ଭାଗ୍ୟର ବିଡମ୍ବନା

ସେ ତା’ମେଣ୍ଢାଛୁଆକୁ ଧରି ନାଚି ନାଚି ଗୁମ୍ଫା ବାହାରକୁ ଆସିଲା । ବାହାରି ଆସି ଦେଖିଲା, କେମିତି କେଜାଣି ତା’ ମେଣ୍ଢା ଛୁଆର ଲାଞ୍ଜଟି ଆଉ ନାହିଁ । ସେ ନିଜକୁ ନିଜେ କହିଲା, “ଗାଁ ଯାକରେ ଖାଲି ମୋହରି ଗୋଟାଏ ମେଣ୍ଢାର ଲାଞ୍ଜ ରହିବ ନାହିଁ! ଗାଁର ସବୁ ମେଣ୍ଢାଙ୍କ ଲାଞ୍ଜଟିମାନ ଉଡି ଯାଆନ୍ତା କି!”

ଆଶ୍ଚର୍ଯ୍ୟର କଥା, ସେ ଗାଁରେ ପହଁଚି ଦେଖିଲା, ଗାଁର ସବୁ ମେଣ୍ଢାଙ୍କର ଲାଞ୍ଜ ଉଡିଯାଇଛି । ଗାଁ ଲୋକେ କିଛି ବୁଝିପାରୁ ନଥାନ୍ତି । ସେମାନେ ଖାଲି ବିସ୍ମିତ ହେଉଥାନ୍ତି!

ଭୈରବ ବେଶି ବୁଦ୍ଧିମାନ ନ ହେଲେ ବି ନିପଟ ଓଲୁ ଥିଲା ବୋଲି ମଧ୍ୟ କହିହେବ ନାହିଁ । ସେ ବୁଝିଲା ଯେ ଯାଦୁ ପାଣି ଯେ ଖାଲି ତାକୁ ତା’ର ବାକ୍ଶକ୍ତି ଦେଇଛି, ସେତିକି ନୁହେଁ, ତାଠୁଁ ଅଧିକ କିଛି ଶକ୍ତି ମଧ୍ୟ ସେ ଦେଇଛି । ତାହା ହେଲା, ସିଏ ଯାହା କହିବ, ତାହା ଅବଶ୍ୟ ଫଳିଯିବ ।

“ମୋର ଏ ଶକ୍ତି ବିଷୟରେ କାହାକୁ କିଛି ନ କହିବାହିଁ ଉତ୍ତମ ହେବ ।” ଏକଥା ସେ ତା’ ମନେ ମନେ ଭାବିଲା ଓ ସମସ୍ତଙ୍କ ବିସ୍ମୟ ଦେଖି ମୁଚୁକି ମୁଚୁକି ହସୁଥାଏ ସିନା, କିନ୍ତୁ ସେ ଘଟଣା ଯେ କେବଳ ତାହାରି ଯୋଗୁଁ ହୋଇଛି, ଏକଥା ସେ କାହାରିକୁ କିଛି ହେଲେ ମଧ୍ୟ କହିଲା ନାହିଁ ।

ସେ ପୁରା ଗୋଟାଏ ଦିନ ଏ କଥାକୁ ଗୋପନ ରଖିଲା ।  କିନ୍ତୁ ତା’ପରେ ତା’ର ଆଉ ଧୈର୍ଯ୍ୟ ରହିଲା ନାହିଁ । ତା’ର ଜଣେ ସଖାକୁ ସେ ଅତି ଗର୍ବରେ ତା’ ନିଜ ଶକ୍ତି କଥା କହିଦେଲା । ସେ ଟୋକା ଆଉ ଜଣକୁ କହିଲା । ସେ ଜଣକ ଆଉ ଦୁଇଜଣଙ୍କୁ କହିଲା । କ୍ରମେ ଚାହୁଁ ଚାହୁଁ ଭୈରବର ଏଭଳି ଅଦ୍ଭୁତ ଶକ୍ତି ବିଷୟରେ ସେ ଗାଁ ଯାକର ସବୁ ଲୋକେ ଜାଣିଗଲେ ।

ପରଦିନ ଗାଁ ଜମିଦାରର ଗୁମାସ୍ତା ତାକୁ ତା’ ନିଜ ଘରକୁ ଡାକି ନେଇଗଲା । ସେଠି ଗୁମାସ୍ତା ତାକୁ ବହୁତ ଭଲ ଖାଇବାକୁ ଦେଲା । ତା’ପରେ ଗୁମାସ୍ତା କହିଲା, “ସୁନା ପିଲାଟି! ମୁଁ ଯାହା କହୁଛି ତାହା କର । ତୁ କହ କି ଜମିଦାର ମରିଯା’ନ୍ତୁ । ତୋ କଥା ତ ଫଳିଯିବ । ସେ ମରିଗଲେ ମୁଁ କାଗଜପତ୍ର ଏମିତି ଭାବରେ ଠିକ୍ କରି ରଖିଛି ଯେ ପୁରା ଜମିଦାରିଟା ବଳେ ବଳେ ମୋ ହାତକୁ ଚାଲି ଆସିବ ।”

“ନା, ନା, ମୁଁ ସେଭଳି କଥା କିପରି କହିବି?” ଏହା କହି ଭୈରବ ତାଙ୍କ ପ୍ରସ୍ତାବରେ ନିଜର ଅନିଚ୍ଛା ପ୍ରକାଶ କଲା ।

“ଆରେ ବାବୁ, ମୁଁ ଜମିଦାର ହେଲେ ତୋ କଥା ମୁଁ କ’ଣ ବୁଝିବି ନାହିଁ? ତୋତେ କ’ଣ ଆଉ ମେଣ୍ଢା ଚରାଇ ଜୀବିକା ନିର୍ବାହ କରିବାକୁ ହେବ? ରାଜାମାନଙ୍କ ପାଖରେ ଯେମିତି ମନ୍ତ୍ରୀ ଥା’ନ୍ତି, ତୁ ବି ଠିକ୍ ସେମିତି ମୋର ପାତ୍ର, ମିତ୍ର, ମନ୍ତ୍ରୀ – ଏକା ଧାରରେ ସବୁକିଛି ହେବୁ । ଏଥର ବୁଝୁଛୁଟି? ମୁଁ ଯାହା କହିଲି, ତାହା କର । ତୋର ଲାଭ ଛଡା କ୍ଷତି ନାହିଁ ।” ଏହିଭଳି ଭାବେ ଗୁମାସ୍ତା ତାକୁ ବୁଝାଇ କହିଲେ ।

ଭୈରବ କହିଲା “ନା, ନା, ମୋର ମନ୍ତ୍ରୀ ହେବା ଆଦୌ ଲୋଡା ନାହିଁ । ମୁଁ ସେପରି କରିବି ନାହିଁ ।”

ଗୁମାସ୍ତା କହିଲା “ଯଦି ନ କହିବୁ, ତେବେ ତୁ ମୋ ଘରେ ବନ୍ଦୀ ହେବୁ ।” କଥା ଅନୁସାରେ ସେ ଭୈରବକୁ ଗୋଟାଏ କୋଠରୀରେ ଚାବି ପକାଇ ରଖିଲା ।

ଭୈରବ ତା’ ମନକୁ ମନ କହିଲା “ଏ ଲୋକଟା ମରିଗଲେ ଯାଇ ମୋତେ ଏଠୁ ମୁକ୍ତି ମିଳିବ!” ସେତେବେଳକୁ ରାତି ଆସି ପ୍ରାୟ ଅଧାଅଧି ହେଲାଣି । ଭୋର୍ ବେଳକୁ ସେ କିଛି କାନ୍ଦଣା ଓ ପାଟିଗୋଳ ଶୁଣିଲା । କେହି ଜଣେ ଆସି ତା’ କୋଠରୀ ଖୋଲିଦେଲା ଓ ଭୈରବ ତହିଁରୁ ବାହାରି ଆସିଲା । ବୁଝିବା ବେଳକୁ ସେ ଗୁମାସ୍ତା ଜଣକ ମରିଯାଇଛି!

ଭୈରବ ଭାବିଲା, ଏ ଗାଁରେ ରହିବା ତ ତା’ ପକ୍ଷରେ ଆଉ ନିରାପଦ ନୁହେଁ । ବଣ ସେପାରିରେ ଗୋଟିଏ ଛୋଟିଆ ଗାଁ ଥାଏ । ସେ ଭାବିଲା, ସେଠାରେ ଯାଇ କୁଡିଆଟିଏ ବନାଇ ରହିବ । ମେଣ୍ଢାପଲକୁ ଧରି ସେ ବଣ ଭିତର ଦେଇ ଚାଲିଲା । ହଠାତ୍ ଦଳେ ଡାକୁ ତାକୁ ଘେରିଗଲେ । ସେ ପାଟି କରି କହିଲା, “ତୁମେମାନେ ମୋତେ କ’ଣ ସାଧାରଣ ଲୋକ ବୋଲି ଭାବୁଛ କି? ଖବର୍ ଦାର୍!”

ତା’ ଆସ୍ଫାଳନ ଶୁଣି ସେ ଡାକୁମାନେ ହସିଲେ । ସେତିକିବେଳେ ଗୋଟାଏ ବାଘ ଭୈରବର ଗୋଟାଏ ମେଣ୍ଢା ଉପରକୁ କୁଦି ପଡିଲା । ଭୈରବ ପାଟି କରି କହିଲା, “ଆରେ ବାଘ! ତୁ ମର!” ସଙ୍ଗେ ସଙ୍ଗେ ସେହି ବାଘଟି ମରି ପଡିଗଲା । ଡାକୁମାନେ ଏ ଦୃଶ୍ୟ ଦେଖି ନିଜର ଆଖିକୁ ପରତେ ଯିବେ କି ନା ଭାବୁଛନ୍ତି, ଭୈରବ ଭାବିଲା ତା’ ମେଣ୍ଢାମାନଙ୍କୁ ସେ ବାଘ ବନାଇଦେଲେ ଆଉ ବଣ ଭିତରେ ସେମାନଙ୍କ ଉପରକୁ କିଛିବି ବିପଦ ଆସିବ ନାହିଁ । ସେ କହିଲା, “ମୋ ମେଣ୍ଢାପଲ ବାଘପଲ ହୋଇଯାଉ!” ତାହାହିଁ ହୋଇଗଲା । ସେ ଦୃଶ୍ୟ ଦେଖି ଡାକୁଦଳ ପ୍ରାଣ ବିକଳରେ ସେଠାରୁ ଦୌଡି ପଳାଇଲେ ।

ଭୈରବ ତା’ ବାଘ ପଲକୁ ଧରି ବଣ ବାହାରେ ଆସି ପହଁଚିଲା । ତାକୁ ଯିଏବି ବାଘପଲ ଅଡାଇ ଯିବାର ଦେଖିଲା, ସେ ଛାନିଆରେ ଡରି ଦୌଡିଲା । କେହି ଜଣେ ଯାଇ ରାଜାଙ୍କୁ ସେ ବିଷୟରେ ଖବର ଦେଲା । ରାଜା ତାଙ୍କ ମନ୍ତ୍ରୀଙ୍କୁ ସଙ୍ଗେ ସଙ୍ଗେ ସେଠାକୁ ପଠାଇଲେ । ମନ୍ତ୍ରୀ ଆସି ଦୁରରେ ଠିଆ ହୋଇ ଲକ୍ଷ୍ୟ କଲେ, ବାଘ ଭଳି ଦିଶୁଥିବା ସେ ପଶୁଗୁଡିକ ଠିକ୍ ମେଣ୍ଢା ଭଳି ଶବ୍ଦ କରୁଛନ୍ତି । ଏଣୁ ମନ୍ତ୍ରୀ ପଚାରିଲେ “ହଇହୋ ଯୁବକ! ମନେ ହୁଏ ତୁମେ କିଛି ଯାଦୁ ଜାଣିଛ ବୋଲି ।”

ଭୈରବ ସ୍ୱୀକାର କଲା “ନିଶ୍ଚୟ!” ବଣ ବାହାରେ ଆଉ ତା’ ମେଣ୍ଢାଦଳ ପ୍ରତି କୌଣସି ବିପଦ ନାହିଁ ଏହା ଜାଣି ସେ କହିଲା, “ମୋ ମେଣ୍ଢାପଲ ପୁଣି ମେଣ୍ଢାପଲ ହୋଇଯାଉ ।” ତାହାହିଁ ହୋଇଗଲା ।

ମନ୍ତ୍ରୀ ତା’ ପାଖକୁ ଆସି ରାଜାଙ୍କ ଦରବାରକୁ ଯିବାକୁ ତାକୁ ନିମନ୍ତ୍ରଣ ଜଣାଇଲେ । ଭୈରବ ତାଙ୍କ ସାଙ୍ଗରେ ଗଲା । ମନ୍ତ୍ରୀ ରାଜାଙ୍କୁ ଗୋପନରେ କହିଲେ, “ଏ ଯୁବକର କିଛି ଅଦ୍ଭୁତ ଶକ୍ତି ରହିଛି । କିନ୍ତୁ ତା’ର ବୁଦ୍ଧି ଆଦୌ ନାହିଁ । ଥିଲେ ସେ ଏତେବେଳକୁ କେତେ କ’ଣ କରି ସାରନ୍ତାଣି । ବିପଦ ହେଲା, ତାକୁ ଯଦି ଆମ ଶତ୍ରୁପକ୍ଷ ହାତ କରିନେଲେ, ତେବେ ଆମର ବହୁତ ଅନିଷ୍ଟ କରିପାରିବେ । ତାକୁ ବରଂ ଆମେ ଆମ ପାଖରେ ରହିବା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ