ବୀର ହନୁମାନ

                କିନ୍ତୁ ଚନ୍ଦ୍ରସେନାଙ୍କ ତୀକ୍ଷ୍ନଦୃଷ୍ଟିକୁ ସେ ସହ୍ୟ କରି ନପାରି ସେଠାରୁ ବାହାରି ଆସି ବାହାରେ ପ୍ରକଟ ହୋଇ କହିଲେ, “ମା, ଆମର କାର୍ଯ୍ୟସିଦ୍ଧି ତୁମର ସହାୟତାରେ ହୋଇଛି ଏଥିରେ ତ କୌଣସି ସନ୍ଦେହ ନାହିଁ । ସେଥିପାଇଁ କୃତଜ୍ଞତା ସ୍ୱରୂପ ମୁଁ ମଧ୍ୟ ତୁମ ଇଚ୍ଛା ପୁରଣ କରିବା ପାଇଁ ଶ୍ରୀରାମଙ୍କୁ ଏଠାକୁ ନେଇ ଆସିଲି । କିନ୍ତୁ ତୁମେ ତାଙ୍କର ଅତି ବେଶି ଅନଧିକାର ଚର୍ଚ୍ଚା କରୁଛ ଯେ । ଗୋଟିଏ କଥା ପରିଷ୍କାର କରିଦେଉଛି ଯେ ଶ୍ରୀରାମଙ୍କର ଏହି ଜନ୍ମରେ ଏକ ପତ୍ନୀବ୍ରତ । ତୁମର ହୃଦୟରେ ଥିବା ଅନ୍ୟ ଇଚ୍ଛା ପୂର୍ଣ୍ଣ ହେବା ତ ଅସମ୍ଭବ । ତେଣୁ ସେଥିରୁ ନିବୃତ ହୁଅ । କୌଣସି ଫଳ ବା ଆଶା ନ ରଖି ତାଙ୍କର ସେବାକର; ସେଥିପାଇଁ ପଲଙ୍କ ଭାଙ୍ଗିଲା ଓ ପୁଷ୍ପମାଳାଟି ପ୍ରଭୁଙ୍କ ଗଳାରେ ନ ପଡି ଓଲଟି ତାଙ୍କ ପାଦରେ ପଡିଲା ।”

                ହନୁମାନଙ୍କ କଥା ଶୁଣି ସେ ଶ୍ରୀରାମଙ୍କୁ ଭଗବାନ୍ ରୂପରେ ପୂଜା କଲେ । ଶ୍ରୀରାମ ସେଠାରେ ଦିବ୍ୟତେଜ ସହିତ ଭଗବାନ୍ ଶ୍ରୀବିଷ୍ଣୁଙ୍କ ରୂପରେ ପ୍ରକଟ ହେଲେ । ଏସବୁ ଦେଖି ଚନ୍ଦ୍ରସେନାଙ୍କର ଜନ୍ମ ସଫଳ ହେଲା ।

ଶ୍ରୀବିଷ୍ଣୁଙ୍କ ସାକ୍ଷାତ ଅବତାର ଶ୍ରୀରାମ କହିଲେ, “ଚନ୍ଦ୍ରସେନା, ରାମ ଅବତାରରେ ମୁଁ ଏକପତ୍ନୀବ୍ରତ । ପରଜନ୍ମରେ ମୁଁ ଯେତେବେଳେ ଶ୍ରୀକୃଷ୍ଣ ରୂପରେ ଧରା ପୃଷ୍ଠରେ ଅବତାର ଗ୍ରହଣ କରିବି ସେଥିରେ ମୋର ଆଠଜଣ ବିବାହିତା ପତ୍ନୀ ରହିବେ । ସେତେବେଳେ ତୁମେ ମୋର ଅତିପ୍ରିୟ ପତ୍ନୀ ସତ୍ୟଭାମା ହୋଇ ଜନ୍ମ ନେବ ।”

ଶ୍ରୀରାମଙ୍କର ଏହି ମଧୁର ଓ ଆଶ୍ୱାସନା ପୁର୍ଣ୍ଣ ବାକ୍ୟ ଶୁଣିବା ମାତ୍ରେ ଚନ୍ଦ୍ରସେନାଙ୍କ ଶରୀର ଦିବ୍ୟପୁଲକରେ ରୋମାଂଚିତ ହୋଇ ଉଠିଲା । ଶ୍ରୀବିଷ୍ଣୁଙ୍କ ତେଜ ତାଙ୍କ ଶରୀରରେ ପ୍ରବେଶ କଲା । ତାଙ୍କ ମନପ୍ରାଣ ଶରୀର ତେଜମୟ ହୋଇଗଲା । ଏକ ଜ୍ୟୋତି ତାଙ୍କ ଦେହରୁ ନିର୍ଗତ ହୋଇ ଶ୍ରୀରାମଙ୍କ ଶରୀରରେ ଲୀନ ହୋଇଗଲା । ଏସବୁ ଦେଖି ହନୁମାନ ହାତ ଯୋଡି, ମୁଗ୍ଧ ହୋଇ, ଦଣ୍ଡାୟମାନ ହୋଇ ରହିଥା’ନ୍ତି ।

ତା’ପରେ ମକରଧ୍ୱଜ ସେଠାରେ ଆସି ପହଁଚିଲେ । ସେ ତାଙ୍କ ସାରା ରାଜ୍ୟର ପ୍ରଜାମଣ୍ଡଳୀ ସହିତ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନଙ୍କୁ ପୂଜା କଲେ । ତା’ପରେ ସେ ବହୁ ସମ୍ମାନର ସହିତ ସେମାନଙ୍କୁ ବିଦାୟ ଦେଲେ । ବୀର ହନୁମାନ, ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ କାନ୍ଧରେ ବସାଇ ଆକାଶ ମାର୍ଗରେ ଲଙ୍କା ଦିଗରେ ଉଡି ଚାଲିଲେ । ପଛରେ ମକରଧ୍ୱଜ ଓ ତାଙ୍କର ପ୍ରଜାମାନେ ଜୟଧ୍ୱନି ଦେଉଥା’ନ୍ତି ।

ଲଙ୍କା ନଗରୀରେ ପହଁଚିବା ପୂର୍ବରୁ ଦୂରରୁ ହନୁମାନ ଦେଖିଲେ, ସାରାବାନର ଦଳ ଶୋକାତୁର ହୋଇ ବସି ରହିଛନ୍ତି । କିନ୍ତୁ କେତେକ ବାନରଙ୍କ ମନରେ କ୍ଷୀଣଆଶା ଥାଏ । ତେଣୁ ସେମାନେ ଆକାଶମାର୍ଗକୁ ଚାହିଁ ରହିଥିଲେ । ଜାମ୍ବବାନ ଆଦୌ ବିଚଳିତ ହୋଇ ନଥିଲେ ବରଂ ମଧୁର କଥା କହି ସେମାନଙ୍କୁ ଧୈର୍ଯ୍ୟ ରଖିବାରେ ସାହାଯ୍ୟ କରୁଥିଲେ ।

ତେଣେ ଲଙ୍କା ନଗରୀରେ ରାକ୍ଷସମାନେ ଆନନ୍ଦୋତ୍ସବରେ ମାତିଥା’ନ୍ତି । ବଡ ବଡ ପାତ୍ରରେ ମଦ୍ୟପାନ କରି ନାଚଗାନ ଓ କୋଳାହଳ କରିବାରେ ରାକ୍ଷସମାନେ ସମୟ ବିତାଉଥା’ନ୍ତି । ରାବଣ ବଡ ଉତ୍ସାହର ସହିତ ଅପେକ୍ଷା କରି ବସିଥାଏ, କେତେବେଳେ ମହୀରାବଣ ଶ୍ରୀରାମଲକ୍ଷ୍ମଣଙ୍କ କଟାମୁଣ୍ଡ ଆଣି ପହଁଚିବ । ତେବେ ସେହି କଟାମୁଣ୍ଡକୁ ସୁବର୍ଣ୍ଣଥାଳୀରେ ରଖି ସେ ସୀତାଙ୍କ ପାଖକୁ ଯିବ ଓ ତା’ପରେ ସୀତା ତା’ ବଶରେ ଆସିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ