ବୁଦ୍ଧିମାନ ବିଶୁ

                ବିଶୁ କଥା ଶୁଣି ଉଷା ହସି ହସି କିଛି କହିବାକୁ ଯାଉଛି ଠିକ୍ ଏତିକିବେଳେ ବାହାରୁ କେହି କବାଟ ଖଡଖଡ କଲା । ଉଷା ଫିଟାଇବା ପରେ ଦେଖାଗଲା ଏଥର ଦାମି ଶାଢୀ ଓ ନାନା ସୁନା ଅଳଙ୍କାରରେ ଲଦି ହୋଇ ଜଣେ ମଧ୍ୟବୟସ୍କା ଭଦ୍ରମହିଳା ଆସିଲେ । ସେ ବିଶୁକୁ ଦେଖି ଉଷାକୁ ପଚାରିଲେ, “ଏ ଟୋକାଟି କିଏ?” ଉଷା କିଛି କହିବା ପୂର୍ବରୁ ସେ କହିଲେ , “ତୋ ମା’ ବାପ ବାହାଘରରୁ ଫେରିଲେଣି ନା ନାହିଁ?”

                ଉଷା କହିଲା “ଏବେ ପର୍ଯ୍ୟନ୍ତ ଆସି ନାହାଁନ୍ତି । ହୁଏତ ଆସୁଥିବେ । କାହିଁକି, ଆପଣଙ୍କର କ’ଣ କିଛି ଦରକାର ଥିଲା କି?”

                “କାଲି ସକାଳେ ତୋ ମଉସାଙ୍କର ଜଣେ ଘନିଷ୍ଠ ବନ୍ଧୁ ଆସିବେ । ଲଡୁ ଓ ଜିଲେବି ବନାହେବ ଯେ ଘରେ ମୋଟେ ଚିନି ନାହିଁ । ଝିଅ ଦୁଇସେର ଚିନି ଦେବୁ ତ କାଲିର କାମ ହୋଇଯିବ । ଏତକ ସାହାଯ୍ୟ କରିପାରିବୁ?”

ଉଷା କହିଲା “ମାଉସୀ, ଘରର ଚିନି ସବୁ ସରି ଯାଇଛି । ମା’ କହିଛି, କାଲିକି ଚିନି ମଗେଇ ଦେବ ।”

ମୋଟି ଭଦ୍ରମହିଳା ଉଠିପଡି ଚାଲି ଯାଉ ଯାଉ କହିଲା, “ଯାଏଁ, ଆଉ କାହାଘରେ ଚେଷ୍ଟା କରେ ।”

ସେହି ସ୍ତ୍ରୀଲୋକ ଜଣକ ଯିବା ପରେ ଉଷା ହସି ହସି ବିଶୁକୁ କହିଲା, “ଦେଖ, ତୁମ ପ୍ରଶ୍ନର ଉତ୍ତର ସଙ୍ଗେ ସଙ୍ଗେ ମିଳିଗଲା ।”

ବିଶୁ ଉଷା କଥାରୁ କିଛିବି ବୁଝି ନପାରି ପଚାରିଲା, “ତୁ କ’ଣ କହୁଛୁ?”

ଉଷା ପଚାରିଲା “ତୁମ ପ୍ରଶ୍ନର ଉତ୍ତର ମୁଁ ପରେ ଦେବି । କିନ୍ତୁ ପ୍ରଥମେ ତୁମେ ମୋ ପ୍ରଶ୍ନର ଉତ୍ତର ଦିଅ । ମୁଁ ବୁଢୀକୁ ଚିନି ଦେଲି ତୁମକୁ ତାହା ଉଚିତ୍ ମନେ ହେଲାନାହିଁ । ମୁଁ ଏ ସ୍ତ୍ରୀଲୋକକୁ ଦେଲିନାହିଁ ତୁମକୁ ଉଚିତ୍ ଲାଗିଲା ନା ନାହିଁ?”

ବିଶୁ କହିଲା “ଏହି ଭଦ୍ରମହିଳାଙ୍କୁ ତୁ ଚିନି ନ ଦେବୁ ବୋଲି ମୁଁ କେବେବି ମଧ୍ୟ ଭାବି ନଥିଲି । ସେ ବୁଢୀ ସହିତ ଏହାଙ୍କର କି ତୁଳନା? ବୁଢୀ ତ କାଙ୍ଗାଳି; କିନ୍ତୁ ଇଏ ତ ଧନୀଲୋକ । ସେ ହୁଏତ ଭୁଲ୍ରେ ଯଥେଷ୍ଟ ଚିନି କିଣିବାକୁ ଭୁଲି ଯାଇଥିବେ, ସେ ସେଥିପାଇଁ ଧାର ନେବାକୁ ଆସିଲେ । ତାଙ୍କୁ ନ ଦେବା ମୋତେ ଏକ ଅନୁଚିତ୍ କାର୍ଯ୍ୟ ପରି ଲାଗିଲା । ମୋର ମନେ ହେଉଛି ସେ ବୁଢୀ ଆଉ କେବେବି ମଧ୍ୟ ଚିନି ଫେରାଇବ ନାହିଁ?

ଉଷା ହସି ହସି କହିଲା, “ଶୁଣିଥିଲି ତୁମର ସଂସାର ବୁଦ୍ଧି ଆଦୌ ନାହିଁ, ତମେ ଜଣେ ଭୋଲାଭାଲା ପ୍ରକାରର ଲୋକ । ଆଜି ତୁମକୁ ଦେଖି ବୁଝିଲି ଲୋକେ କାହିଁକି ତୁମକୁ ସେପରି କହନ୍ତି ।”

ଉଷା କଥା ଶୁଣି ବିଶୁର ମୁହଁ ହଠାତ୍ ଫିକା ପଡିଗଲା । ତଥାପି ମଧ୍ୟ ସେ ନିଜକୁ ସମ୍ଭାଳି ନେଇ କହିଲା, “ଆଚ୍ଛା, ମୋତେ ବୁଝାଇ ଦେ ତ ମୋର ଭୁଲ୍ ଆଉ କେଉଁଠି ରହିଲା?”

ଉଷା ଅଳ୍ପ ହସି କହିଲା, “ତେବେ ଶୁଣ, ପ୍ରକୃତ କଥା କ’ଣ? ବୁଢୀ ପ୍ରକୃତରେ ଗରୀବ, କିନ୍ତୁ ସେ ପ୍ରାୟ ଧାର କରିବା ପାଇଁ ଆସେନାହିଁ । ସେତିକି ଜରୁରୀ କଥା ହେଲେ ଯାଇ ସେ ଆସେ । ଧାର ନ ଶୁଝିବା ପର୍ଯ୍ୟନ୍ତ ତାକୁ ବୋଧହୁଏ ଆଉ ନିଦ ହୁଏନାହିଁ । ଏପରି ଲୋକଙ୍କୁ ଉଧାର ଦେବା ତ ଦୀନଦୁଃଖୀଙ୍କୁ ସେବା କରିବା ସହ ସମାନ । ଏବେ ସେହି ଧନୀ ସ୍ତ୍ରୀ ବିଷୟରେ ଶୁଣ । ସେ ଯଥେଷ୍ଟ ଧନୀ, ତଥାପି ବି ଅନ୍ୟ ମାନଙ୍କ ଉପରେ ଚାନ୍ଦା ଉଠାଇବାର ବଦଭ୍ୟାସ ତାଙ୍କର ଅଛି । ପୁଣି ଉଧାର ନେଇ ତାହା ସେ ସଙ୍ଗେ ସଙ୍ଗେ ଭୁଲିଯା’ନ୍ତି । ସେ ବିଷୟରେ କିଛି ପଚାରିଲେ ସେ ଓଲଟା ଝଗଡା କରି ବସିବେ । ଏପରି ଲୋକଙ୍କ ଉଧାର ଦେବା ମାନେ ଧନକୁ ପାଣିରେ ପକାଇ ଦେବା ସହିତ ସମାନ ।”

ବିଶୁ ଆଶ୍ଚର୍ଯ୍ୟ ହୋଇ କହିଲା, “ଓହୋ, ତେବେ ଏପରି କଥା? ମୁଁ ତ ନୂଆଲୋକ । ୟାଭିତରେ ପୁଣି ଏତେକଥା ଅଛି ବୋଲି ମୁଁ କିପରି ଜାଣିବି?”

ଉଷା କହିଲା, “ସେପରି କୁହନାହିଁ । ଏପରି କ୍ଷେତ୍ରରେହିଁ ନିଜର ବୁଦ୍ଧି ଖର୍ଚ୍ଚ କରିବା ଉଚିତ୍ । ତମେ ଏବେ ବାବାଙ୍କ ଦୋକାନରେ ବସିଲେ ଜାଣନ୍ତ ପ୍ରତ୍ୟେକ ମୁହୂର୍ତ୍ତରେ ନୂଆ ନୂଆ ଲୋକ ଆସନ୍ତି, ତାଙ୍କ ସହିତ ବୁଦ୍ଧି ଖର୍ଚ୍ଚ କରି ଚଳିବାକୁ ହେବ । ତମେ ସେପରି କ୍ଷେତ୍ରରେ କ’ଣ କରିବ? କଥାବାର୍ତ୍ତା ଚାଲିଚଳନରୁ ଏହା ବୁଝିନେବାକୁ ହେବ ଯେ ସେ କିପରି ଲୋକ । ତାକୁ ଉଧାର ଦେବା ଉଚିତ୍ ହେବ ନା ନାହିଁ । ଏହାକୁହିଁ ସଂସାରୀ ବୁଦ୍ଧି ବୋଲି କୁହନ୍ତି । ଖାଲି ବ୍ୟବସାୟ କ୍ଷେତ୍ରରେ ନୁହେଁ, ମଣିଷ ସବୁ ସ୍ଥାନରେ ବୁଦ୍ଧି ଖର୍ଚ୍ଚ କରି ସବୁକିଛି କରିବା ଉଚିତ୍ ।”

ଉଷାର କଥା ଦ୍ୱାରା ବିଶୁ ବହୁତ ପ୍ରଭାବିତ ହେଲା, କଥାବାର୍ତ୍ତାର ମୋଡ ବଦଳିବାରୁ ସେ ଖୁବ୍ ଆଶ୍ଚର୍ଯ୍ୟ ହେଲା ।

ବିଶୁ କହିଲା, “ଏବେ ଆମ ମଧ୍ୟରେ ସଖ୍ୟ ହେବା ଉଚିତ୍ ନୁହେଁ କି?”

ଉଷା କହିଲା, “ହଁ, ତେବେ ଏକଥା ହଠାତ୍ କାହିଁକି?”

ବିଶୁ କହିଲା, “ତେବେ ଭାବିଦେଖ ଯେ ତୁ ବନ୍ଧୁ ବା ସଖା ଭାବରେ ମୋତେ ସାହାଯ୍ୟ କରିବୁ । ଶୁଣିଛୁ ମୁଁ ଭୋଲାଭାଲା ଲୋକ । ମୋ ପିତା ଆସି ବୁଢା ହେଲେଣି । ସବୁ କଥା ବୁଝିବାକୁ ଘରେ ମୁଁ ଜଣେ ଲୋକ, ପୁଣି ଆଉ କେହି ଭାଇଭଉଣୀ ବି ନାହାଁନ୍ତି । ଏ କ୍ଷେତ୍ରରେ ତୋର ସଂସାର ବୁଦ୍ଧି ଦେଇ ମୋତେ ଯଦି ଟିକିଏ ସାହାଯ୍ୟ କରନ୍ତୁ!”

ବିଶୁର କଥା ଶୁଣି ଉଷା ଟିକିଏ ଲାଜେଇ ଗଲା ଓ କହିଲା, “କିଏ କହିଲା ତୁମର ଉପସ୍ଥିତି ବୁଦ୍ଧିନାହିଁ ବୋଲି? କେତେ ଚତୁର ଭାବରେ ତମେ ମୋତେ କଥା ଭିତରେ ବାନ୍ଧି ପକାଇଲ? ଏସବୁ ମୋତେ ନ କହି ମୋ ବାବାଙ୍କୁ କୁହ ।” ତା’ପରେ ଉଷା ଅନ୍ୟପଟ ଘରକୁ ଚାଲିଗଲା । କିଛି ସମୟ ମଧ୍ୟରେ ବିଶୁର ମାମୁଁ, ମାଇଁ ଓ ଭାଇମାନେ ସେଠାକୁ ଆସିଗଲେ । ବିଶୁ ନିଜର ଆସିବାର କାରଣ ମାମୁଁଙ୍କୁ କହିଲା ।

ମାମୁଁ କହିଲେ, “ଏ ବର୍ଷ ଚାଷୀଙ୍କଠାରୁ ଜିନିଷ ମିଳିବାକୁ କିଛି ଡେରି ହୋଇଛି । ପୁଣି ଦାମର ତ ପରିବର୍ତ୍ତନ ହୋଇନାହିଁ । ତୁ ଯାଇ ତୋ ବାପାକୁ ଏସବୁ କଥା ବୁଝାଇ କହିଦେ ।”

ତା’ପରେ ବିଶୁ ତା’ ମାମୁଁଙ୍କୁ କହିଲା, “ମାମୁଁ, ମୁଁ ଯଦି ଆପଣଙ୍କୁ ଗୋଟିଏ ଅମୂଲ୍ୟ ବସ୍ତୁ ମାଗେ ତ ଆପଣ କ’ଣ ମୋତେ ତାହା ଦେଇ ପାରିବେ?”

ମାମୁଁ ପଚାରିଲେ “ମୋ ପାଖରେ ଥିବା ଅମୂଲ୍ୟ ବସ୍ତୁ? କ’ଣ କହ ତ?”

ବିଶୁ କହିଲା, “ସେକଥା ମୁଁ ତ ପରେ କହିବି । ପ୍ରଥମେ କୁହନ୍ତୁ ତାକୁ ମୋତେ ଦେବେ ନା ନାହିଁ ।”

ମାମୁଁ ହସି ହସି କହିଲେ, “ଆରେ ତୁ ତ ମୋର ଅତି ଆଦରର ଏକମାତ୍ର ଭଣଜା, ତୁ ମାଗିବୁ ଆଉ ମୁଁ ଦେଇପାରିବି ନାହିଁ, ଏହା କିପରି ସମ୍ଭବ? ମୋତି ମାଣିକ ମାଗିଲେ ବି ମୁଁ ତୋତେ ତାହା ଖୁସିରେ ଖୁସିରେ ଦେଇଦେବି ।”

ବିଶୁ ପଚାରିଲା “ଆପଣଙ୍କ ଧର୍ମଝିଅ ଉଷାକୁ ଆମ ଘରର ବୋହୁ କରି ନେବାକୁ ମୋର ଭାରି ଇଚ୍ଛା । ଏଥିରେ ଆପଣଙ୍କ ମତ କ’ଣ?”

ତା’କଥା ଶୁଣି ମାମୁଁ ପ୍ରଥମେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ଓ ପରେ ସେ ହସି ହସି କହିଲେ, “ବାଃ ବାଃ ଭଣଜା, ମୁଁ ତ ଆଜିପର୍ଯ୍ୟନ୍ତ ଭାବିଥିଲି ଯେ ତୁ ଜଣେ ଓଲୁ ଓ ମୂର୍ଖ । କିନ୍ତୁ ତୁ ଏତେ ବୁଦ୍ଧିମାନ ବୋଲି ମୁଁ ଜାଣିନଥିଲି ।”

ତା’ପରେ ବିଶୁ ଘରକୁ ଫେରିଲା ଓ ସବୁକଥା କହିଲା ଏକଥା ଶୁଣି ତା’ ବାପ ମା’ ଖୁବ୍ ଖୁସି ହେଲେ । ବିଶୁର ପିତା ତାଙ୍କ ପତ୍ନୀକୁ କହିଲେ, “ଲୋକେ କୁହନ୍ତି ଯେ ପତ୍ନୀ ନିର୍ବାଚନରୁହିଁ ମଣିଷର ବୁଦ୍ଧି କେତେ ତାହା ଜଣାଯାଏ । ମୋ ପୁଅ ମୂର୍ଖ ବୋଲି କିଏ କହିଲା? ମୁଁ ତ ମୋ ପୁଅକୁ ଆଜିଠାରୁ ବୁଦ୍ଧିମାନ ବିଶୁ ବୋଲି କହିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ