ବୁଦ୍ଧି ପରୀକ୍ଷା

ହରିପୁର ଗାଁର ବିଜୟ ସାଆନ୍ତେ ତାଙ୍କ ନାତି ମହେଶକୁ କହିଲେ, “ଆରେ ଟୋକା, ଆମେ ବୁଢା ବୁଢୀ ତ ପୁଣି ମରିବୁ, ନା ବୁଢା ବୟସରେ ଘୁସୁରି ଘୁସୁରି କଷ୍ଟ କରି ଏମିତି ବଂଚି ରହିଥିବୁ?”

                ମହେଶ କହିଲା “ଏଭଳି ବିଚିତ୍ର ପ୍ରଶ୍ନର ଅର୍ଥ? ମୁଁ ଚାହେଁ ତୁମେ ଦୁହେଁ ବଂଚି ରହିଥିବ ଅଥଚ ବାର୍ଦ୍ଧକ୍ୟର ଦୁଃଖ କଷ୍ଟ ତୁମେ ମାନେ କେବେବି ଭୋଗିବ ନାହିଁ ।”

                ବିଜୟ ସାଆନ୍ତେ କହିଲେ “ଇଏ ଠିକ୍ ଜଣେ ବୁଦ୍ଧିମାନ୍ ନାତିର ଉତ୍ତର, ସ୍ୱୀକାର କରୁଛି । କିନ୍ତୁ ଖାଲି ବୁଦ୍ଧିମାନ୍ ହେଲେ ତ ଆଉ ଚଳିବ ନାହିଁ । ବିବେକୀ ମଧ୍ୟ ହେବାକୁ ପଡିବ । ଆମେ ଯେପରି ବୁଢା ହୋଇ ମଧ୍ୟ ମଉଜରେ ଦିନ କାଟିବୁ, ସେଥିପାଇଁ ଔଷଧ ଆଣିବାବି ପ୍ରୟୋଜନ ।”

                ମହେଶ କହିଲା “ବେଶ୍ । ମୁଁ ତ ଆଜି ସହରକୁ ଯାଉଛି । ସେଠାରେ ଜଣେ ବିଶିଷ୍ଟ କବିରାଜଙ୍କ ସହ ମୋର ପରିଚୟ ଅଛି । ବୁଢା ବୟସରେ କି ଔଷଧ ସେବନ କଲେ ତୁମେ ଆନନ୍ଦରେ ରହିପାରିବ, ତାଙ୍କ ସହ ସେ ବିଷୟରେ ମୁଁ ଆଲୋଚନା କରି ସେ କହିବା ଅନୁସାରେ ମୁଁ ଔଷଧ କିଣି ଆଣିବି । ସେଥିଲାଗି ତୁମ ମାନଙ୍କର ଏତେ ବ୍ୟସ୍ତ ହେବା କିଛିବି ଦରକାର ନାହିଁ ।”

                ଜେଜେ କହିଲେ “କବିରାଜ ଔଷଧ ଏଥିଲାଗି କିଛିବି କାମ ଦେବ ନାହିଁ । ଅନ୍ୟ ପ୍ରକାର ଔଷଧ ପ୍ରୟୋଜନ! ସେ ଔଷଧ ତୋତେ ନିଜେ ଯୋଗାଇ ଦେବାକୁ ପଡିବ ।”

                ମହେଶ ପଚାରିଲା “ତାହା କି ପ୍ରକାରର ଔଷଧ?”

                ଜେଜେମା ଉତ୍ତର ଦେଲେ “ଏତେବେଳକୁ କ’ଣ ବୁଦ୍ଧି ଖଟୁ ନାହିଁ? ଅଣ ନାତି, ଅଣ ନାତୁଣୀ, ଏମାନେ ସିନା ଆମ ଜୀବନରେ ମୃତ ସଞ୍ଜିବନୀ ଭଳି କାମ ଦେବେ! କିନ୍ତୁ ସେଥିପାଇଁ ତ ପୁଣି ଆଗେ ନାତୁଣୀ ବୋହୁର ଏ ଘରକୁ ଆସିବା ଦରକାର!”

                ମହେଶ ଆଶ୍ୱାସନା ଦେବାର ଭଙ୍ଗୀ କରି କହିଲା “ଓଃ, ତେବେ ଏପରି କଥା! ବେଶ୍ । ବେଶ୍ । ତାହେଲେ ଟିକେ ଅପେକ୍ଷା କର । ଆଶାରେ ଆଶାରେ ଏମିତି ଆଉ କିଛିଦିନ କଟିଯାଉ । ତା’ପରେ ଯେତେବେଳେ ଆଶା କରି କରି ନିରାଶ ଲାଗିବ, ଠିକ୍ ସେତେବେଳେ ମୁଁ ତତ୍ପର ହୋଇ ତୁମଲାଗି ବୋହୁଟିଏ ନେଇ ଆସିବି ।”

ଜେଜେମା କହିଲେ “ନାତି ଚନ୍ଦ୍ର! ତୁ ଗୋଟାଏ କଥା ସବୁବେଳେ ଭୁଲିଯାଉଛୁ । ଆମେ ଆଶା କରି କରି ବାର୍ଦ୍ଧକ୍ୟରୁ ଯାଇ ଅତି-ବାର୍ଦ୍ଧକ୍ୟରେ ପହଁଚିବା ବେଳକୁ ତୁ ଯେ ଆଉ ଯୁବକ ହୋଇ ରହିଥିବୁ, ସେକଥା ମହାକାଳ ଆଦୌ କରେଇ ଦେବ ନାହିଁ । ତୁ ଯଦି ପାକୁଆ ପାଟି ହୋଇ ଖଣ୍ଡିଏ ବାଡି ଧରି ଠୁକୁ ଠୁକୁ ହୋଇ ବୋହୁ ଖୋଜିବାକୁ ସେତେବେଳେ ବାହାର ହେବୁ, ତେବେ ତୋ ଭାଗ୍ୟରେ କିଭଳି ବୋହୁ ଜୁଟିବେ, ସେକଥା ମୋର କହିବା ମୋଟେ ଦରକାର ନାହିଁ ।”

ମହେଶ ପ୍ରଶ୍ନ କଲା “କଥା କ’ଣ କି ଜେଜେମା, ତମ ଭଳି ବୁଦ୍ଧିମତୀ କନ୍ୟାଟିଏ ଆଜିଯାଏଁ ମୋ ଆଖିରେ କାହିଁ ପଡିଲା ନାହିଁ । ମୁଁ ଆଉ କେମିତି ବାହା ହେବି? ଯିଏ ମୋ ସ୍ତ୍ରୀ ହେବ, ସେ ଯଦି ତମ ନାତୁଣୀ ବୋହୁ ବୋଲାଇବା ଭଳି ଯୋଗ୍ୟ ହୋଇ ନଥିବ, ତେବେ ତ ତମରି ସମ୍ମାନ ଯିବ ନା! ସେମିତି କନ୍ୟା କାହିଁ?”

“ସେମିତି କନ୍ୟା ଅଛନ୍ତି ବତ୍ସ, ଅଛନ୍ତି ।” ଏହା କହୁ କହୁ ସୁମନ୍ତ ରାୟ ଭିତରକୁ ପଶି ଆସିଲେ । ସେ ତ ବିଜୟ ସାଆନ୍ତଙ୍କର ବାଲ୍ୟବନ୍ଧୁ । ବିଜୟ ସାଆନ୍ତେ ଓ ସୁମନ୍ତ ରାୟ ପରସ୍ପର କୁଣ୍ଢାକୁଣ୍ଢି ହେଲେ । ସୁମନ୍ତ ରାୟ କହିଲେ, “ବିଜୟ! ତମେ ଆମ ଘରକୁ ଆସିବ ଆସିବ କହି ଆସିଲ ନାହିଁ । ଶେଷକୁ ମୁଁ ଆସିଲି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ