ବେତାଳ ଗୁପ୍ତ ରହଣୀ

ସନ୍ଧ୍ୟା ଆଗମନ ହୋଇ ରାତ୍ରି ହେଲା । ଦାସୀମାନଙ୍କୁ ନିଜ ନିକଟରୁ କମଳିନୀ ବିଦାୟ ଦେଲା । ତାପରେ ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥପାଇଁ ନାନା ପ୍ରକାର ସୁଖାଦ୍ୟ ସଜାଡି ରଖିଲା । ନିଜର ଶୟନ ମନ୍ଦିରର ଏସମସ୍ତ ଦରବ ଠୁଳ କଲା । ନିଜେ ଅଭିସାରିକା ବେଶରେ ସଜାଇ ହୋଇ ଚିତ୍ରରଥର ଆଗମନକୁ ପ୍ରତିକ୍ଷା କଲା । ତାଳ, ବେତାଳ ଗୃହ ମଧ୍ୟରେ ଲୁଚିଥିଲେ । ରାଜଜେମାର ବ୍ୟଭିଚାରିଣୀ କର୍ମ ଦେଖି ଚିତ୍ରରଥ ଲାଗି ରଖିଥିବା ସୁସ୍ୱାଦୁ ଖାଦ୍ୟଦ୍ରବ୍ୟକୁ ଭକ୍ଷଣ କରି ବିଭିନ୍ନ ପାତ୍ରରେ ପଚାପାଣି ରଖିଲେ । ତା’ପରେ କ’ଣ ଘଟିବ ଅପେକ୍ଷାରେ ରହିଲେ । ଚିତ୍ରରଥ ଗନ୍ଧର୍ବ ଏହି ସମୟରେ ପ୍ରବେଶିଲା । କମଳିନୀ ତା’ର କରଧରି ତାକୁ ଘେନିଗଲା । ଜଳରେ ପଦରଖି ଧୋଇଦେଲା । ନିଜ ହସ୍ତରେ କମଳିନୀ ତାକୁ ଖୁଆଇ ଦେଲା । ଗନ୍ଧର୍ବ ଥୁ ଥୁ କରି ପାଟିରୁ ପକାଇ ଦେଲା । କହିଲା ଆଲୋ ଚଣ୍ଡାଳୁଣୀ ମୋ ମୁଖରେ ବିଷ୍ଠା ଭରି ଦେଲୁ । ଚିତ୍ରରଥ ଗନ୍ଧର୍ବର କଥା ଶୁଣି କମଳିନୀ ଚକିତ ହେଲା । ଚିତ୍ରରଥ ଜଳପାନ କରିବାକୁ ଉଦ୍ୟମ କରନ୍ତେ ତାହା ଘୋଡା ମୂତ ପରି ଲାଗିଲା । ଘୃଣାରେ ସମସ୍ତ ଦ୍ରବ୍ୟ ଗନ୍ଧର୍ବ ବର୍ଜନ କଲା । ଚିତ୍ରରଥ ତାମ୍ବୁଳ ଖାଆନ୍ତେ ହାଲିଆ ହେଲା । କ୍ରୋଧାନ୍ୱିତ ହୋଇ କମଳିନୀ କାନ୍ଦି କାନ୍ଦି କହିଲା । ମୁଁ ସମସ୍ତ ଭଲ ପଦାର୍ଥ ରଖିଥିଲି । ଏପରି ହେବାଟା କଥା ମୁଁ କିଛି ଜାଣିନାହିଁ ।

         ଚିତ୍ରରଥ କହିଲା ମୁଁ ଜାଣେ । ନୂତନ ସ୍ୱାମୀକୁ ପାଇ ତୁ ମୋତେ ଭୁଲି ଗଲୁଣି । ପରନାରୀ ପ୍ରୀତି ଭଲ ନୁହେଁ । ଏପରି ବଚନ ତା’ଠାରୁ ଶ୍ରବଣ କରି କମଳିନୀ ତା’ର ପାଦ ଧରିଲା । କହିଲା ତୁମ୍ଭ ବ୍ୟତିତ ଅନ୍ୟ କେଉଁ ପୁରୁଷକୁ ମୁଁ ନୟନରେ ଦେଖିନାହିଁ । ମୋ ଠାରେ ବିଶ୍ୱାସ ରଖି ମୋତେ କ୍ଷମାକର । ମୋର ଅଲକ୍ଷରେ କେହୁ ଏପରି କୁକର୍ମ ଆଚରଣ କରିଛି । କାଲିଠାରୁ ମୁଁ ସାବଧାନ ହେବି । ମୋର ଦୋଷ କ୍ଷମାଦିଅ । ତୁମ୍ଭ ଯୋଗୁଁ ମୋର ବିବାହିତ ସ୍ୱାମୀଙ୍କ ମୁଖ ମୁଁ ଅବଲୋକନ କରିନାହିଁ । ଦାସୀମାନଙ୍କୁ ମୋ ସ୍ୱାମୀ ନିତି କହୁଛନ୍ତି, ହେଲେ ମୁଁ କିଛି ଶୁଣୁ ନାହିଁ । ଏପରି ନାନା ଚାଟୁ ବଚନ କରି କମଳିନୀ ଗନ୍ଧର୍ବକୁ ଭୁଲାଇଲା । ଚିତ୍ରରଥ କମଳିନୀକୁ କୋଳରେ ବସାଇ ଚୁମ୍ବନ ଦେଲା । ତା’ପରେ ଆରମ୍ଭ ହେଲା ରତିକ୍ରୀଡା । ଶେଷରେ ଗନ୍ଧର୍ବ ସ୍ୱର୍ଗକୁ ଗଲା । ତାଳ ବେତାଳ ଦୁହେଁ ବିକ୍ରମାଦିତ୍ୟଙ୍କ ନିକଟରେ ପ୍ରବେଶି ଗତ ରାତ୍ରିର ଯାହା ଘଟଣା ସମସ୍ତ କହିଗଲେ । ବିକ୍ରମାଦିତ୍ୟ କମଳିନୀ କଥା ଶ୍ରବଣ କରି ନିଘୋଡ ନିଦ୍ରାରେ ଶୟନ କଲେ । ଦାସୀମାନେ ବିକ୍ରମାଦିତ୍ୟଙ୍କୁ ଉଠାଇବାରୁ ଉଠିଲେ । ପୁନର୍ବାର ଦାସୀଙ୍କୁ କହିଲେ ମୁଁ ଭଲ ସ୍ୱପ୍ନ ଦେଖୁଥିଲି । ତୁମ୍ଭେ ମୋତେ ଉଠାଇ ଦେଲ । ଦାସୀମାନେ କହିଲେ ହେ ରାଜନ କୁହନ୍ତୁ ଆମ୍ଭେମାନେ ଶୁଣିବୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ