ବୃକ୍ଷ ମହାତ୍ମା

     ସତେଯେପରି ଗଛର ଆତ୍ମା ରାଜାଙ୍କୁ ସ୍ୱପ୍ନରେ କହୁଥିଲା, “ହେ ରାଜନ ! ମୋ ଗଛକୁ କାଟନ୍ତୁ ନାହିଁ । ମୁଁ ସେଇ ଗଛରେ ଅନେକ ବର୍ଷ ହେଲା ରହି ଆସିଛି । ଆପଣଙ୍କର ଯେମିତି ଜୀବନ ଅଛି ମୋର ମଧ୍ୟ; କୁରାଢିରେ ମୋତେ ଚୋଟ ମାରିଲେ ଭାରି କଷ୍ଟହେବ । ଟିକିଏ ବିଚାର କରନ୍ତୁ ତ କୁରାଢୀରେ ଯଦି ଆପଣଙ୍କୁ ଚୋଟ ମରାଯାଏ ତେବେ ଆପଣଙ୍କ ଅବସ୍ଥା କ’ଣ ହେବ?”

       ମାତ୍ର ଗଛ ଆତ୍ମାର କଥା ରାଜା ଶୁଣିଲେ ନାହିଁ । ସୁତରାଂ ସେ ଆଉଥରେ କାକୁତି ମିନତୀ ହୋଇ କହିଲା “ଏଥର ମୋ ଗଛଟିକୁ ଛାଡି ଦିଅନ୍ତୁ କାରଣ ଗଛକୁ କାଟିଦେଲେ ମୋ ଗଛ ଡାଳରେ ବସାବାନ୍ଧିଥିବା ଅସଂଖ୍ୟ ପକ୍ଷୀ ବାସହରା ହୋଇଯିବେ । ଏହାଦ୍ୱାରା ଆପଣଙ୍କର ହିଁ ପାପହେବ ।”

       ଶେଷରେ ରାଜା କିଛି କଥା ନ ଶୁଣିବାରୁ ଗଛ ବାଧ୍ୟ ହୋଇ କହିଲା, “ହଉ, ଯାହା ଆପଣଙ୍କର ଇଚ୍ଛା ସେଇଆ କରନ୍ତୁ । ହେଲେ ଶେଷ ଅନୁରୋଧଟିକୁ ରକ୍ଷା କରନ୍ତୁ । ଆପଣ ଯଦି ମୋ ଗଛଟିକୁ କାଟିବା ପାଇଁ ବଦ୍ଧପରିକର ତେବେ ପ୍ରଥମେ ଏହାକୁ ମୂଳରୁ ନ କାଟି ଚୂଳରୁ କାଟନ୍ତୁ । ତାପରେ ମୂଳ କାଟିଲେ କିଛି ଆପତ୍ତି ନାହିଁ ।”

       ଏଥର ରାଜା କହିଲେ, “କି ଅଜବ କଥା କହୁଛ ତୁମେ? ସବୁଗଛ ତ ମୂଳରୁ କଟାଯାଏ । ଆଉ ତୁମେ ଏପରି କହିବାର କାରଣ କ’ଣ? ସେଥିରେ ତୁମର କି’ ଲାଭ ହେବ?”

       ଗଛର ଆତ୍ମା ଏବେ କହିଲା, “ମୋର ଲାଭକ୍ଷତି କଥା ମୁଁ ପରେ କହିବି । ମାତ୍ର ଆପଣଙ୍କର ଏହାଦ୍ୱାରା କିଛି କ୍ଷତି ହେବ ନାହିଁ । ପ୍ରଥମେ ଆପଣଙ୍କ ଲୋକମାନେ ମୋ ଗଛ ଉପରେ ଚଢିଯିବେ । ତାପରେ ଉପର ଡାଳ ଗୋଟି ଗୋଟି କରି କାଟି ପକାଇବେ । ତା’ପରେ ତଳ ଡାଳ ଓ ଶେଷରେ ମୂଳ ।”

       ଗଛର ଆତ୍ମା କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ମନରେ ଭାବିଲେ ଏହି କଥାରେ କିଛି ରହସ୍ୟ ଅଛି । ଗଛର ମୂଳରୁ କାଟି ଦେଲେ ଥରକରେ ତାର ଜୀବନ ଚାଲିଯିବ । ତେବେ ଖଣ୍ଡ ଖଣ୍ଡ କରି କାଟି କାହିଁକି ଅଧିକ ଯନ୍ତ୍ରଣା ଭୋଗ କରିବା ପାଇଁ ସେଇ ଏହା କହୁଛି । ସୁତରାଂ ଅସଲ କଥାଟି ଜାଣିବାକୁ ରାଜା ପୁଣି ଗଛର ଆତ୍ମାକୁ ପଚାରିଲେ ।

       ଏଥର ଗଛ ଆତ୍ମା କହିଲା, “ହେ ରାଜନ ! ଆପଣ ଯାହା କହୁଛନ୍ତି ଠିକ୍ କଥା । ମାତ୍ର ମୁଁ ନିଜ କଷ୍ଟଠାରୁ ଅନ୍ୟମାନଙ୍କ କଷ୍ଟ କଥା ଅଧିକ ଚିନ୍ତା କରୁଛି । ବର୍ଷ ବର୍ଷ ଧରି ଯେଉଁ ପକ୍ଷୀମାନେ ମୋ ଗଛରେ ବସା ବାନ୍ଧି ରହିଛନ୍ତି ସେମାନେ ଗଛକଟା ଯାଉଛି ବୋଲି ଯଥେଷ୍ଟ ଆଗରୁ ଜାଣିପାରିଲେ, ଏଠାରୁ ଛାଡି ଅନ୍ୟତ୍ର ଯାଇ ବସା ବାନ୍ଧିବେ? ଆଉ ଆଖପାଖର ବୃକ୍ଷମାନେ ପରସ୍ପର କଥାବାର୍ତା ହୋଇ ଦୁଃଖ ସୁଖରେ ଚଳୁଛୁ । ଯଦି ଗଛକୁ ମୂଳରୁ କଟାଯାଏ ତେବେ ଅନ୍ୟ ଗଛ ଉପରେ ମୋ ଗଛ ପଡିଗଲେ ସେମାନେ ଅକାରଣରେ କଷ୍ଟ ଭୋଗିବେ, କେତେ ମୃତାହତ ବି ହେବେ । ସେହିପରି ଆଖପାଖରେ ଥିବା ଜୀବଜନ୍ତୁମାନେ ବି ପ୍ରାଣ ହରାଇ ପାରନ୍ତି ।”

       ଏତିକିରେ ରାଜାଙ୍କର ନିଦ ଭାଙ୍ଗିଗଲା । ମନେ ମନେ ଭାବିଲେ ସତରେ ବୃକ୍ଷ ମହାତ୍ମା ମୋତେ କେତେ ବଡ ବଡ କଥାମାନ କହିଗଲେ । ଏତିକିରେ ରାଜାଙ୍କର ହୃଦୟରେ ବିରାଟ ପରିବର୍ତନ ଘଟିଲା । ରାଜ୍ୟରେ ଘୋଷଣା କରି ଦିଆଗଲା ଏଭଳି ବୃକ୍ଷକୁ କାଟିବା ପରିବର୍ତେ ପୂଜା କରାଯିବା ଉଚିତ୍ । ସିଏ ସାମାନ୍ୟ ବୃକ୍ଷ ନୁହେଁ – ବୃକ୍ଷମହାତ୍ମା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ