀକ୍ଷ୍ନ ବାଣ ମାରିଲେ । ଫଳରେ ଇନ୍ଦ୍ରଜିତ ମୁର୍ଚ୍ଛା ହୋଇଗଲା, କିନ୍ତୁ ପରକ୍ଷଣରେ ସେ ସଚେତନ ହୋଇ ଉଠି ବସିଲା ଓ ଲକ୍ଷ୍ମଣଙ୍କ ଉପରକୁ ଶକ୍ତିଶାଳୀ ବାଣ ମାରିଲା; ତା’ପରେ ଏକ ସମୟରେ ଲକ୍ଷ୍ମଣ ଓ ବିଭୀଷଣ ଉଭୟଙ୍କୁ ବାଣ ବିନ୍ଧିଲା ।

ଇନ୍ଦ୍ରଜିତର ସେହି ପ୍ରହାର ଦ୍ୱାରା ଲକ୍ଷ୍ମଣ ବିଚଳିତ ବୋଧ ନକରି କହିଲେ, “କ’ଣ ତୁମର ମାତ୍ର ଏତିକି ପରାକ୍ରମ? କେବଳ ଏତିକି ବାଣ? ବାଣ କାହାକୁ କୁହାଯାଏ ଏବେ ଦେଖ ।” ଏତିକି କହି ଲକ୍ଷ୍ମଣ ଇନ୍ଦ୍ରଜିତ ଉପରକୁ ବାଣ ଛାଡିଲେ । ତଦ୍ୱାରା ଇନ୍ଦ୍ରଜିତର କବଚ ଭାଙ୍ଗି ପଡିଲା ଓ ତାହାର ଦେହରେ ଅନେକ ବାଣ ପଶିଗଲା ।

ଏଥର ଇନ୍ଦ୍ରଜିତର କ୍ରୋଧ ଦେଖାଇବାର ପାଳି । ସେ ମଧ୍ୟ ଏତେ ଜୋର୍ରେ ବାଣ ମାରିଲା ଯେ ଲକ୍ଷ୍ମଣଙ୍କର କବଚ ଭାଙ୍ଗି ତାହା ନଷ୍ଟ ହୋଇଗଲା । ଦୁଇଜଣଙ୍କର ଯୁଦ୍ଧ ଏତେ ତୀବ୍ର ଯେ କୌଣସି ପକ୍ଷ ହାରିଯାଉନାହିଁ । ଯୁଦ୍ଧର ଏପରି ଭୟଙ୍କରତା ଦେଖି ବିଭୀଷଣ ଭାବିଲେ ସେ ତାଙ୍କର ଚାରିଜଣ ସହଚରଙ୍କ ସହିତ ଯୁଦ୍ଧ ଭିତରକୁ ଆସିବେ । କିନ୍ତୁ ତା’ ପୂର୍ବରୁ ସେ ବାନର ସୈନ୍ୟମାନଙ୍କୁ କହିଲେ, “ହେ ବାନର ବୀରଗଣ, ତୁମେମାନେ ତ ବଡ ବଡ ରାକ୍ଷସବୀରଙ୍କୁ ମାରିଛ । ଏବେ ମନ ଦେଇ ଯୁଦ୍ଧ କର । ଯଦି ଇନ୍ଦ୍ରଜିତ ମରିଯାଏ ତ ରାବଣର ଅଧେ ବଳ ନିଶ୍ଚୟ ଭାଙ୍ଗି ପଡିବ । ମୁଁ ଚାହିଁଲେ ମଧ୍ୟ ତାକୁ ମାରିପାରନ୍ତି କିନ୍ତୁ ସେ ମୋର ନିଜ ଭାଇର ପୁଅ, ପୁତୁରା, ପୁଅସମାନ; ଏଣୁ ମୁଁ ତାକୁ ନିଜ ହାତରେ କଦାପି ହତ୍ୟା କରି ପାରିବି ନାହିଁ । ଲକ୍ଷ୍ମଣ ହିଁ ତାକୁ ମାରିବେ ।”

ବିଭୀଷଣଙ୍କ କଥା ଶୁଣି ସେମାନେ ଉତ୍ସାହର ସହିତ ପୁଣି ଯୁଦ୍ଧରେ ମାତିଗଲେ । ବିଭୀଷଣ ଓ ତାଙ୍କର ଅନୁଚର ବର୍ଗ ମଧ୍ୟ ଯୁଦ୍ଧରେ ସକ୍ରିୟ ଭାବରେ ପ୍ରବେଶ କଲେ । ଇତିମଧ୍ୟରେ ଲକ୍ଷ୍ମଣଙ୍କ ବାଣ ଯୋଗୁଁ ଇନ୍ଦ୍ରଜିତର ସାରଥି ମରି ସାରିଥିଲା । ଇନ୍ଦ୍ରଜିତର ଅଧେ ବଳ ନଷ୍ଟ ହୋଇଥିଲା । ଏଣୁ ତା’ମୁହଁରେ ଏବେ ଭୟ ଦେଖା ଯାଉଥିଲା ।

ଇନ୍ଦ୍ରଜିତର ଏପରି ଅବସ୍ଥା ଦେଖି ବାନରମାନେ ଗଛରେ ପିଟି ତା’ ଘୋଡା ରଥ ସବୁ ଧ୍ୱଂସ କରିଦେଲେ । ଶେଷରେ ସେ ବାଧ୍ୟହୋଇ ମାଟି ଉପରେ ଠିଆ ହୋଇ ଯୁଦ୍ଧ କରୁଥିଲା । ତା’ର ଏପରି ଦୁରବସ୍ଥା ଦେଖି ରାକ୍ଷସ ବୀରମାନେ ତା’ଚାରିପାଖରେ ଘେରି ବ୍ୟୁହ ରଚନା କରି ଠିଆ ହେଲେ, ଅର୍ଥାତ ତାକୁ ସୁରକ୍ଷିତ ରଖିଲେ । କିନ୍ତୁ ସେ ନିତାନ୍ତ ଅସହାୟ ହୋଇ ପଡି ତା’ର ସୈନ୍ୟମାନଙ୍କୁ କହିଲା, “ଯୁଦ୍ଧ ଚଳାଇ ରଖ, ମୁଁ ଏବେ କୌଣସିମତେ ଦୁର୍ଗକୁ ଯାଇ ଅନ୍ୟ ରଥ ଧରି ଶୀଘ୍ର ଫେରିଆସିବି ।” ସୈନ୍ୟମାନେ ତା’ କଥା ଅନୁସାରେ କାର୍ଯ୍ୟ କଲେ । ସେ ଦୁର୍ଗ ଭିତରକୁ ଯାଇ କିଛି ସମୟ ଭିତରେ ନୂଆ ରଥରେ ବସି ପୁଣି ଯୁଦ୍ଧ ଭୂମିକୁ ଲେଉଟି ଆସିଲା । ଏସବୁ ଦେଖି ଲକ୍ଷ୍ମଣ ଓ ବିଭୀଷଣ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ପୁଣି ଯୁଦ୍ଧ ଘମାଘୋଟ ଚାଲିଲା । ଇନ୍ଦ୍ରଜିତକୁ ଲକ୍ଷ୍ମଣ ବାଣ ମାରିମାରି ବ୍ୟତିବ୍ୟସ୍ତ କଲେ । ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ଯେତେ ବାଣ ମାରୁଥାଏ, ଅଧିକ ମାରୁଥାଏ ବିଭୀଷଣଙ୍କୁ । ଫଳରେ ବିଭୀଷଣ କ୍ଷତବିକ୍ଷତ ହୋଇ ପଡିଲେ ଓ ରାଗରେ ଯାଇ ତା’ର ରଥ ଘୋଡା ସବୁ ଧ୍ୱଂସ କରିଦେଲେ । ପୁଣି ଥରେ ଲକ୍ଷ୍ମଣ ଓ ଇନ୍ଦ୍ରଜିତ ସମ୍ମୁଖ ଯୁଦ୍ଧକୁ ଆସିଲେ । ଯୁଦ୍ଧ ଜୋର୍ରେ ଚାଲିଲା । ଦୁହେଁ ଦୁହିଁଙ୍କ ଉପରେ ଦିବ୍ୟାସ୍ତ୍ରର ପ୍ରୟୋଗ କରି ଚାଲିଥାନ୍ତି । ଅବଶେଷରେ ଲକ୍ଷ୍ମଣଙ୍କର ଦିବ୍ୟାସ୍ତ୍ରରେ ଇନ୍ଦ୍ରଜିତର ମୃତ୍ୟୁ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ