ଭାଗ୍ୟ – ଦୁର୍ଭାଗ୍ୟ

                ଏହା ଶୁଣି ଲୋକଟି ବହୁତ ମନଦୁଃଖ କଲା । ପନ୍ଦରଦିନ ହେଲା ରାଜ୍ୟକୁ ଆସିଥିଲେ ମଧ୍ୟ ରାଜାଙ୍କ ଖବର ନ ବୁଝି ଥିବାରୁ ନିଜେ ନିଜକୁ ଧିକ୍କାର କଲା । ତୁରନ୍ତ ଘରକୁ ଫେରି ଯାଇ ସେହି ଅପୂର୍ବ ମଣିଟି ସାଙ୍ଗରେ ଆଣି ପୁନଶ୍ଚ ଅନ୍ତଃପୁରରେ ପହଁଚିଲା ।

                ଧନୀ ବଣିକ ବେଶରେ ସେ ବେଶ୍ ଆକର୍ଷଣୀୟ ମନେ ହେଉଥିବାରୁ, ରାଜଦର୍ଶନ ପାଇଁ ତା’ର କିଛି ଅସୁବିଧା ହେଲାନାହିଁ । ସେ ରାଜାଙ୍କ କକ୍ଷରେ ପ୍ରବେଶ କରି ଦେଖିଲା, ରାଜା ଅତ୍ୟନ୍ତ କ୍ଷୀଣକାୟ ହୋଇ ଯାଇଛନ୍ତି, ତାଙ୍କ ମୁଖରେ ଆଉ ସେ କାନ୍ତି ନାହିଁ । ଶଯ୍ୟାରେ ଗୋଟିଏ ଦିଗକୁ କରମାଡି ସେ ଶୋଇଛନ୍ତି । ଛଅମାସ ପୂର୍ବେ ଯେଉଁ ରାଜା, ଏତେ ଆତ୍ମବିଶ୍ୱାସର ସହ କଥା କହୁଥିଲେ, ତାଙ୍କୁ ଏପରି ଦୟନୀୟ ଅବସ୍ଥାରେ ଦେଖି, ତା’ ମନରେ ଦୁଃଖର ସୀମା ରହିଲା ନାହିଁ । ସେ ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କଲା, “ହେ ଭଗବାନ! ତୁମର ଲୀଳା ସତରେ କେଡେ ବିଚିତ୍ର । କେତେବେଳେ କାହା ଜୀବନରେ କ’ଣ ଘଟିବ, ତାହା ତ କେବଳ ତୁମକୁ ହିଁ ଜଣା ।”

                ଲୋକଟିର ଆଖିରେ ଅଶ୍ରୁ ଭରିଗଲା । କ୍ଷଣିକ ପାଇଁ ସେ ନିର୍ବେଦ ହୋଇଗଲା । ପରକ୍ଷଣରେ ନିଜକୁ ସମ୍ଭାଳି ନେଇ ସେ ଧୀରେ ଧୀରେ ମହାରାଜଙ୍କ ନିକଟକୁ ଗଲା । ରାଜାଙ୍କ ପିଠିର ଘାଆଟି ଉନ୍ମୁକ୍ତ ଥିବାରୁ ତାହା ସ୍ପଷ୍ଟ ଦେଖି ହେଉଥାଏ । ସେ ସେହି ଅଦ୍ଭୁତ ମଣିଟି ନେଇ, ସେହି ଅସୁସ୍ଥ ସ୍ଥାନରେ ରଖିଲା ।

                ଠିକ୍ ପର ମୁହୂର୍ତ୍ତରେ ତାଙ୍କର ସେହି ଦୁରାରୋଗ୍ୟ ଘାଆ କେଉଁଆଡେ ଅଦୃଶ୍ୟ ହୋଇଗଲା ଓ ଚର୍ମରେ ପୂର୍ବର ଉଜ୍ଜ୍ୱଳତା ଓ କାନ୍ତି ଫେରି ଆସିଲା । ଶୋଇଥିବା ଅବସ୍ଥାରେ ମଧ୍ୟ ରାଜା ସେହି ଯନ୍ତ୍ରଣା ଅନୁଭବ କରି ପାରୁଥିଲେ । ଅକସ୍ମାତ ପୀଡାରୁ ମୁକ୍ତି ପାଇଯିବାରୁ ସେ ତାଙ୍କ ଆଖି ଖୋଲି ଚାହିଁଲେ ।

                ସେଠାରେ ବସିଥିବା ମହାରାଣୀ ଏହି ଦୃଶ୍ୟ ଦେଖୁଥିଲେ । ରାଜାଙ୍କର ଆରୋଗ୍ୟ ଦେଖି ତାଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ନିଗିଡି ଆସିଲା । ସେ ହାତ ଯୋଡି ସେହି ଲୋକଟି ପ୍ରତି ନିଜର କୃତଜ୍ଞତା ଜଣାଇଲେ ।

                ରାଜା ଶଯ୍ୟା ଉପରେ ଉଠି ବସିଲେ । ସେ ସମୟରେ ତାଙ୍କୁ ପୁନର୍ଜନ୍ମ ମିଳିଯିବା ପରି ଲାଗୁଥାଏ । ସେ ଆନନ୍ଦିତ ହୋଇ କହିଲେ, “କିଏ ମୋତେ ଏହି ପୁନର୍ଜନ୍ମ ପ୍ରଦାନ କଲେ? କାହାନ୍ତି ସେହି ମହାନ୍ ବ୍ୟକ୍ତି?”

                ମହାରାଣୀ ସେହି ଲୋକଟି ପ୍ରତି ଇଙ୍ଗିତ କଲେ । ରାଜା ବିସ୍ମୟଚକିତ ହୋଇ ଦେଖୁଥିବା ସମୟରେ, ସେ ରାଜାଙ୍କୁ ପ୍ରଣାମ କଲା । ରାଜା ଶଯ୍ୟାରୁ ତଳକୁ ଆସି ତା’ର ହାତ ଧରି ପକାଇ କହିଲେ, “ମହାନୁଭବ, ମୋର ସର୍ବସ୍ୱ ଆପଣଙ୍କୁ ସମର୍ପଣ କରିଲେ ମଧ୍ୟ, ମୁଁ ଆପଣଙ୍କ ଉପକାରର ଋଣ କେବେବି ଶୁଝି ପାରିବି ନାହିଁ । ମୋ ପାଇଁ ଆପଣ ସାକ୍ଷାତ୍ ଧନ୍ୱନ୍ତରୀ ସଦୃଶ । ଏବେ ଆପଣ ଆପଣଙ୍କର ପରିଚୟ ଦେଇ ମୋତେ କୃତାର୍ଥ କରନ୍ତୁ ।”

                ଏହା ଶୁଣି ସେ ଲୋକଟି ସ୍ମିତ ହସି କହିଲା, “ମହାରାଜ, ଆମେ ବହୁ ଆଗରୁ ପରସ୍ପରର ପରିଚିତ । ନୂତନ ପରିଚୟର ଆଉ କୌଣସି ଆବଶ୍ୟକତା ନାହିଁ । ଛଅମାସ ପୂର୍ବେ ଭଗବାନଙ୍କ କୃପାରୁ ଆମେ ପରିଚିତ ହୋଇଥିଲେ ।”

                ତାହାର କଣ୍ଠସ୍ୱରରୁ ରାଜା ସେ ଲୋକଟିକୁ ଚିହ୍ନି ପାରିଲେ । ଗଦ୍ଗଦ୍ ସ୍ୱରରେ କହିଲେ, “ତାହେଲେ ତୁମେ ସେହି ଲୋକ ।” ଲୋକଟି ମହାରାଜଙ୍କ ହାତ ଧରି ତାଙ୍କୁ ଶଯ୍ୟା ଉପରେ ବସାଇଲା । ଲୋକଟି ବିନୟତାର ସହ ପ୍ରକାଶ କଲା “ରାଜନ୍, ଆପଣ ହିଁ ଆଜି ମୋର ଏହି ପରିବର୍ତ୍ତନର କାରଣ । ଆପଣ ମୋତେ ଏପରି ପ୍ରଶଂସା କରନ୍ତୁ ନାହିଁ । ଆପଣ ଏବେବି ମଧ୍ୟ ଦୁର୍ବଳ ଅଛନ୍ତି । ଆପଣ ସଂନ୍ଧ୍ୟା ସମୟ ପର୍ଯ୍ୟନ୍ତ ବିଶ୍ରାମ ଗ୍ରହଣ କରନ୍ତୁ । ମୁଁ ପରେ ସବୁକଥା ଆପଣଙ୍କୁ ଜଣାଇବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ