ବୈଦ୍ୟଙ୍କ ଖ୍ୟାତି

                ଏକଥା ଶୁଣି ରଙ୍ଗଦାସ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, “ମହାଶୟ ଆପଣ ଠିକ୍ କହିଛନ୍ତି । ବହୁ ପୂର୍ବରୁ ମୁଁ ରାମପୁରର ବୈଦ୍ୟ ଥିଲି ତା’ପରେ ସହର ଆସିଲି । ବୈଦ୍ୟକାମ ତ ମୋତେ ଆଦୌ ପୋଷାଇଲା ନାହିଁ । ତେଣୁ ମୁଁ ବ୍ୟବସାୟ କଲି ଓ ଏବେ ଭଲରେ ଚଳୁଛି । ଏବେ ମୁଁ ଏକଥା ଭୁଲିଗଲିଣି ଯେ ମୁଁ ଦିନେ ଜଣେ ବୈଦ୍ୟ ଥିଲି ବୋଲି । ଆପଣ ଏହା କହିପାରିବେ କି ଆପଣ କେବେ ରାମପୁର ଯାଇଥିଲେ?”

                ବ୍ୟବସାୟୀ କହିଲେ, “କଥା କ’ଣ କି ଏବେ କିଛିଦିନ ପୂର୍ବରୁ ମୋ ସାନ ଭଉଣୀର ଶାଶୁଘର ରାମପୁରକୁ ମୁଁ ଯାଇଥିଲି । ବିଶ୍ୱାସ କରନ୍ତୁ ସେଠାରେ ସମସ୍ତେ ଏବେ ମଧ୍ୟ ଆପଣଙ୍କୁ ମନେ ପକାଉଛନ୍ତି ।”

                ବ୍ୟବସାୟୀ ରାମପୁରରେ ରଙ୍ଗଦାସଙ୍କ ବିଷୟରେ ଏତେ ଶୁଣିଥିଲେ ଯେ ତାଙ୍କ ମନରେ ଥାଏ ଏପରି ଲୋକଙ୍କୁ ସେ ଥରେ ଦେଖନ୍ତେ କି? ଯାହାହେଉ ତାଙ୍କ ଇଚ୍ଛା ଆଜି ପୂରଣ ହୋଇଗଲା । ସେ ଖୁସି ହୋଇ ରଙ୍ଗଦାସଙ୍କୁ ଘରକୁ ଡାକି ତାଙ୍କୁ ନୂଆ ଲୁଗା ପିନ୍ଧିବାକୁ ଦେଇ, ଖିଆପିଆ କରାଇ କିଛି ଟଙ୍କା ଦେଇ ସେଠାରୁ ବିଦା କଲେ । ପରେ ସହରକୁ ଯାଇ ରଙ୍ଗଦାସଙ୍କଠାରୁ ସେ ତାଙ୍କ ଟଙ୍କା ନେଇ ଆସିଲେ ।

                ରଙ୍ଗଦାସ ନିଜ ସ୍ତ୍ରୀକୁ ସବୁ ଘଟଣା ଶୁଣାଇ ସାରି କହିଲେ, “ଆମେ ରାମପୁର ଛାଡି ବଡ ଭୁଲ୍ କଲେ । ସେଠାରେ ତ ବୈଦ୍ୟ ଭାବରେ ମୋର ଖ୍ୟାତି ସାରା ଗ୍ରାମରେ ବ୍ୟାପିଥିଲା । ତମେହିଁ ତ ଖାଲି ସହରକୁ ଚାଲି ଆସିବା ପାଇଁ ମୋତେ ବାଧ୍ୟ କଲ । ଥରେ ସହରରେ ରହିଯିବା ପରେ ତମେ ଗ୍ରାମ କଥା ପୁରାପୁରି ଭୁଲିଗଲ ଓ ମୋତେ ମଧ୍ୟ ସେଠାକୁ ଆଉ ଯିବାକୁ ଦେଲ ନାହିଁ । ଏବେ ମୋର ମନରେ ବଡ ଆଗ୍ରହ ହେଉଛି ଥରେ ସପରିବାରେ ସେ ଗ୍ରାମକୁ ଯାଇ ଟିକେ ବୁଲି ଆସନ୍ତେ ।”

                ସ୍ତ୍ରୀ କହିଲେ, “ମୁଁ ଭଲ କରି ଜାଣେ ତୁମର କି ପ୍ରକାର ନାମ ଯଶ ସେ ଗ୍ରାମରେ ହୋଇଥିଲା । ତେଣୁ ସେଠାକୁ ଥରେ ମଧ୍ୟ ଯିବା ଆଉ କିଛିବି ଦରକାର ନାହିଁ ।”

                ରଙ୍ଗଦାସ ରାଗିକରି ପଚାରିଲେ “ଆଜି ପର୍ଯ୍ୟନ୍ତ ମୁଁ ସିନା ତୁମ କଥା ମାନି ଆସିଛି । ହେଲେ ଏବେ ଆଉ ମାନିବି ନାହିଁ । ରାମପୁରରେ ମୋର କି ପ୍ରକାର ନାମ ହୋଇଥିଲା ତମେ ଏପର୍ଯ୍ୟନ୍ତ ମୋତେ ସେ ବିଷୟରେ କାହିଁକି କିଛି କହିନାହଁ? କ’ଣ ମୋର ସୁଖ୍ୟାତି ବା ସୁନାମ ତୁମର ପସନ୍ଦ ନୁହେଁ?”

                ରଙ୍ଗଦାସଙ୍କ ପତ୍ନୀ ବ୍ୟାକୁଳ ହୋଇ କହିଲେ “ସୁନାମ ହେଲେ ତ କହିଥା’ନ୍ତି । ପ୍ରକୃତରେ କଥା କ’ଣ କି ରାମପୁରବାସୀ ଲୋକେ ଜାଣନ୍ତି ଯେ ତୁମକୁ ଔଷଧ ଦେଇ ଆସେନାହିଁ । ତୁମ ଔଷଧ କାଳକୁଟ ବିଷପରି ଖୁବ୍ ପିତା । କେହି ଯଦି କାହା ସହିତ କଳି କରେ ତ ସେ ଧମକ ଦେଇ କହେ, “ରହିଥା ମୁଁ ତୋତେ ରଙ୍ଗଦାସ ହାତରେ ଚିକିତ୍ସା କରାଉଛି ।” ମା’ ମାନେ ଯେବେ ପିଲାଙ୍କୁ ଗାଳି ଦିଅନ୍ତି, ସେତେବେଳେ ଡରାଇ କରି କହନ୍ତି, “ରହିଥା, ରଙ୍ଗଦାସ ପାଖକୁ ନେଇ ତୋତେ ମୁଁ ଔଷଧ ଖୁଆଇଲେ ଯାଇ ତୁ ଠିକ୍ ହେବୁ ।” ଏହିପରି ଭାବରେ ସମସ୍ତେ ତୁମର ଅପଯଶ ପ୍ରଚାର କରୁଥିଲେ । ବୈଦ୍ୟ ଭାବରେ ତୁମର ସୁନାମ ତ ସେଠାରେ ଆଦୌ ନଥିଲା । ସେସବୁ ମୋତେ ଭଲ ନ ଲାଗିବାରୁ ମୁଁ ତୁମକୁ ସହର ଆସିବାକୁ କହିଲି । ମୁଁ ଏକଥା ଆଜିପର୍ଯ୍ୟନ୍ତ କହିନଥିଲି କାରଣ ତୁମେ ଶୁଣିଲେ ଦୁଃଖିତ ହେବ ବୋଲି । ଏତେଦିନ ହୋଇଗଲାଣି ତୁମେ ଗ୍ରାମ ଛାଡିଲେ ମଧ୍ୟ ଏବେ ସୁଦ୍ଧା ତୁମକୁ ନେଇ ସେମାନେ ପରିହାସ କରୁଛନ୍ତି । ସେମାନେ ସବୁ କିମିତି ଲୋକ? ଏବେ ତମେ ଚିନ୍ତାକରି କୁହ ସେ ଗ୍ରାମକୁ ଯିବ କି?”

                ଏକଥା ଶୁଣିବା ପରେ ରଙ୍ଗଦାସ ରାମପୁର କଥା ଏକବାରେ ନିଜର ସ୍ମୃତିରୁ ସମ୍ପୂର୍ଣ୍ଣ ପୋଛିଦେଲେ ଓ ତାଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ଗ୍ରାମକୁ ମଧ୍ୟ ସେ ଆଉ କେବେବି ଗଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ