ବୋତଲ ଭୂତ

ପରଦିନ ଅନସୂୟାର ବାପାମା ଆସି ପହଁଚିଲେ । ମଙ୍ଗଳା ଅନସୂୟାର ଖୁବ୍ ପ୍ରଶଂସା କଲେ । ଦୁଇଦିନ ଖୁସିବାସିରେ ରହି ସେମାନେ ଫେରିଗଲେ; ମନେ ମନେ ଭାବିଲେ ଝିଅ ଶାଶୁଘରେ ବଡ ଆନନ୍ଦରେ ଅଛି ।

ତା’ପରେ ପରେ ମଙ୍ଗଳା ପୁଣି ଅନସୂୟାକୁ ହଇରାଣରେ ପକାଇଲେ, ସେ କହିଲେ, “ଚାରିଆଡ ଅସନା ମସନା ହୋଇ ପଡିଛି ଶୀଘ୍ର ପରିଷ୍କାର କର । ବଡ ବଡ ପାତ୍ର କୁଅପାଖକୁ ନେଇ ଜଳ ଭରି ନେଇ ଆସ । ରନ୍ଧାରନ୍ଧି ଯଥାଶୀଘ୍ର କର ।” ଇତ୍ୟାଦି କାମର ବରାଦ ଦେଇ ସାରି ସେ ପଡୋଶୀ ଘରକୁ ଗପ କରିବାକୁ ଚାଲିଗଲେ । ବୋତଲର ଠିପିରି ଖୋଲି ଅନସୂୟା ଭୂତଟିକୁ ବାହାର କରି ସମସ୍ତ କାମ ତାହାରି ଦ୍ୱାରାହିଁ କରାଇ ନେଲା ।

ଏସବୁ ଦେଖି ମଙ୍ଗଳା ହଠାତ୍ ଚମକି ପଡିଲେ । ସେ ଭାବିଲେ ଯେ କିପରି ଏହା ସମ୍ଭବ ହେଉଛି? ତା’ପରେ ସେ କହିଲେ, “କୁଅ ପାଣି ଲୁଣିଆ ଦୋରସା । ଲୁଗା ଖରାପ ହେଉଛି । ଲୁଗା ନେଇ ଶୀଘ୍ର ନଈରେ ଧୋଇ ଆଣ ।”

ଅନୁ କହିଲା “ଠିକ୍ ଅଛି”

ମଙ୍ଗଳା କହିଲେ “ଖାଲି ଠିକ୍ ଅଛି କହିଲେ ହେବ ନାହିଁ । ଲୁଗାସବୁ ନେଇ ନଦୀରେ ଧୋଇ ନେଇ ଆସ । ଏକାଠି ତ ତୁ ଆଉ ଏତେ ଲୁଗା ନେଇ ପାରିବୁ ନାହିଁ । ଥୋଡାଏ ଲୁଗା ନେଇ କାଚି ନେଇ ଆସ । ପୁଣି କଚା ଲୁଗା ରଖି ଅନ୍ୟତକ ଧୋଇବାକୁ ନେଇ ଯା, ନହେଲେ ପାରିବୁ ନାହିଁ । ଯା ଶୀଘ୍ର ଯା ।”

ଅନୁ କହିଲା, “ସେଠାରେ ତ ବହୁତ ପବନ । ସେଇଠି ଲୁଗାଗୁଡିକ ଶୁଖାଇ ଦେବି କି?”

“ହଁ ସେଇଠି ଶୁଖାଇ ଦେ । ମୁଁ ନିଜେ ଆସି ଦେଖିବି ଯେ କିପରି ଶୁଖାଇଛୁ ।” ଏତିକି କହି ସେ ପଡୋଶୀ ଘରକୁ ଗପ କରିବାକୁ ଚାଲିଗଲେ ।

ଅନୁ ନଦୀତୀରକୁ ଗଲା । ଭୂତ ଲୁଗା କାଚିଲା । ଗାତ ଖୋଳି ବାଡି ପୋତି ସେଥିରେ ଦଉଡି ବାନ୍ଧି ଲୁଗା ଶୁଖାଇଲା । ଆଉ ଅନ୍ନପୂର୍ଣ୍ଣା ନଈକୂଳରେ ବସି ଲୁଗା ଜଗିଥାଏ । ମଙ୍ଗଳା ଆସି ସେସବୁ ଦେଖି ସ୍ତବ୍ଧ ହୋଇଗଲେ । ଏତେ କାମ କିଏ କେତେବେଳେ କଲା? ତଥାପି ମଧ୍ୟ ସେ ଅନୁକୁ ପ୍ରଶଂସା କଲେ ନାହିଁ । ସେ ଭାବିଲେ, “ଏହା ପାଖରେ ନିଶ୍ଚୟ କୌଣସି ମାୟାବୀ ଶକ୍ତି ବା କୁହୁକ ଅଛି । ଯାହାବି ହେଉ ସେ ତ ନିଜେ ମୋତେ ଡରେ । ତେଣୁ ତା’ର କାମ ଯିଏ ବି କରୁ, ମୋ ହାତରେ ତ ଅନୁ ଅଛି ସିଏ ମୋର କ’ଣ ବା କରିପାରେ?” ସେହିଦିନଠାରୁ ମଙ୍ଗଳା ଅନୁକୁ କଷ୍ଟସାଧ୍ୟ କାମ ସବୁ କରିବାକୁ ଦିଅନ୍ତି ଓ ଅନୁ ଭୂତଦ୍ୱାରା ସେସବୁ କାମତକ ସହଜରେ କରାଇ ନିଏ । ଏହିପରି ଭାବେ ତା’ର ଦିନଗୁଡିକ ବେଶ୍ ଆରାମ୍ରେ କଟି ଯାଉଥାଏ ।

ଚାହୁଁ ଚାହୁଁ ସେ ଭୂତ ଦୁଇମାସ ମଧ୍ୟରେ ଅଠାନବେ ଥର ବୋତଲରୁ ବାହାରିଲାଣି । ଏବେ ଆଉ ମାତ୍ର ଦୁଇଥର ବାହାରିବା କଥା ତା’ପରେ କ’ଣ ହେବ? ଏହି କଥାକୁ ନେଇ ଅନୁ ବଡ ଚିନ୍ତାରେ ପଡିଗଲା । ତା’ପରେ ସେ ଘରର ଗୋଟାଏ କୋଣରେ ବସି କାନ୍ଦିଲା ।

ମଙ୍ଗଳା ସେପଟକୁ କ’ଣ କାମ କରିବାକୁ ଯାଇ, ଅନୁକୁ ଦେଖି ଗର୍ଜି ଉଠି କହିଲେ, “ତୋର କ’ଣ ହୋଇଛି? ଦେଖୁଛି ତୁ ବଡ ଆରାମରେ ବସିଛୁ । କୂଅ ପାଣି ବଡ ଲୁଣିଆ ଦୋରସା । ଶୀଘ୍ର ଯାଇ କୁଅରୁ ପାଣି କାଢି ଦେଇ ନଦୀ ପାଣି କୂଅରେ ଢାଳିବୁ ଯା ।”

ମଙ୍ଗଳା ସେଠାରୁ ଯିବା ପରେ ଅନୁ ବୋତଲ କାଢି ଭୂତକୁ ସବୁ କଥା କହିଲା । ତା’କଥାରେ ସେ ଭୂତଟି ଚିଡିଯାଇ କହିଲା, “ତୁମର ବିବେକ ବୋଲି କିଛି ଅଛି ନା ନାହିଁ । ଦିନକୁ ଦିନ କଷ୍ଟକାମ ଦେଇ ଚାଲିଛ । ନଦୀର ପାଣି ଆଣି କୂଅରେ ଭରିବା କଥା କେହି ବି କଳ୍ପନା ମଧ୍ୟ କରିନପାରେ? ତୁମର କ’ଣ ମୋ ପ୍ରତି ଟିକିଏ ହେଲେବି ସମବେଦନା ନାହିଁ । ଦୟା ନାହିଁ । କ’ଣ ତୁମର ଇଚ୍ଛା?”

ତା’ପରେ ଅନୁ କହିଲା “ତୁମେ ଦେଖୁ ନାହଁ କି ମୁଁ କେତେ ନିଃସହାୟ? ତୁମକୁ କାମ ଦେବାକୁ ମୋତେ କ’ଣ ଭଲ ଲାଗୁଛି । କେବଳ ଅତ୍ୟାଚରୀ ଜେଜେଶାଶୁ ଯୋଗୁଁ ଏତେ କଥା । ମୁଁ ବାଧ୍ୟ ହୋଇ ତୁମକୁ କଷ୍ଟ ଦେଉଛି । ତା’ ହାତରୁ ମୁକ୍ତି ପାଇବାକୁ କ’ଣ କରାଯାଇପାରେ ଭାବି କୁହତ ।”

ଭୂତ ଦୟା ଦେଖାଇ ପ୍ରଶ୍ନକଲା “ତୁମର ତ ଏହି କାମ ପରେ ଅନେଶ୍ୱତ କାମ ସରିବ । ତା’ପରେ ଗୋଟିଏ ମାତ୍ର କାମ ଶେଷ ହେଲେ ତୁମେ କ’ଣ କରିବ?”

ଅନୁ କହିଲା “ତୁମେ ଚାଲିଯିବା ପରେ ମୁଁ ପୁଣି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିବି ।”

ଭୂତ କିଛି ସମୟ ଚିନ୍ତା କରି କହିଲା, “ତାହେଲେ ତୁମେ ଏକ କାମ କର । ମୋର ନାତି ମଧ୍ୟ ବଡ ଭଲ ପିଲାଟିଏ ଥିଲା । ମୁଁ ତା’ର ସ୍ତ୍ରୀ ଉପରେ ବହୁତ ଅତ୍ୟାଚାର କଲି । ସେଥିପାଇଁ ଭୂତ ହୋଇ ମୁଁ ତୁମରି ସେବା କରି ଚାଲିଛି । ଏହି ମଙ୍ଗଳା ମଧ୍ୟ ଠିକ୍ ସେହି କାମ କରୁଛି । ସେ ଯେତେବେଳେ ତୁମକୁ କାମ ଦେବ, ସେତେବେଳେ ତୁମେ ମୋତେ ସ୍ମରଣ କରିବ । ମୁଁ ଆସିବା ମାତ୍ରେ ମୋତେ କହିବ, “ଏହାକୁ ମାରିଦିଅ ।” ମୁଁ ମଙ୍ଗଳାକୁ ଅନାୟାସରେ ମାରି ତାକୁ ଏହି ବୋତଲରେ ବନ୍ଦୀ କରି ଚାଲି ଯିବି । ତା’ପରେ ସେ ମୋ ପରି ଭୂତ ହୋଇ ବୋତଲରେ ରହିବ ଓ ଏବେ ତୁମ ଉପରେ କରୁଥିବା ଅତ୍ୟାଚାର ଯୋଗୁଁ ତା’ର ଯେଉଁ ପାପ ହେଉଛି, ତୁମ କାମ କରି ସେହି ପାପର ପ୍ରାୟଶ୍ଚିତ ସେ କରିବ । ସେ ତୁମର କାମ ଜୀବନସାରା କରିବ । ଏବେ ଯାଉଛି କୁଅରେ ପାଣି ଭରିବି ।”

ମଙ୍ଗଳା ଅନୁକୁ ଦେଖିବାକୁ ଆସି କବାଟ ଉହାଡରେ ଥାଇ ଭୂତକୁ ଦେଖିଲେ ଓ ତା’କଥା ସବୁ ଶୁଣିଲେ । ଏବେ ସେ ଜାଣି ପାରିଲେ ଯେ ଏତେ ଦିନ ଧରି କି କାମ ଚାଲିଛି । ତା’ପରେ ଭୟରେ ତାଙ୍କର ମନ ପରିବର୍ତ୍ତନ ହୋଇଗଲା । ସେ ଅନୁକୁ ଆଉ କୌଣସି କାର୍ଯ୍ୟ କରାନ୍ତି ନାହିଁ । ଶହେଟି କାମ ହେବା ପରେ ଭୂତ ବୋତଲରୁ ମୁକ୍ତି ପାଇ ନିଜ ରାସ୍ତାରେ ଚାଲିଗଲା । ଏମାନଙ୍କ ଘରେ ମଧ୍ୟ ଭୂତ ଦୟାରୁ ଶାନ୍ତି ବିରାଜମାନ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ