ଭାଗ୍ୟ – ଦୁର୍ଭାଗ୍ୟ

                ରାଜା ବେଶ୍ ସୁସ୍ଥ ଅନୁଭବ କରୁଥିଲେ । ଏତେ ଦିନର ଅସୁସ୍ଥତାରୁ ମୁକ୍ତି ପାଇଁ ତାଙ୍କୁ ପ୍ରଫୁଲ୍ଲ ଲାଗୁଥାଏ । ସେ ଯଥାରୀତି ଭୋଜନ ସମାପ୍ତ କରି ସଂନ୍ଧ୍ୟା ସମୟ ଯାଏଁ ବିଶ୍ରାମ ନେଲେ । ପ୍ରସନ୍ନ ଚିତ୍ତରେ ନିଜର ଉଦ୍ୟାନରେ ଉପବେଶନ କରି ଲୋକଟିକୁ ଡାକି ଆଣିବା ପାଇଁ ସେବକକୁ ଆଜ୍ଞା ଦେଲେ ।

                କିଛି କ୍ଷଣ ପରେ ସେହି ଲୋକଟି ସେଠାରେ ଯାଇ ପହଁଚିଲା । ରାଜା ତା’ର ସନ୍ନିକଟରେ ବସି ରାକ୍ଷସଦ୍ୱୀପରେ ପାଦଦେବା ପରଠାରୁ ଯାହା ସବୁ ଘଟଣା ଘଟିଥିଲା, ତାହାସବୁ ଧ୍ୟାନର ସହିତ ସେ ତା’ଠାରୁ ଶୁଣିଲେ ।

                ସମସ୍ତ ବୃତ୍ତାନ୍ତ କହିସାରିବା ପରେ ସେ ରାଜାଙ୍କୁ କହିଲା, “ମହାରାଜ, ମୁଁ ସ୍ୱୀକାର କରୁଛି ଯେ, ମନୁଷ୍ୟ ସର୍ବଶକ୍ତିମାନ ଅଟେ । କିନ୍ତୁ ଭଗବାନ, ତା’ଠାରୁ ଉପରେ ଅଛନ୍ତି । ଈଶ୍ୱର ପଂଚଭୁତରେ ଗଢା ଏହି ମନୁଷ୍ୟ ଶରୀରର ସୃଷ୍ଟିକର୍ତ୍ତା । ମନୁଷ୍ୟ ଜୀବନର ପ୍ରତିକ୍ଷଣ ବିଧିର        ନିୟମ ଦ୍ୱାରା ପରିଚାଳିତ । ଭାଗ୍ୟ ଚକ୍ରରେ କେତେବେଳେ ଯେ କେଉଁ ପରିବର୍ତ୍ତନ ହେବ, କେଉଁ ମୋଡରେ ଜୀବନର ଗତିପଥ ବଦଳିଯିବ, ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟ ଆଗକୁ କ’ଣ ଘଟିବ, ଏହା ତ କେହି ବି କହିପାରିବେ ନାହିଁ । ଧର୍ମ ଆଚରଣ କରିବା, ଧର୍ମ ପଥରେ ଚାଲିବା ହେଉଛି ମନୁଷ୍ୟର କର୍ତ୍ତବ୍ୟ । ଧର୍ମ-ପଥରେ ଅଗ୍ରସର ହେଲେ, ସେ କ୍ରମଶଃ ସୌଭାଗ୍ୟର ନିକଟବର୍ତ୍ତୀ ହୁଏ, ଈଶ୍ୱରଙ୍କର ପ୍ରିୟପାତ୍ର ହୁଏ । ମୋ କଥାରୁ ଆପଣ ପ୍ରମାଣ ଦେଖନ୍ତୁ । ମୋତେ ରାକ୍ଷସ-ଦ୍ୱୀପକୁ ପ୍ରେରଣ କରି, ଦୁର୍ଭାଗ୍ୟର ଶୀକାର ହେବା ପାଇଁ ଆପଣ ଯେଉଁ ଯୋଜନା କରିଥିଲେ, ତାହା ଆପଣଙ୍କ ଜୀବନରେ ଘଟିଗଲା । ଏହି ସତ୍ୟକୁ ଆପଣ କେବେବି ଅସ୍ୱୀକାର କରିପାରିବେ କି?”

                ସେହି ସମୟରେ ରାଜା ଖୁବ୍ ଗମ୍ଭୀର ହୋଇ ସେ ଲୋକଟିର କଥା ଧ୍ୟାନର ସହିତ ଶୁଣୁଥିଲେ । ସତ୍ୟ କଥା ହୃଦୟଙ୍ଗମ କରି ସେ ହାତ ଯୋଡି କହିଲେ, “ପ୍ରଥମେ ମୁଁ ସେହି ପରମ ମଙ୍ଗଳମୟ ଜଗନ୍ନାଥଙ୍କୁ, ଓ ତତ୍ପରେ ମୋତେ ସତ୍ଜ୍ଞାନ ପ୍ରଦାନ କରିଥିବା ତାଙ୍କ ଦୂତ ସ୍ୱରୂପ ତୁମକୁ, ମୁଁ ନମସ୍କାର କରୁଛି । ତୁମେ ହିଁ କହିଥିଲ ନା, ସଂସାରରେ ଯେତେ ଭଲ ଲୋକ ଅଛନ୍ତି, ସମସ୍ତେ ଭଗବାନଙ୍କର ଦୂତ ଅଟନ୍ତି ।” ଏହିପରି କହି ରାଜା ଅନ୍ତରରେ ଶାନ୍ତି ଅନୁଭବ କଲେ ।

                ସେହି ରମଣୀୟ ଉଦ୍ୟାନର ପ୍ରତିଟି କୋଣରେ ଶୁଭ୍ରକାନ୍ତିର ଚନ୍ଦ୍ର କିରଣ ବିଚ୍ଛୁରିତ ହୋଇ ପଡିଥାଏ । ପ୍ରକୃତିର ସେହି ମନୋହର ଶୋଭା ଭଗବାନଙ୍କର ସ୍ୱଚ୍ଛ, ପବିତ୍ର ଆଶୀର୍ବାଦ ସଦୃଶ ସେ ଦୁହିଁଙ୍କ ଉପରେ ଝରି ପଡୁଥାଏ । ରାଜା ପରମ ଆନନ୍ଦରେ ସେ ଲୋକଟି ସହିତ ଉଦ୍ୟାନରେ ଭ୍ରମଣ କରୁଥାଆନ୍ତି । ଏହି ସମୟରେ ରାଣୀ ସେମାନଙ୍କ ପାଖରେ ପହଁଚି ରାତ୍ରୀ ଭୋଜନ ପାଇଁ ଲୋକଟିକୁ ନିମନ୍ତ୍ରଣ ଜଣାଇଲେ । ରାଜାଙ୍କ ସହିତ ରାତ୍ରୀଭୋଜନର ସୌଭାଗ୍ୟ ପାଇଁ ଲୋକଟି ରାଣୀଙ୍କୁ କୃତଜ୍ଞତା ଜ୍ଞାପନ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ