ବୀର ହନୁମାନ

ଏହି ଘଟଣା ଦେଖି ବିଭୀଷଣ ଓ ବାନର ସେନାମାନେ ସ୍ୱସ୍ତିରେ ନିଶ୍ୱାସ ମାରିଲେ । ବିଜୟୋଲ୍ଲାସରେ ସେମାନେ ନାନା ପ୍ରକାର ଶବ୍ଦ କଲେ । ରାକ୍ଷସମାନେ ବହୁତ ମଲେ । ଅଳ୍ପ କେତେଜଣ ଅର୍ଦ୍ଧମୃତ ଅବସ୍ଥାରେ ନିଜନିଜର ଜୀବନ କୌଣସିମତେ ବଂଚାଇ ଯୁଦ୍ଧଭୂମିରୁ ପଳାୟନ କଲେ ।

ଏଣେ ଲକ୍ଷ୍ମଣଙ୍କୁ ନେଇ ବିଭୀଷଣ ଓ ବାନରସେନା ଶ୍ରୀରାମଙ୍କ ପାଖରେ ଯାଇ ପହଁଚିଲେ । ଶ୍ରୀରାମ ଲକ୍ଷ୍ମଣଙ୍କୁ ଆଲିଙ୍ଗନ କରି କହିଲେ, “ଇନ୍ଦ୍ରଜିତ ବଧ କେବଳ ତୁମ ଯୋଗୁଁ ହିଁ ସମ୍ଭବ ହେଲା । ଏବେ ଜାଣ ସେ ରାବଣର ଅର୍ଦ୍ଧେକ ବଳ ଗଲା । ଏଣିକି ରାବଣକୁ ଅତି ସହଜରେ ମାରିଦେଇ ହେବ ।” ତା’ପରେ ଶ୍ରୀରାମ ବୈଦ୍ୟଙ୍କୁ କହିଲେ, ଲକ୍ଷ୍ମଣଙ୍କର କ୍ଷତସବୁର ଉପଚାର କରିବାକୁ ସେପଟରେ ରାକ୍ଷସ ସୈନ୍ୟମାନେ ରାବଣ ପାଖରେ ପହଁଚି ନିଜର ଦୁଃଖ କଷ୍ଟ ଜଣାଇ କହିଲେ, “ବିଭୀଷଣ ସହିତ ଲକ୍ଷ୍ମଣ ନିକୁମ୍ଭିଲାରେ ପହଁଚି ଇନ୍ଦ୍ରଜିତଙ୍କର ଯଜ୍ଞ ଭଙ୍ଗ କରିବାପରେ ଯାଇ ତାଙ୍କୁ ସେ ବଧକଲେ ।”

ଏହି ଦୁଃସମ୍ବାଦ ଶୁଣିବା ମାତ୍ରେ ରାବଣ ହଠାତ୍ ମୂର୍ଚ୍ଛା ହୋଇପଡିଲା । ତା’ର ମୁଣ୍ଡରେ ଯେପରି ଶତବଜ୍ରପାତ ହେଲା ପୁଣି ସେ ସଚେତନ ହେବା ପରେ ଇନ୍ଦ୍ରଜିତର ନାମ ବାରମ୍ବାର ଉଚ୍ଚାରଣ କରି ପ୍ରଳାପ କରିବାକୁ ଲାଗିଲା । ତା’ର ଶୋକ ପୁଣି କ୍ରୋଧର ରୂପ ନେଲା ଓ ସେ ଭାବିଲା ଯେ ଯେଉଁ ସୀତା ପାଇଁ ସାରା ଅସୁରବଂଶ ନଷ୍ଟ ହେଉଛି ତାକୁହିଁ ଏଇ ମୁହୂର୍ତ୍ତରେ ବଧ କରିଦେବା ଉଚିତ୍ । ସେଠାରେ ଉପସ୍ଥିତ ଥିବା ରାକ୍ଷସମାନଙ୍କୁ ସେ କହିଲା, “ମୋ ପୁଅ ଇନ୍ଦ୍ରଜିତ ମାୟା ସୀତାଙ୍କୁ ବଧ କରିଥିଲା । ମାତ୍ର ମୁଁ ଏବେ ପ୍ରକୃତ ସୀତାକୁ ବଧକରିବି ।” ଏତିକି କହି ସେ ତରବାରୀ ଧରି ଅଶୋକବନକୁ ଯିବାକୁ ବାହାରିଲା ।

କିନ୍ତୁ ଶୋକସନ୍ତପ୍ତା ମନ୍ଦୋଦରୀ ଓ ଅନ୍ୟାନ୍ୟ ମନ୍ତ୍ରୀଗଣ ତାଙ୍କୁ ସେ କାର୍ଯ୍ୟରୁ ବଂଚିତ ହେବାକୁ ଅନୁରୋଧ କରି କହିଲେ, “ଯେ କୌଣସି କାମ କରିବ, ତାହା ଭାବିଚିନ୍ତି କରିବା ଉଚିତ୍ । ସୀତାଙ୍କୁ ମାରିଦେଲେ ଆପଣ କ’ଣ ହରାଇଥିବା ଜିନିଷ ପୁଣି ଫେରିପାଇବେ ଏବେ ମଧ୍ୟ ସମୟ ଅଛି ରାକ୍ଷସ କୂଳ ବଂଚିଯିବେ, ଯଦି ଆପଣ ସୀତାଙ୍କୁ ଫେରେଇ ଦିଅନ୍ତି । ଆପଣ ଯଦି କ୍ରୋଧ ବା ବୀରତ୍ୱ ଦେଖାଇବାକୁ ଚାହାଁନ୍ତି ତେବେ ରାମଙ୍କ ଉପରେ ଦେଖାନ୍ତୁ ସୀତାଙ୍କ ଉପରେ କ୍ରୋଧ ଦେଖାଇଲେ କୌଣସି ଲାଭ ହେବ ନାହିଁ ।”

ମନ୍ଦୋଦରୀ ଓ ମନ୍ତ୍ରୀମାନଙ୍କ କଥା ଶୁଣି ରାବଣର ମନେ ପଡିଲା ଯେ ତା’ର ଲକ୍ଷ୍ୟ ରାମକୁ ବଧ କରିବ । ତେଣୁ ସେ ଆଗାମୀ ଦିନ ଯୁଦ୍ଧକୁ ଯିବ ବୋଲି ଘୋଷଣା କଲା । ତା’ପରେ ସେ ତା’ ସୈନ୍ୟମାନଙ୍କୁ ସବୁ କିଛି ପ୍ରସ୍ତୁତ କରି ରଖିବାକୁ ଆଜ୍ଞା ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ