ଭାଗ୍ୟବିଧାତା

ସେ ତା’ର ସାଙ୍ଗ ପାଇଁ ବହୁସମୟ ଅପେକ୍ଷା କରିବା ପରେ ଭାବିଲା, “ନାହିଁ, ଆଜି ବୋଧହୁଏ ମୋ ସାଙ୍ଗ ଆଉ ଆସିବ ନାହିଁ । ଭୁଲିଗଲା, ହୁଏତ କ’ଣ ଜରୁରୀ କାମ ପଡିଯାଇଥିବ । ଏହିପରି ଭାବେ ରାଜପାଳ ନିଜକୁ ସାନ୍ତ୍ୱନା ଦେଲା । କିନ୍ତୁ ତା’ର ମନ ମଧ୍ୟରେ ସେ ବୁଢା କଥା ଗୁଡେଇ ତୁଡେଇ ହେଉଥିଲା । ମନ ନାନା ପ୍ରକାର ଉତ୍କଣ୍ଠା ଓ ବିରକ୍ତିରେ ଭରିଗଲା ତା’ପରେ ସେ ନଗରକୁ ଫେରିଲା । କିଛି ଦୂର ଯିବା ପରେ ଦରବାରରେ କାମ କରୁଥିବା ଜଣେ ଚାକରକୁ ସେ ଦେଖିଲା । ରାଜପାଳ ତାକୁ ଡାକି କହିଲା, “ଗୋଟିଏ ପିଶାଚ ଛୋଟ ପିଲା ରୂପରେ ବଞ୍ଚିଛି । ଯଦି ତମେ ତାକୁ ହତ୍ୟା କର ତ ମୁଁ ତୁମକୁ ଦଶଟି ମୋହର ଦେବି । ଏ କାମ କରି ପାରିବ ତ?”

ଚାକର କହିଲା, “ପିଶାଚକୁ ତ ଜୀବନ୍ତ ରଖିବା କଥା ନୁହେଁ । ଦେଖାଅ ତ ସେ କେଉଁଠି ଅଛି । ଏବେହିଁ ତାକୁ ଶେଷ କରିଦେଇ ଆସେ ।”

ରାଜପାଳ ସେହି ଲୋକକୁ ନେଇ ପୁଣି ନଦୀ ଆଡକୁ ଫେରିଲା, ମାତ୍ର ସେତେବେଳକୁ ସେ ବୁଢୀଟି ଗାଧୋଇ ସାରିବା ପରେ ଛୁଆକୁ ଧରି ସେଠାରୁ ଫେରୁଥିଲା । ତାକୁ ଦେଖାଇ ଦେଇ ରାଜପାଳ କହିଲା, “ଦେଖ, ସେ ବୁଢୀ ଯେଉଁ ଛୁଆକୁ ଧରିଛି, ସେ ପିଶାଚୀ । ଯାଅ ତୁମ କାମ କର ।” ରାଜପାଳ ଏହାକହି ସେଠାରୁ ଚାଲିଗଲା । କାରଣ ଶିଶୁ ହତ୍ୟା ଦେଖିବା ଭଳି ସାହସ ତା’ର ନଥିଲା ।

ଚାକରଟି ପଇସା ଲୋଭରେ ସେ ବୁଢୀର ପଛେପଛେ ଯାଇ ଛୁରୀ କାଢି ତାକୁ ହତ୍ୟା କରିବା ପୂର୍ବରୁ ଦେଖିଲା ସେହି ନିରପରାଧ ଶିଶୁଟି ଢଳ ଢଳ ଆଖିରେ ତାକୁ ଚାହିଁଛି । ସେ ଭାବିଲା ଏତ ସାଧାରଣ ପିଲାଟିଏ ପିଶାଚୀ କାହିଁକି ହୁଅନ୍ତା ।” ତେଣୁ ସେ ଛୁରୀରେ ତା ମୁଣ୍ଡରେ ଟିକିଏ କାଟି ଦେଇ ପଳାଇଲା ଓ ରାଜପାଳକୁ କାମ ଶେଷ କରିଛି ବୋଲି ମିଛ କହି ପଇସା ନେଲା । ଶିଶୁ ହତ୍ୟା ଅପରାଧ କଥା ଭାବି ରାଜପାଳ ଖୁବ୍ ପଶ୍ଚାତାପ କଲା । ପୁଣି ଖୁସି ହେଲା ଯେ ଅନ୍ତତଃ ସେ ଝିଅ ପାଇଁ ତାକୁ ଆଉ ଚଉଦ ବର୍ଷ ଅପେକ୍ଷା କରିବାକୁ ହେବନାହିଁ । ସେ ପୁଣି ତା’ ବିବାହ ପାଇଁ କନ୍ୟା ଖୋଜିଲା । ବର୍ଷପରେ ବର୍ଷ କଟିଗଲା । ଜଣେ ନୂଆ ବିଚାରପତି ଆସିଲେ ଯିଏକି ରାଜପାଳର କାମ ଓ ବୁଦ୍ଧି ଦେଖି ଖୁବ୍ ସନ୍ତୁଷ୍ଟ ହେଲେ । ସେ ମଧ୍ୟ ଏହି କଥାକୁ ନେଇ ଭାରି ଆଶ୍ଚର୍ଯ୍ୟ ହେଲେ ଯେ ପ୍ରାପ୍ତ ବୟସ୍କ ହୋଇ ମଧ୍ୟ ସେ କାହିଁକି ବିବାହ କରି ନାହିଁ । ରାଜପାଳ ତାଙ୍କୁ କହିଲା “ବହୁ ପ୍ରୟାସ ଓ ପ୍ରଯତ୍ନ ସତ୍ତ୍ୱେ ବି ମୋର ବିବାହ ଆଦୌ ହୋଇ ପାରୁ ନାହିଁ । ମୁଁ ମଧ୍ୟ ଜାଣିପାରୁ ନାହିଁ ମୋର କପାଳରେ କ’ଣ ଅଛି । ଲୋକେ କୁହନ୍ତି, ବିବାହର ସମୟ ନ ଫିଟିଲେ ହେବ ନାହିଁ । ହୁଏତ ସେଇଆ ହୋଇଥିବ ।” ସେତେବେଳେ ସେ କହିଲେ, “ବିବାହ ଯୋଗ୍ୟ ବୟସ ଥିବା ମୋର ଝିଅଟିଏ ଅଛି, ସେ ଦେଖିବାକୁ ଅତି ସୁନ୍ଦର ଓ ପଢାପଢି ଭଲ କରିଛି । ତୁମେ ତାକୁ ବିବାହ କରିବ ତ ବହୁତ ଭଲ ହେବ । ମୁଁ ବି ନିଶ୍ଚିନ୍ତ ହେବି ।”

ରାଜପାଳ ବଡ ଆନନ୍ଦରେ ସେହି ପ୍ରସ୍ତାବକୁ ସ୍ୱୀକାର କଲା । ବିବାହ ହୋଇଗଲା । ଅଷ୍ଟରତ୍ନର ଅଳଙ୍କାରେ ଭୂଷିତା ହୋଇ କନ୍ୟାଟି ଖୁବ୍ ସୁନ୍ଦର ଦେଖାଯାଉଥାଏ । ରାଜପାଳର ଗୃହସ୍ଥ ଜୀବନ ତା’ପାଇଁ ତ ଏବେ ସ୍ୱର୍ଗ । ଥରେ ସେ ଲକ୍ଷ୍ୟ କରି ଦେଖିଲା ତା’ର ନବ ବିବାହିତା ପତ୍ନୀ ସମସ୍ତ ଅଳଙ୍କାର ପେଟିରେ ରଖି ଦେଲେ ମଧ୍ୟ ମୁଣ୍ଡର ଡାହାଣ ପଟେ ଗୋଟିଏ ଅଳଙ୍କାର ବରାବର ପିନ୍ଧି ଥାଏ । ରାଜପାଳ ଦିନେ ଏକଥା ପଚାରିବାରୁ ସେ କହିଲା, “ମୁଁ ଯେତେବେଳେ ମାତ୍ର ତିନିବର୍ଷର ପିଲା ହୋଇଥିଲି, ସେତେବେଳେ ଜଣେ ଡାକୁ ମୋତେ ମାରିଦେବାକୁ ଚେଷ୍ଟାକରି କେବଳ ମୁଣ୍ଡରେ ଆଘାତ କରି ପଳାଇଲା । ସେହି କ୍ଷତଟି ଘୋଡାଇବାକୁ ଯାଇ ମୁଁ ଏହି ଅଳଙ୍କାରଟି ସର୍ବଦା ପିନ୍ଧିଥାଏ ।”

ରାଜପାଳ ପଚାରିଲା “ଆଚ୍ଛା, ସେଦିନ ତୁମକୁ ଯେଉଁ କାଣୀ ବୁଢୀଟି କାଖ କରି ନଦୀକୁ ଗଲା, ସେ ତୁମର ମା’ ନୁହେଁ?”

ଏ ପ୍ରଶ୍ନ ଶୁଣି ସେ ବୋହୁଟି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲା, “ସେହି ସ୍ତ୍ରୀ ଲୋକକୁ ତୁମେ କିପରି ଜାଣିଲ? ସେ ମୋତେ ପାଳିଥିଲା, ସେ ମୋର ଧାଇମା । ମୁଁ ଏ ବିଚାରପତିଙ୍କ ନିଜ ଝିଅ ନୁହେଁ, ତାଙ୍କ ଭାଇର ଝିଅ । ପିଲାଦିନରୁ ମୋର ବାପମା’ ମରିଯାଇଥିଲେ । ତେଣୁ କାକା ମୋତେ ତାଙ୍କ ଝିଅ କରି ରଖିଲେ । ସମସ୍ତେ ଜାଣନ୍ତି ମୁଁ କାକାଙ୍କ ଝିଅ ।”

ରାଜପାଳ କିଛି ଗୁପ୍ତ ନରଖି ସମସ୍ତ ଘଟଣା ତା’ ସ୍ତ୍ରୀକୁ କହିଲା । ହେଲେ ସବୁକଥା ଶୁଣି ସେ ବୋହୁଟି ଟିକିଏ ବି ରାଗିଲା ନାହିଁ ।

ରାଜପାଳ କହିଲା, “ଏବେ ତ ତୁମଠାରୁ ଲୁଚାଇବାର କିଛି ନାହିଁ । ତେଣୁ କହିଲି । କିନ୍ତୁ ମୁଁ ତ ଜାଣିଥିଲି ସେହି ତିନିବର୍ଷର ଶିଶୁକୁ ମୁଁ ହିଁ ହତ୍ୟା କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲି ଓ ଶିଶୁହତ୍ୟା ଦୋଷରେ ନିଜକୁ ଦୋଷୀ ଭାବି ଅନେକ ପଶ୍ଚାତାପ କରୁଥିଲି କିନ୍ତୁ ସେ ବୁଢା କିଏ ଯାହାଙ୍କର କଥା ସତ୍ୟ ହେଲା ।” ବୋହୁଟି କହିଲା – ତମେ ବରଂ ସେଦିନ ମଣିକର୍ଣ୍ଣିକା ଘାଟରେ ଯାହାଙ୍କୁ ଦେଖିଲ ସେହିଁ ବ୍ରହ୍ମା, ବିଧାତା, ସମସ୍ତ ପ୍ରାଣୀଙ୍କ ଜନ୍ମ ମୃତ୍ୟୁ ଓ ମଣିଷର ବିବାହ, ଆଦି ସ୍ଥିର କରନ୍ତି । ସେ ପ୍ରତିଦିନ ମଣିକର୍ଣ୍ଣିକା ଘାଟକୁ ଆସନ୍ତି ବୋଲି ମୁଁ ତ ପୂର୍ବରୁ ଶୁଣିଥିଲି । ତୁମର ଭାଗ୍ୟ ବଡ ଉଚ୍ଚ ଯେ ତୁମେ ନିଜେ ବ୍ରହ୍ମାଦେବଙ୍କୁ ଦେଖିଲ ।”

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ