ବୀର ହନୁମାନ

ଶ୍ରୀକୃଷ୍ଣ ହନୁମାନଙ୍କୁ ଦେଖି କହିଲେ, “ଏହି ହନୁମାନ ହିଁ ମୋର ଜ୍ୟେଷ୍ଠଭ୍ରାତାଙ୍କର ଘୋର ଅପମାନ କରିଛନ୍ତି? ତେବେ ମୋ ସହିତ ତୁମକୁ ଲଢିବାକୁ ହେବ ।” ତା’ପରେ କୃଷ୍ଣ ହନୁମାନ ଯୁଦ୍ଧ ହେଲା । ହନୁମାନ କୃଷ୍ଣଙ୍କର ସୁନ୍ଦର ଯୁଦ୍ଧ କୌଶଳ ଦେଖି ମନେ ମନେ ତାଙ୍କୁ ଖୁବ୍ ପ୍ରଶଂସା କରୁଥିଲେ । ଶେଷକୁ ସେ ଶ୍ରୀକୃଷ୍ଣଙ୍କୁ ଏକ ଧକ୍କା ମାରିଲେ । ଫଳରେ କୃଷ୍ଣ ତଳେ ପଡିଗଲେ; ତାଙ୍କ ପାଦର ସ୍ପର୍ଶ ହେବା ମାତ୍ରେ ହନୁମାନ ସବୁ ବୁଝିଗଲେ ଓ ଯୁଦ୍ଧ ଛାଡି ଠିଆ ହୋଇ ରହିଲେ ।

ଗତ ଜନ୍ମରେ ସୀତାମାତାଙ୍କର ଅଗ୍ନି ପ୍ରବେଶ ବେଳେ ଶ୍ରୀରାମ ସୀତାଙ୍କୁ ବଡ କଠୋର କଥା ସବୁ କହିଥିଲେ । ଏତେ ଦିନର ଦୁଃଖ ପରେ ଏତେ ନିଷ୍ଠୁର କଥା ଶୁଣି ସୀତା ଦୁଃଖରେ ଅଧିର ହୋଇ ପଡି କେବଳ କାନ୍ଦିବାକୁ ଲାଗିଲେ । ତାଙ୍କର ଏ କଷ୍ଟ ହନୁମାନ ସହି ନପାରି ଶ୍ରୀରାମଙ୍କୁ ହାତମୁଠା କରି ଯୁଦ୍ଧକୁ ଆହ୍ୱାନ କରିଥିଲେ । ଶ୍ରୀରାମ ସେତେବେଳେ ହସି କହିଥିଲେ କି ଆସନ୍ତା ଜନ୍ମରେ ତୁମର ସେହି ଇଚ୍ଛା ଅବଶ୍ୟ ପୁରଣ ହେବ । ଆଜିହିଁ ତାହା ପୂର୍ଣ୍ଣ ହେଲା । ହନୁମାନ ତତ୍କ୍ଷଣାତ୍ ହାତ ଯୋଡି କହିଲେ, “ପ୍ରଭୋ ଶ୍ରୀରାମ ରୂପରେ ଦର୍ଶନ ଦେଇ ମୋତେ କୃତାର୍ଥ କରନ୍ତୁ ।”

“ହନୁମାନ, ଅପେକ୍ଷା କର, ଲକ୍ଷ୍ମଣ ତ ବଳରାମ ରୂପରେ ଏଇଠି ଅଛନ୍ତି, ଏବେ ସୀତା ଆସନ୍ତୁ ।” ଏତିକି କହି ସେ ସତ୍ୟଭାମାଙ୍କୁ ଡାକି ପଠାଇଲେ ।

ସତ୍ୟଭାମା ଏକଥା ଶୁଣି ଗଦ୍ଗଦ୍ ହୋଇ ଭାବିଲେ କି ଜନ୍ମଜନ୍ମ ଧରି ସେହିଁ ଭଗବାନଙ୍କ ସ୍ତ୍ରୀ । ଏ ଜନ୍ମରେ ତ ସେ ପ୍ରଧାନ ଓ ପ୍ରିୟତମା । ସିଏ କୃଷ୍ଣଙ୍କଠାରୁ ଖବର ପାଇ ଅତି ସୁନ୍ଦର ଭାବରେ ନିଜକୁ ସଜାଇ ନାନା ଅଳଙ୍କାର ପିନ୍ଧି, ସୁନ୍ଦର ଶାଢୀ ପିନ୍ଧି, ପାରିଜାତ ଫୁଲ ଖୋସାରେ ବାନ୍ଧି ଖୁସିରେ ଆସି ଶ୍ରୀକୃଷ୍ଣଙ୍କ ପାଖରେ ଠିଆ ହୋଇଗଲେ ।

ହନୁମାନ ତାଙ୍କୁ ଦେଖି କହିଲେ, “ଆହା ତୁମେ କୁଆଡେ ଆସିଗଲ? ମନେ ଅଛି ଆର ଜନ୍ମ କଥା? ତମେ ଚନ୍ଦ୍ରସେଣା, ମହୀରାବଣ ଘରେ ଥିଲ । ତୁମକୁ ଶ୍ରୀରାମ କଥା ଦେଇଥିଲେ ପରଜନ୍ମରେ ଅଷ୍ଟରାଣୀଙ୍କ ମଧ୍ୟରୁ ତୁମେ ଜଣେ ହେବ । ପ୍ରଭୁ ତାଙ୍କ ବଚନ ରକ୍ଷା କରିଛନ୍ତି । କିନ୍ତୁ ମୋର ଆଖି ଶ୍ରୀରାମଙ୍କ ପାଖରେ ମା’ସୀତାଙ୍କୁ ଦେଖିବାରେ ଅଭ୍ୟସ୍ତ । ମାତା ସୀତା କାହାନ୍ତି?”

ଏସବୁ ଶୁଣି ଶ୍ରୀକୃଷ୍ଣ ଅଳ୍ପ ଅଳ୍ପ ହସୁଥିଲେ । ସତ୍ୟଭାମା ନିଜର ଭୂଲ୍ ବୁଝିପାରିଲେ । ତା’ପରେ ସେ ଯାଇ ରୁକ୍ମୁଣୀଙ୍କୁ କହିଲେ, “ହନୁମାନ ଆପଣଙ୍କ ସକାଶେ ଅପେକ୍ଷା କରିଛନ୍ତି । ତୁରନ୍ତ ଯାଆନ୍ତୁ ।” ରୁକ୍ମୁଣୀ ହନୁମାନଙ୍କୁ ଦେଖିବା ମାତ୍ରେ ତାଙ୍କର ପୂର୍ବଜନ୍ମ କଥା ସ୍ମରଣ ହେଲା । ହନୁମାନ ତାଙ୍କ ପାଇଁ କ’ଣ ନ କରିଥିଲେ । ହନୁମାନ ତାଙ୍କର ଲବ କୁଶଙ୍କ ପରି ଅତି ପ୍ରିୟ ଥିଲେ । ରୁକ୍ମୁଣୀ ଶ୍ରୀକୃଷ୍ଣଙ୍କ ପାଖରେ ସୀତା ରୂପରେ ଉଭା ହେଲେ । ବଳରାମ ତ ଆଗରୁ ଲକ୍ଷ୍ମଣ ରୂପରେ ହିଁ ଥିଲେ । ଶ୍ରୀକୃଷ୍ଣ ଶ୍ରୀରାମ ରୂପରେ କୋଦଣ୍ଡ ହସ୍ତରେ ଦଣ୍ଡାୟମାନ ହୋଇଥିଲେ । ହନୁମାନ ଭକ୍ତିରେ ପ୍ରଣାମ କଲେ ଓ ବ୍ରହ୍ମାନନ୍ଦରେ ବୁଡିଗଲେ ।

“ହେ ମୋର ପ୍ରିୟ ଭକ୍ତ ହନୁମାନ, ଏବେ ତୁମେ ହିମାଳୟ ଯାଇ କଦଳୀବନରେ ତପସ୍ୟା କର । ଯଥା ସମୟରେ ତୁମର କନିଷ୍ଠ ଭ୍ରାତା ବାୟୁପୁତ୍ର ଭୀମ ତୁମ ପାଖକୁ ଯିବେ । ତୁମେ ତାଙ୍କୁ ମଲ୍ଲଯୁଦ୍ଧର ସୂକ୍ଷ୍ମ କୌଶଳ ସବୁ ଶିଖାଇଦେବ । ମହାଭାରତ ଯୁଦ୍ଧରେ ମୁଁ ଅର୍ଜୁନଙ୍କର ସାରଥୀ ହେବି ଏବଂ ତୁମେ ପତାକାରେ ବସି ରହିବ, ତେଣୁ ଆମ ପତାକାର ନାମ ହେବ କପିଧ୍ୱଜ ।”

ସତ୍ୟଭାମା ହନୁମାନଙ୍କୁ କହିଲେ, “ସେଦିନ ମୋ ଜୀବନ ତୁମେ ରକ୍ଷା କରିଥିଲ ଓ ଶ୍ରୀରାମଙ୍କୁ ମୋ ପାଖକୁ ତୁମେହିଁ ନେଇ ଆସିଥିଲ । ସେଦିନ ଶ୍ରୀରାମଙ୍କର ବଚନ ରକ୍ଷା ହୋଇଛି । ମୁଁ ତାଙ୍କୁ ଶ୍ରୀକୃଷ୍ଣ ରୂପରେ ପାଇ ମହାନ୍ ସୌଭାଗ୍ୟର ଅଧିକାରୀ ହୋଇଛି । ତେଣୁ କେବଳ ତୁମକୁହିଁ ମୁଁ ମୋର ଶତଶତ କୃତଜ୍ଞତା ଜଣାଉଛି ।”

ହନୁମାନ କହିଲେ, “ଦେବୀ, ସତ୍ୟଭାମା ନାମକୁ ସାର୍ଥକ କରିବା ତୁମର ଧର୍ମ । ଭଗବାନ୍ ସର୍ବଦା ସତ୍ୟର ଅଧୀନ । ପ୍ରଭୂ ତାଙ୍କ ବଚନ ପାଳନ କରିଛନ୍ତି । ତମେ ପ୍ରଭୂଙ୍କର ଧର୍ମପତ୍ନୀ; ମୋର ମଧ୍ୟ ନମସ୍ୟା ।”

ରୁକ୍ମୁଣୀ ଓ ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରି ବଳରାମ ଓ ଗରୁଡଙ୍କଠାରୁ ବିଦାୟ ନେଇ ହନୁମାନ ଫେରିଗଲେ ।

କଦଳୀବନରେ ଉଚ୍ଚଉଚ୍ଚ କଦଳୀ ଭରା ଗଛ ଓ ନାନା ପ୍ରକାର ଫୁଲ ଫଳ ଭରା ଗଛ ଥିଲା । ହିମାଳୟରୁ ଝରୁଥିବା ଜଳପ୍ରପାତର ପାଣି ଅତି ସୁନ୍ଦର ଶୋଭା ସୃଷ୍ଟି କରୁଥିଲା । ହନୁମାନ କଦଳୀବନରେ ପଶି ଗୋଡ ଲମ୍ବାଇ ଦେଇ ବସିଲେ । ତାଙ୍କ ଗଦାଥିଲା ହାତ ପାଖରେ ଓ ଲାଞ୍ଜଟି ଲମ୍ବ ହୋଇ ପଡି ରହିଥିଲା । ହନୁମାନ ଶ୍ରୀରାମଙ୍କୁ ଧ୍ୟାନ କଲେ ତାଙ୍କ ନାମ ଜପ କରିବାରେ ଲୀନ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ