ବୁଦ୍ଧିର କରାମତି

       ଆଉ ଦିନକର କଥା । ଠେକୁଆଙ୍କ ଦଳପତି ଆଉ କେତେ ନେତୃସ୍ଥାନୀୟ ଠେକୁଆଙ୍କୁ ସାଥୀରେ ନେଇ ହାତୀପଲ ପାଖରେ ପହଁଚିଗଲେ । ସେତେବେଳେ ହାତୀପଲ ପୋଖରୀରୁ ପାଣି ପିଉଥାନ୍ତି ।

       ତହୁଁ ଠେକୁଆଙ୍କ ଦଳପତି ହାତଯୋଡି କହିଲେ, “ହେ ମହାନ୍ ଜୀବଗଣ । ଆମ୍ଭେମାନେ ହେଉଛୁ ସୂର୍ଯ୍ୟ ଦେବତାଙ୍କ ଦୂତ । ସେ ଆପଣଙ୍କ ପାଖକୁ ଆମ୍ଭମାନଙ୍କୁ ପଠାଇଛନ୍ତି । ପଠାଇବାର କାରଣ ହେଲା, ଏହି ପୋଖରୀରେ ସୂର୍ଯ୍ୟଦେବତା ପ୍ରତିଦିନ ପାଣି ପିଉଥିଲେ । ଆପଣମାନେ ଯେଉଁଦିନଠାରୁ ପାଣି ପିଇଲେଣି ସେହିଦିନଠାରୁ ଏହାର ଜଳ ଅପବିତ୍ର ହୋଇଯିବାରୁ ସେ ଆଉ ପିଉନାହାନ୍ତି । ତେଣୁ ଅନେକ ଦିନ ଧରି ସୂର୍ଯ୍ୟଦେବ ତୃଷାର୍ତ୍ତ ରହିଲେଣି । ସେ ଯଦି ରାଗିଯିବେ ସବୁ ଅନର୍ଥ ଘଟିବ । ସେ ଆକାଶରେ ଆଉ ଦେଖାଯିବେ ନାହିଁ । ଫଳରେ ଗଛ ପତ୍ର ଆଉ କଅଁଳିବ ନାହିଁ । ଆପଣମାନେ ଖାଇବେ କ’ଣ? ଦିନେହେଲେ ଗଛପତ୍ର ଅମ୍ଳଜାନ ଦେଇ ପାରିବେ ନାହିଁ । ଫଳରେ ସବୁଜୀବ ମରିଯିବେ, ଆପଣମାନେ ବି ଛାଡ ପାଇ ପାରିବେ ନାହିଁ । ଦୟାକରି ଆପଣମାନେ ଏ ସ୍ଥାନ ଛାଡି ଚାଲି ଯାଆନ୍ତୁ ।”

       ଏହାଶୁଣି ହାତୀମାନଙ୍କର ଦଳପତି ରାଗିଯାଇ କହିଲେ, “କାହାନ୍ତି ତୁମର ସୂର୍ଯ୍ୟ ଦେବତା ଆମକୁ ଦେଖାଇପାରିବ?”

       ଏବେ ଠେକୁଆମାନଙ୍କର ଦଳପତି ପାଣି ଭିତରେ ସୂର୍ଯ୍ୟଙ୍କର ପ୍ରତିବିମ୍ବକୁ ଦେଖାଇଦେବାରୁ ହାତୀମାନେ ପୋଖରୀ ଜଳକୁ ଚାହିଁରହିଲେ । ସୂର୍ଯ୍ୟଙ୍କ ପ୍ରତିବିମ୍ବର ଉଜ୍ଜ୍ୱଳ ଆଲୋକ ରଶ୍ମି ହାତୀଙ୍କର ଆଖିକୁ ଝଲସାଇ ଦେବାରୁ ସେମାନେ ସମସ୍ତେ ଜଳକା ହୋଇଗଲେ । ସେମାନଙ୍କର ଆଖି ବି ଅତି ଛୋଟ ଛୋଟ ହୋଇଗଲା । ସେମାନଙ୍କୁ ଚାରିଆଡ ଅନ୍ଧାର ଦେଖାଗଲା । ହାତୀମାନେ ଏବେ ସୂର୍ଯ୍ୟଙ୍କ ଶକ୍ତି ଦେଖି ଭୟରେ ସେ ସ୍ଥାନ ଛାଡି କିଏ କୁଆଡେ ଗଲେ ଯେ ସେମାନଙ୍କର ଆଉ ପତ୍ତା ବି ମିଳିଲା ନାହିଁ ।

       ଏବେ ଠେକୁଆମାନେ ନିଶ୍ଚିନ୍ତରେ ଖୁସିରେ ରହିଲେ । ଏହା କେବଳ ସେମାନଙ୍କର ବୁଦ୍ଧିବଳର କରାମତି ହିଁ ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ