ବୋକା ନା ବିବେକୀ?

ପ୍ରଥମ ଥର ନିଜ ଭାଗ୍ୟ ପରୀକ୍ଷା ପାଇଁ ଯାଇ ଚନ୍ଦ୍ରଶେଖର ଏପରି ଅଶୁଭ ସମ୍ବାଦ ପାଇବା ହେତୁ ତା’ ମନ ଭୀଷଣ ଖରାପ ହେଲା । ଜମିଦାରଙ୍କ ଜଣେ ପାଖ ଲୋକ ତାକୁ କହିଲେ, ଆଗାମୀ ବହୁଦିନ ପର୍ଯ୍ୟନ୍ତ ଜମିଦାରଙ୍କର କବିତା ଶୁଣିବା ଭଳି ମାନସିକ ଅବସ୍ଥା ଠିକ୍ ରହିବ ନାହିଁ ।

ତା’ପରେ ଶେଖର ମୁହଁ ଶୁଖାଇ ଗାଁକୁ ଫେରିଆସିଲା । କେଇଦିନ ପରେ, କେତେ ଜଣ ଶୁଭେଚ୍ଛୁଙ୍କ ପରାମର୍ଶରେ ସେ ସମୀରପୁର ନାମକ ଗାଁରେ ଥିବା ବିଶିଷ୍ଟ ଜମିଦାର ପ୍ରତାପଚନ୍ଦ୍ରଙ୍କୁ ଭେଟିବାକୁ ଗଲା । କିନ୍ତୁ, ସେ ସେଠାକୁ ଯାଇ ଦେଖିବା ବେଳକୁ ଜମିଦାର ମହୋଦୟ ଶଯ୍ୟାଶାୟୀ । ତାଙ୍କ ବ୍ୟାଧି କ’ଣ ତାହା ଚିକିତ୍ସକମାନେ ମଧ୍ୟ ନିରୂପଣ କରି ପାରୁ ନାହାଁନ୍ତି । ବ୍ୟାଧିଗ୍ରସ୍ତ ଜମିଦାରଙ୍କ ପାଖକୁ କବିତା ଶୁଣାଇବାର ପ୍ରସ୍ତାବ ଦେବାର ପ୍ରଶ୍ନ ବା କାହୁଁ ଉଠୁଛି? ଶେଖର ଏଥର ମଧ୍ୟ ମନ ଦୁଃଖ ମନରେ ମାରି ଘରକୁ ଫେରିଲା ।

ବାଟରେ ସେ ଗୋଟାଏ ଗଛତଳେ ବସି ବିଶ୍ରାମ କରୁଛି, ଜଣେ ପଥିକ ତାକୁ ଦେଖି ଅଟକି ଯାଇ ପ୍ରଶ୍ନ କଲେ, “ତୁମେ କିଏ?”

ତା’ପରେ ଶେଖର ଉତ୍ତର ଦେଲା “ମୁଁ ଜଣେ ହତଭାଗ୍ୟ ।”

ପଥିକ ତାକୁ କୌତୁହଳୀ ଦୃଷ୍ଟିରେ ନିରୀକ୍ଷଣ କରି କହିଲେ, “ବାବୁ, ତମେ ଏମିତି କାହିଁକି କହୁଛ? ମୁଁ ତ ଭାବୁଛି ତମଉପରେ ମା ସରସ୍ୱତୀଙ୍କ କରୁଣା ରହିଛି!”

ଚନ୍ଦ୍ରଶେଖର ଆଶ୍ଚର୍ଯ୍ୟ ହୋଇ ପଚାରିଲା “ମା ସରସ୍ୱତୀଙ୍କ କରୁଣା ହୁଏତ ରହିଛି, କିନ୍ତୁ ଭାଗ୍ୟଦେବୀ ତ ମୋପ୍ରତି ବିରୂପ । କିନ୍ତୁ ଆପଣ କିପରି ଜାଣିଲେ ଯେ ମୁଁ ମା ସରସ୍ୱତୀଙ୍କ ସେବକ-ଅର୍ଥାତ୍ କବି?”

                ପଥିକ କହିଲେ “ମଣିଷର ସ୍ୱଭାବ ବୁଝିବା ଦିଗରେ ମୋର ସାମାନ୍ୟତମ ଶକ୍ତି ରହିଛି ।”

                ଏହା କହି ପଥିକ ବସିପଡି ଶେଖରର ଡାହାଣ ହାତ ଟାଣି ଆଣି ହସ୍ତରେଖା ଦେଖିଲେ ଓ କହିଲେ, “ତମେ ତ ସତରେ ଜଣେ କବି!”

                ଶେଖର ଉତ୍ତର ଦେଲା “ହଁ ଆଜ୍ଞା । କିନ୍ତୁ ହତଭାଗ୍ୟ ମଧ୍ୟ । କାରଣ ମୋର ପୃଷ୍ଠପୋଷକତା କରିବାକୁ କେହିବି ନାହାଁନ୍ତି ।” ତା’ପରେ ସେ ପୁଣି କହିଲା, “ମହାଶୟ, ଆପଣଙ୍କ ଶକ୍ତି ଦେଖି ମୁଁ ବିସ୍ମିତ । ଆପଣ ଯଦି ମୁଁ କବି ବୋଲି ଜାଣିପାରିଲେ, ତେବେ ହାତ ଦେଖି ମୋର ଭାଗ୍ୟ ମଧ୍ୟ ଜାଣି ପାରିଥିବେ । ଦିନେ ମୋର କବି ଭାବରେ ପରିଚିତ ହେବାର ଆଶା ଅଛି କି?”

                ତହୁଁ ସେ ଜ୍ୟୋତିଷ ହସିଦେଇ କହିଲେ, “ଆଶା ନୁହେଁ । ତୁମେ ନିଶ୍ଚିତ ଭାବରେ କବି ସମ୍ମାନ ପାଇବ । ମାସକ ପରେ ଶୁଦ୍ଧ ପଂଚମୀ ପ୍ରଭାତରେ ଘରୁ ବାହାରି ପୂର୍ବ ଦିଗକୁ ଯିବ । ଯେଉଁ ଜମିଦାରଙ୍କ ଗାଁ ପ୍ରଥମେ ପଡିବ, ତାଙ୍କର ଆଶ୍ରା ପାଇବା ପାଇଁ ଚେଷ୍ଟା କରିବ ।” ଏତିକି କହି ସେ ଜ୍ୟୋତିଷ ସେଠାରୁ ଚାଲିଗଲେ ।

                ଶେଖର ସେଦିନର ସେ ଜ୍ୟୋତିଷକୁ ଚିହ୍ନିନଥିଲା ସତ, କିନ୍ତୁ ଜ୍ୟୋତିଷଙ୍କ କଥା ଶୁଣି ତା’ର ଧାରଣା ହେଲା ସେ କିଛି ମିଛ କହୁନାହାଁନ୍ତି । ଏହାପରେ ତା’ମନରେ ଆଶାର ସଂଚାର ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ