ବେଲ୍ଲୋରୋଫନ୍ଙ୍କ ବୀରତ୍ୱ

      ସେ ଘୋଡାଟି ଭାରି ଅଦ୍ଭୁତ ଘୋଡା ଥିଲା । ବାୟୁ ବେଗରେ ଆକାଶ ମାର୍ଗରେ ସେ ଉଡିଯାଏ । ଯେ କୌଣସି ବିପଦକୁ ବି ସାମ୍ନା କରିବାକୁ ସେ ଆଦୌ ଭୟ କରୁ ନଥିଲା । ତାକୁ ପାଇ ବେଲ୍ଲୋରୋଫନ୍ଙ୍କ ଶକ୍ତି ଓ ସାହସ ଚାରିଗୁଣ ଅଧିକ ବଢିଗଲା । ତା’ପରେ ସେ ରାକ୍ଷସ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ । ପେଗାସସ୍ ଉପରେ ବସି ରାକ୍ଷସ ପାଖରେ ଯାଇ ସେ ପହଁଚିଲେ । ଏହାପରେ ସେ ଦୁହିଁଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା । ଚିମାଇରା ମୁହଁରୁ ନିଆଁ ବାହାରିବା ମାତ୍ରେ ପେଗାସସ୍ ଚଟାପଟ ଆକାଶକୁ ଉଠି ଅଦୃଶ୍ୟ ହୋଇଯାଏ । ପୁଣି ସେ ଫେରି ଆସେ ଓ ଯୁଦ୍ଧ ହୁଏ । ଏହିଭଳି ଭାବରେ ବାରମ୍ବାର ଆକ୍ରମଣ ହେଉଥାଏ । ଶେଷକୁ ସେ ରାକ୍ଷସ ନିଜର ହାର ମାନିଲା । ଏଥୁଅନ୍ତେ ବେଲ୍ଲୋରୋଫନ୍ ଆନନ୍ଦରେ ଜୋବେଟସ୍ଙ୍କ ପାଖକୁ ଫେରି ଆସିଲେ । ରାଜା ତାଙ୍କୁ ବଡ ଆଡମ୍ବର ସହକାରେ ସ୍ୱାଗତ କଲେ; ପରେ ସେ ପୁଣି କିଛି ବିପଜ୍ଜନକ କାମ ଦେବାପାଇଁ ମନେ ମନେ ସ୍ଥିର କଲେ ।

      ଇତିମଧ୍ୟରେ ଜୋବେଟସ୍ଙ୍କ କନିଷ୍ଠା ରାଜକୁମାରୀ ବେଲ୍ଲୋରୋଫନ୍ଙ୍କୁ ଭଲ ପାଇ ବସିଥା’ନ୍ତି । ଏକଥା ରାଜାଙ୍କ କାନରେ ପଡିଲା । ଜୋବେଟସ୍ ମଧ୍ୟ ଆଗରୁ ବେଲ୍ଲୋରୋଫନ୍ଙ୍କ ବୀରତ୍ୱରେ ମୁଗ୍ଧ ହୋଇଥା’ନ୍ତି । ତେଣୁ ସେ ମଧ୍ୟ ତାଙ୍କୁ ଜାମାତା ରୂପେ ବରଣ କରିବାକୁ ମନସ୍ଥ କଲେ । ଆଗରୁ ତ ସେ ରାଜା କହିଥିଲେ କି ବେଲ୍ଲୋରୋଫନ୍ଙ୍କ ବୀରତ୍ୱ ପାଇଁ ତାଙ୍କୁ ପୁରସ୍କୃତ କରିବେ । ତେଣୁ ପୁରସ୍କାର ସ୍ୱରୂପ ସେ ନିଜର ଝିଅକୁ ତାଙ୍କ ସହ ବିବାହ କରାଇ ଦେଲେ । ବଡ ଧୂମଧାମରେ ବିବାହ ଉତ୍ସବ ହେଲା । ସେହି ବିବାହ ଉତ୍ସବକୁ ପ୍ରୋଇଟସ୍ ମଧ୍ୟ ନିମନ୍ତ୍ରିତ ହୋଇ ଆସିଲେ । ଜୋବେଟସ୍ ଭାବୁଥିଲେ ଯେ ଭଣଜାର ମନ ଏବେ କ’ଣ ନ ହେଉଥିବ । ଜୋବେଟସ୍ଙ୍କର ତ କୌଣସି ପୁତ୍ରସନ୍ତାନ ନ ଥିଲେ । ତେଣୁ ସେ ବେଲ୍ଲୋରୋଫନ୍ଙ୍କୁ ନିଜର ଉତ୍ତରାଧିକାରୀ ବାଛିଲେ ଓ ତାଙ୍କୁ ପୁଅ ପରି ଭଲ ପାଇଲେ । ତାଙ୍କ ମୃତ୍ୟୁ ପରେ ବେଲ୍ଲୋରୋଫନ୍ ଲିସିଆର ରାଜସିଂହାସନରେ ବସିଲେ ଓ ବହୁବର୍ଷ ଧରି ଅତି ସୁନ୍ଦର ଭାବରେ ରାଜ୍ୟ ଶାସନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ