ବ୍ରାହ୍ମଣ ପୁଅ ରାଜା ହେଲା

ଏପରି କଥା ଶୁଣି ରାଣୀ କହିଲେ “ମହାରାଜ ଯୁବକଟି ଖୁବ୍ ଭଲ ସ୍ୱଭାବର ବୋଲି ମୋର ଧାରଣା । ଆମ ଜେମାଙ୍କୁ ତା ସହିତ ବିବାହ କରେଇ ଦେଲେ ଖୁବ୍ ଭଲ ହୁଅନ୍ତା ।”

ରାଜା କହିଲେ “କୌଣସି ଲୋକର ପରିଚୟ ନ ଜାଣି କିପରି ତାହା କରେଇ ଦେବା?”

ମନ୍ତ୍ରୀ କହିଲେ “ମହାରାଜ ରାଜପୁତ୍ର କୌଣସି ବ୍ରତ ପାଳନ କରୁଛନ୍ତି ସେଥିପାଇଁ ସେ ନିଜର ପରିଚୟ ଗୋପନ ରଖୁଛନ୍ତି । ଯଦି ଆମେ ପରିଚୟ ପଚାରିବା ତାହେଲେ ସେ ଏଠାରୁ ପଳାଇ ଯାଇ ପାରନ୍ତି । ଛଦ୍ମବେଶରେ ବୁଲିବାର ତାଙ୍କର କୌଣସି ବିଶେଷ କାରଣ ଥାଇପାରେ । ସେ ସବୁକଥା ନ ଉଠାଇ ରାଜଜେମାଙ୍କ ସହିତ ତାଙ୍କର ବାହା କରାଇ ଦେବାଟା ଭଲ ହେବ ।”

ମନ୍ତ୍ରୀଙ୍କ କଥା ପ୍ରତି ରାଜା ସମ୍ମତି ଜଣାଇଲେ । ମନ୍ତ୍ରୀ ଯାଇ ପଦ୍ମନାଭକୁ ବିବାହ ପ୍ରସ୍ତାବ ଦେଲେ ଆଉ ରାଜଜେମାଙ୍କୁ ମଧ୍ୟ ଦେଖାଇଦେଲେ । ଏକଥା ଶୁଣି ସେ ପଦ୍ମନାଭ ହଠାତ୍ ଗମ୍ଭୀର ହୋଇଗଲା ଫଳରେ ତା ପାଟିରୁ ଆଉ କୌଣସି କଥା ବି ବାହାରିଲା ନାହିଁ । ତେଣୁ ମନ୍ତ୍ରୀ ମନେ ମନେ ଭାବିଲେ ରାଜଜେମାଙ୍କୁ ବିବାହ କରିବାକୁ ଯିଏ କୁଣ୍ଠାବୋଧ କରୁଛି ସେ ନିଶ୍ଚୟ ଗୋଟାଏ ବଡ ରାଜ୍ୟର ରାଜପୁତ୍ର ତା ନ ହେଲେ ସେ ନୀରବ ରହନ୍ତା କାହିଁକି?

ତା’ପରେ ମନ୍ତ୍ରୀ ଟିକିଏ ନେହୁରା ହେଲାଭଳି କହିଲେ, ଆମ ରାଜଜେମା ଯେପରି ସୁନ୍ଦରୀ ସେପରି ଗୁଣବତୀ ମଧ୍ୟ । ତାଙ୍କୁ ବିବାହ କଲେ ତମେ ନିଶ୍ଚୟ ସୁଖୀ ହୋଇପାରିବ । ଶେଷରେ ପଦ୍ମନାଭ ରାଜି ହେଲା । ବହୁତ ଜାକ ଜମକରେ ରାଜଜେମାଙ୍କର ବାହାଘର ହୋଇଗଲା ।

କିଛିଦିନ ବିତିଗଲା । ଦିନେ ରାଜଜେମା ପଦ୍ମନାଭକୁ କହିଲେ ଆମେ ଆଉ କେତେଦିନ ଏଠାରେ ରହିଥିବା? ତମ ରାଜ୍ୟକୁ ଯିବା ନାହିଁ? ତମ ରାଜପ୍ରସାଦ କେମିତି, ସେଠିକାର ଲୋକମାନେ କେମିତି ସେ ସବୁ ଦେଖିବା ପାଇଁ ମୋର ପ୍ରବଳ ଆଗ୍ରହ ହେଉଛି ।

ପଦ୍ମନାଭ ନିଜ ସ୍ତ୍ରୀଙ୍କ ଏଭଳି କଥା ଶୁଣି ନୀରବ ରହିଲା । ଦୁଃଖରେ ତାର ହୃତ୍କମ୍ପ ହେଲା । ରାଜକନ୍ୟାଙ୍କୁ ନେଇ ସେ କ’ଣ ବା ଦେଖାଇବ? କେଉଁଠି ରଖିବ? ସତକଥାଟା କହିବାକୁ ତାର ଆଦୌ ସାହସ ହେଉ ନଥିଲା । ତେଣୁ ମନେ ମନେ ସେ ଗୋଟେ ବୁଦ୍ଧି ପାଂଚିଲା ।

ପଦ୍ମନାଭ ରାଜଜେମାଙ୍କୁ କହିଲା ଆମେତ ନିଶ୍ଚୟ ଆମ ରାଜ୍ୟକୁ ଯିବା, କିନ୍ତୁ ଯିବା ପୂର୍ବରୁ ଆଉ କିଛି ରାଜ୍ୟ ପର୍ଯ୍ୟଟନ କରି କରି ଯିବା । ଏ ସୁଯୋଗ ଆମକୁ ଆଉ ମିଳିବ ନାହିଁ । ରାଜଜେମା କହିଲେ ହଉ ଠିକ୍ ଅଛି ଅନ୍ୟ ରାଜ୍ୟ ଭିତରେ ବୁଲି ବୁଲି ଯିବା । ସେମାନେ ରାଜ୍ୟରୁ ବାହାରିଯାଇ ଅନ୍ୟୀରାଜାର ଅତିଥିଶାଳାରେ ରହନ୍ତି । ପୁଣି ଚାଲନ୍ତି । ଏମିତି ଯାଉ ଯାଉ ସେମାନେ ଯାଇ କଳିଙ୍ଗ ରାଜ୍ୟରେ ପହଁଚିଲେ । ସେଠାରେ ଅତିଥି ଶାଳାରେ ସ୍ଥାନ ନ ଥିବାରୁ ସେମାନେ ଜଣେ ବିଧବା ସ୍ତ୍ରୀ ଲୋକ ଘରେ ଯାଇ ରହିଲେ ।

ରାଜକନ୍ୟା ନିଜର ଖଣ୍ଡିଏ ଅଳଙ୍କାର ବିକ୍ରି କରିବା ପାଇଁ ପଦ୍ମନାଭକୁ ଦେଲେ । ସେ ରତ୍ନଖଚିତ ଅଳଙ୍କାର ଏବଂ ଯୁବକ ଯୁବତୀ ଦୁଇଜଣଙ୍କର ଚେହେରା ଦେଖି ବିଧବାଟିର ଟିକେ ସନ୍ଦେହ ହେଲା । ଏ ଦୁହେଁ ନିଶ୍ଚୟ କୌଣସି ରାଜପୁତ୍ର-ରାଜବଧୂ ହୋଇଥିବେ । ଏମାନେ ଛଦ୍ମବେଶରେ ବୁଲୁଛନ୍ତି । ଏଇକଥା ଜଣାଇବା ପାଇଁ ବିଧବା ସ୍ତ୍ରୀ ଲୋକଟି ଯାଇ ରାଣୀଙ୍କ ପାଖରେ ପହଁଚିଲା ଏବଂ ରାଣୀମା’ଙ୍କୁ କହିଲା । “ମା’ ଆପଣଙ୍କର ଯେଉଁ ରାଜକୁମାର ପିଲାଦିନେ ହଜିଯାଇଥିଲେ ସେ ଏବେ ଛଦ୍ମ ବେଶରେ ଆସି ମୋ ଘରେ ଆଶ୍ରୟ ନେଇଛନ୍ତି । ତାଙ୍କ ସାଙ୍ଗରେ ରାଜବଧୂ ମଧ୍ୟ ଅଛନ୍ତି । ଆପଣ ଦୟାକରି ମୋ ଘରକୁ ଆସନ୍ତୁ ଏବଂ ସେ ଯୁବକଜଣକ ଆପଣଙ୍କ ପୁଅକି ନୁହଁ ଦେଖିନିଅନ୍ତୁ ।”

କଳିଙ୍ଗର ରାଣୀ ତାଙ୍କ ସାଙ୍ଗରେ ଦାସଦାସୀ ନେଇ ସେ ବିଧବା ଘରେ ପହଁଚିଲେ ଏବଂ ପଦ୍ମନାଭ ଯେ ତାଙ୍କର ହଜିଯାଇଥିବା ପୁତ୍ର ବୋଲି କହି ରାଣୀ ତାକୁ ଆନନ୍ଦରେ କୁଣ୍ଢାଇ ପକାଇଲେ । ଏତେଦିନ ପରେ ହଜିଲା ପୁତ୍ରକୁ ପାଇଲେ ବୋଲି ଆନନ୍ଦିତ ବି ହେଲେ । ରାଜାଙ୍କ ପାଖକୁ ଏ ଖବର ଗଲା । ତା’ପରେ ସେ ରାଜାଙ୍କ ନିର୍ଦେଶ ଅନୁସାରେ ରାଜକୁମାର ଆଉ ରାଜବଧୂଙ୍କୁ ବହୁତ ଆଡମ୍ବର ସହକାରେ ବାଜା ବଜାଇ, ବାଣ ଫୁଟାଇ ହାତୀ ଉପରେ ବସାଇ ଉଆସକୁ ନିଆଗଲା । ସେମାନଙ୍କୁ କଳିଙ୍ଗର ରାଜସିଂହାସନରେ ଅଭିସିକ୍ତ କରାଗଲା । ସେମାନେ ହେଲେ କଳିଙ୍ଗ ରାଜ୍ୟର ନୂଆ ସମ୍ରାଟ । ଏଥିରୁ ଶିକ୍ଷ୍ୟା ମିଳେ ଠକଙ୍କର ଭି ଶୁଭ ଦିନ ଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ